ଲାଲଗଡ଼ ପତନ ଆସନ୍ନ
ନକ୍ସଲ କାର୍ଯ୍ୟକଳାପର ଭୌଗୋଳିକ ସ୍ଥିତି କ୍ରମେ ସଂକୁଚିତ ହୋଇ ଛତିଶଗଡ଼଼ ଓ ତତ୍ସଂଲଗ୍ନ ଓଡ଼ିଶା ସୀମାନ୍ତ ଅଞ୍ଚଳରେ ସୀମିତ ରହିଛି। ସେମାନଙ୍କ ଏହି ସୀମିତ ଅବସ୍ଥାନ ପୁଲିସ ଓ ଅର୍ଦ୍ଧସାମରିକ ବାହିନୀକୁ ସୁହାଇଛି, ଯୋଜନାବଦ୍ଧ ଭାବେ ମୁକାବିଲା କରିବା ପାଇଁ। ଏମାନଙ୍କୁ ନିପାତ କରିବାରେ ଏବେ ଯେଉଁ ସଫଳତା ମିଳିଛି, ତାହାର ମୁଖ୍ୟକାରଣ ହେଲା ସେମାନଙ୍କ ଗତିବିଧି ସୁରକ୍ଷା କର୍ମୀଙ୍କ ଯାଞ୍ଚ ପରିସରକୁ ଅତିସହଜରେ ଆସିଯାଉଛି। ତେଣୁ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ନକ୍ସଲଙ୍କୁ ୨୦୨୬ ମାର୍ଚ୍ଚ ୩୧ […]

ନକ୍ସଲ କାର୍ଯ୍ୟକଳାପର ଭୌଗୋଳିକ ସ୍ଥିତି କ୍ରମେ ସଂକୁଚିତ ହୋଇ ଛତିଶଗଡ଼଼ ଓ ତତ୍ସଂଲଗ୍ନ ଓଡ଼ିଶା ସୀମାନ୍ତ ଅଞ୍ଚଳରେ ସୀମିତ ରହିଛି। ସେମାନଙ୍କ ଏହି ସୀମିତ ଅବସ୍ଥାନ ପୁଲିସ ଓ ଅର୍ଦ୍ଧସାମରିକ ବାହିନୀକୁ ସୁହାଇଛି, ଯୋଜନାବଦ୍ଧ ଭାବେ ମୁକାବିଲା କରିବା ପାଇଁ। ଏମାନଙ୍କୁ ନିପାତ କରିବାରେ ଏବେ ଯେଉଁ ସଫଳତା ମିଳିଛି, ତାହାର ମୁଖ୍ୟକାରଣ ହେଲା ସେମାନଙ୍କ ଗତିବିଧି ସୁରକ୍ଷା କର୍ମୀଙ୍କ ଯାଞ୍ଚ ପରିସରକୁ ଅତିସହଜରେ ଆସିଯାଉଛି। ତେଣୁ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ନକ୍ସଲଙ୍କୁ ୨୦୨୬ ମାର୍ଚ୍ଚ ୩୧ ମଧ୍ୟରେ ସମ୍ପୂର୍ଣ୍ଣ ରୂପେ ନିଶ୍ଚିହ୍ନ କରିଦିଆଯିବାର ଯେଉଁ ଘୋଷଣା କରିଛନ୍ତି, ତାହା ଯେ ହାସଲ ହୋଇପାରିବନି ଏକଥା ନୁହେଁ। ନିକଟରେ ପୁଲିସ ଓ ସୁରକ୍ଷା ବାହିନୀର ମିଳିତ ଅଭିଯାନ ବିରାଟ ସଫଳତା ହାସଲ କରିଛି। ଛତିଶଗଡ଼଼ର ବିଜାପୁର ଓ କନ୍କରରେ ଦୁଇ ଭିନ୍ନ ଭିନ୍ନ କାର୍ଯ୍ୟାନୁଷ୍ଠାନରେ ୩୦ ନକ୍ସଲ ନିହତ ହୋଇଥିବା ବେଳେ ସଦ୍ୟତମ ଘଟଣାକ୍ରମେ ମଙ୍ଗଳବାର ଦାନ୍ତେୱାଡ଼ାରେ ଆଉ ୫ଜଣ ନକ୍ସଲ ନିହତ ହୋଇଛନ୍ତି। ବୁଧବାର ୯ ଜଣ ନକ୍ସଲ୍ ସୁକ୍ମା ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସଂସଦରେ ସ୍ୱରାଷ୍ଟ୍ରମନ୍ତ୍ରୀ ଦେଇଥିବା ସୂଚନା ଅନୁଯାୟୀ ୨୦୨୩ ଡିସେମ୍ବରରୁ ୨୦୨୪ ଡିସେମ୍ବର ମଧ୍ୟରେ ଛତିଶଗଡ଼଼ରେ ୩୮୦ ଜଣ ନକ୍ସଲ୍ ନିହତ ହୋଇଥିବା ବେଳେ ୨୨୩୯ ଜଣ ଆତ୍ମସମର୍ପଣ/ଗିରଫ ହୋଇଛନ୍ତି। ସେହିପରି ସଂସଦରେ କେନ୍ଦ୍ର ସରକାରଙ୍କ ସୂଚନା ଅନୁଯାୟୀ, ଗତ ୧୪ ବର୍ଷ ଭିତରେ ନକ୍ସଲ୍ ହିଂସା ଘଟଣା ୮୧% ହ୍ରାସ ପାଇଛି। ଏହି ସମୟ ମଧ୍ୟରେ ନକ୍ସଲ୍ ହିଂସାରେ ଜୀବନ ହାନି ମଧ୍ୟ ୮୫% ହ୍ରାସ ପାଇଛି। ଓଡ଼ିଶା ବିଧାନସଭାରେ ଉପସ୍ଥାପିତ ଶ୍ବେତପତ୍ର ଅନୁଯାୟୀ, ନକ୍ସଲ୍ ହିଂସା ୨୦୨୩ ତୁଳନାରେ ଗତବର୍ଷ ୫ଟି ହ୍ରାସ ପାଇ ଜୀବନହାନି ମାତ୍ର ୧ରେ ସୀମିତ ରହିଛି। ଓଡ଼ିଶାରେ ନକ୍ସଲ୍ ବିରୋଧୀ କାର୍ଯ୍ୟାନୁଷ୍ଠାନରେ ୮ଜଣ ନେତାଙ୍କୁ ଗିରଫ କରାଯାଇଥÒବା ବେଳେ ୨୪ ଜଣ ଆତ୍ମସମର୍ପଣ କରିଛନ୍ତି।
ଏହି ରାଷ୍ଟ୍ରବିରୋଧୀ କାର୍ଯ୍ୟକଳାପ ବିରୋଧରେ ଆନ୍ଧ୍ର, ଓଡ଼ିଶା, ବିହାର, ମଧ୍ୟପ୍ରଦେଶ ଓ ଛତିଶଗଡ଼଼ରେ ଅର୍ଦ୍ଧସାମରିକ ବାହିନୀ ମୁତୟନ କରି କ୍ରମାଗତ ଚଢ଼ଉ ଜାରି ରଖିବା ପରେ ନକ୍ସଲ୍ମାନେ ଅସୁରକ୍ଷିତ ଅବସ୍ଥାରେ ନିଜର ସଂଗଠନକୁ ଛତିଶଗଡ଼଼ରେ ସୀମିତ ରଖିଛନ୍ତି। ନାରାୟଣପୁର, ଦାନ୍ତେୱାଡ଼ା ଓ ବିଜାରପୁର ଜିଲ୍ଲାର ବିସ୍ତୃତ ଘଞ୍ଚ ଜଙ୍ଗଲ ସେମାନଙ୍କ ସକାଶେ ସୁରକ୍ଷିତ ଆଶ୍ରୟ ସ୍ଥଳ ପାଲଟିଛି। ସେ ସବୁ ଅଞ୍ଚଳରେ ବସବାସ କରୁଥିବା ଆଦିମ ଅଧିବାସୀ ସେମାନଙ୍କ ପାଇଁ ଢାଲ ରୂପେ କାର୍ଯ୍ୟ କରୁଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ କି ଯେଉଁ ଜନଜାତି ସମୁଦାୟର ସ୍ୱାର୍ଥରକ୍ଷା ଓ ବିକାଶ ଉଦ୍ଦେଶ୍ୟରେ ଏହି ସଶସ୍ତ୍ର ଲଢ଼େଇ ଆରମ୍ଭ ହୋଇଥିଲା, ତାହା ଲକ୍ଷ୍ୟଭ୍ରଷ୍ଟ ହୋଇଛି। ବରଂ ସ୍ଥଳବିଶେଷରେ ନକ୍ସଲଙ୍କ ଶୋଷଣର ଶିକାର ହେଉଛନ୍ତି ସେମାନେ। ଅନ୍ୟଦୃଷ୍ଟିରୁ ବିଚାର କଲେ ସମ୍ପୃକ୍ତ ଅଞ୍ଚଳର ଉନ୍ନୟନ କାର୍ଯ୍ୟ ସେମାନଙ୍କ ଯୋଗୁଁଁ ବାଧାପ୍ରାପ୍ତ ହୋଇଛି। ସମୟ ବଦଳିଛି। ଜନଜାତି ଏବେ ନିଜର ରାଜନୈତିକ ସ୍ୱାର୍ଥ ହାସଲ ପାଇଁ ନକ୍ସଲଙ୍କ ଉପରେ ଆଉ ନିର୍ଭର କରୁନାହାନ୍ତି। ଗଞ୍ଜେଇର ଉପଯୋଗିତା ନେଇ ବିଶ୍ୱରେ ଏବେ ଜନଜାତି ସଚେତନ ହେଉଥିବା ବେଳେ ତାହାକୁ ଆମ ଦେଶରେ ନିଷିଦ୍ଧ ନିଶାର ମାନ୍ୟତା ଦିଆଯାଇଛି। ବଜାରରେ ଏହାର ଚାହିଦା ଦୃଷ୍ଟିରୁ ଏହି ନିଘଞ୍ଚ ଜଙ୍ଗଲରେ ଗଞ୍ଜେଇ ଚାଷରୁ ବିପୁଳ ଅର୍ଥ ରୋଜଗାର କରୁଛନ୍ତି ନକ୍ସଲ ସଂଗଠନ। ସେମାନଙ୍କ ସହ ଦେଶର ନିଶାବେପାରୀଙ୍କ ରହିଥିବା ଯୋଗସୂତ୍ରର ସୂତ୍ରଧର ପାଲଟିଛନ୍ତି ଜନଜାତି ଅଧିବାସୀ। ଗଣ ଆନ୍ଦୋଳନ ଓ ଜନସ୍ୱାର୍ଥ ସୁରକ୍ଷା ଉଦ୍ଦେଶ୍ୟରେ ମାର୍କ୍ସପନ୍ଥୀ କମ୍ୟୁନିଷ୍ଟ ଦଳରୁ ପୃଥକ ହୋଇ ଯେଉଁ ଚାରୁ ମଜୁମଦାର ଓ କାହ୍ନୁ ସାନ୍ୟାଲଙ୍କ ନେତୃତ୍ୱରେ ୧୯୬୭ ମସିହାରେ ଯେଉଁ ସଶସ୍ତ୍ର ନକ୍ସଲର ଆନ୍ଦୋଳନ ଜନ୍ମ ନେଇଥିଲା, ତାହା ଏବେ ଦିଗହରା ହୋଇଛି। ପ୍ରଚଳିତ ବ୍ୟବସ୍ଥା ବିରୋଧରେ ସ୍ୱତନ୍ତ୍ର ଲଢ଼େଇ କରୁଥିଲା ଏହି ସଂଗଠନ। ଗଣତାନ୍ତ୍ରିକ ବ୍ୟବସ୍ଥାରେ ଜନଗଣଙ୍କ ରାଜନୈତିକ ପ୍ରତିନିଧିତ୍ୱ ହାସଲ କରି ନପାରିଲେ ଯେଉଁ ବର୍ଗ ପାଇଁ ଏହି ଲଢ଼େଇ ଚାଲିଛି, ତାହା ଯେ ଦିନେ ଅର୍ଥହୀନ ହୋଇଯିବ, ଏକଥା ଏଯାଏଁ ବୁଝିନାହାନ୍ତି ନକ୍ସଲର କର୍ମକର୍ତ୍ତା। ଏକଥା ବି ସ୍ୱୀକାର କରିବାକୁ ପଡ଼ିବ ଯେ ନକ୍ସଲ ଆନ୍ଦୋଳନ ସହ ସଂଶ୍ଳିଷ୍ଟ ଥିବା ବହୁକ୍ୟାଡର ନିଜର ଅନିଶ୍ଚିତ ଭବିଷ୍ୟତ ନେଇ ସନ୍ଦୀହାନ ହୋଇପଡୁଥିବାରୁ ଆତ୍ମସମର୍ପଣ ମଧ୍ୟ କରୁଛନ୍ତି।
ନକ୍ସଲ ହିଂସାର ନିକଟ ଅତୀତକୁ ପର୍ଯ୍ୟାଲୋଚନା କଲେ ତାହା କେତେ ଲୋମହର୍ଷକ ସହଜରେ ଅନୁମାନ କରିହେବ। ୨୦୧୦ ଏପ୍ରିଲ ୬ ତାରିଖରେ ଦାନ୍ତେୱାଡ଼ା ଜିଲ୍ଲାରେ ୭୫ ଜଣ ସିଆରପିଏଫ୍ ଯବାନ ଓ ଜଣେ ପୁଲିସ୍ କନଷ୍ଟେବଳ ନକ୍ସଲଙ୍କ ସଶସ୍ତ୍ର ଆକ୍ରମଣରେ ସହିଦ ହୋଇଥିଲେ। ସବୁଠାରୁ ଦୁଃଖଦ ଘଟଣା ଉପୁଜିଥିଲା ୨୦୧୩ ମେ ୨୫ ତାରିଖରେ। ଛତିଶଗଡ଼଼ର ଦରଭା ଉପତ୍ୟକାରେ ଭାରତୀୟ ଜାତୀୟ କଂଗ୍ରେସ ନେତାଙ୍କୁ ନେଇ ଯାଉଥିବା ଗାଡ଼ିକୁ ନକ୍ସଲମାନେ ଉଡ଼ାଇ ଦେବାରୁ ପିସିସି ସଭାପତି ନନ୍ଦ କୁମାର ପଟେଲଙ୍କ ସହ ୨୪ ନେତା ନିହତ ହୋଇଥିଲେ। ସେହିଭଳି ଭୟଙ୍କର ରେଳ ଦୁର୍ଘଟଣା ଘଟାଇଥିଲେ ନକ୍ସଲ ୨୦୧୦ ମେ ୨୮ ତାରିଖରେ। ରେଳଷ୍ଟେସନର ୧୮ଟି ଫିସ୍ପ୍ଲେଟ୍ ହଟାଇ ଦେଇଥିବାରୁ କଲିକତା-ମୁମ୍ବଇ ଜ୍ଞାନେଶ୍ୱର ଏକ୍ସପ୍ରେସ୍ ଦୁର୍ଘଟଣାର ସମ୍ମୁଖୀନ ହେଲା। ୧୪୮ ରେଳଯାତ୍ରୀଙ୍କ ଏହି ଦୁର୍ଘଟଣାରେ ପ୍ରାଣହାନି ଘଟିଥିଲା। ଆମ ଓଡ଼ିଶା ସୀମାନ୍ତ ଚିତ୍ରକୋଣ୍ଡାରେ ୨୦୧୬ ଅକ୍ଟୋବର ୨୪ରେ ସଶସ୍ତ୍ର ବାହିନୀର ମିଳିତ କମ୍ବିଂରେ ୨୪ ନକ୍ସଲ ଟଳିପଡ଼ିଥିଲେ। ତେବେ ଗତ ଜାନୁଆରୀ ମାସରୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ଛତିଶଗଡ଼଼ରୁ ନକ୍ସଲଙ୍କୁ ନିପାତ କରିବା ସକାଶେ ଅଭିଯାନ ଜୋରଦାର ହୋଇଛି। ତିନିଟି ଦଫାରେ ସୁରକ୍ଷାବାହିନୀର ନିର୍ଣ୍ଣାୟକ ଚଢ଼ଉରେ ମୋଟ୍ ୫୪ ନକ୍ସଲ ନିହତ ହେଲେଣି। ତେବେ ୪୦୦୦ ବର୍ଗ କିଲୋମିଟର ଘନ ଜଙ୍ଗଲ ଅଞ୍ଚଳରେ ସେମାନଙ୍କ ଆଧିପତ୍ୟକୁ ଚୁରମାର କରିଦେବାକୁ ନିଶ୍ଚୟ ସମୟ ଲାଗିବ।
ପଶ୍ଚିମବଙ୍ଗ ଓ ତ୍ରିପୁରା ପରେ କେରଳରେ କେବଳ ବାମପନ୍ଥୀ ସରକାର କ୍ଷମତାରେ ଅଛି। ଲୋକପ୍ରିୟତା ଦୃଷ୍ଟିରୁ ଦଳ ପୁଣି କ୍ଷମତାକୁ ଫେରିଛି। କିନ୍ତୁ ଦୃଶ୍ୟପଟକୁ ଅନୁଧ୍ୟାନ କଲେ ପ୍ରତୀୟମାନ ହୁଏ କି ବାମପନ୍ଥୀ ଆନ୍ଦୋଳନ ଓ କାର୍ଯ୍ୟକଳାପ ପ୍ରତି ବର୍ତ୍ତମାନର ବ୍ୟବସ୍ଥା ଅତ୍ୟନ୍ତ ନିର୍ଦ୍ଦୟ ଓ ନିଷ୍କରୁଣ। ଭୀମା କୋରେଗାଓଁ ଘଟଣାରୁ ଏହା ସ୍ପଷ୍ଟ ହୋଇଛି। ଘଟଣା ସହ ପ୍ରତ୍ୟକ୍ଷ ଭାବେ ଜଡ଼ିତ ବା ସଂଶ୍ଳିଷ୍ଟ ନଥିଲେ ମଧ୍ୟ କିଛି ବାମପନ୍ଥୀ ଚିନ୍ତାନାୟକଙ୍କୁ ଯେଭଳି ଭାବେ ଗିରଫ କରି ବିନା ବିଚାରରେ ବର୍ଷ ବର୍ଷ ଧରି ଜେଲରେ ରଖାଗଲା, ସେଥିରୁ ସରକାରଙ୍କ ଆଭିମୁଖ୍ୟ ସୁସ୍ପଷ୍ଟ। ସେମାନଙ୍କ ମୁକ୍ତି ପାଇଁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ନିବେଦନ ବ୍ୟର୍ଥ ହୋଇଥିଲା। ଫାଦର ଷ୍ଟନ୍ ସ୍ୱାମୀଙ୍କ ଜେଲ୍ରେ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୫ଜଣଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଆଗାମୀ ଦିନରେ ଏହାର ଗତି କେଉଁ ଦିଗକୁ ଯିବ, ତାହା ସମୟ କହିବ।