ଲାଲୁଙ୍କୁ ଜବାବ ଦେଲେ ମୋଦି, କହିଲେ- ୧୪୦ କୋଟି ଜନତା ମୋ ପରିବାର

‘ଯେତେବେଳେ ମୁଁ ସେମାନଙ୍କ ପରିବାରବାଦ ବିଷୟରେ ପ୍ରଶ୍ନ ଉଠାଏ, ସେମାନେ କହନ୍ତି ମୋଦିଙ୍କର ପରିବାର ନାହିଁ।’  

ଲାଲୁଙ୍କୁ ଜବାବ ଦେଲେ ମୋଦି, କହିଲେ- ୧୪୦ କୋଟି ଜନତା ମୋ ପରିବାର

‘ମୋ ଜୀବନ ଏକ ଖୋଲା ବହି। ଦେଶର ୧୪୦ କୋଟି ଲୋକ ହେଉଛନ୍ତି ମୋ ପରିବାର। ଆଜି ଦେଶର କୋଟି କୋଟି ଝିଅ, ମା ଓ ଭଉଣୀ ହେଉଛନ୍ତି ମୋଦି ପରିବାରର ସଦସ୍ୟ। ଦେଶର ପ୍ରତ୍ୟେକ ଗରିବ ଲୋକ ହେଉଛନ୍ତି ମୋ ପରିବାର। ଯାହାର କେହି ନାହାନ୍ତି ସେମାନେ ମୋଦିଙ୍କର ଓ ମୋଦି ସେମାନଙ୍କର। ସେମାନେ କହନ୍ତି, ମୁଁ ମୋଦି ପରିବାରର।’ ଆଜି ତେଲଙ୍ଗାନାର ଆଦିଲାବାଦରେ ଏକ ରାଲିରେ ଏହି କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଉ ଏହା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କୁ ପ୍ରଧାନମନ୍ତ୍ରୀ କଡ଼ା ଜବାବ ବୋଲି କୁହାଯାଉଛି। କାରଣ ଗତକାଲି ଲାଲୁ ବିହାରର ପାଟନାରେ ଏକ ରାଲିରେ କହିଥିଲେ ଯେ ମୋଦିଙ୍କର ନିଜର ପରିବାର ବୋଲି କିଛି ନାହିଁ। 

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ, ଇଣ୍ଡି (INDI) ମେଣ୍ଟର ନେତାମାନେ ଦୁର୍ନୀତିରେ ବୁଡ଼ି ରହିଛନ୍ତି। ସେମାନେ ପରିବାରବାଦରେ ବିଶ୍ୱାସ କରନ୍ତି। ସେମାନେ ଏବେ ଡରି ଯାଇଛନ୍ତି। ଯେତେବେଳେ ମୁଁ ସେମାନଙ୍କ ପରିବାରବାଦ ବିଷୟରେ ପ୍ରଶ୍ନ ଉଠାଏ, ସେମାନେ କହନ୍ତି ମୋଦିଙ୍କର ପରିବାର ନାହିଁ।  

MODI KA PARIVAR କ୍ୟାମ୍ପେନ୍

ଆଦିଲାବାଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ୧୪୦ କୋଟି ଲୋକ ତାଙ୍କ ପରିବାର ବୋଲି କହିବା ପରେ ବିଜେପି ପକ୍ଷରୁ ସୋଶାଲ ମିଡିଆରେ ଆରମ୍ଭ ହୋଇଛି Modi Ka Parivar କ୍ୟାମ୍ପେନ୍। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କାରୀ, ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହିତ ଅନ୍ୟ ନେତାମାନେ ନିଜ ନିଜ X ଆକାଉଣ୍ଟରେ ନିଜକୁ  Modi Ka Parivar  ଭାବେ ପରିଚିତ କରିଛନ୍ତି। ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ତାଙ୍କ Xରେ ନିଜକୁ  Modi Ka Parivar ଭାବେ ପରିଚିତ କରିଛନ୍ତି। ତା’ ସହିତ ସେ ଲେଖିଛନ୍ତି- ମେଁ ହୁଁ ମୋଦିଜୀ କା ପରିବାର। ସମସ୍ତ୍ ଭାରତବାସୀ ହୈ ମୋଦିଜୀ କା ପରିବାର।  

Amit Shah Xଅମିତ ଶାହଙ୍କ X ଆକାଉଣ୍ଟ

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି କରିଥିଲା ‘ମେଁ ଭି ଚୌକିଦାର’ (Main bhi chowkidar) ଅଭିଯାନ। ବିଜେପି ନେତାମାନେ ନିଜ ନିଜ ସୋଶାଲ ମିଡିଆ ହ୍ୟାଣ୍ଡେଲରେ Main bhi chowkidar ଲେଖିଥିଲେ। କଂଗ୍ରେସ ନେତା ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ‘ଚୌକିଦାର ଚୋର ହୈ’ କହିବା ପରେ ବିଜେପି ପକ୍ଷରୁ କରାଯାଇଥିଲା Main bhi chowkidar ଅଭିଯାନ। ସେହିପରି ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ଆରମ୍ଭ କରିଛି  Modi Ka Parivar ଅଭିଯାନ।