ଶୁଟିଂ ସେଟ୍‌ରେ ବଡ଼ ଦୁର୍ଘଟଣା, ଦେଖିବାକୁ ମିଳିଲା ବନ୍ୟା ଭଳି ସ୍ଥିତି

ଶୁଟିଂ ସେଟ୍‌ରେ ଦୁର୍ଘଟଣା ଘଟିବା ବେଳର ଭିଡିଓ ସାମ୍ନାକୁ ଆସିଛି।

ଶୁଟିଂ ସେଟ୍‌ରେ ବଡ଼ ଦୁର୍ଘଟଣା, ଦେଖିବାକୁ ମିଳିଲା ବନ୍ୟା ଭଳି ସ୍ଥିତି

ତେଲୁଗୁ ଅଭିନେତା ନିଖିଲ ସିଦ୍ଧାର୍ଥଙ୍କ ଆଗାମୀ ଫିଲ୍ମ ‘ଦି ଇଣ୍ଡିଆ ହାଉସ’ର ଶୁଟିଂ ସେଟ୍‌ରେ ଘଟିଛି ବଡ଼ ଦୁର୍ଘଟଣା। ଶୁଟିଂ ଚାଲିଥିବା ବେଳେ ଏକ ବଡ଼ ପାଣି ଟାଙ୍କି ହଠାତ୍ ଫାଟି ଯିବାରୁ ୭ ଜଣ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ଆସିଷ୍ଟାଣ୍ଟ କ୍ୟାମେରାମ୍ୟାନ ମଧ୍ୟ ଅଛନ୍ତି। ସେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଆଇସିୟୁରେ ରଖାଯାଇଥିବା ସୂଚନା ମିଳିଛି। 

ଶମଶାବାଦରେ ଫିଲ୍ମର ଶୁଟିଂ ଚାଲିଥିଲା ବେଳେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ଘଟିବା ବେଳେ ସମୁଦ୍ରର ଏକ ସିନ୍‌ର ଶୁଟିଂ ଚାଲିଥିଲା। ସେଥିପାଇଁ ଏକ ବଡ଼ ପାଣି ଟାଙ୍କିର ବ୍ୟବସ୍ଥା କରାଯାଇଥିଲା। ତେବେ ଶୁଟିଂ ଚାଲିଥିବା ବେଳେ ପାଣି ଟାଙ୍କିଟି ଫାଟି ଯାଇଥିଲା। ପାଣି ଟାଙ୍କି ଫାଟି ଯିବାରୁ ଶୁଟିଂ ସେଟ୍‌ରେ ବନ୍ୟା ଭଳି ସ୍ଥିତି ଉତ୍ପନ୍ନ ହୋଇଥିଲା।

ଏହି ଦୁର୍ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଟାଙ୍କି ଫାଟି ଯିବାରୁ ଦ୍ରୁତ ଗତିରେ ପାଣି ଶୁଟିଂ ସେଟ୍‌ରେ ପଶିଥିଲା ଓ ସେଠାରେ ଥିବା ବିଭିନ୍ନ ସାମଗ୍ରୀକୁ ଭସାଇ ନେଇଥିଲା। ଉପସ୍ଥିତ କର୍ମଚାରୀମାନେ କ୍ୟାମେରା ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ ସାମଗ୍ରୀଗୁଡ଼ିକ ତୁରନ୍ତ ସୁରକ୍ଷିତ ସ୍ଥାନକୁ ନେଇଯିବାକୁ ଉଦ୍ୟମ କରିଥିବା ଭିଡିଓରେ ଦେଖିବାକୁ ମିଳିଛି।

ଦୁର୍ଘଟଣା ଘଟିବା ବେଳେ ଶୁଟିଂ ସେଟ୍‌ରେ ଅଭିନେତା ନିଖିଲ ସିଦ୍ଧାର୍ଥ ଉପସ୍ଥିତ ଥିଲେ ନା ନାହିଁ, ତାହା ସ୍ପଷ୍ଟ ହୋଇନାହିଁ। ତେବେ ପାଣି ଟାଙ୍କି ଫାଟିଯିବାରୁ ଶୁଟିଂ ସେଟ୍‌ରେ ବ୍ୟାପକ କ୍ଷତି ଘଟିଛି।

ଏହି ଫିଲ୍ମର ପ୍ରଯୋଜକ ରହିଛନ୍ତି ସାଉଥର ଅନ୍ୟତମ ସୁପରଷ୍ଟାର ରାମ ଚରଣ। ଏହି ଫିଲ୍ମ ମାଧ୍ୟମରେ ପ୍ରଥମ ଥର ପାଇଁ ପ୍ରଯୋଜକ ସାଜିଛନ୍ତି ଅଭିନେତା ରାମ ଚରଣ। ଏହି ଫିଲ୍ମରେ ନିଖିଲ ସିଦ୍ଧାର୍ଥଙ୍କ ସହିତ ଅନୁପମ ଖେର ଲିଡ୍‌ ରୋଲରେ ଅଭିନୟ କରୁଛନ୍ତି।