ଶିଖ୍‌ ବିବାଦୀୟ ମନ୍ତବ୍ୟ: ପାକିସ୍ତାନ କ୍ରିକେଟର୍‌ଙ୍କ ଉପରେ ବର୍ଷିଲେ ହରଭଜନ

ନିଜ ବିବାଦୀୟ ବୟାନକୁ ନେଇ ଚାରିଆଡୁ ସମାଲୋଚନାର ଶିକାର ହେବା ପରେ ପାକିସ୍ତାନର ପୂର୍ବତନ କ୍ରିକେଟର୍‌ କାମ୍ରାନ୍‌ ଅକମଲ ଏବେ କ୍ଷମା ମାଗିଛନ୍ତି।

ଶିଖ୍‌ ବିବାଦୀୟ ମନ୍ତବ୍ୟ: ପାକିସ୍ତାନ କ୍ରିକେଟର୍‌ଙ୍କ ଉପରେ ବର୍ଷିଲେ ହରଭଜନ

ଟ୍ୱି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪ରେ ଭାରତ ଠାରୁ ପୁଣି ଥରେ ପରାଜୟ ହୋଇଛି ପାକିସ୍ତାନ କ୍ରିକେଟର୍। ପାକିସ୍ତାନକୁ ୬ ରନ୍‌ରେ ପରାସ୍ତ କରିଥିଲା ଭାରତ। ତେବେ ଏହି ମ୍ୟାଚ୍ ବିଷୟରେ ଆଲୋଚନା କରିବାବେଳେ ପାକିସ୍ତାନର ପୂର୍ବତନ ଖେଳାଳି କାମ୍ରାନ୍ ଅକମଲ ଶିଖ ସମ୍ପ୍ରଦାୟକୁ ନେଇ ଲାଇଭ୍‌ ଟିଭିରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଏହାକୁ ନେଇ ଏବେ ରାଗି ଯାଇଛନ୍ତି ଭଜ୍ଜି ତଥା ଭାରତର ପୂର୍ବତନ କ୍ରିକେଟର୍‌ ହରଭଜନ ସିଂହ। ସେ ପାକିସ୍ତାନ କ୍ରିକେଟର୍‌ଙ୍କ ଉପରେ ଜୋରଦାର ବର୍ଷିଛନ୍ତି।

ବାସ୍ତବରେ ନ୍ୟୁୟର୍କରେ ଖେଳାଯାଇଥିବା ଭାରତ ବନାମ ପାକିସ୍ତାନ ମ୍ୟାଚରେ ଅର୍ଶଦୀପ ସିଂହ ଭାରତ ପାଇଁ ଶେଷ ଓଭର ବୋଲିଂ କରିଥିଲେ। ସେହି ଓଭରରେ ପାକିସ୍ତାନକୁ ଜିତିବା ପାଇଁ ୧୮ ରନ୍ ସ୍କୋର କରିବାର ଥିଲା, କିନ୍ତୁ ଦଳ ମାତ୍ର ୧୧ ରନ୍ କରି ମ୍ୟାଚକୁ ୬ ରନ୍ ବ୍ୟବଧାନରେ ହରାଇଥିଲା। ଏହା ପରେ, ପାକିସ୍ତାନରେ ପ୍ରସାରିତ ଏକ ଲାଇଭ୍‌ ଟିଭି ଶୋ’ରେ ମ୍ୟାଚ୍ ବିଶ୍ଳେଷଣ କରୁଥିବାବେଳେ କାମ୍ରାନ୍ ଅକମଲ ସର୍ଦ୍ଦାର ଜୀ ୧୨ ବାଜ ଗଏ କୟା? ବୋଲି ପଚାରିଥିଲେ। ଅର୍ଶଦୀପ ଓ ଶିଖ୍‌ ଧର୍ମକୁ ନେଇ ପରିହାସ କରିଥିଲେ। ଅନ୍ୟ ପ୍ୟାନେଲିଷ୍ଟମାନେ ମଧ୍ୟ କାମ୍ରାନ୍‌ଙ୍କ ଏହି ମନ୍ତବ୍ୟ ଶୁଣି ହସିଥିଲେ।

ଏହାକୁ ନେଇ ଏବେ ହରଭନ ସିଂହ ଅକମଲଙ୍କ ଉପରେ ଜୋରଦାର ବର୍ଷିଛନ୍ତି। ସେ କାମ୍ରାନଙ୍କ ଏହି ଭିଡିଓକୁ ସେୟାର କରି କହିଛନ୍ତି, ' ଆପଣଙ୍କୁ ନିଜର ମୁହଁ ଖୋଲିବା ପୂର୍ବରୁ ଶିଖମାନଙ୍କ ଇତିହାସ ଜାଣି ରଖିବା ଉଚିତ। ଆମେ ଶିଖ୍‌ମାନେ ହିଁ ତୁମର ମା' ଓ ଭଉଣୀଙ୍କୁ ଆକ୍ରମଣକାରୀଙ୍କ କବଳରୁ ରକ୍ଷା କରିଥିଲୁ। ସେହି ସମୟରେ ୧୨ଟା ବାଜି ଥିଲା। ତୁମ ମାନଙ୍କୁ ଲଜ୍ଜା ଲାଗିବା କଥା‌…।' ସେପଟେ ଆମେରିକା ପାଇଁ ଖେଳୁଥିବା ଜସକରନ୍ ମାଲହୋତ୍ରା ମଧ୍ୟ କାମ୍ରାନ୍ ଅକମଲଙ୍କୁ ନିନ୍ଦା କରିଛନ୍ତି।

ନିଜ ବିବାଦୀୟ ବୟାନକୁ ନେଇ ଚାରିଆଡୁ ସମାଲୋଚନାର ଶିକାର ହେବା ପରେ ପାକିସ୍ତାନର ପୂର୍ବତନ କ୍ରିକେଟର୍‌ କାମ୍ରାନ୍‌ ଅକମଲ ଏବେ କ୍ଷମା ମାଗିଛନ୍ତି। ସୋଶାଲ ମିଡିଆ ପ୍ଲାଟଫର୍ମ X ରେ ପୋଷ୍ଟ କରି ସେ ଲେଖିଛନ୍ତି ଯେ ମୋର ସାମ୍ପ୍ରତିକ ମନ୍ତବ୍ୟକୁ ନେଇ ମୁଁ ଅତ୍ୟନ୍ତ ଦୁଃଖିତ। ମୁଁ ହରଭଜନ ସିଂହ ଏବଂ ଶିଖ ସମ୍ପ୍ରଦାୟକୁ କ୍ଷମା ମାଗୁଛି। ମୋର ଶବ୍ଦ ଭୁଲ ଏବଂ ଅପମାନଜନକ ଥିଲା। ମୁଁ ସମସ୍ତ ଶିଖଙ୍କୁ ସମ୍ମାନ କରେ | କାହାକୁ ଆଘାତ ଦେବା ପାଇଁ ମୋର ଉଦ୍ଦେଶ୍ୟ ନଥିଲା ମୁ କ୍ଷମା ମାଗୁଛି।