ଶେଖ ହସିନାଙ୍କୁ ୬ ମାସର ଜେଲଦଣ୍ଡ ଶୁଣାଇଲେ କୋର୍ଟ
ହସିନାଙ୍କ ଦଣ୍ଡ ବିଧାନର ଅବଧି ସେ ଗିରଫ କିମ୍ବା ଆତ୍ମସମର୍ପଣ କରିବା ଦିନ ଠାରୁ କାର୍ଯ୍ୟକାରୀ ହେବ।
ବିକ୍ଷୋଭ ଯୋଗୁ ଦେଶ ଛାଡ଼ି ଦେଇଥିବା ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ସେଠାକାର ଗୋଟିଏ କୋର୍ଟ ୬ ମାସର ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଗୋଟିଏ ଅଦାଲତ ଅବମାନନା ମାମଲାରେ କୋର୍ଟ ଏପରି ଦଣ୍ଡବିଧାନ କରିଛନ୍ତି।
ଢାକା ଟ୍ରିବ୍ୟୁନରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ଶେଖ ହସିନାଙ୍କ ଦଣ୍ଡ ବିଧାନ ନିଷ୍ପତ୍ତି ଅନ୍ତର୍ଜାତୀୟ ଅପରାଧିକ ଟ୍ରିବ୍ୟୁନାଲ -୧ର ୩ ଜଣିଆ ବେଞ୍ଚ ନେଇଛନ୍ତି। ଏହାର ନେତୃତ୍ୱ ଅଧ୍ୟକ୍ଷ ତଥା ଜଷ୍ଟିସ ଏମଡି ଗୁଲାମ ମୁର୍ତାଜା ମୋଜୁମଦାର ନେଇଥିଲେ। ହସିନାଙ୍କ ଦଣ୍ଡ ବିଧାନର ଅବଧି ସେ ଗିରଫ କିମ୍ବା ଆତ୍ମସମର୍ପଣ କରିବା ଦିନ ଠାରୁ କାର୍ଯ୍ୟକାରୀ ହେବ।
ହସିନାଙ୍କ ବ୍ୟତୀତ ଗାଇବନ୍ଧରେ ଥିବା ଗୋବିନ୍ଦଗଞ୍ଜର ଶକିଲ ଅଖଣ୍ଡ ବୁଲବୁଲଙ୍କୁ ମଧ୍ୟ ଅଦାଲତ ଅବମାନନା ମାମଲାରେ କୋର୍ଟ ୨ ମାସର ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ବୁଲବୁଲ ହେଉଛନ୍ତି ଢାକାର ଜଣେ ରାଜନୀତିକ ସଦସ୍ୟ। ହସନାଙ୍କ ଆବାମ ଲିଗର ଛାତ୍ର ସଂଗଠନ ବାଂଲାଦେଶ ଛାତ୍ର ଲିଗ ବା ବିସିଏଲ ସହ ତାଙ୍କର ଲିଙ୍କ ରହିଥିଲା।
ଗତବର୍ଷ ଅକ୍ଟୋବର ମାସରେ ଶକିଲ ଅଖଣ୍ଡ ବୁଲବୁଲଙ୍କ ସହ ହସିନା ଫୋନରେ କଥାର ଅଡିଓ ଲିକ ହେବା ଘଟଣା ସହ ଏହି ଅଦାଲତ ଅବମାନନା ମାମଲା ଜଡ଼ିତ। ଲିକ ଅଡିଓରେ ହସିନା କହିଥିଲେ ଯେ “ମୋ ନାଁରେ ୨୨୭ଟି ମାମଲା ରୁଜୁ ହୋଇଛି। ତେଣୁ ମୁଁ ୨୨୭ ଜଣଙ୍କୁ ହତ୍ୟା କରିବାର ଲାଇସେନ୍ସ ପାଇଛି।” ଏଥିରେ କେତେ ସତ୍ୟତା ରହିଛି, ସେକଥା କୌଣସି ନିରପେକ୍ଷ ସଂସ୍ଥା ସ୍ପଷ୍ଟ କରି ନାହାନ୍ତି। ଅଡିଓ ଭାଇରାଲ ହେବା ପରେ ସରକାରୀ ଓକିଲ ଏହାକୁ ଅଦାଲତକୁ ଧମକ ଦେବାକୁ ଚେଷ୍ଟା କରିଥିବା କଥା କହି କୋର୍ଟରେ ଅବମାନନା ମାମଲା କରିଥିଲେ।
ଗତବର୍ଷ ଅଗଷ୍ଟ ମାସରେ ବାଂଲାଦେଶରେ ଭୀଷଣ ଛାତ୍ର ଆନ୍ଦୋଳନ ଦେଖିବାକୁ ମିଳିଥିଲା। ଏହି ଆନ୍ଦୋଳନ ଭୟଙ୍କର ରୂପ ନେବାରୁ ୭୭ ବର୍ଷୀୟ ହସିନା ବାଂଲାଦେଶ ଛାଡ଼ିବାକୁ ବାଧ୍ୟ ହୋଇଥିଲେ।