ଶିବାଜୀଙ୍କ ଷ୍ଟାଚ୍ୟୁ ଭୁଶୁଡ଼ିବା ଘଟଣା: ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧି

ପ୍ରତିମୂର୍ତ୍ତି ଭୁଶୁଡ଼ିବା ଘଟଣାରେ ପୁଲିସ୍‌ କଣ୍ଟ୍ରାକ୍ଟର ଜୟଦୀପ ଆପଟେ ଓ ନିର୍ମାଣ ପରାମର୍ଶଦାତା ଚେତନ ପାଟିଲଙ୍କୁ ଗିରଫ କରିଛି। ଆପଟେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ବନ୍ଧୁ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି।

ଶିବାଜୀଙ୍କ ଷ୍ଟାଚ୍ୟୁ ଭୁଶୁଡ଼ିବା ଘଟଣା: ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧି

ମହାରାଷ୍ଟ୍ରରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ଭୁଶୁଡ଼ିବା ଘଟଣାରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଜୋରଦାର ବର୍ଷିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ପ୍ରତିମୂର୍ତ୍ତି ଭୁଶୁଡ଼ିବା ଘଟଣା ୧୭ତମ ଶତାବ୍ବୀର ସମ୍ରାଟ ପ୍ରତି ଅପମାନ ବୋଲି ରାହୁଲ କହିଛନ୍ତି।

ସାଙ୍ଗଲିରେ ଆୟୋଜିତ ଗୋଟିଏ କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧି ଅଭିଯୋଗ କରିଛନ୍ତି ଯେ ପ୍ରତିମୂର୍ତ୍ତିର ନିର୍ମାଣ କାମ ଜଣେ ଆରଏସଏସ କର୍ମୀଙ୍କୁ ଦିଆଯାଇଥିଲା। ଏଥିସହ ପ୍ରତିମୂର୍ତ୍ତି ଭୁଶୁଡ଼ିବା ଘଟଣାରେ ପ୍ରଧାନମନ୍ତ୍ରୀ ମୋଦି ମାଗିଥିବା କ୍ଷମାକୁ ମଧ୍ୟ ରାହୁଲ କଟାକ୍ଷ କରିଛନ୍ତି। ସେ କହିଛନ୍ତି, “ନିର୍ମାଣ ହେବାର କିଛି ମାସ ମଧ୍ୟରେ ପ୍ରତିମୂର୍ତ୍ତି ଭୁଶୁଡ଼ି ପଡ଼ିଛି। ଏହା ଶିବାଜୀ ମହାରାଜଙ୍କ ପ୍ରତି ଘୋର ଅପମାନ।”

ଶିବାଜୀ ମହାରାଜଙ୍କ ପରାମ୍ପରା ମହାରାଷ୍ଟ୍ରରେ ଗୋଟିଏ ସମ୍ବେଦନଶୀଳ ପ୍ରସଙ୍ଗ। ଆଉ ପ୍ରତିମୂର୍ତ୍ତି ଭୁଶୁଡ଼ିବା ଘଟଣା କ୍ଷମତାସୀନ ବିଜେପି-ଏନସିପି ଓ ଶିବସେନା ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟ କରିଛି। କାରଣ ପ୍ରଧାନମନ୍ତ୍ରୀ ମୋଦି ନିଜେ ମାତ୍ର ୯ ମାସ ତଳେ ଶିବାଜୀଙ୍କ ଉକ୍ତ ୩୫ ଫୁଟ ପ୍ରତିମୂର୍ତ୍ତିକୁ ଅନାବରଣ କରିଥିଲେ।

ଭୁଶୁଡ଼ିବା ଘଟଣାରେ ପ୍ରଧାନମନ୍ତ୍ରୀ ମୋଦି କ୍ଷମା ମାଗିଥିବାରୁ ରାହୁଲ ଗାନ୍ଧି କହିଛନ୍ତି, “ଭୁଲ କରୁଥିବା ଲୋକ କ୍ଷମା ମାଗନ୍ତି। ଯଦି ଆପଣ କିଛି ଭୁଲ କରି ନାହାନ୍ତି, ତା’ହେଲେ କ୍ଷମା କାହିଁକି ମାଗୁଛନ୍ତି? ସେ କାହିଁକି କ୍ଷମା ମାଗିଥିଲେ, ସେକଥା ମୁଁ ବୁଝିବାକୁ ଚାହୁଁଛି। ପ୍ରଥମତଃ ପ୍ରଧାନମନ୍ତ୍ରୀ ମୋଦି ପ୍ରତିମୂର୍ତ୍ତି ନିର୍ମାଣ କାମ ଜଣେ ଆରଏସଏସ କ୍ୟାଡରଙ୍କୁ ଦେଇଥିଲେ। ସମ୍ଭବତଃ ଏବେ ସେ(ମୋଦି) ଭାବୁଛନ୍ତି, ଏହା ତାଙ୍କର କରିବାର ନଥିଲା।”

ପ୍ରତିମୂର୍ତ୍ତି ଭୁଶୁଡ଼ିବା ଘଟଣାରେ ପୁଲିସ୍‌ କଣ୍ଟ୍ରାକ୍ଟର ଜୟଦୀପ ଆପଟେ ଓ ନିର୍ମାଣ ପରାମର୍ଶଦାତା ଚେତନ ପାଟିଲଙ୍କୁ ଗିରଫ କରିଛି। ଆପଟେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ବନ୍ଧୁ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି।

ରାହୁଲ ଗାନ୍ଧି ଆହୁରି କହିଛନ୍ତି, “ଦ୍ୱିତୀୟ କାରଣ ସମ୍ଭବତଃ ଦୁର୍ନୀତି। ପ୍ରଧାନମନ୍ତ୍ରୀ ବୋଧେ ଭାବୁଛନ୍ତି ଯେ ଠିକାଦାର ଦୁର୍ନୀତି କରିଛନ୍ତି ଓ ମହାରାଷ୍ଟ୍ରର ଲୋକଙ୍କ ଟଙ୍କା ଲୁଟି ନେଇଛନ୍ତି। ତୃତୀୟ କାରଣ ହେଲା ଆପଣ ସମ୍ଭବତଃ ଶିବାଜୀ ମହାରାଜଙ୍କ ସ୍ମୃତିରେ ପ୍ରତିମୂର୍ତ୍ତି କଲେ, କିନ୍ତୁ ଏହା କେମିତି ସୁରକ୍ଷିତ ରହିବ ସେକଥା ଚିନ୍ତା କଲେ ନାହିଁ।

ମୁଁ ଆପଣମାନଙ୍କୁ ଗ୍ୟାରେଣ୍ଟୀ ଦେବାକୁ ଚାହୁଁଛି ଯେ କଦମଜୀ(ଦିବଂଗତ କଂଗ୍ରେସ ମନ୍ତ୍ରୀ ପି କଦମ)ଙ୍କ ଯେଉଁ ମୂର୍ତ୍ତି ଏଠାରେ ରହିଛି, ତାହା ୫୦ରୁ ୭୦ ବର୍ଷ ଧରି ସେମିତି ରହିଥିବ। ପ୍ରଧାନମନ୍ତ୍ରୀ ଯଦି କ୍ଷମା ମାଗୁଛନ୍ତି, ତା’ହେଲେ କେବଳ ଶିବାଜୀ ମହାରାଜଙ୍କୁ ନୁହେଁ, ବରଂ ମହାରାଷ୍ଟ୍ରର ପ୍ରତିଟି ଲୋକଙ୍କୁ କ୍ଷମା ମାଗନ୍ତୁ।”

ଗତ ସପ୍ତାହରେ ପାଲଘର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ପ୍ରତିମୂର୍ତ୍ତି ଭୁଶୁଡ଼ିବା ଘଟଣରେ ଶିବାଜୀ ମହାରାଜ ଓ ତାଙ୍କ ଅନୁଗାମୀ ମାନଙ୍କୁ କ୍ଷମା ମାଗିଥିଲେ।