ସଞ୍ଜୁ ସାମ୍‌ସନଙ୍କ ବାପାଙ୍କ ଭିଡିଓ ଭାଇରାଲ: ଧୋନି, ବିରାଟ, ରୋହିତ ଓ ଡ୍ରାଭିଡଙ୍କ ବିରୋଧରେ ଆଣିଲେ ବଡ଼ ଅଭିଯୋଗ

ନିକଟରେ ସଞ୍ଜୁ ସାମସନ କହିଥିଲେ ଯେ ଦୁଲୀପ ଟ୍ରଫି ବେଳେ ସୂର୍ଯ୍ୟ କୁମାର ଯାଦବ ତାଙ୍କ ନିକଟକୁ ଆସିଥିଲେ ଓ ପରବର୍ତ୍ତୀ ୭ଟି ମ୍ୟାଚ୍‌ରେ ତାଙ୍କୁ ଓପନିଂ କରିବାକୁ ପଡ଼ିବ ବୋଲି କହିଥିଲେ।

ସଞ୍ଜୁ ସାମ୍‌ସନଙ୍କ ବାପାଙ୍କ ଭିଡିଓ ଭାଇରାଲ: ଧୋନି, ବିରାଟ, ରୋହିତ ଓ ଡ୍ରାଭିଡଙ୍କ ବିରୋଧରେ ଆଣିଲେ ବଡ଼ ଅଭିଯୋଗ

କ୍ରିକେଟର ସଞ୍ଜୁ ସାମ୍‌ସନଙ୍କ ବାପା ସାମ୍‌ସନ ବିଶ୍ୱନାଥଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ସେ ଆଶ୍ଚର୍ଯ୍ୟ କରିଦେବା ଭଳି ଦାବି କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ମହେନ୍ଦ୍ର ସିଂହ ଧୋନି, ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପାଇଁ ତାଙ୍କ ପୁଅ ସଞ୍ଜୁ ସାମ୍‌ସନଙ୍କ ଅନ୍ତର୍ଜାତୀୟ କ୍ୟାରିୟର ପ୍ରାୟ ଏକ ଦଶନ୍ଧି ପାଇଁ ନଷ୍ଟ ହୋଇଗଲା। ଏମିତିକି ସେ ଭାରତୀୟ ଟିମ୍‌ର ପୂର୍ବତନ କୋଚ୍ ରାହୁଲ ଡ୍ରାଭିଡଙ୍କୁ ମଧ୍ୟ ଏଥିପାଇଁ ଦାୟୀ କରିଛନ୍ତି। କିନ୍ତୁ ଯେତେ କଷ୍ଟ ପାଇଲେ ବି ସଞ୍ଜୁ ନିଜକୁ ଆହୁରି ଶକ୍ତିଶାଳୀ କରିଛନ୍ତି ବୋଲି ତାଙ୍କ ବାପା କହିଛନ୍ତି।

ଚଳିତ ବର୍ଷ ଟି-ଟ୍ୱେଣ୍ଟିରୁ ବିରାଟ କୋହଲି ଓ ରୋହିତ ଶର୍ମା ଅବସର ନନେବା ପର୍ଯ୍ୟନ୍ତ ସଞ୍ଜୁ ସାମ୍‌ସନ ଦଳର ନିୟମିତ ସଦସ୍ୟ ହେବା ପାଇଁ ସଂଘର୍ଷ କରୁଥିଲେ। ସଞ୍ଜୁ ସାମ୍‌ସନ ଚଳିତ ବର୍ଷ ଖେଳା ଯାଇଥିବା ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଭାରତୀୟ ଦଳର ସଦସ୍ୟ ଥିଲେ। ଏଥିରେ ଭାରତ ଚାମ୍ପିୟନ ହୋଇଥିଲେ ହେଁ ସଞ୍ଜୁ ସାମସନ୍ ଗୋଟିଏ ବି ମ୍ୟାଚ୍ ଖେଳିବାକୁ ସୁଯୋଗ ପାଇ ନଥିଲେ। ୱାର୍ମ ଅପ୍ ମ୍ୟାଚ୍‌ଗୁଡ଼ିକରେ ଭଲ ପ୍ରଦର୍ଶନ ନ କରିବାରୁ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇ ନଥିଲା।

ଟି-ଟ୍ୱେଣ୍ଟି ବିଶ୍ୱକପ୍ ପରେ ଭାରତ ଶ୍ରୀଲଙ୍କା ଗସ୍ତରେ ଯାଇଥିଲେ ମଧ୍ୟ ସଞ୍ଜୁ ସାମସନଙ୍କୁ ଅଣଦେଖା କରାଯାଇଥିଲା। ତେବେ ପରେ ଭାରତର ଟି-ଟ୍ୱେଣ୍ଟି ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ଓ ନୂଆ କୋଚ୍ ଗୌତମ ଗମ୍ଭୀର ତାଙ୍କ ଉପରେ ଭରସା ଦେଖାଇଛନ୍ତି। ଫଳସ୍ୱରୂପ ସେ ବାଂଲାଦେଶ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଲଗାତାର ଦୁଇଟି ଶତକ ମାରିଛନ୍ତି।

ନିକଟରେ ସଞ୍ଜୁ ସାମସନ କହିଥିଲେ ଯେ ଦୁଲୀପ ଟ୍ରଫି ବେଳେ ସୂର୍ଯ୍ୟ କୁମାର ଯାଦବ ତାଙ୍କ ନିକଟକୁ ଆସିଥିଲେ ଓ ପରବର୍ତ୍ତୀ ୭ଟି ମ୍ୟାଚ୍‌ରେ ତାଙ୍କୁ ଓପନିଂ କରିବାକୁ ପଡ଼ିବ ବୋଲି କହିଥିଲେ। ଏଥିପାଇଁ ସେ ପୂରା ସମର୍ଥନ କରିବେ ବୋଲି କହିଥିଲେ। ତାଙ୍କ କ୍ୟାରିୟରେ ପ୍ରଥମ ଥର ପାଇଁ କେହି ତାଙ୍କୁ ଏଭଳି ସ୍ପଷ୍ଟ କଥା କହିଥିଲେ ଓ ତାଙ୍କ ଆତ୍ମବିଶ୍ୱାସ ବଢ଼ାଇଥିଲେ।