ଲୋକାର୍ପିତ ହେଲା ବାବା ସାହେବ ଭୀମ୍‌ରାଓ ଆମ୍ବେଦକର ବସ୍‌ ଟର୍ମିନାଲ

ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ବସ୍‌ ଟର୍ମିନାଲ ଯାତ୍ରୀମାନଙ୍କୁ ଉତ୍ତମ ସେବା ଯୋଗାଇଦେବାରେ ସଫଳ ହେବ। ଭୁବନେଶ୍ୱର ଏକ ଗୁରୁତ୍ୱପୂର୍ଣ୍ଣ ଲ୍ୟାଣ୍ଡମାର୍କ ହୋଇ ରହିବା ସହିତ ସାରା ଓଡ଼ିଶାରେ ଏକ ନୂଆ ପରିଚୟ ପାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଲୋକାର୍ପିତ ହେଲା ବାବା ସାହେବ ଭୀମ୍‌ରାଓ ଆମ୍ବେଦକର ବସ୍‌ ଟର୍ମିନାଲ

ରାଜଧାନୀ ଭୁବନେଶ୍ୱରରେ ନବନିର୍ମିତ ବାବା ସାହେବ ଭୀମ୍‌ରାଓ ଆମ୍ବେଦକର ବସ୍‌ ଟର୍ମିନାଲ ଲୋକାର୍ପିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ବସ୍‌ ଟର୍ମିନାଲ୍‌କୁ ଲୋକାର୍ପିତ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ବସ୍‌ ଟର୍ମିନାଲ ଯାତ୍ରୀମାନଙ୍କୁ ଉତ୍ତମ ସେବା ଯୋଗାଇଦେବାରେ ସଫଳ ହେବ। ଭୁବନେଶ୍ୱର ଏକ ଗୁରୁତ୍ୱପୂର୍ଣ୍ଣ ଲ୍ୟାଣ୍ଡମାର୍କ ହୋଇ ରହିବା ସହିତ ସାରା ଓଡ଼ିଶାରେ ଏକ ନୂଆ ପରିଚୟ ପାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଆମ ସମ୍ବିଧାନ ପ୍ରସ୍ତୁତ କରିବାରେ ବାବା ସାହେବ ଭୀମ୍‌ରାଓ ଆମ୍ବେଦକରଙ୍କ ମୁଖ୍ୟ ଭୂମିକା ରହିଥିଲା। ଭାରତୀୟ ସମ୍ବିଧାନର ପ୍ରଣେତା ଭାବେ ସେ ଜଣାଶୁଣା। ଦେଶ ପାଇଁ ତାଙ୍କ ଅବଦାନକୁ ସମ୍ମାନ ଜଣାଇ ତାଙ୍କ ନାଁରେ ଏହି ବସ୍‌ ଟର୍ମିନାଲ ଓଡ଼ିଶା ସରକାର ନାମିତ କରାଯାଇଛି। ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ବାବା ସାହେବଙ୍କ ପ୍ରତି ଓଡ଼ିଶାବାସୀଙ୍କ ଏହା ହେଉଛି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି। ବାବା ସାହେବଙ୍କ ଅବଦାନ ସମ୍ପର୍କରେ ସମସ୍ତଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ବସ୍ ଟର୍ମିନାଲ ଭିତରେ ବାବା ସାହେବଙ୍କ ଜୀବନ ଓ ଆଦର୍ଶ ଉପରେ ଆଧାରିତ ଏକ ଗ୍ୟାଲେରୀ ମଧ୍ୟ କରାଯାଇଛି ମୁଖ୍ୟମନ୍ତ୍ରୀ କହିଛନ୍ତି।

5-T ଉପକ୍ରମରେ ହୋଇଥିବା ଏହି ବସ୍‌ ଟର୍ମିନାଲ ବସ୍‌ ମାଲିକ, ବ୍ୟବସାୟୀ, ଯାତ୍ରୀ ତଥା ସମସ୍ତ ଜନସାଧାରଣଙ୍କ ସହଯୋଗରେ ନିର୍ମିତ ହୋଇଛି। ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ସେଥିପାଇଁ ଧନ୍ୟବାଦ ଜଣାଇ କହିଥିଲେ ଯେ ଏହି ବସ୍‌ ଟର୍ମିନାଲ୍‌ରେ ଯାତ୍ରୀମାନଙ୍କୁ ଉତ୍ତମ ସେବା ଯୋଗାଇଦେବା ପାଇଁ ସବୁ ପ୍ରକାର ସୁବିଧା କରାଯାଇଛି। ଏଠାରେ ଜରୁରୀ କାଳୀନ ଚିକିତ୍ସାଠାରୁ ଆରମ୍ଭ କରି ବ୍ୟବସାୟିକ କମ୍ପ୍ଲେକ୍ସ, ଏସ୍କାଲେଟର, ଲିଫ୍ଟ, ପ୍ରତିକ୍ଷାଳୟ, ପୋଲିସ୍‌ ଫାଣ୍ଡି, ଡ୍ରାଇଭରମାନଙ୍କ ବିଶ୍ରାମ କକ୍ଷ, ଆହାର କେନ୍ଦ୍ର, ଫୁଡ୍ କୋର୍ଟ ଆଦି ସମସ୍ତ ସୁବିଧା ରହିଛି। ଏୟାରପୋର୍ଟ ଭଳି ଯାତ୍ରୀମାନେ ଏଠାରେ ସବୁ ସୁବିଧା ପାଇ ପାରିବେ ବୋଲି ସେ କହିଥିଲେ। 

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଏହି ବସ୍‌ ଟର୍ମିନାଲର ଉପଯୁକ୍ତ ରକ୍ଷଣା ବେକ୍ଷଣରେ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ। କାର୍ଯ୍ୟକ୍ରମରେ ପତାକା ଦେଖାଇ ବସ୍‌ ଚଳାଚଳର ଶୁଭାରମ୍ଭ କରିବା ସହିତ ଆହାର କେନ୍ଦ୍ରରେ ଯାତ୍ରୀମାନଙ୍କୁ ଖାଦ୍ୟ ପରସିଥିଲେ ମୁଖ୍ୟମନ୍ତ୍ରୀ।

କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ, ବିଜ୍ଞାନ ଓ ବୈଷୟିକ ତଥା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଥିଲେ ଯେ ଭୁବନେଶ୍ୱରର ବିକାଶରେ ଆଜି ଆଉ ଏକ ନୂଆ ଫର୍ଦ୍ଦ ଯୋଡି ହେଲା। ପରିବହନ କ୍ଷେତ୍ରରେ ଯାହା ଆମ ପାଇଁ ସ୍ୱପ୍ନ ଥିଲା, ତାହା ଆଜି ପୂରଣ ହେଲା।

5-T ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ ସହିତ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ ରାଉତ, ଭୁବନେଶ୍ୱର ମେୟର ସୁଲୋଚନା ଦାସ ପ୍ରମୁଖ ଉପସ୍ଥିତ ଥିଲେ।