ଶରଧାବାଲି ଅଘଟଣକୁ ନେଇ କ୍ଷମା ପ୍ରାର୍ଥନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଶରଧାବାଲିରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳା ଚକଟାରେ ୩ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣାରେ ଗଭୀର ଶୋକ ବ୍ୟକ୍ତ କରିବା ସହ କ୍ଷମା ପ୍ରାର୍ଥନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଘଟଣା ତାଙ୍କୁ ବ୍ୟଥିତ କରିବା ସହ ସେ ଗଭୀର ମର୍ମାହତ ହୋଇଛନ୍ତି ବୋଲି କହିଛନ୍ତି । ସରକାରଙ୍କ ସମସ୍ତ ପ୍ରସ୍ତୁତି ସତ୍ତ୍ବେ କିପରି ଭାବରେ ଏଭଳି ଅଘଟଣ ଘଟିଲା ଏନେଇ ଦୁଃଖପ୍ରକାଶ କରିବା ସହ ମୁଁ ଏବଂ ମୋ ସରକାର ସମସ୍ତ […]

ଶରଧାବାଲି ଅଘଟଣକୁ ନେଇ କ୍ଷମା ପ୍ରାର୍ଥନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଶରଧାବାଲିରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳା ଚକଟାରେ ୩ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣାରେ ଗଭୀର ଶୋକ ବ୍ୟକ୍ତ କରିବା ସହ କ୍ଷମା ପ୍ରାର୍ଥନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଘଟଣା ତାଙ୍କୁ ବ୍ୟଥିତ କରିବା ସହ ସେ ଗଭୀର ମର୍ମାହତ ହୋଇଛନ୍ତି ବୋଲି କହିଛନ୍ତି । ସରକାରଙ୍କ ସମସ୍ତ ପ୍ରସ୍ତୁତି ସତ୍ତ୍ବେ କିପରି ଭାବରେ ଏଭଳି ଅଘଟଣ ଘଟିଲା ଏନେଇ ଦୁଃଖପ୍ରକାଶ କରିବା ସହ ମୁଁ ଏବଂ ମୋ ସରକାର ସମସ୍ତ ଜଗନ୍ନାଥପ୍ରେମୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛୁ ।

ଯେଉଁ ଭକ୍ତମାନଙ୍କର ଜୀବନଦୀପ ଶରଧାବାଲିରେ ଲିଭିଯାଇଛି ସେମାନଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଏହି ଭଳି ଏକ ଦାରୁଣ ଦୁଃଖକୁ ସହିବା ନିମନ୍ତେ ଶକ୍ତି ଦେବାପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି । ଏହି ଅବହେଳା ଅକ୍ଷମଣୀୟ । ସୁରକ୍ଷା ଅବହେଳାର ତୁରନ୍ତ ତଦନ୍ତ କରାଯିବ ଏବଂ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛି ବୋଲି ଟ୍ୱିଟ୍ କରି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ କହିଛନ୍ତି ଯେ ମହାପ୍ରଭୁଙ୍କ ରଥଯାତ୍ରା ଆମ ଓଡ଼ିଆ ଜାତିର ଗର୍ବ ଓ ଗୌରବ। ଏଥିରେ ସାମାନ୍ୟ ଅବହେଳା ବରଦାସ୍ତ କରାଯିବ ନାହିଁ। ସମସ୍ତ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦଳାଚକଟାରେ ପରଲୋକଗତ ଭକ୍ତମାନଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ୨୫ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।