ଶାଶ୍ୱତ ମିଶ୍ର ହେଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ
ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଆଜି ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ ଶାଶ୍ୱତ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ନିର୍ବାହ କରିବା ସହିତ ଅର୍ଥ ବିଭାଗର ପ୍ରମୁଖ ସଚିବ ଓ ଇଡ୍କୋର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଇବେ।
ବରିଷ୍ଠ ଆଇଏଏସ୍ ଶାଶ୍ୱତ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ଏ ସଂପର୍କରେ ଆଜି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।
ଏହା ପୂର୍ବରୁ ବରିଷ୍ଠ ଆଇଏଏସ୍ ନିକୁଞ୍ଜ ବିହାରୀ ଧଳ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଥିଲେ। ସେ କେନ୍ଦ୍ରକୁ ଯିବା ପରେ ଶାଶ୍ୱତ ମିଶ୍ରଙ୍କୁ ଏହି ପଦରେ ନିଯୁକ୍ତ କରାଯାଇଛି।
୧୯୯୬ ବ୍ୟାଚ୍ର ଆଇଏଏସ ଅଫିସର ଶାଶ୍ୱତ ମିଶ୍ର ଏବେ ଅର୍ଥ ବିଭାଗର ପ୍ରମୁଖ ସଚିବ ସହିତ ଇଡ୍କୋର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି।
ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଆଜି ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ ଶାଶ୍ୱତ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ନିର୍ବାହ କରିବା ସହିତ ଅର୍ଥ ବିଭାଗର ପ୍ରମୁଖ ସଚିବ ଓ ଇଡ୍କୋର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଇବେ।
ଅନ୍ୟପକ୍ଷରେ ଆଜି ଭୋରରେ ପୁରୀ ଶରଧାବାଲିରେ ଦଳାଚକଟାରେ ୩ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିବା ପରେ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କୁ ବଦଳି କରାଯାଇଛି। ଏନେଇ ମଧ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ତାଙ୍କ ସ୍ଥାନରେ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ ପୁରୀ ଜିଲ୍ଲାପାଳ କରାଯାଇଛି। ବିଜ୍ଞପ୍ତି ପ୍ରକାଶ ପାଇବା ମାତ୍ରେ ଚଞ୍ଚଳ ରାଣା ପୁରୀ ଯାଇ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଅନ୍ୟପକ୍ଷରେ ଆଇଏଏସ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗକୁ ଓଏସ୍ଡି ଭାବେ ବଦଳି କରାଯାଇଛି।
ସୂଚନାଯୋଗ୍ୟ, ଶରଧାବାଲିରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣାରେ ପୁରୀ ଏସ୍ପି ବିନିତ ଅଗ୍ରୱାଲଙ୍କୁ ମଧ୍ୟ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ପିନାକ ମିଶ୍ରଙ୍କୁ ପୁରୀ ଏସ୍ପି ନିଯୁକ୍ତ କରାଯାଇଛି ଓ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି।
ସେହିଭଳି ଶରଧାବାଲି ଦଳାଚକଟା ଘଟଣା ପରେ ରଥଯାତ୍ରାର ସୁପରଭିଜନ ପାଇଁ ଉଚ୍ଚ ଶିକ୍ଷା ବିଭାଗର କମିଶନର ତଥା ସଚିବ ଅରବିନ୍ଦ ଅଗ୍ରୱାଲଙ୍କୁ ଦାୟିତ୍ୱ ଦିଆଯାଇଛି। ସେ ଏବେ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ନିର୍ବାହ କରୁଛନ୍ତି।