ଶିକାରୀଙ୍କ ଗୁଳିରେ ଫରେଷ୍ଟଗାର୍ଡ ମୃତ

୪ ଜଣ ଶିକାରୀଙ୍କୁ କାବୁ କରିବାରେ ସଫଳ ହୋଇଥିଲେ ବନ କର୍ମଚାରୀ। ଆଉ କିଛି ଶିକାରୀ ଫେରାର ହୋଇଯାଇଛନ୍ତି।

ଶିକାରୀଙ୍କ ଗୁଳିରେ ଫରେଷ୍ଟଗାର୍ଡ ମୃତ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜରେ ଶିକାରୀଙ୍କ ଗୁଳିରେ ଜଣେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ ହୋଇଛି। ତାଙ୍କ ନାଁ ପ୍ରହ୍ଲାଦ ପ୍ରଧାନ। ତାଙ୍କୁ ୩୭ ବର୍ଷ ହୋଇଥିଲା। ସେ ହିନ୍ଦୋଳ ରେଞ୍ଜରେ କାର୍ଯ୍ୟରତ ଥିଲେ। ତାଙ୍କ ଘର ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରେ। ତାଙ୍କ ସ୍ତ୍ରୀ ଅନୁଗୋଳ କେନ୍ଦୁପତ୍ର ଡିଭିଜନରେ ଫରେଷ୍ଟ ଗାର୍ଡ ଭାବେ କାର୍ଯ୍ୟ କରୁଛନ୍ତି। ମୃତ ପ୍ରହ୍ଲାଦଙ୍କ ଏକ ୬ବର୍ଷର କନ୍ୟା ସନ୍ତାନ ଥିବାବେଳେ ଗାଁରେ ତାଙ୍କର ବୃଦ୍ଧ ପିତାମାତା ରହନ୍ତି।

ପ୍ରହ୍ଲାଦଙ୍କ ମୃତ୍ୟୁ ଖବର ପାଇ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ହିନ୍ଦୋଳ ବିଧାୟିକ ସୀମାରାଣୀ ନାୟକ, ଆରସିସିଏଫ, ଢେଙ୍କାନାଳ ଡିଏଫଓ, ଅନୁଗୋଳ ଡିଏଫଓ ଓ ଢେଙ୍କାନାଳ ଏସ୍‌ପି ପ୍ରମୁଖ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ। ସେମାନେ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପଦକ୍ଷେପ ନିଆଯିବ ବୋଲି କହିଥିଲେ।

ଫରେଷ୍ଟଗାର୍ଡ ପ୍ରହ୍ଲାଦଙ୍କ ମୃତ୍ୟୁରେ ତାଙ୍କ ସହଯୋଗୀ, ବନ୍ଧୁ ଓ ସମ୍ପର୍କୀୟମାନେ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ଫଳରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।

କେମିତି ଘଟିଲା ଘଟଣା?

ଗତକାଲି ପ୍ରହ୍ଲାଦ ପ୍ରଧାନଙ୍କ ସମେତ ପ୍ରାୟ ୧୦ ଜଣ ବନ କର୍ମଚାରୀ ଜଙ୍ଗଲରେ ରୁଟିନ୍ ପାଟ୍ରୋଲିଂ କରୁଥିବା ବେଳେ ରାତି ଅଢ଼େଇଟାରୁ ୩ଟା ମଧ୍ୟରେ ଶିକାରୀଙ୍କ ସହିତ ସେମାନଙ୍କର ମୁହାଁମୁହିଁ ହୋଇଥିଲା। ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ଚାଲିଥିବା ବେଳେ ଶିକାରୀ ଫୁଟାଇ ଦେଇଥିଲେ ଗୁଳି। ଗୁଳି ବାଜିଥିଲା ପ୍ରହ୍ଲାଦଙ୍କ ପେଟରେ।

ପ୍ରହ୍ଲାଦଙ୍କୁ ପ୍ରଥମେ ଗୁରୁତର ଅବସ୍ଥାରେ ହିନ୍ଦୋଳ ହସ୍‌ପିଟାଲକୁ ନେଇ ଯାଇଥିଲେ ତାଙ୍କ ସହକର୍ମୀମାନେ। ତେବେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Hunters ଗିରଫ ୪ ଶିକାରୀ

ପ୍ରହ୍ଲାଦଙ୍କ ପେଟରେ ଗୁଳି ବାଜିବା ପରେ ଶିକାରୀଙ୍କ ମଧ୍ୟରୁ ୪ ଜଣଙ୍କୁ ବନ କର୍ମଚାରୀମାନେ କାବୁ କରିବାରେ ସଫଳ ହୋଇଥିବା ବେଳେ ଆଉ କିଛି ଖସି ପଳାଇବାରେ ସମର୍ଥ ହୋଇଥିଲେ। ଶିକାରୀଙ୍କ ପାଖରୁ ବନ୍ଧୁକ ଜବତ କରାଯାଇଛି। ବନ ବିଭାଗ ପକ୍ଷରୁ ସେମାନଙ୍କୁ ପୁଲିସ୍‌କୁ ହସ୍ତାନ୍ତର କରାଯାଇଛି।

ଚଳିତ ବର୍ଷ ପୁରସ୍କୃତ ହୋଇଥିଲେ ପ୍ରହ୍ଲାଦ

ଫରେଷ୍ଟଗାର୍ଡ ପ୍ରହ୍ଲାଦ ପ୍ରଧାନ ଜଣେ କର୍ତ୍ତବ୍ୟନିଷ୍ଠ ବନ କର୍ମଚାରୀ ଥିଲେ। କର୍ତ୍ତବ୍ୟନିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ତାଙ୍କୁ ଚଳିତ ବର୍ଷ ବିଶ୍ୱ ବନ ଦିବସ ଅବସରରେ ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯାଇଥିଲା।

Prahlad Pradhanପୁରସ୍କାର ଗ୍ରହଣ କରିବା ଅବସରରେ ଫରେଷ୍ଟଗାର୍ଡ ପ୍ରହ୍ଲାଦ ପ୍ରଧାନ।

କର୍ତ୍ତବ୍ୟ ସମ୍ପାଦନ ସମୟରେ ଶିକାରୀଙ୍କ ଗୁଳିରେ ପ୍ରହ୍ଲାଦଙ୍କ ମୃତ୍ୟୁ ହୋଇଥିବାରୁ ତାଙ୍କୁ ସହିଦର ମାନ୍ୟତା ପ୍ରଦାନ କରିବାକୁ ତାଙ୍କ ସହକର୍ମୀମାନେ ଦାବି କରିଛନ୍ତି। ଏହା ସହିତ ଶିକାରୀ ତଥା ଜଙ୍ଗଲ ମାଫିଆଙ୍କ ମୁକାବିଲା ନିମନ୍ତେ ବନବିଭାଗର ଆଧୁନିକୀକରଣ କରିବାର ବ୍ୟବସ୍ଥା କରିବାକୁ ସେମାନେ ଦାବି କରିଛନ୍ତି।