ଶ୍ରେଣୀଗୃହରେ ତାଲା,ବାରଣ୍ଡାରେ ପିଲା
ଭୁବନେଶ୍ବର,୧୧ା୪(ସୁଚିସ୍ମିତା ସାହୁ): କୌଣସି ଉପାନ୍ତ କି ଗ୍ରାମାଞ୍ଚଳ ନୁହେଁ, ଖୋଦ୍ ରାଜଧାନୀରେ ବିଦ୍ୟାଳୟର ଦୟନୀୟ ଅବସ୍ଥା ଦେଖିବାକୁ ମିଳିଛି। ଶିକ୍ଷକ ଅଭାବରୁ ବିଦ୍ୟାଳୟରେ ତାଲା ଝୁଲୁଥିବାବେଳେ ପିଲାଙ୍କ ପାଠପଢ଼ା ଗୁରୁତର ବାଧାପ୍ରାପ୍ତ ହୋଇଛି। ମଞ୍ଚେଶ୍ୱରସ୍ଥିତ ରେଲୱେ କଲୋନୀ ସରକାରୀ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟରେ ଏଭଳି ସ୍ଥିତି ରାଜ୍ୟର ଶିକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଷଷ୍ଠ ଓ ସପ୍ତମ ଶ୍ରେଣୀରେ ତାଲା ପକା ଯାଇଥିବାବେଳେ ପିଲାମାନେ ଶ୍ରେଣୀ ଗୃହ ପରିବର୍ତ୍ତେ ବାରଣ୍ଡାରେ ବସି ପାଠ […] The post ଶ୍ରେଣୀଗୃହରେ ତାଲା,ବାରଣ୍ଡାରେ ପିଲା appeared first on Dharitri Odia News.
ଭୁବନେଶ୍ବର,୧୧ା୪(ସୁଚିସ୍ମିତା ସାହୁ): କୌଣସି ଉପାନ୍ତ କି ଗ୍ରାମାଞ୍ଚଳ ନୁହେଁ, ଖୋଦ୍ ରାଜଧାନୀରେ ବିଦ୍ୟାଳୟର ଦୟନୀୟ ଅବସ୍ଥା ଦେଖିବାକୁ ମିଳିଛି। ଶିକ୍ଷକ ଅଭାବରୁ ବିଦ୍ୟାଳୟରେ ତାଲା ଝୁଲୁଥିବାବେଳେ ପିଲାଙ୍କ ପାଠପଢ଼ା ଗୁରୁତର ବାଧାପ୍ରାପ୍ତ ହୋଇଛି। ମଞ୍ଚେଶ୍ୱରସ୍ଥିତ ରେଲୱେ କଲୋନୀ ସରକାରୀ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟରେ ଏଭଳି ସ୍ଥିତି ରାଜ୍ୟର ଶିକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଷଷ୍ଠ ଓ ସପ୍ତମ ଶ୍ରେଣୀରେ ତାଲା ପକା ଯାଇଥିବାବେଳେ ପିଲାମାନେ ଶ୍ରେଣୀ ଗୃହ ପରିବର୍ତ୍ତେ ବାରଣ୍ଡାରେ ବସି ପାଠ ପଢ଼ୁଛନ୍ତି। ଏମିତିକି ଅନ୍ୟ ପିଲାମାନେ ମଧ୍ୟାହ୍ନଭୋଜନ ଖାଉଥିବାବେଳେ ଏହି ଦୁଇ ଶ୍ରେଣୀର ପିଲାଙ୍କୁ ଦିଆଯାଉନାହିଁ। ସକାଳୁଆ ସ୍କୁଲ ହେବା ଦିନରୁ ଅର୍ଥାତ୍ ଗତ ୨ ତାରିଖରୁ ଏମିତି ଦୁଇ ଶ୍ରେଣୀର ଛାତ୍ରୀଛାତ୍ର ବାରଣ୍ଡାରେ ବସି ନିଜେ ପାଠ ପଢ଼ୁଛନ୍ତି। ପିଲାମାନେ ଘରୁ ନେଇଥିବା ବିସ୍କୁଟ ଓ ଟିଫିନ ଖାଉଛନ୍ତି। ବିନା କୌଣସି ନୋଟିସରେ ହଠାତ୍ ଶ୍ରେଣୀଗୃହରେ ତାଲା ପକାଇ ଦିଆଯାଇଥିବାରୁ ଅଭିଭାବକ ଓ ଛାତ୍ରୀଛାତ୍ରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଚଳିତ ଶିକ୍ଷାବର୍ଷରୁ ଏହି ଦୁଇ ଶ୍ରେଣୀ ବନ୍ଦ ହୋଇଯାଇଥିବା ଶୁଣିବା ପରେ ସେମାନେ ଚିନ୍ତାରେ ପଡ଼ିଛନ୍ତି।
ବହୁ ପୁରୁଣା ଏହି ବିଦ୍ୟାଳୟରୁ ଶହଶହ ମେଧାବୀ ସୃଷ୍ଟି ହେବା ସହ ବିଭିନ୍ନ ପଦପଦବୀରେ ଅବସ୍ଥାପିତ ହୋଇଛନ୍ତି। ଏବେ ଶିକ୍ଷାନୁଷ୍ଠାନ ବନ୍ଦ ହେବା ଘଟଣା ସେମାନଙ୍କୁ କଷ୍ଟ ଦେଉଛି। ବିଶେଷକରି ଦିନ ମଜୁରିଆ ଓ ମଧ୍ୟବିତ୍ତ ପରିବାରର ଶହେରୁ ଅଧିକ ପିଲା ଏଠାରେ ପଢ଼ୁଛନ୍ତି। ସେମାନେ ଟିସି ନେଇ ନ ଥିବାବେଳେ ଶ୍ରେଣୀ ଗୃହରେ ତାଲା ପକାଇବା ଦ୍ୱାରା ସେମାନଙ୍କ ଭବିଷ୍ୟତ ଅନ୍ଧକାର ଆଡକୁ ଠେଲି ହୋଇଯାଇଛି।
ଏ ସମ୍ପର୍କରେ ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷୟିତ୍ରୀ ଅମାତୁଲ କରିମ କହିଛନ୍ତି, ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସରକାରୀ ବିଦ୍ୟାଳୟ, ଷଷ୍ଠ ଓ ସପ୍ତମ ଶ୍ରେଣୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଏବଂ ଅଷ୍ଟମରୁ ଦଶମ ଶ୍ରେଣୀ ପ୍ରାଇଭେଟ୍ ସ୍କୁଲ ରହିଛି। ଷଷ୍ଠ ଓ ସପ୍ତମ ଶ୍ରେଣୀର ଶିକ୍ଷକ ଅବସର ନେବା ପେର ସେଠାରେ ନୂତନ ଶିକ୍ଷକ ନିଯୁକ୍ତି ଦିଆଯାଇନାହିଁ। ଏହି ଦୁଇ ଶ୍ରେଣୀକୁ ବନ୍ଦ କରିବାକୁ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଥିବାବେଳେ ବିଭାଗ ପକ୍ଷରୁ ଗତ ମାର୍ଚ୍ଚ ୩୧ରେ ଏନେଇ ଚିଠି ଆସିଛି। ଚଳିତ ଶିକ୍ଷାବର୍ଷରୁ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ଆଡମିଶନ ନ କରିବା ପାଇଁ ଚିଠିରେ ଉଲ୍ଲେଖ କରାଯାଇଥିବାବେଳେ ମଧ୍ୟାହ୍ନ ଭୋଜନ ବନ୍ଦ ପାଇଁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଏହି ଶ୍ରେଣୀ ଦୁଇଟିକୁ ବନ୍ଦ କରିବାକୁ ଅଭିଭାବକମାନେ ଚାହୁଁନାହାନ୍ତି। ସେଥିପାଇଁ ସେମାନେ ଡିଇଓ ଓ ବିଇଓଙ୍କୁ ଅନୁରୋଧ କରିଛନ୍ତି। ବିଦ୍ୟାଳୟ ଖୋଲିବା ନେଇ ଚିଠି ଆସିବା ପରେ ପୁଣି ଆଡମିଶନ କରାଯିବ ବୋଲି ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷୟିତ୍ରୀ କହିଛନ୍ତି।
The post ଶ୍ରେଣୀଗୃହରେ ତାଲା,ବାରଣ୍ଡାରେ ପିଲା appeared first on Dharitri Odia News.