ଲୋକସଭା ନିର୍ବାଚନ: ଏଥର ଭୋଟ୍ ଦେବେ ୯୭ କୋଟି ଭୋଟର!

ଶେଷ ଥର ପାଇଁ ୨୦୧୯ରେ ହୋଇଥିବା ଲୋକସଭା ନିର୍ବାଚନ ପରଠାରୁ ପଞ୍ଜୀକୃତ ଭୋଟରଙ୍କ ସଂଖ୍ୟାରେ ୬% ବୃଦ୍ଧି ପାଇଛି।

ଲୋକସଭା ନିର୍ବାଚନ: ଏଥର ଭୋଟ୍ ଦେବେ ୯୭ କୋଟି ଭୋଟର!

ପାଖେଇ ଆସୁଛି ସମ୍ବିଧାନର ବଡ଼ ପର୍ବ ନିର୍ବାଚନ। ଏଥିପାଇଁ ସରଗରମ ହେଲାଣି ରାଜନୈତିକ ମୈଦାନ। ଏହାରି ମଧ୍ୟରେ ଭୋଟରଙ୍କ ସଂଖ୍ୟା ପ୍ରକାଶ କରିଛି ନିର୍ବାଚନ ଆୟୋଗ (ଇସି)। ଆୟୋଗ ପକ୍ଷରୁ ପ୍ରକାଶ ଏକ ରିପୋର୍ଟ ଅନୁସାରେ, ଏଥର ଲୋକସଭା ନିର୍ବାଚନରେ ପ୍ରାୟ ୯୭ କୋଟି (୯୬.୮୮ କୋଟି) ମତଦାତା ଭୋଟ୍ ଦେବାକୁ ଯୋଗ୍ୟ ହେବେ। 

ନିର୍ବାଚନ ଆୟୋଗ କହିଛି ଯେ, "ବିଶ୍ୱର ସର୍ବବୃହତ ନିର୍ବାଚନ - ୯୬.୮୮ କୋଟି ଲୋକ ଭୋଟ୍ ଦେବାକୁ ପଞ୍ଜୀକୃତ ହୋଇଛି।"

ରିପୋର୍ଟ ଅନୁସାରେ, ଶେଷ ଥର ପାଇଁ ୨୦୧୯ରେ ହୋଇଥିବା ଲୋକସଭା ନିର୍ବାଚନ ପରଠାରୁ ପଞ୍ଜୀକୃତ ଭୋଟରଙ୍କ ସଂଖ୍ୟାରେ ୬% ବୃଦ୍ଧି ପାଇଛି। ଏଥର ୧୮ରୁ ୨୯ ବର୍ଷ ବୟସର ଦୁଇ କୋଟିରୁ ଅଧିକ ଯୁବକ ଭୋଟର ତାଲିକାରେ ଯୋଡି ହୋଇଛନ୍ତି।

ସେହିପରି ଲିଙ୍ଗ ଅନୁପାତ ମଧ୍ୟ ବୃଦ୍ଧି ପାଇଛି। ୨୦୨୩ରେ ୯୪୦ ଥିଲା, ଯାହା ୨୦୨୪ରେ ୯୪୮କୁ ବୃଦ୍ଧି ପାଇଛି ବୋଲି ସର୍ଭେ ପ୍ୟାନେଲ କହିଛି। ନିର୍ବାଚନ ତାଲିକାର ସଂଶୋଧନ ଏବଂ ସ୍ୱଚ୍ଛତା ଉପରେ ଆୟୋଗ ବିଶେଷ ଗୁରୁତ୍ୱାରୋପ କରିଛି ବୋଲି ଜଣେ ଅଧିକାରୀ ଦର୍ଶାଇଛନ୍ତି।