ଲଢ଼େଇ ଜାରି ରହିବ: ୨୧ ଦିନର ଅନଶନ ଶେଷ କଲେ ସୋନମ ୱାଙ୍ଗଚୁକ୍
ଲଦାଖକୁ ରାଜ୍ୟ ମାନ୍ୟତା ଓ ଏହାର ଐତିହ୍ୟକୁ ସୁରକ୍ଷା ଦାବିରେ ସେ ଅଖିଆ ଅପିଆ ବିକ୍ଷୋଭ କରୁଥିଲେ।
କେବଳ ଲୁଣ ପାଣି ପିଇ ୨୧ ଦିନ ଧରି ବିକ୍ଷୋଭ କରୁଥିବା ବିଶିଷ୍ଟ ପରିବେଶବିତ ତଥା ଶିକ୍ଷା ସଂସ୍କାରକ ସୋନମ ୱାଙ୍ଗଚୁକ ଆଜି ନିଜର ଆମରଣ ଅନଶନ ଶେଷ କରିଛନ୍ତି। ଲଦାଖକୁ ରାଜ୍ୟ ମାନ୍ୟତା ଓ ଏହାର ଐତିହ୍ୟକୁ ସୁରକ୍ଷା ଦାବିରେ ସେ ଅଖିଆ ଅପିଆ ବିକ୍ଷୋଭ କରୁଥିଲେ। ଆଜି ସେ ତାଙ୍କ ଅନଶନ ଶେଷ କରିଥିଲେ ହେଁ ଆଗକୁ ଲଢ଼େଇ ଜାରି ରହିବ ବୋଲି କହିଛନ୍ତି।
ସେ କହିଛନ୍ତି, “ଲଦାଖର ସାମ୍ବିଧାନିକ ସୁରକ୍ଷା ଓ ଲୋକଙ୍କ ରାଜନୀତିକ ଅଧିକାରୀ ପାଇଁ ମୁଁ ଲଢ଼େଇ ଜାରି ରଖିବି।” ସୋନମ ୱାଙ୍ଗଚୁକ ଆଜି ଅନଶନ ଶେଷ କରୁଥିବାରୁ କେନ୍ଦ୍ର ଶାସିତ ଅଞ୍ଚଳର ଲଦାଖର ବିଭିନ୍ନ ସ୍ଥାନରେ ହଜାର ହଜାର ଲୋକ ଏକାଠି ହୋଇଥିଲେ। ସେହିପରି ୱାଙ୍ଗଚୁକ ଅନଶନ ଭାଙ୍ଗି ଥିବା ବେଳେ କିଛି ମହିଳା ସଂଗଠନ ସମାନ ଦାବିରେ ଆମରଣ ଅନଶନ କରିବେ ବୋଲି ଘୋଷଣା କରିଛନ୍ତି।
ମାର୍ଚ୍ଚ ୬ ତାରିଖରେ ସୋନମ ୱାଙ୍ଗଚୁକ୍ ଅନଶନ ଆରମ୍ଭ କରିଥିଲେ। ପ୍ରଥମେ ୨୧ ଦିନ ଧରି ଆମରଣ ଅନଶନ ଚାଲିବ। ଏହା ସମ୍ଭବତଃ ଜୀବନ ଥିବା ଯାଏ ବି ଚାଲିପାରେ ବୋଲି ୱାଙ୍ଗଚୁକ କହିଥିଲେ। ସତକୁ ସତ ସେ ୨୧ ଦିନ ଅନଶନ କରିବା ପରେ ଏଥିରୁ ଓହରିଛନ୍ତି।
ଅନଶନ ଶେଷ କରିବା ପୂର୍ବରୁ ୱାଙ୍ଗଚୁକ୍ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ପୋଷ୍ଟ କରିଥିଲେ। ଲଦାଖବାସୀଙ୍କ ଦାବି ପୂରଣ ପାଇଁ ସେ ପୁଣି ଅନୁରୋଧ କରିଥିଲେ। ସେ ବରଫ ହୋଇ ସାରିଥିବା ଗ୍ଲାସକୁ ଦେଖାଇ କହିଥିଲେ ଯେ ତାପମାତ୍ରା ମାଇନ୍ସ ୧୦ ଡିଗ୍ରୀ ସତ୍ତ୍ୱେ ୩୫୦ରୁ ଅଧିକ ଲୋକ ତାଙ୍କ ସହ ରହିଛନ୍ତି।