ସମ୍ପର୍କ ଭଲ ନାହିଁ, ତଥାପି ମାଳଦ୍ୱୀପକୁ ସହଯୋଗ କରିବ ଭାରତ

ଭାରତ ପକ୍ଷରୁ ସୀମିତ ପରିମାଣର ଜରୁରୀ ସାମଗ୍ରୀ ଯଥା ଚିନି, ଗହମ, ଚାଉଳ ଓ ପିଆଜ ମାଳଦ୍ୱୀପଙ୍କୁ ରପ୍ତାନୀ କରିବାକୁ ଅନୁମତି ଦିଆଯାଇଛି।

ସମ୍ପର୍କ ଭଲ ନାହିଁ, ତଥାପି ମାଳଦ୍ୱୀପକୁ ସହଯୋଗ କରିବ ଭାରତ

ମାଳଦ୍ୱୀପକୁ ସହଯୋଗ ଜାରି ରଖିବ ଭାରତ। ମାଲେରେ ଚାଇନାର ହସ୍ତକ୍ଷେପ ଯୋଗୁ ନୂଆଦିଲ୍ଲୀ ସହ ମାଳଦ୍ୱୀପର ସମ୍ପର୍କ ଭଲ ନାହିଁ। ତଥାପି ଭାରତ ମାଳଦ୍ୱୀପକୁ ସହଯୋଗର ହାତ ବଢ଼ାଇଛି। ଭାରତ ପକ୍ଷରୁ ସୀମିତ ପରିମାଣର ଜରୁରୀ ସାମଗ୍ରୀ ଯଥା ଚିନି, ଗହମ, ଚାଉଳ ଓ ପିଆଜ ମାଳଦ୍ୱୀପଙ୍କୁ ରପ୍ତାନୀ କରିବାକୁ ଅନୁମତି ଦିଆଯାଇଛି।

ଚାଉଳ, ଚିନି ଓ ପିଆଜ ରପ୍ତାନୀ କରିବାରେ ଭାରତ ସର୍ବାଗେ ରହିଥିଲା। କିନ୍ତୁ ସାଧାରଣ ନିର୍ବାଚନ ପୂର୍ବରୁ ଦେଶରେ ଏହି ସବୁ ଜରୁରୀ ସାମଗ୍ରୀର ଦାମ ନିୟନ୍ତ୍ରଣ ମଧ୍ୟରେ ରଖିବାକୁ କେନ୍ଦ୍ର ସରକାର ରପ୍ତାନୀ ଉପରେ ଏକାଧିକ କଟକଣା ଲଗାଇଥିଲେ। ଏବେ ସୀମିତ ପରିମାଣ ରପ୍ତାନୀ ମାଳଦ୍ୱୀପକୁ କରିବା ପାଇଁ ଭାରତ ସରକାର ଅନୁମତି ଦେଇଛନ୍ତି।

ସରକାର ଗୋଟିଏ ବିଜ୍ଞପ୍ତିରେ କହିଛନ୍ତି, “ଏହି ସବୁ ସାମଗ୍ରୀ ୨୦୨୪/୨୫ ଆର୍ଥିକ ବର୍ଷ ଅର୍ଥାତ ଏପ୍ରିଲ ୧ରୁ ମାଳଦ୍ୱୀପକୁ ରପ୍ତାନୀ ହେବ। ଏହା ଉପରେ କୌଣସି ପ୍ରକାରର କଟକଣା ରହିବ ନାହିଁ।”

ମାଳଦ୍ୱୀପକୁ ୧୨୪, ୨୧୮ ମେଟ୍ରିକ ଟନ ଚାଉଳ, ୧୦୯,୧୬୨ ଟନ ଗହମ, ୬୪,୪୯୪ ଟନ ଚିନି, ୨୧,୫୧୩ ଟନ ଆଳୁ, ୩୫,୭୪୯ ଟନ ପିଆଜ ଓ ୪୨୭.୫ ମିଲିୟନ ଅଣ୍ଡା ରପ୍ତାନୀ କରାଯିବ। ଏହାବାଦ ୧ ମିଲିୟନ ଟନ ଲେଖାଏ ପଥର ଜିନିଷ ଓ ନଦୀ ବାଲି ମଧ୍ୟ ଭାରତ ପଡ଼ୋଶୀ ମାଳଦ୍ୱୀପକୁ ପଠାଇବ।

ମାଳଦ୍ୱୀପ ଏକଦା ଭାରତର ଭଲ ବନ୍ଧୁ ଥିଲା। କିନ୍ତୁ ନୂଆ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଆସିବା ପରେ ମାଲେ ଅନ୍ୟତମ ପଡ଼ୋଶୀ ଚାଇନା ଆଡ଼କୁ ଢଳିଛି। ଏଥିସହ ଭାରତ ବିରୋଧରେ ମଧ୍ୟ ସ୍ୱର ଶାଣିତ କରିଛି।