ସମୀରଙ୍କ ନାଁରେ କେଉଁ ପ୍ରକାରର କାଗଜପତ୍ର ମିଳିଛି, ଯାହା ପରେ ଜଣାପଡ଼ିଥିଲେ ବିଜେଡିର ସମ୍ମାନ ରହି ନଥା’ନ୍ତା?

ଟିକେଟ କଟିବା ପରେ ନିମାପଡ଼ାରେ ଶକ୍ତି ପ୍ରଦର୍ଶନ କରିଥିଲେ ବିଧାୟକ ସମୀର ରଞ୍ଜନ ଦାଶ।

ସମୀରଙ୍କ ନାଁରେ କେଉଁ ପ୍ରକାରର କାଗଜପତ୍ର ମିଳିଛି, ଯାହା ପରେ ଜଣାପଡ଼ିଥିଲେ ବିଜେଡିର ସମ୍ମାନ ରହି ନଥା’ନ୍ତା?

ନିମାପଡ଼ାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ରଞ୍ଜନ ଦାଶଙ୍କ ସମର୍ଥକଙ୍କ ଭିତରେ ତେଜୁଛି ଅସନ୍ତୋଷ। ତେବେ ଗତ ୨୦ ତାରିଖରେ ନିମାପଡ଼ା ନିର୍ବାଚନ ମଣ୍ଡଳୀର ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ, ସମିତି ସଭ୍ୟ ଓ ସରପଞ୍ଚମାନଙ୍କୁ ଶଙ୍ଖ ଭବନକୁ ଡକାଯାଇ ଦିଲ୍ଲୀପଙ୍କୁ ସମର୍ଥନ କରିବାକୁ ଭର୍ଚୁଆଲ ବାର୍ତ୍ତାରେ କହିଥିଲେ ପୁରୀ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ତା’ସହିତ ବିଧାୟକ ସମୀର ରଞ୍ଜନ ଦାଶଙ୍କୁ କାହିଁକି ଟିକେଟ ଦିଆଗଲା ନାହିଁ, ସେ ବିଷୟରେ ମଧ୍ୟ କହିଥିଲେ। ସେହି ସମୟରେ ସମୀରଙ୍କ ସମର୍ଥକ ତିନି ଜିଲ୍ଲା ପରିଷଦ ସଭ୍ୟ, କିଛି ସରପଞ୍ଚ ଓ ସମିତି ସଭ୍ୟ ମଧ୍ୟ ଉପସ୍ଥିତ ଥିଲେ।

ଭର୍ଚୁଆଲ ବାର୍ତ୍ତାର ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଥିଲେ, ଦିଲ୍ଲୀପଙ୍କୁ ତୁମେମାନେ ସାହାଯ୍ୟ କରିବା ଉଚିତ୍। ଦଳୀୟ ଭିତ୍ତିରେ କାର୍ଯ୍ୟକ୍ରମ ହେବ। ସମୀର ଦାଶଙ୍କୁ ଆମେ ଟିକେଟ ଦେଇଥାଆନ୍ତୁ। କିନ୍ତୁ ପରିବର୍ତ୍ତିତ ପରିସ୍ଥିତିରେ ସମୀରଙ୍କ ନାଁରେ ଯେଉଁ ପ୍ରକାରର କାଗଜପତ୍ର ବାହାରିଥିଲା, ତାକୁ ଦେଖିଲା ପରେ ଦଳର ନିଷ୍ପତ୍ତି ବଦଳିଥିଲା। ଯଦି ସେହି କଥାଟା ତାଙ୍କୁ ଟିକେଟ ଦେଲା ପରେ ବାହାରିଥାଆନ୍ତା, ତା’ହେଲେ ଦଳର ସମ୍ମାନ ରହି ନଥାଆନ୍ତା। ତେଣୁ ତୁମେମାନେ ଯେଉଁମାନେ ଆସିଛ, ସମସ୍ତଙ୍କୁ ନିବେଦନ ଦୟା କରି ସମସ୍ତେ ଶଙ୍ଖ ଚିହ୍ନକୁ ସାହାଯ୍ୟ କରିବ। ତୁମେମାନେ ଯେଉଁମାନେ ଜିଲ୍ଲା ପରିଷଦ ସଭ୍ୟ ହୋଇଛ ସମସ୍ତେ ଜିତିଛ ଶଙ୍ଖ ଚିହ୍ନରେ।

ରଣେନ୍ଦ୍ରଙ୍କ ଏହି ଭର୍ଚୁଆଲ ବାର୍ତ୍ତା ଉପରେ ବିଧାୟକ ସମୀର ରଞ୍ଜନ ଦାଶଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। 

ଅନ୍ୟପକ୍ଷରେ ସେହି ୨୦ ତାରିଖରେ ନିମାପଡ଼ାରେ ଶକ୍ତି ପ୍ରଦର୍ଶନ କରିଥିଲେ ସମୀର ଦାଶ। ହଜାର ହଜାର କର୍ମକର୍ତ୍ତା ଓ ସମର୍ଥକଙ୍କ ଗହଣରେ ସେ ତାଙ୍କ ଟିକେଟ କଟାଯିବା ନିଷ୍ପତ୍ତିର ପୁନର୍ବିଚାର କରିବା ପାଇଁ ଦଳର ନେତାଙ୍କୁ ଦାବି କରିଥିଲେ। ସେହିପରି ଗଣମାଧ୍ୟମରେ ସେ କହିଥିଲେ ଯେ ଟିକେଟର ପୁନର୍ବିଚାର କରିବା ପାଇଁ ନିବେଦନ କରାଯାଇଛି। ତା’ପରେ ପରବର୍ତ୍ତୀ ପଦକ୍ଷେପ ବିଷୟରେ ଚିନ୍ତା କରାଯିବ। ସମର୍ଥକଙ୍କ ସହିତ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ସମୀର କହିଥିଲେ।