ସନ୍ଦେଶଖାଲି ମାମଲା: ପ୍ରିଭିଲେଜ କମିଟିର ତଦନ୍ତ ଉପରେ ରୋକ୍‌

ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ତଥା ଡିଜିପିଙ୍କ ସମେତ ବହୁ ଅଧିକାରୀଙ୍କ ନିକଟକୁ ଲୋକସଭା ଅଧିକାର କମିଟି ପଠାଇଥିବା ନୋଟିସ୍‌କୁ ସୁପ୍ରିମକୋର୍ଟ ରୋକ ଲଗାଇ ଦେଇଛନ୍ତି।

ସନ୍ଦେଶଖାଲି ମାମଲା: ପ୍ରିଭିଲେଜ କମିଟିର ତଦନ୍ତ ଉପରେ ରୋକ୍‌

ସନ୍ଦେଶଖାଲି ମାମଲାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। ପଶ୍ଚିମବଙ୍ଗର ବିଶେଷ ଅଧିକାରୀଙ୍କ ବିରୋଧରେ ସଂସଦର ବିଶେଷ ଅଧିକାର ତଥା ପ୍ରିଭିଲେଜ କମିଟିର ତଦନ୍ତକୁ ରୋକ୍‌ ଲଗାଇ ଦେଇଛନ୍ତି ସୁପ୍ରିମକୋର୍ଟ। ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ତଥା ଡିଜିପିଙ୍କ ସମେତ ବହୁ ଅଧିକାରୀଙ୍କ ନିକଟକୁ ଲୋକସଭା ଅଧିକାର କମିଟି ପଠାଇଥିବା ନୋଟିସ୍‌କୁ ସୁପ୍ରିମକୋର୍ଟ ସ୍ଥଗିତ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ବିଜେପିର ଲୋକସଭା ସାଂସଦ ସୁକାନ୍ତ ମଜୁମଦାରଙ୍କ ଅଭିଯୋଗ ଆଧାରରେ ପ୍ରିଭିଲେଜ କମିଟି ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଭାଗବତ ପ୍ରସାଦ ଗୋପାଳିକା, ଡିଜିପି ରାଜୀବ କୁମାର, ଉତ୍ତର ୨୪ ପରଗଣା ଜିଲ୍ଲା ମାଜିଷ୍ଟ୍ରେଟ ଶରଦ କୁମାର ଦ୍ୱିବେଦୀ, ବଶିରହାଟ ପୁଲିସ ଅଧୀକ୍ଷକ ହୁସେନ ମେହେଦି ରେହମାନ ଏବଂ ଅତିରିକ୍ତ ପୁଲିସ ଅଧିକ୍ଷକ ପାର୍ଥ ଘୋଷଙ୍କୁ ସମନ ଜାରି କରି ୧୯ ଫେବ୍ରୁଆରୀରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ଏହି ନୋଟିସକୁ ଚ୍ୟାଲେଞ୍ଜ କରି ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରାଯାଇଥିଲା। ଆଜି ଏହି ମାମଲାର ଶୁଣାଣି ହୋଇଛି। ପଶ୍ଚିମବଙ୍ଗ ସରକାରଙ୍କ ତରଫରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ ଏବଂ ଅଭିଷେକ ମନୁ ସିଙ୍ଘଭି ସୋମବାର ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତି ଡିଓ୍ୱାଇ ଚନ୍ଦ୍ରଚୂଡଙ୍କ ବେଞ୍ଚ ସମ୍ମୁଖରେ ଏହି ପ୍ରସଙ୍ଗ ଉଠାଇଥିଲେ। ସିବଲ କହିଥିଲେ, ସନ୍ଦେଶଖାଲିରେ ଧାରା ୧୪୪ ଲାଗୁ ହୋଇଥିଲା। ଏପରି ପରିସ୍ଥିତିରେ, ଧାରା ୧୪୪ କୁ ଉଲ୍ଲଂଘନ କରି କରାଯାଇଥିବା ରାଜନୈତିକ କାର୍ଯ୍ୟକଳାପ ଅଧିକାରର ଉଲ୍ଲଂଘନ।

ସନ୍ଦେଶଖାଲି ଯିବାକୁ ଅଟକାଇବା ମାମଲାରେ ସୁକାନ୍ତ ମଜୁମଦାର ଅଭିଯେଗ କରିଥିଲେ। ଏହି ମାଲାରେ ଅଧିକାରୀମାନଙ୍କୁ ଆଜି ହିଁ ପ୍ରିଭିଲେଜ କମିଟି ନିକଟରେ ହାଜର ହେବାକୁ କୁହାଯାଇଥିଲା। ତେବେ ଏହା ପୂର୍ବରୁ ସୁପ୍ରିମକୋର୍ଟ ପ୍ରିଭିଲେଜ କମିଟିର ତଦନ୍ତ ଉପରେ ରୋକ ଲଗାଇଛନ୍ତି। ୪ ସପ୍ତାହ ପରେ ଏହି ମାମଲାର ପରବର୍ତ୍ତି ଶୁଣାଣି ହେବ। ଏହା ସହିତ କୋର୍ଟ ଲୋକସଭା ସଚିବାଳୟ, ବିଶେଷ ଅଧିକାର କମିଟି ଓ ସୁକାନ୍ତ ମଜୁମଦାରଙ୍କୁ ନୋଟିସ ଜାରି କରିଛନ୍ତି।