ଶୋଇଥିବା ବେଳେ ଘରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ଅଳ୍ପକେ ବର୍ତ୍ତିଲେ ମାଆ ଓ ଦୁଇ ଛଆ

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏଭଳି କାଣ୍ଡ ଭିଆଇଛନ୍ତି ଦୁର୍ବୃତ୍ତ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ନିଆଳି ଥାନା ରଘୁନାଥପୁର ଗ୍ରାମରେ।

ଶୋଇଥିବା ବେଳେ ଘରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ଅଳ୍ପକେ ବର୍ତ୍ତିଲେ ମାଆ ଓ ଦୁଇ ଛଆ

ଘରେ ଶୋଇଥିବା ବେଳେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ । ଅଳ୍ପକେ ବର୍ତ୍ତିଲେ ମାଆ ଓ ଦୁଇ ଛୁଆ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏଭଳି କାଣ୍ଡ ଭିଆଇଛନ୍ତି ଦୁର୍ବୃତ୍ତ । ନୃଶଂସ ଓ ଅମଣିଷ ପଣିଆର ସବୁ ସୀମା ପାର କରିଛି। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ନିଆଳି ଥାନା ରଘୁନାଥପୁର ଗ୍ରାମରେ।

ଗତ କିଛି ଦିନ ଧରି ସ୍ୱାମୀ ପରିତ୍ୟକ୍ତା ନର୍ମଦା ମାହୁନ୍ତଙ୍କ ସହ ତାଙ୍କ ପଡ଼ୋଶୀଙ୍କ ମଧ୍ୟରେ ଜମିବାଡ଼ି ବିବାଦ ଲାଗି ରହିଥିଲା । ଦୁଇ ଦିନ ତଳେ ନର୍ମଦାଙ୍କୁ ପଡୋଶୀ ମାରଣାକ୍ତ ଆକ୍ରମଣ କରିଥିଲେ । ଯାହାକୁ ନେଇ ନର୍ମଦା ନିଆଳି ଥାନାର ଦ୍ୱାରସ୍ଥ ହୋଇଥିଲେ । ତେବେ ଏହାରି ମଧ୍ୟରେ ଗତକାଲି ବିଳମ୍ବିତ ରାତିରେ ନର୍ମଦା ଓ ଦୁଇ ପିଲାଙ୍କୁ ନେଇ ଘରେ ଶୋଇଥିବା ବେଳେ ଦୁର୍ବୃତ୍ତ ତାଙ୍କ ଘରେ ନିଆଁ ଲଗାଇ ଦେଇଥିଲେ । ପ୍ରାଣ ବିକଳରେ ଦୁଇ ଛୁଆଙ୍କ ସହ ନର୍ମଦା ଘରର ମାଟି କାନ୍ଥ ଭାଙ୍ଗି ବାହାରକୁ ଚାଲିଆସିଥିଲେ ।

ଖବର ପାଇ ନିଆଳି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ ଚାରି ବଖରା ଚାଳ ଘର ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଛି । ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ନର୍ମଦା । ସେପଟେ ଏହି ଘଟଣାର ଖବର ପାଇ ନିଆଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।