ସମ ପରିଣତି
ଗୋଟିଏ ଝଙ୍କାଳିଆ ଆମ୍ବ ଗଛଟିଏ ଆମ ଘର ପାଖରେ ଥିଲା। ସେ ଗଛକୁ ଅନେକ ପକ୍ଷୀ ଯଥା କୋଇଲି, ଲାଲି ଥଣ୍ଟ ଥିବା ଶୁଆ, ବଗ ଆସି ବସୁଥିଲେ। କୋଇଲିର ଶବ୍ଦ, ପକ୍ଷୀମାନଙ୍କର କିଚିରି ମିଚିରି ଶବ୍ଦ ପିଲାଦିନେ ଶୁଣିବାକୁ ଭଲ ଲାଗୁଥିଲା। ବଉଳର ବାସ୍ନା ମତେ ଭାରି ଭଲ ଲାଗେ। ସମୟ ପାଇଲେ ସେ ଗଛମୂଳେ ମୁଁ ବସେ। କେତେ ରାସ୍ତା ବାଟୋଇଙ୍କର ଖରାଦିନେ ସେ ଆଶ୍ରୟସ୍ଥଳ ପାଲଟିଛି। ପ୍ରତିଦାନରେ ବଗୁଲିଆ ପିଲାଙ୍କଠାରୁ ଢେଲା ମାଡ଼ […] The post ସମ ପରିଣତି appeared first on Dharitri Odia News.
ଗୋଟିଏ ଝଙ୍କାଳିଆ ଆମ୍ବ ଗଛଟିଏ ଆମ ଘର ପାଖରେ ଥିଲା। ସେ ଗଛକୁ ଅନେକ ପକ୍ଷୀ ଯଥା କୋଇଲି, ଲାଲି ଥଣ୍ଟ ଥିବା ଶୁଆ, ବଗ ଆସି ବସୁଥିଲେ। କୋଇଲିର ଶବ୍ଦ, ପକ୍ଷୀମାନଙ୍କର କିଚିରି ମିଚିରି ଶବ୍ଦ ପିଲାଦିନେ ଶୁଣିବାକୁ ଭଲ ଲାଗୁଥିଲା। ବଉଳର ବାସ୍ନା ମତେ ଭାରି ଭଲ ଲାଗେ। ସମୟ ପାଇଲେ ସେ ଗଛମୂଳେ ମୁଁ ବସେ। କେତେ ରାସ୍ତା ବାଟୋଇଙ୍କର ଖରାଦିନେ ସେ ଆଶ୍ରୟସ୍ଥଳ ପାଲଟିଛି। ପ୍ରତିଦାନରେ ବଗୁଲିଆ ପିଲାଙ୍କଠାରୁ ଢେଲା ମାଡ଼ ଖାଇଛି। ପୂଜା ପାର୍ବଣରେ ଆମ୍ବଡାଳକୁ ଛିଣ୍ଡାଇ ନେଇ ବ୍ୟବସାୟୀମାନେ ତାହାକୁ ବିକ୍ରି କରିଛନ୍ତି। ଏପରି ସମୟ ଆସିଲା, ଆମ୍ବଗଛରେ ଆଉ ପତ୍ର ରହିଲା ନାହିଁ। ସେ ଥୁଣ୍ଟା ଗଛରେ ପରିଣତ ହେଲା। ସମୟକ୍ରମେ ପକ୍ଷୀମାନେ ଆଉ ସେଠାକୁ ଆସିଲେ ନାହିଁ ମୁଁ କିନ୍ତୁ ତା’ ନିକଟକୁ ଯାଏ। ଗଛଟି ଦିନେ ମତେ କହିଲା ହୃଦ+ଦୟା ହେଉଛି ହୃଦୟ। ଏହା ମାଟିରେ ରୋପଣ କରାଯାଏ ନାହିଁ। ମଣିଷର ହୃଦୟରେ ତାହା ଜାଗ୍ରତ ହେବା ଉଚିତ। କିଛିଦିନ ପରେ ତା’ର କାଠଗଣ୍ଡିରୁ କେତେକ ଖଳ ପ୍ରକୃତିର ଲୋକ ମେଶିନ ଜରିଆରେ କାଟି ନେଲେ। ମୁଁ ପଚାରିବାରୁ ସେମାନେ କହିଲେ ଏହି ଥୁଣ୍ଟା ଗଛଟିର କୌଣସି ମୂଲ୍ୟ ନାହିଁ। ତା’ର କାଠଗଣ୍ଡିଗୁଡ଼ିକ କବାଟ ଝରକା ହେବାରେ ସାହାଯ୍ୟ କରିବ। ଏହିପରି ଭାବରେ ଆମ୍ବଗଛଟି ସହିତ ମୋର ବନ୍ଧୁତ୍ୱ ସରି ଯାଇଥିଲା।
ମୋର ବିବାହ ହେଲା, ମୋର ସ୍ବାମୀ ଗୋଟିଏ ନୂଆ ସ୍ଥାନକୁ ବଦଳି ହୋଇଗଲେ। ସେ ମୋର ସୁଖ ପାଇଁ ଓ ପିଲାମାନଙ୍କର ସୁଖ ଓ ସ୍ବାଚ୍ଛନ୍ଦ୍ୟ ଜୀବନ ପାଇଁ ଏକ ସୁନ୍ଦର ଘର ତିଆରି କରିଥିଲେ। ଘରଟିକୁ ସୁନ୍ଦର ଭାବେ ସଜାସଜି କରି ରଖିବାର ଦାୟିତ୍ୱ ମୋ ଉପରେ ଥିଲା। ଧୀରେ ଧୀରେ ପିଲାମାନଙ୍କର ବିବାହ ହେଲା ଓ ଘର ନାତି, ନାତୁଣୀଙ୍କର କୋଳାହଳରେ ଫାଟିଉଠିଲା। ମୋର ସ୍ବାମୀ ସାଜସଜ୍ଜାପୂର୍ଣ୍ଣ ଘର ଭଲ ପାଉଥିବାରୁ ଚାକରବାକର ନ ରଖି ମୁଁ ନିଜେ ଚାରିଆଡ଼େ ସଫା ସୁତୁରା କରିରଖେ। ସ୍ବାମୀଙ୍କ ମୃତ୍ୟୁ ପରେ ମୋର ବୃଦ୍ଧା ଅବସ୍ଥା ଯୋଗୁ ଚିଡ଼ିଚିଡ଼ାପଣ, ବିଭିନ୍ନ ପ୍ରକାର ରୋଗ ଧୀରେ ଧୀରେ ମତେ ମାଡ଼ି ବସିବାକୁ ଲାଗିଲା। ନାତିନାତୁଣୀମାନେ ଓ ଆଧୁନିକ ସଭ୍ୟତାର ବୋହୂମାନେ ଘର ସଜାଡ଼ିବା ଶିଖିଲେ ନାହିଁ। ବହି, ଖାତାପତ୍ର, ପେନ, ପେନସିଲ, ରବର ସେମାନଙ୍କର ପଢ଼ା ଟେବୁଲ ଉପରେ ନ ରଖି ଏଣେତେଣେ ଫିଙ୍ଗି ଦେଉଥିଲେ। ଏପରିକି ଲୁଗାପଟା ମଧ୍ୟ ଠିକ୍ ଜାଗାରେ ରଖୁ ନ ଥିଲେ। ମୁଁ ଚିଡ଼ିଚିଡ଼ା ହେଉଥିଲେ ମଧ୍ୟ ସେ ସବୁ ଗୋଟାଇ ଘରକୁ ଠିକ୍ କରି ରଖେ। ନାତିନାତୁଣୀମାନଙ୍କୁ କହେ ତୁମେ କେବେ ବି ସୁଧୁରିବ ନାହିଁ। କାରଣ ତୁମେ ଚାହୁଁଥିବା ସମସ୍ତ ଜିନିଷ ତୁମ ବାପା, ମା’ମାନେ ତୁମକୁ କିଣି ଦେଉଛନ୍ତି। ଅଭାବ କ’ଣ ତୁମେ ଜାଣିଲ ନାହିଁ। ଧୀରେ ଧୀରେ ମୋର ପିଲାମାନେ ସେମାନଙ୍କର ସ୍ତ୍ରୀ ଓ ପିଲାମାନଙ୍କୁ ଧରି ବିଦେଶ ଗସ୍ତ କଲେ। କିଏ ବାଙ୍ଗାଲୋର ତ କିଏ ଆମେରିକା, ଲଣ୍ଡନ ବିଭିନ୍ନ ସ୍ଥାନକୁ ଚାଲିଗଲେ। ମୋର ଘର ଖାଲି ରହିଲା। ଯେଉଁ ଘର ଦିନେ ଅସଜଡ଼ା ହୋଇ ଯାଉଥିଲା ବୋଲି ଘରେ ପାଟିତୁଣ୍ଡ ହେଉଥିଲା ଓ ମୁଁ ଚିଡ଼ିଚିଡ଼ି ହେଉଥିଲି ସେ ଘର ଏବେ ଶାନ୍ତ ହୋଇଗଲା। କଲିଂବେଲ୍ ବାଜିଲେ ନାତି ନାତୁଣୀମାନେ କାହିଁକି କବାଟ ଖୋଲି ଦେଉଛନ୍ତି ମୁଁ ପାଟି କରୁଥିଲି। କିନ୍ତୁ ଆଜି କଲିଂବେଲ୍ ବାଜିଲେ ମୋତେ ନିଜେ ଯାଇ କବାଟ ଖୋଲିବାକୁ ପଡ଼ୁଛି।
ଖାଲି ଦୂରରେ ରହି ଦୂରଭାଷରେ ମୋ ସହିତ ମୋର ପିଲାମାନେ ଓ ନାତିନାତୁଣୀମାନେ କଥା ହେବାକୁ ଲାଗିଲେ। ଘର ଛାଡ଼ି ସେମାନଙ୍କ ନିକଟକୁ ବିଦେଶକୁ ଚାଲି ଆସିବା ପାଇଁ ମୋତେ ଉପଦେଶ ଦେଲେ। ମୁଁ କିନ୍ତୁ ମୋ ସ୍ବାମୀଙ୍କର ମୋ ପାଇଁ ଅତି ସ୍ନେହରେ କରିଥିବା ଘରଟିକୁ ଛାଡ଼ି କେଉଁଆଡ଼େ ଯିବାକୁ ଚାହୁଁ ନ ଥିଲି। ଦିନେ ମୋର ଗୋଡ଼ ଶୌଚାଳୟରେ ପଡ଼ି ଭାଙ୍ଗିଗଲା। ବାହାର ଲୋକଙ୍କ ସହାୟତାରେ ମୋର ଜଣେ ହାଡ଼ଭଙ୍ଗା ଡାକ୍ତରଙ୍କ ପାଖକୁ ଗଲି କିନ୍ତୁ ମୁଁ ଆଉ ଘରକୁ ଫେରିଲି ନାହିଁ। ବିଦେଶରେ ରହୁଥିବା ମୋର ପିଲାମାନେ ଡାକ୍ତରଖାନାରୁ ବୃଦ୍ଧାଶ୍ରମକୁ କିପରି ଯିବି ତା’ର ବ୍ୟବସ୍ଥା କରିଦେଲେ। ମୋତେ ବୃଦ୍ଧାଶ୍ରମ ଭଲ ଲାଗୁନାହିଁ। ମୋର ସେ ସାଜସଜ୍ଜାପୂର୍ଣ୍ଣ ଘର ନାତିନାତୁଣୀଙ୍କର ଏଣେତେଣେ ଫିଙ୍ଗି ଦେଇଥିବା ପଦାର୍ଥ, ମୋର ପିଲାମାନଙ୍କ ଉପରେ ହେଉଥିବା ରାଗ ଅଭିମାନ ମୋର ମନେପଡ଼ୁଛି। କିନ୍ତୁ ହାୟ ମୁଁ ମଧ୍ୟ ମୋର ପିଲାଦିନର ବନ୍ଧୁ ଆମ୍ବଗଛ ପରି ପାଲଟି ଯାଇଛି। ଗତକାଲି ଗୋଟିଏ ସମାଜସେବୀ ସଂଗଠନ ବୃଦ୍ଧାଶ୍ରମକୁ ଆସିଥିଲେ। ମୁଁ ମୋର ଶରୀରର ଅଙ୍ଗସବୁ ସମାଜ ସେବା ପାଇଁ ଦାନ କରିଦେଇ ଆସନ୍ନ ମୃତ୍ୟୁକୁ ଅପେକ୍ଷା କରିରହିଛି।
ଅନୀତା ପଟ୍ଟନାୟକ
ଅବସରପ୍ରାପ୍ତ ପ୍ରାଧ୍ୟାପିକା, ସିଡିଏ, କଟକ ମୋ:୯୬୯୨୯୮୦୦୨୬
The post ସମ ପରିଣତି appeared first on Dharitri Odia News.