ଶୁଭେଚ୍ଛା ବଜାର

ବର୍ଷସାରା ଆମେ ବିଭିନ୍ନ ପର୍ବପର୍ବାଣି ପାଳୁ। ଏଗୁଡିକ କେବଳ ଭାରତୀୟ ସଂସ୍କୃତିର ଅବିଚ୍ଛେଦ୍ୟ ଅଙ୍ଗ ନୁହେଁ ବରଂ ଆମ ଧାର୍ମିକ, ସାମାଜିକ ଏବଂ ଜାତୀୟ ଏକତାର ପ୍ରତୀକ। ପର୍ବପର୍ବାଣି, ସେ ଯେକୌଣସି ଧର୍ମ କିମ୍ବା ସମ୍ପ୍ରଦାୟର ହେଉନା କାହିଁକି ସମସ୍ତ ଭାରତୀୟ ତାହାକୁ ଆନନ୍ଦ ଉଲ୍ଲାସରେ ପାଳନ୍ତି। ଅର୍ଥନୈତିକ ଉଦାରୀକରଣ ପରବର୍ତ୍ତୀ ସମୟରେ ଯେଉଁ ବଜାରବାଦ ମୁଣ୍ଡ ଟେକିଲା, ତାହା ଭାରତୀୟ ଜନଜୀବନର ପ୍ରତ୍ୟେକ କ୍ଷେତ୍ରକୁ ପ୍ରଭାବିତ କରିଛି। ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର କ୍ରୟ ଶକ୍ତି ବୃଦ୍ଧି […] The post ଶୁଭେଚ୍ଛା ବଜାର appeared first on Dharitri Odia News.

ଶୁଭେଚ୍ଛା ବଜାର

ବର୍ଷସାରା ଆମେ ବିଭିନ୍ନ ପର୍ବପର୍ବାଣି ପାଳୁ। ଏଗୁଡିକ କେବଳ ଭାରତୀୟ ସଂସ୍କୃତିର ଅବିଚ୍ଛେଦ୍ୟ ଅଙ୍ଗ ନୁହେଁ ବରଂ ଆମ ଧାର୍ମିକ, ସାମାଜିକ ଏବଂ ଜାତୀୟ ଏକତାର ପ୍ରତୀକ। ପର୍ବପର୍ବାଣି, ସେ ଯେକୌଣସି ଧର୍ମ କିମ୍ବା ସମ୍ପ୍ରଦାୟର ହେଉନା କାହିଁକି ସମସ୍ତ ଭାରତୀୟ ତାହାକୁ ଆନନ୍ଦ ଉଲ୍ଲାସରେ ପାଳନ୍ତି। ଅର୍ଥନୈତିକ ଉଦାରୀକରଣ ପରବର୍ତ୍ତୀ ସମୟରେ ଯେଉଁ ବଜାରବାଦ ମୁଣ୍ଡ ଟେକିଲା, ତାହା ଭାରତୀୟ ଜନଜୀବନର ପ୍ରତ୍ୟେକ କ୍ଷେତ୍ରକୁ ପ୍ରଭାବିତ କରିଛି। ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର କ୍ରୟ ଶକ୍ତି ବୃଦ୍ଧି ସହିତ ଆମ ସାମାଜିକ ଚଳଣି ଏବଂ ସମ୍ପର୍କରେ କୃତ୍ରିମତା ଦେଖାଦେଇଛି। ଆଜି ସମସ୍ତ ଜିନିଷକୁ ଅର୍ଥ(ଟଙ୍କା) ଆଧାରରେ କେବଳ ବିଚାର କରାଯାଉନି ବରଂ ତୁଳନା କରାଯାଉଛି। ଆମ ପର୍ବପର୍ବାଣି ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହୋଇଛି।
କିଛି ବର୍ଷ ପଛକୁ ଫେରିଗଲେ ଜାଣିପାରିବା ଯେ, କୌଣସି ପ୍ରକାରର କୃତ୍ରିମତା ଏହି ପର୍ବପର୍ବାଣିଗୁଡ଼ିକର ପବିତ୍ରତାକୁ ସ୍ପର୍ଶ କରି ନ ଥିଲା। କିନ୍ତୁ ବର୍ତ୍ତମାନ ବଜାରବାଦ ଏବଂ ଟଙ୍କାର ଚମକ ଏଗୁଡ଼ିକୁ ଅତିମାତ୍ରାରେ ଗ୍ରାସ କରିଚାଲିଛି। ପୂର୍ବେ ପଡ଼ୋଶୀ, ସମ୍ପର୍କୀୟ ବନ୍ଧୁବାନ୍ଧବ ଏବଂ ପରିଚିତଙ୍କୁ ଲୋକେ ଅତି ଆତ୍ମୀୟତା ସହକାରେ ଶୁଭେଚ୍ଛାର ବାର୍ତ୍ତା ଓ ଅଭିବାଦନ ଜଣାଉଥିଲେ। ଅତିଥି ଏବଂ ଅତିଥିଙ୍କୁ ପାଛୋଟି ନେଉଥିବା ବ୍ୟକ୍ତି ଦୁହେଁ ଅତି ସ୍ନେହରେ ଆଲିଙ୍ଗନ କରି ପରସ୍ପରକୁ ଅଭିବାଦନ ଏବଂ ଶୁଭେଚ୍ଛା ଆଦାନପ୍ରଦାନ କରୁଥିଲେ। ଅତିଥିଙ୍କୁ ହାତ ଯୋଡି ଖୋଲା ହୃଦୟରେ ସ୍ବାଗତ କରୁଥିଲେ। ଘରେ ତିଆରି ପିଠାପଣା ଏବଂ ମିଷ୍ଟାନ୍ନ ଦ୍ବାରା ଅତିଥି ସତ୍କାର ହେଉଥିଲା। ଅତିଥିଗଣ ନିଜ ସମ୍ପର୍କୀୟଙ୍କ ଘରକୁ ବୁଲି ଗଲାବେଳେ ହାତରେ ମିଷ୍ଟାନ୍ନ ଅବା ପାଚିଲା ଫଳ ନେଇ ଯାଉଥିଲେ। ବୟସ୍କମାନେ ପିଲାଙ୍କୁ ଆଶୀର୍ବାଦ କରିବା ସହିତ ଚକୋଲେଟ ପାଇଁ କିଛି ଟଙ୍କା ସେମାନଙ୍କ ହାତରେ ଧରାଇ ଦେଉଥିଲେ।
ଏକଦା ଆମ ପାରସ୍ପରିକ ସମ୍ପର୍କ ଆତ୍ମୀୟତା, ସ୍ନେହ ଏବଂ ଭାଇଚାରାରେ ପୂର୍ଣ୍ଣ ଥିଲା। ଏଥିରେ କୌଣସି ଖାଦର ଚିହ୍ନବର୍ଣ୍ଣ ନ ଥିଲା। କିନ୍ତୁ ଗତ କିଛି ବର୍ଷ ମଧ୍ୟରେ କମ୍ପାନୀଗୁଡିକ ବିଜ୍ଞାପନ ମାଧ୍ୟମରେ ଭିନ୍ନ ଏକ ପରିବେଶ ସୃଷ୍ଟି କରିଛନ୍ତି। ସେମାନଙ୍କ ଉତ୍ପାଦକୁ ‘ଉପହାର’ ଭାବରେ ବନ୍ଧୁ, ପରିଜନ ଏବଂ ସମ୍ପର୍କୀୟଙ୍କୁ ଯଦି ନ ଦେବା ତେବେ ତାହା କି ପ୍ରକାର ପର୍ବ, କି ପ୍ରକାର ଅଭିନନ୍ଦନ ଏବଂ କି ପ୍ରକାର ଶୁଭେଚ୍ଛା ହେବ ! ହୋଲି, ଦୀପାବଳି, ରକ୍ଷାବନ୍ଧନ, ନବରାତ୍ରି, ଦଶହରା, ଇଦ୍‌, ବଡଦିନ, ନୂତନବର୍ଷ ପ୍ରାରମ୍ଭ ସମୟରେ ବଜାରଗୁଡ଼ିକ ‘ଉପହାର’ ଦ୍ୱାରା ସଜ୍ଜିତ ହୋଇଥାଏ। ଉପହାରଗୁଡ଼ିକ ସର୍ବଦା ଏକପ୍ରକାର ହୋଇଥାଏ, କିନ୍ତୁ ପର୍ବପର୍ବାଣି ସହିତ କମ୍ପାନୀଗୁଡ଼ିକ ତରଫରୁ ଯାହା କେବଳ ଲୋଭନୀୟ ତଥା ଆକର୍ଷଣୀୟ ସ୍ଲୋଗାନ(ବାର୍ତ୍ତା)ଗୁଡ଼ିକ ପରିବର୍ତ୍ତିତ ହୋଇଥାଏ। ଯାହା ଆମ ସମ୍ବେଦନା ଏବଂ ଭାବନାକୁ ଉତ୍ତେଜିତ କରିଥାଏ। ଅନ୍ୟ ଅର୍ଥରେ କହିଲେ ଏହା ଆମ ଭାବନା ସହିତ ଖେଳି ଆମକୁ ନିଜ ଲୋଭନୀୟ ଜାଲରେ ଫସାଇବାକୁ ଉଦ୍ୟମ କରେ।
କିଛି ବର୍ଷ ପୂର୍ବରୁ ରକ୍ଷାବନ୍ଧନ ସମୟରେ ଭାଇମାନେ ନିଜ ଭଉଣୀଙ୍କ ହାତରେ ଯାହା ଧରେଇ ଦେଉଥିଲେ ତାହା ସେମାନଙ୍କ ପାଇଁ ଅମୂଲ୍ୟ ଉପହାର ଥିଲା। ଭଉଣୀ ଜଣଙ୍କ ବୟସରେ ବଡ ଅବା ଜ୍ଞାନୀ ହୋଇଥିଲେ ସେ କହୁଥିଲେ, ଏହାର କି ଆବଶ୍ୟକତା ଥିଲା ? କିନ୍ତୁ ଆଜି ରକ୍ଷାବନ୍ଧନ ପୂର୍ବରୁ ଭଉଣୀମାନେ ପୂର୍ଣ୍ଣ ଅଧିକାର ସହିତ ଭାଇଙ୍କଠାରୁ ଉପହାର ଚାହୁଁଛନ୍ତି। ଏହା ହେଉଛି ସେହି ବଜାରବାଦର ପ୍ରଭାବ। ବଜାରବାଦର ବୁଢିଆଣୀ ଜାଲର ପ୍ରଭାବରେ ଆମେ ଏକଥା ଚିନ୍ତା କରିବା ଆରମ୍ଭ କରିଦେଉ ଯେ ଶୁଭେଚ୍ଛା ଜଣାଇବା ପାଇଁ ଯଦି ଆମକୁ କାହା ଘରକୁ ଯିବାକୁ ପଡେ, ତେବେ ଆମେ କିପରି ଖାଲି ହାତରେ ଯିବା ! ମନରେ ଏଭଳି ଭାବନା ମଧ୍ୟ ଉଙ୍କିମାରେ ଯେ ବିନା ଉପହାରରେ କ’ଣ ଅଭିନନ୍ଦନ କିମ୍ବା ଶୁଭେଚ୍ଛା ଦିଆଯାଇ ପାରେ ? ଅନ୍ୟ ଦିଗରେ ସମ୍ମୁଖରେ ଥିବା ବ୍ୟକ୍ତି ମଧ୍ୟ ଅନୁମାନ ଲଗାଇ ବସେ ଯେ ଯଦି କେହି ଶୁଭେଚ୍ଛା ଦେବାକୁ ମୋ ପାଖକୁ ଆସିବ, ତେବେ ସେ ନିଶ୍ଚିତ ଭାବରେ କିଛି ଉପହାର ନେଇ ଆସିବ। ଉପହାର ଯେତେ ଭାରି, ବଡ ଏବଂ ମହଙ୍ଗା ହୋଇଥାଏ ସମ୍ପର୍କ ସେତେ ଶକ୍ତିଶାଳୀ ବୋଲି ଆଜି ବିବେଚିତ ହେଉଛି। ଯିଏ ଆଦୌ କିଛି ଆଣି ନ ଥାଏ ସେ ସମ୍ପୂର୍ଣ୍ଣ ରୂପେ ଉପେକ୍ଷିତ ହୋଇଥାଏ।
ବଜାରବାଦ କାରଣରୁ ସମାଜର କିଛି ଲୋକଙ୍କ କ୍ରୟ ଶକ୍ତି ବୃଦ୍ଧି ପାଇଛି। ଅର୍ଥର ଆଗମନ କିଛି ଲୋକଙ୍କ ଅହଂକାର ଗୁଣକୁ ବଢାଇ ଦେଇଛି। ଏହି କାରଣରୁ ପୂର୍ବର ସେହି ଆତ୍ମୀୟତା ଏବଂ ଭାବନାରେ ଆଘାତ ପହଞ୍ଚିଛି। ବର୍ତ୍ତମାନ ଲୋକମାନେ ଏକଥା ମଧ୍ୟ ଭାବୁଛନ୍ତି ଯେ ଆଗ ସେ ମୋ ନିକଟକୁ ଅବା ମୋ ଘରକୁ ଆସୁ ତା’ପରେ ମୁଁ ତା’ ପାଖକୁ ଅବା ତା’ ଘରକୁ ଯିବି। ଅର୍ଥାତ୍‌ ଯଦି ଜଣେ ମୋ ସୁଖ ଦୁଃଖରେ ମୋ ପାଖରେ ଠିଆ ହେଉନାହିଁ ତେବେ ମୁଁ କାହିଁକି ତା’ ଦୁଆରକୁ ଯିବି ? ତାକୁ ଲୋଡିବି ? ଆଜି ପ୍ରାୟତଃ ସମସ୍ତଙ୍କ ଚିନ୍ତାଧାରା ଏହିଭଳି। ଏହାର ପ୍ରଭାବରେ ଲୋକମାନେ ନିଜ ଘରେ ସଙ୍କୁଚିତ ହୋଇ ରହିବାକୁ ପସନ୍ଦ କରୁଛନ୍ତି। ସୀମିତ ପରିସରରେ ପର୍ବପର୍ବାଣି, ଉତ୍ସବ ଆଦି ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଳନ କରିବା ଆରମ୍ଭ କରିଛନ୍ତି।
ପୂର୍ବେ ଉପହାରର ଆଦାନ ପ୍ରଦାନ ଉଚ୍ଚ ଶ୍ରେଣୀର ସମ୍ମାନ ତଥା ମର୍ଯ୍ୟାଦା ରୂପେ ବିବେଚିତ ହେଉଥିଲା। କିନ୍ତୁ ମଧ୍ୟବିତ୍ତମାନେ ଆଜି ଏହାର ସବୁଠାରୁ ବଡ ଶିକାର ହେଉଛନ୍ତି। ମଧ୍ୟବିତ୍ତମାନେ ନିଜ ପରିବାର, ବନ୍ଧୁବର୍ଗ ଏବଂ ପରିଚିତଙ୍କୁ ସମ୍ମାନର ପ୍ରତୀକ ସ୍ବରୂପ ମହଙ୍ଗା ଉପହାର ଦେଉଛନ୍ତି। ପ୍ରତିବଦଳରେ ମୂଲ୍ୟବାନ ଉପହାର ଫେରି ପାଇବାର ଆଶା ରଖୁଛନ୍ତି।
ପର୍ବପର୍ବାଣିର ପବିତ୍ରତାକୁ ବଞ୍ଚାଇବାକୁ ହେଲେ ଆମକୁ ବଜାରବାଦରୁ ତାହାକୁ ରକ୍ଷା କରିବାକୁ ପଡିବ। ସର୍ବୋପରି ସୁଦୃଢ଼ ସମ୍ପର୍କ ପାଇଁ ପ୍ରଲୋଭନକାରୀ ବିଜ୍ଞାପନଠାରୁ ନିଜକୁ ଦୂରେଇ ରଖିବାକୁ ହେବ। ମନେରଖିବାକୁ ହେବ ଯେ ସମ୍ପର୍କର ମୂଳଭିତ୍ତି ହେଉଛି ପାରସ୍ପରିକ ସ୍ନେହ, ଭଲପାଇବା ଏବଂ ଭାଇଚାରା। ବୁଝିବାକୁ ହେବ ଯେ ପର୍ବପର୍ବାଣିଗୁଡ଼ିକ ଆମ ସମ୍ପର୍କକୁ ଗାଢ କରିଥାଏ। ତେଣୁ ପର୍ବପର୍ବାଣି ଭଳି ବିଭିନ୍ନ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଆମେ କାହାଠାରୁ କିଛି ଆଶା ନ ରଖି ନିଜ ହୃଦୟର ଗଭୀରତମ ପ୍ରଦେଶରୁ ପରସ୍ପରକୁ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇବା। ଶୁଭେଚ୍ଛା ବଜାରରୁ ନୁହେଁ ହୃଦୟରୁ ସୃଷ୍ଟି ହେବା ଆବଶ୍ୟକ।
ବୈପାରୀଗୁଡ଼ା, କୋରାପୁଟ
ମୋ: ୬୩୭୦୬୭୯୪୦୫

The post ଶୁଭେଚ୍ଛା ବଜାର appeared first on Dharitri Odia News.