ସଗୁଣ, ନିର୍ଗୁଣ ଓ ବିଜ୍ଞାନ
ଅଧିକାଂଶ ଧାର୍ମିକ ଲୋକ ବିଜ୍ଞାନ ପ୍ରତି ଈର୍ଷାଭାବ ପୋଷଣ କରିଥାନ୍ତିି। କିନ୍ତୁ ସିଦ୍ଧାନ୍ତକୁ ଆଧାର କରି ବିଜ୍ଞାନ ଧର୍ମକୁ ଟପିଯାଇଛି। ମନ୍ତ୍ର କିମ୍ବା ଯାଦୁଶକ୍ତି ପରିବର୍ତ୍ତେ ତୁମ ପାଖରେ ପ୍ରଯୁକ୍ତି(ଟେକ୍ନୋଲୋଜି) ରହିଲା। ଏହା ବ୍ୟତୀତ ଏକ ଶିଳ୍ପକୈନ୍ଦ୍ରିକ ଜୀବନଶୈଳୀ ଓ ବ୍ୟାପକ ଉତ୍ପାଦନ ସହ ଆଣ୍ଟିବାୟୋଟିକ୍ ଓ ଇଣ୍ଟରନେଟ୍ ବି ରହିଲା। ଫଳରେ ଏସବୁ ଯୋଗୁ କେବଳ ଆଭିଜାତ୍ୟ ବର୍ଗ ନୁହନ୍ତି, ଅନ୍ୟମାନଙ୍କୁ ମଧ୍ୟ ଭୌତିକ ସୁଖ ମିଳିପାରିଛି। କିନ୍ତୁ ଲୋକେ ବିଜ୍ଞାନ ଓ ତର୍କସଙ୍ଗତ ବିଚାରକୁ […] The post ସଗୁଣ, ନିର୍ଗୁଣ ଓ ବିଜ୍ଞାନ appeared first on Dharitri Odia News.
ଅଧିକାଂଶ ଧାର୍ମିକ ଲୋକ ବିଜ୍ଞାନ ପ୍ରତି ଈର୍ଷାଭାବ ପୋଷଣ କରିଥାନ୍ତିି। କିନ୍ତୁ ସିଦ୍ଧାନ୍ତକୁ ଆଧାର କରି ବିଜ୍ଞାନ ଧର୍ମକୁ ଟପିଯାଇଛି। ମନ୍ତ୍ର କିମ୍ବା ଯାଦୁଶକ୍ତି ପରିବର୍ତ୍ତେ ତୁମ ପାଖରେ ପ୍ରଯୁକ୍ତି(ଟେକ୍ନୋଲୋଜି) ରହିଲା। ଏହା ବ୍ୟତୀତ ଏକ ଶିଳ୍ପକୈନ୍ଦ୍ରିକ ଜୀବନଶୈଳୀ ଓ ବ୍ୟାପକ ଉତ୍ପାଦନ ସହ ଆଣ୍ଟିବାୟୋଟିକ୍ ଓ ଇଣ୍ଟରନେଟ୍ ବି ରହିଲା। ଫଳରେ ଏସବୁ ଯୋଗୁ କେବଳ ଆଭିଜାତ୍ୟ ବର୍ଗ ନୁହନ୍ତି, ଅନ୍ୟମାନଙ୍କୁ ମଧ୍ୟ ଭୌତିକ ସୁଖ ମିଳିପାରିଛି। କିନ୍ତୁ ଲୋକେ ବିଜ୍ଞାନ ଓ ତର୍କସଙ୍ଗତ ବିଚାରକୁ ନେଇ ଦ୍ୱନ୍ଦ୍ୱରେ ପଡ଼ନ୍ତି। ସେମାନେ ଭାବନ୍ତି ଯେ ବିଜ୍ଞାନ ହିଁ ଯୁକ୍ତିଯୁକ୍ତ। ଏହା ଲୋକଙ୍କୁ ବୈଜ୍ଞାନିକ ଶୈଳୀରେ ବଞ୍ଚିବାକୁ ଉତ୍ସାହିତ କରିବା ସହ ବିଚାରଶୀଳ ହେବାକୁ ଉତ୍ସାହିତ କରୁଛି। ଯେତେବେଳେ ଆମେ ଭାବୁ ଯେ ଜଣେ ତାତ୍ତ୍ୱିକ ପଦାର୍ଥବିଜ୍ଞାନୀ ପୃଥିବୀ ବିଗ୍ବ୍ୟାଙ୍ଗରୁ ସୃଷ୍ଟି ହୋଇଛି ବୋଲି ପ୍ରମାଣ ଦେଇ ଜୀବନର ସମସ୍ତ ସମସ୍ୟାର ସମାଧାନ କରିପାରିିବେ, ସେତେବେଳେ ଆମେ ବିଜ୍ଞାନକୁ ତାହାର ବାସ୍ତବତାଠାରୁ ଅଧିକ ମୂଲ୍ୟାଙ୍କନ କରୁ । ପ୍ରକୃତରେ ମଣିଷର ଜ୍ଞାନ ବିକଶିତ ହେବା ପରଠାରୁ ତା’ସହିତ ଟେକ୍ନୋଲୋଜି ରହିଆସିଛି। ଆମେ ଜ୍ଞାନ ଉପଯୋଗ କରି ଅଗ୍ନି, ଜଳ, ଖଣିଜ ପଦାର୍ଥ, ଉଦ୍ଭିଦ ଏବଂ ପ୍ରାଣୀଜଗତକୁ ନିୟନ୍ତ୍ରଣ କଲୁ। ଓଷଧୀୟ ଗଛର ଶକ୍ତି, ଋତୁ ଓ ସାମୁଦ୍ରିକ ଜୁଆରକୁ ଉପଲବ୍ଧି କରିପାରିଲୁ। କିନ୍ତୁ ତାହା ଥିଲା ପ୍ରୟୋଗାମତ୍କ ବା ବ୍ୟବହାରିକ ବିଜ୍ଞାନ। ସୂକ୍ଷ୍ମ ତଥା ଶୁଦ୍ଧ ବୈଜ୍ଞାନିକ ଚିନ୍ତାଧାରା ହେଉଛି ଏଇ ଅଳ୍ପ କିଛି ଶତାବ୍ଦୀର, ଯାହା ସନ୍ଦେହ, ମାପ ବା ଆକଳନ, ପରୀକ୍ଷଣ ଏବଂ କୌଣସି ବିଚାରକୁ ମିଥ୍ୟା ପ୍ରମାଣ କରିବାର କ୍ଷମତା ଉପରେ ଆଧାରିତ। ବିଜ୍ଞାନ ପ୍ରମାଣ ବ୍ୟତୀତ କାହାକୁ ବିଶ୍ୱାସ କରେ ନାହିଁ ଏବଂ ଉନ୍ନତ ଅନୁସନ୍ଧାନର ସମାଧାନ ଭାବେ ଜ୍ଞାନ ପରିସୀମାକୁ ବିସ୍ତାରିତ କରେ।
ପରିସଂଖ୍ୟାନ ଆଧାରରେ ଯୁକ୍ତି କରିପାରିବା ଯେ ଆମେ ଏକ ଶାନ୍ତିପୂର୍ଣ୍ଣ ସମୟରେ ରହୁଛୁ। ଏହାର ବାସ୍ତବତାକୁ ଆମେ ପରଖୁ ନାହଁୁ। ପ୍ରକୃତରେ ଆମେ ଜାଣୁ ଯେ ଜୀବନ ସମସ୍ୟାରେ ପରିପୂର୍ଣ୍ଣ । ସାମ୍ପ୍ରତିକ ସମୟରେ ଆଦିବାସୀ ସମ୍ପ୍ରଦାୟମାନେ ଜଙ୍ଗଲରେ ସେମାନଙ୍କର ବାସସ୍ଥାନ ହରାଉଛନ୍ତି। ଦେଶଗୁଡ଼ିକ ପରସ୍ପର ଉପରେ ଆକ୍ରମଣ କରୁଛନ୍ତି, ଅନ୍ତର୍ଜାତୀୟ ନ୍ୟାୟାଳୟରେ ଗଣହତ୍ୟା ସପକ୍ଷରେ ଯୁକ୍ତି ଉପସ୍ଥାପନ କରାଯାଉଛି ଏବଂ ମହିଳା ଓ ସମଲିଙ୍ଗୀ ଅଧିକାର ବିରୋଧରେ ପ୍ରତିକ୍ରିୟା ପ୍ରକାଶ ପାଉଛି। ଏଭଳି ସ୍ଥିତିରେ ବିଜ୍ଞାନକୁ ଅଧିକ ଗୁରୁତ୍ୱ ଦେବା ଓ ଏହାର ଶକ୍ତିକୁ ଅତ୍ୟଧିକ ମୂଲ୍ୟାୟନ କରାଯିବାକୁ ନେଇ ଜଣେ ପ୍ରଶ୍ନ ଉଠାଇବା ସ୍ବାଭାବିକ।
ବିଜ୍ଞାନ ମାପ, ମୂଲ୍ୟାଙ୍କନ ବା ବିଶ୍ଳେଷଣ ଉପରେ ଆଧାରିତ । ଏହାଦ୍ୱାରା ଆମେ ବସ୍ତୁଗୁଡିକର ବିଶ୍ଳେଷଣ ବା ମୂଲ୍ୟାଙ୍କନ କରିପାରିବା ଏବଂ ସେଥିପାଇଁ ଏହା ପଦାର୍ଥ ବିଜ୍ଞାନ ଏବଂ ରସାୟନ ବିଜ୍ଞାନ କ୍ଷେତ୍ରରେ କାମ କରେ। ଏହା ବ୍ୟତୀତ ଆମେ ଉଦ୍ଭିଦ ଏବଂ ପ୍ରାଣୀମାନଙ୍କର ଆଚରଣ ଉପରେ ଅନୁଧ୍ୟାନ କରିପାରୁଥିବାରୁ ଜୀବ ବିଜ୍ଞାନ କ୍ଷେତ୍ରରେ ମଧ୍ୟ ଏହା କିଛି ପରିମାଣରେ କାର୍ଯ୍ୟ କରେ। ବିଜ୍ଞାନ ସମ୍ବେଦନଶୀଳତା, ଭାବନା କିମ୍ବା ଚିନ୍ତାଧାରାକୁ ମାପ କରିପାରିବ ନାହିଁ, ଯାହା ଜୀବଜଗତର ମାନସିକତାକୁ ଗଠନ କରେ। ବିଜ୍ଞାନ ସାମାଜିକ ସ୍ତରରେ ରହିଥିବା ଈର୍ଷା, ଗର୍ବ, କ୍ରୋଧ, ନିରାଶା କିମ୍ବା ଅସମ୍ମାନକୁ ମଧ୍ୟ ମାପିପାରିବ ନାହିଁ। ତେଣୁ ବିଜ୍ଞାନ କେବଳ ବିଶ୍ୱର ମାପ ବା ମୂଲ୍ୟାଙ୍କନ ଯୋଗ୍ୟ ଅଧା ଦୃଶ୍ୟମାନ ଜଗତରେ କାମ କରେ । ଏହି ଦୃଶ୍ୟମାନ ଜଗତକୁ ସଗୁଣ କୁହାଯାଏ। ବିଜ୍ଞାନ ବିଶ୍ୱର ଆଉ ଅଧା ଅଦୃଶ୍ୟ ବା ନିର୍ଗୁଣ ଅର୍ଥାତ୍ ନିରାକାର ଜଗତରେ କାମ କରେ ନାହିଁ।
ପ୍ରାଚୀନ ଭାରତରେଏହି ଦୁଇଟି ଜଗତ ସମ୍ପୂର୍ଣ୍ଣ ଭାବେ ପୃଥକ୍ ଥିଲା। ଗୋଟିଏ ଭୌତିକ ବା ଶାରୀରିକ ଓ ଅନ୍ୟଟି ଥିଲା ମାନସିକ (ମନସ୍ତାତ୍ତ୍ୱିକ)। ଭୌତିକ ଜଗତରେ ବିଜ୍ଞାନର ଅତ୍ୟଧିକ ଶକ୍ତି ରହିଛି। ଅପରପଟେ ମନସ୍ତାତ୍ତ୍ୱିକ କ୍ଷେତ୍ରରେ ଏହାର କମ୍ ଶକ୍ତି ଅଛି। ଭୌତିକ ଜଗତର ସବୁକ୍ଷେତ୍ରରେ ବିଜ୍ଞାନରେ ସମସ୍ତ ପ୍ରକାର ସମାଧାନ ଅଛି। କିନ୍ତୁ ମନସ୍ତାତ୍ତ୍ୱିକ ଜଗତରେ ଆଦୌ ନାହିଁ। ଏବେ ସାରା ବିଶ୍ୱର ଲୋକଙ୍କୁ ଖାଇବାକୁ ଦେବା ପାଇଁ ପ୍ରଯୁକ୍ତି ଓ ବିଜ୍ଞାନ ଦ୍ୱାରା ପ୍ରଚୁର ଖାଦ୍ୟ ଉପତ୍ାଦନ କରାଯାଉଛି । ତଥାପି ଅନାହାର ବିଶ୍ୱରୁ ହଟିନାହିଁ। ଖାଦ୍ୟ ଉପଲବ୍ଧ ଥିଲେ ମଧ୍ୟ ଏହାର ବଣ୍ଟନରେ ଅବ୍ୟବସ୍ଥା କାରଣରୁ ଅନାହାର ଲାଗି ରହିଛି। ଖାଦ୍ୟ ଉତ୍ପାଦନ କରାଯାଇ ତାହାକୁ ଗଚ୍ଛିତ ରଖାଯାଉଛି ଓ ତାହାକୁ ଲୋକଙ୍କୁ ନ ଦେଇ ସହଜରେ ଶାସନର କ୍ଷମତା ମିଳିପାରୁଛି। ଧର୍ମୀୟ ଏବଂ ଜାତୀୟତାବାଦୀ ଗୋଷ୍ଠୀଗୁଡ଼ିକ ସମାଜକୁ ନିୟନ୍ତ୍ରଣ କରିବା ପାଇଁ ଏହିପ୍ରକାର ଭାବନାକୁ ଉପଯୋଗ କରିଚାଲିଛନ୍ତି।
ସମଗ୍ର ବିଶ୍ୱରେ ଏବେ ଦୃଶ୍ୟମାନ ବେରୋଜଗାର କିମ୍ବା ଭିତ୍ତିଭୂମି ବିଫଳତା ପରି ବିଷୟଗୁଡ଼ିକୁ ଗଣତାନ୍ତ୍ରିକ ଦେଶଗୁଡ଼ିକ ମୁକାବିଲା କରିବା ବଦଳରେ ବିବିଧତା, ଅସମାନତା ଏବଂ ପାରମ୍ପରିକ ରୀତିନୀତି ବିରୋଧରେ ଲଢେଇ କରୁଛନ୍ତି। ବିଶେଷକରି ଦେଖିବାକୁ ମିଳୁଛି ଯେ ୟୁରୋପରେ ପାରମ୍ପରିକ ଜୀବନ ଧାରାରେ ବିପଦ ସୃଷ୍ଟି କରୁଥିବା ପର୍ଯ୍ୟଟକ ଏବଂ ପ୍ରବାସୀମାନଙ୍କୁ ନେଇ ଲୋକେ ଅତିଷ୍ଠ ହୋଇଯାଉଛନ୍ତି। ସେହିଭଳି ଜାପାନରେ ମଧ୍ୟ ଏହା ବିରୋଧରେ ପ୍ରଦର୍ଶନ କରାଯାଉଛି।
ବାମପନ୍ଥୀମାନେ ଜୀବନର ଭୌତିକ ବିଷୟଗୁଡ଼ିକ ଉପରେ ଧ୍ୟାନ ଦେଇଥାନ୍ତି । ସେମାନେ ମନସ୍ତାତ୍ତ୍ୱିକ ଦିଗ, ମଣିଷର ପରିଚୟଗତ ବିଚାରକୁ ଅଣଦେଖା କରିଥାନ୍ତି। ବାମବିଚାର ଧାରାର ବ୍ୟକ୍ତିମାନେ ପରିଚୟ କହିଲେ କେବଳ ଲିଙ୍ଗଗତ ବିଷୟ ସମ୍ପର୍କରେ ହିଁ କହିଥାନ୍ତି। ସେମାନେ ଧର୍ମ, ସଂସ୍କୃତି, ଜାତି, ଜନଜାତି,ସମ୍ପ୍ରଦାୟ, ରାଷ୍ଟ୍ର ଏବଂ ବଂଶ ଧାରଣ ଉପରେ ଗୁରୁତ୍ୱ ଦେଇ ନ ଥାନ୍ତି। ଗୋଷ୍ଠୀ କିମ୍ବା ସମୁଦାୟକୁ ଆଲୋଚନାକୁ ଆଣିବାବେଳେ ସେମାନେ ଏକଚ୍ଛତ୍ରବାଦ ଓ ଉପତ୍ୀଡ଼ନ ବିଷୟରେ କହିଥାନ୍ତି। କିନ୍ତୁ ସେମାନେ ଭୁଲିଯାଆନ୍ତି ଯେ ନିର୍ଯାତନା ଉପରେ ବି କଳ୍ପନା କରାଯାଇପାରେ, କିନ୍ତୁ ତାହା ମାପଯୋଗ୍ୟ ନୁହେଁ। ଓକ୍ ମୁଭ୍ମେଣ୍ଟସ୍ (ବର୍ଣ୍ଣ ବିଦ୍ୱେଷ, ଭେଦଭାବ ଓ ଏଲ୍ଜିବିଟି ଅଧିକାର ସମ୍ପର୍କରେ କରାଯାଉଥିବା ସଚେତନ ଅଭିଯାନ) ବିଜ୍ଞାନକୁ ଆଦୌ ସ୍ବୀକାର କରେ ନାହିଁ। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, ଏହା ହିଂସାମତ୍କ ଧର୍ମୀୟ ଅଭିଯାନକୁ ସମର୍ଥନ କରେ। ଏହିସବୁ ଅଭିଯାନ ଜଟିଳ ଯୁକ୍ତି (ଯଥା ପୃଥିବୀ ଗୋଲାକାର ନୁହେଁ ସମତଳ ବୋଲି ବିଶ୍ୱାସ କରୁଥିବା ଲୋକଙ୍କ ବିଚାର ଭଳି) ଉପସ୍ଥାପନ କରି ଜୀବବିଜ୍ଞାନକୁ ପ୍ରତ୍ୟାଖ୍ୟାନ କରିଥାନ୍ତି ।
ନୀତି ଆଧାରରେ ସାମାଜିକ ନ୍ୟାୟକୁ ସମାନତା ସୃଷ୍ଟି କରିବାର ଏକ ସାଧନ ଭାବରେ ଦେଖାଯାଏ। କିନ୍ତୁ ଉପତ୍ୀଡନକୁ ଆକଳନ କରାଯାଇ ନ ପାରିବା ଯୋଗୁ ଏହା ସମାନତା ଆଣିବାରେ ବିଫଳ ହୁଏ। ପାଶ୍ଚାତ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଅନିୟନ୍ତ୍ରିତ ଭାବେ ବିସ୍ତାର କରିଥିବା ଭାବନାମତ୍କ ଆଘାତ ଏବଂ ଉତ୍ପୀଡ଼ନକୁ ଅସ୍ବୀକାର କରିବା ସହଜ ହୋଇପାରେ, ହେଲେ ଏହା ଭେଦଭାବ, ଅସମାନତା ଏବଂ ନିର୍ଯାତନାରୁ ମୁକ୍ତି ଚାହେଁ।
ଏବେ ବିଜ୍ଞାନରେ ଡେଟା ଆନାଲିଟିକ୍ସ ଏବଂ କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ପ୍ରବେଶ କରିଛି। ଏହା କେବଳ ଆକଳନଯୋଗ୍ୟ ସମସ୍ୟାର ସମାଧାନ କରିପାରିବ, ଅଣ ଆକଳନଯୋଗ୍ୟ ସମସ୍ୟାର ନୁହେଁ । ବିଜ୍ଞାନର ଅଗ୍ରଗତି ହେଲେ ମଧ୍ୟ କୌଣସି ପ୍ରଯୁକ୍ତିବିତ୍, ଇଞ୍ଜିନିୟର କିମ୍ବା ସମାନ ଗୋଷ୍ଠୀର ବ୍ୟକ୍ତି କ୍ରୋଧ, ଲୋଭ, ଈର୍ଷା ଏବଂ ଭୟକୁ ମାପ କରିପାରିବେ ନାହିଁ। ସେମାନେ ଏହାକୁ ହ୍ରାସ ମଧ୍ୟ କରିପାରିବେ ନାହିଁ । ଅର୍ଥନୀତି କିମ୍ବା ରାଜନୀତି ବିଶେଷଜ୍ଞଙ୍କ ଦ୍ୱାରା ଏହା ବି ସମ୍ଭବ ନୁହେଁ। କୌଣସି ନୀତି ପୁଞ୍ଜିପତିର ଲୋଭ ଏବଂ ବାମପନ୍ଥୀଙ୍କ ଈର୍ଷାକୁ ହ୍ରାସ କରିପାରିବ ନାହିଁ। ଧର୍ମ କହେ ଏଥିପାଇଁ ଆଭ୍ୟନ୍ତରୀଣ ଜଗତକୁ ଅନୁସନ୍ଧାନ କରିବାକୁ ପଡିବ। କିନ୍ତୁ ଧର୍ମୀୟ ପ୍ରତିଯୋଗିତା କାରଣରୁ ତାହା ଏହି ଭାବନାରୁ ଓହରିଗଲାଣି।
ଦେବଦତ୍ତ ପଟ୍ଟନାୟକ
-devduttofficial@gmail.com
The post ସଗୁଣ, ନିର୍ଗୁଣ ଓ ବିଜ୍ଞାନ appeared first on Dharitri Odia News.