ଷ୍ଟଣ୍ଟ ଦେଖାଇଲେ ପୁଲିସ୍‌ ବାବୁଙ୍କ ପୁଅ, ମାଡ଼ି ବସିବାରୁ ଏସିପିଙ୍କ ଉପରେ ଚଢ଼ାଇଦେଲେ ସ୍କର୍ପିଓ

ନିଜ ବାପାଙ୍କ ସମ୍ମୁଖରେ ଅଭିଯୁକ୍ତ ପୁଅ ନିଜକୁ କାବୁ କରିଥିବା କ୍ରାଇମବ୍ରାଞ୍ଚର ଆସିଷ୍ଟାଣ୍ଟ କମିଶନର ଓ ଜଣେ ଇନ୍ସପେକ୍ଟରଙ୍କ ଉପରେ ଗାଡ଼ି ଚଢ଼ାଇବାକୁ ଉଦ୍ୟମ କରି ଫେରାର ହୋଇ ଯାଇଛନ୍ତି।

ଷ୍ଟଣ୍ଟ ଦେଖାଇଲେ ପୁଲିସ୍‌ ବାବୁଙ୍କ ପୁଅ, ମାଡ଼ି ବସିବାରୁ ଏସିପିଙ୍କ ଉପରେ ଚଢ଼ାଇଦେଲେ ସ୍କର୍ପିଓ

ବିଚ୍‌ ରାସ୍ତାରେ ସ୍କର୍ପିଓରେ ଷ୍ଟଣ୍ଟ ଦେଖାଇଲେ ପୁଲିସ୍‌ ବାବୁଙ୍କ ପୁଅ। ରିଲ୍‌ ନିଶାରେ ଗାଡ଼ିକୁ କ୍ଷିପ୍ର ବେଗରେ ଉଡ଼ାଉଥିବାବେଳେ ମାଡ଼ି ବସିଲା ପୁଲିସ୍‌। ତଥାପି ଉତୁରିଲାନି ନିଶା। ପୁଲିସ୍‌ ଅଧିକାରୀ ତଥା ନିଜ ବାପାଙ୍କ ତାଗିଦ ପରେ ଗାଡ଼ି ଧରି ଘଟଣାସ୍ଥଳରୁ ଯିବା ବେଳେ ଯୁବକଜଣକ ଘଟାଇଲେ ସାଂଘାତିକ କାଣ୍ଡ। ନିଜ ବାପାଙ୍କ ସମ୍ମୁଖରେ ଅଭିଯୁକ୍ତ ପୁଅ ନିଜକୁ କାବୁ କରିଥିବା କ୍ରାଇମବ୍ରାଞ୍ଚର ଆସିଷ୍ଟାଣ୍ଟ କମିଶନର ଓ ଜଣେ ଇନ୍ସପେକ୍ଟରଙ୍କ ଉପରେ ଗାଡ଼ି ଚଢ଼ାଇବାକୁ ଉଦ୍ୟମ କରି ଫେରାର ହୋଇ ଯାଇଛନ୍ତି।

ଗତ ଜାନୁୟାରୀ ୧୬ରେ ଏହି ଘଟଣା ଘଟିଥିବା ବେଳେ ପୁଲିସ୍‌ ଏଯାଏ ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳ ହୋଇନି। ଏପରି ଏକ ଘଟଣା ଦିଲ୍ଲୀ ନିକଟର ଗୁରୁଗ୍ରାମରେ ଘଟିଛି।

ଘଟଣା ଦିନ ଏସିପି କ୍ରାଇମ୍‌ ବରୁଣ ଦାହିୟା ଓ କ୍ରାଇମବ୍ରାଞ୍ଚର ଜଣେ ଇନ୍ସପେକ୍ଟର ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଏକ ରେଡ କରିବାକୁ ଯାଉଥିଲେ। ସେଠାରୁ ସେମାନେ ଫେରୁଥିବା ବେଳେ ଅଭିଯୁକ୍ତ ଓ ତାଙ୍କ ସାଙ୍ଗମାନେ ଏକ ସ୍କର୍ପିଓରେ ଷ୍ଟଣ୍ଟ କରିବା ସହ ତାର ରିଲ୍‌ ବି କରୁଥିବା ଦେଖିବାକୁ ପାଇଥିଲେ। ଏଥିଯୋଗୁ ରାସ୍ତାରେ ଯାଉଥିବା ଅନ୍ୟ ଲୋକେ ଭୟଭୀତ ହୋଇ ପଡ଼ୁଥିଲେ। ଏହାଦେଖି ଏସିପି ଓ ଇନ୍ସପେକ୍ଟର ଅଭିଯୁକ୍ତ ଯୁବକଙ୍କୁ ଅଟକାଇବା ସହ ତାଙ୍କ ଗାଡ଼ିକୁ ବି ଜବତ କରିଥିଲେ। ଯାଞ୍ଚ ସମୟରେ ଅଭିଯୁକ୍ତଙ୍କ ବାପା ଦିଲ୍ଲୀ ପୁଲିସ୍‌ ବିଭାଗରେ ଏସଡିପିଓ ଭାବେ କାମ କରୁଥିବା ଜଣାପଡ଼ିଥିଲା।

ଖବର ପାଇ ଅଭିଯୁକ୍ତଙ୍କ ବାପା ପହଞ୍ଚି ମାମଲାର ସମାଧାନ କରିଥିଲେ। ଏହାପରେ ତାଙ୍କ ପୁଅ ସ୍କର୍ପିଓ ଧରି ଘଟଣାସ୍ଥଳରୁ ଯିବା ପରେ ସମ୍ପୃକ୍ତ ଦୁଇ ଅଧିକାରୀଙ୍କ ଉପରେ ଗାଡ଼ି ମଡ଼ାଇବାକୁ ଚେଷ୍ଟା କରିଥିଲେ। ଏଥିରେ ଦୁଇ ଅଧିକାରୀ ଆହତ ହୋଇଥିବା ବେଳେ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଏହି ଘଟଣା ପରେ ଅଭିଯୁକ୍ତଜଣକ ତୁରନ୍ତ ଗାଡ଼ି ସହ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ।

ଏସିପିଙ୍କ ଅଭିଯୋଗ ଆଧାରରେ ଗତ ୧୭ ତାରିଖରେ ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଘଟଣାର ପ୍ରାୟ ୨୦ ଦିନ ପରେ ବି ଅଭିଯୁକ୍ତ ଧରା ନ ପଡ଼ିବା ପୁଲିସ୍‌ର ପାରିବାପଣିଆ ଉପରେ ପ୍ରଶ୍ନ ଉଠାଇଛି। ଏଥିସହ ଅଭିଯୁକ୍ତଙ୍କ ବାପା ଜଣେ ପୁଲିସ୍‌ ଅଧିକାରୀ ହୋଇଥିବାରୁ ପୁଲିସ୍‌ ଏହି ମାମଲାକୁ ଚପାଇବାକୁ ଉଦ୍ୟମ କରୁଥିବା ବି ଶୁଣିବାକୁ ମିଳୁଛି।