ସମ୍ଭାବ୍ୟ ମେଣ୍ଟ: ଦ୍ୱନ୍ଦ୍ୱରେ ବିଜେଡି, ଭାଜପା ନେତା
କେନ୍ଦୁଝର,୯ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ବିଜେଡି ଓ ଭାଜପା ମେଣ୍ଟକୁ ନେଇ ଉଭୟ ବିଜେଡି- ଭାଜପା ଦଳର ନେତା ଓ କର୍ମୀ ନିରାଶ ହୋଇଥିବା ବେଳେ କଂଗ୍ରେସ ଶିବିରରେ ଉତ୍ସାହ ଦେଖିବାକୁ ମିଳିଛି। ମେଣ୍ଟ ହେବା ଘଟଣା ପ୍ରସାରିତ ହେବା ପରେ ଉଭୟ ଦଳର କର୍ମୀମାନେ ଚିନ୍ତାରେ ପଡ଼ିଯାଇଛନ୍ତି। ପରସ୍ପର ବିରୋଧରେ ଦୋଷାରୋପ କୁତ୍ସାରଟନା କରିଆସୁଥିବା ନେତା ଓ କର୍ମୀମାନେ ଏବେ କିପରି ପରସ୍ପରକୁ ଆଲିଙ୍ଗନ କରି ସହାୟତା ମାଗିବେ, ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏହାକୁ […] The post ସମ୍ଭାବ୍ୟ ମେଣ୍ଟ: ଦ୍ୱନ୍ଦ୍ୱରେ ବିଜେଡି, ଭାଜପା ନେତା appeared first on Dharitri Odia News.
କେନ୍ଦୁଝର,୯ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ବିଜେଡି ଓ ଭାଜପା ମେଣ୍ଟକୁ ନେଇ ଉଭୟ ବିଜେଡି- ଭାଜପା ଦଳର ନେତା ଓ କର୍ମୀ ନିରାଶ ହୋଇଥିବା ବେଳେ କଂଗ୍ରେସ ଶିବିରରେ ଉତ୍ସାହ ଦେଖିବାକୁ ମିଳିଛି। ମେଣ୍ଟ ହେବା ଘଟଣା ପ୍ରସାରିତ ହେବା ପରେ ଉଭୟ ଦଳର କର୍ମୀମାନେ ଚିନ୍ତାରେ ପଡ଼ିଯାଇଛନ୍ତି। ପରସ୍ପର ବିରୋଧରେ ଦୋଷାରୋପ କୁତ୍ସାରଟନା କରିଆସୁଥିବା ନେତା ଓ କର୍ମୀମାନେ ଏବେ କିପରି ପରସ୍ପରକୁ ଆଲିଙ୍ଗନ କରି ସହାୟତା ମାଗିବେ, ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏହାକୁ ନେଇ ଦ୍ୱନ୍ଦ୍ୱରେ ଭୋଟର ଓ ଦୁଇ ଦଳର କର୍ମୀମାନେ ରହିଥିବା ବେଳେ ଉଭୟ ଶିବିର ଖାଁ ଖାଁ ହୋଇ ପଡ଼ିଛି।
ଅନ୍ୟପକ୍ଷରେ ଉଭୟ ଦଳର ଆଶାୟୀ ପ୍ରାର୍ଥୀମାନେ ଏଭଳି ମେଣ୍ଟକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି। କେଉଁ ସିଟ୍ କେଉଁ ଦଳର ଭାଗ ପଡ଼ିବ ଏବଂ କିଏ ସେ ଭାଗ୍ୟବାନ ଟିକଟ ପାଇବ, ସେନେଇ ଆଶାୟୀ ତଥା ସେମାନଙ୍କ ସମର୍ଥକଙ୍କ ଚିନ୍ତା ବଢ଼ିଯାଇଛି। ୨୦୦୦ ରୁ ୨୦୦୯ ପର୍ଯ୍ୟନ୍ତ ମେଣ୍ଟ ସରକାରରେ କେନ୍ଦୁଝର ସଦର, ଚମ୍ପୁଆ, ପାଟଣା, ଆନନ୍ଦପୁର, ଘଷିପୁରା ନିର୍ବାଚନ ମଣ୍ଡଳୀ ଭାଜପା ହାତରେ ଥିଲା। ସେହିପରି କେନ୍ଦୁଝର ଲୋକସଭା ସିଟ୍ ମଧ୍ୟ ଭାଜପା ହାତରେ ରହିଥିଲା। ବିଜେଡି ହାତରେ କେବଳ ତେଲକୋଇ ଥିବା ବେଳେ ଏବେ ସିଟ୍ ଭାଗ ନିଶ୍ଚିତ ଭାବରେ ପରିବର୍ତ୍ତନ ହେବ ଏବଂ ୩ ଲେଖାଏଁ ପ୍ରତ୍ୟେକ ଦଳ ନେବେ ବୋଲି ଆଲୋଚନା ହେଉଛି। କେଉଁ ଦଳ ଭାଗରେ କେଉଁ ନିର୍ବାଚନ ମଣ୍ଡଳୀ ପଡ଼ିବ ତାହା ଉପରେ ସମସ୍ତଙ୍କ ନଜର ରହିଛି। ତେବେ ବିଜେଡିର ସ୍ଥିତି ଆନନ୍ଦପୁର, ତେଲକୋଇ ଓ ଚମ୍ପୁଆରେ ଭଲ ନ ଥିବାରୁ ପ୍ରାର୍ଥୀ ପରିବର୍ତ୍ତନ କରିବା ଚର୍ଚ୍ଚା ହେଉଥିଲା। ସେହିପରି ଭାଜପାର ସ୍ଥିତି ସଦର, ଆନନ୍ଦପୁର, ପାଟଣା, ତେଲକୋଇରେ ଭଲ ଥିବା ନେଇ ଦଳୀୟ ନେତା ଦାବି କରିଆସୁଛନ୍ତି। ଘଷିପୁରା ନିର୍ବାଚନ ମଣ୍ଡଳୀ ଟାଣୁଆ ନେତା ତଥା ପୂର୍ବତନ ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ରଙ୍କ ଗଡ଼ ରହିଛି। ପୂର୍ବରୁ ୨୦୦୦ ନିର୍ବାଚନରେ ଏହି ସିଟ୍ ଭାଜପା ହାତକୁ ଚାଲିଯିବାରୁ ବଦ୍ରୀ ସ୍ବାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ି ଜିତିଥିଲେ। ଏବେ ମଧ୍ୟ ତାଙ୍କର ଦୃଢ ସଂଗଠନ ରହିଥିବାରୁ ହାତଛଡ଼ା କରିବେ ନାହିଁ ବୋଲି କୁହାଯାଉଛି। ତେବେ ପୂର୍ବ ମେଣ୍ଟକୁ ଆଧାରକରି ଭାଜପା ଉକ୍ତ ସିଟ୍ରେ ଲଢ଼ିବା ପାଇଁ ଆଶାବାନ୍ଧି ଥିବା ଜଣାପଡ଼ିଛି। ସେହିପରି ଖଣିଖାଦାନ ବହୁଳ ଚମ୍ପୁଆ ନିର୍ବାଚନ ମଣ୍ଡଳୀରେ ଭାଜପା ବାରମ୍ବାର ହାରି ଆସିଛି। ଏବେ ଉକ୍ତ ସିଟ୍ରେ ବିଜେଡିର ପ୍ରଭାବା ରହିଛି। ସେହିପରି ଥରେ ସ୍ବାଧୀନ ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ି ଜିଣିଥିବା ସନାତନ ମହାକୁଡ଼ଙ୍କ କାଟ୍ତି ମଧ୍ୟ କମ୍ ନାହିଁ। ଉକ୍ତ ନିର୍ବାଚନ ମଣ୍ଡଳୀରେ ବର୍ତ୍ତମାନର ବିଧାୟିକା ମୀନାକ୍ଷୀ ମହାନ୍ତ, ପୂର୍ବତନ ବିଧାୟକ ସନାତନ ମହାକୁଡ଼ ଓ ଜିତୁ ପଟ୍ଟନାୟକ, କୁଶ ଆପଟ, ମୂରଲୀ ଶର୍ମା, ରବୀନ୍ଦ୍ର ଦାସ ଭଳି ବିଭିନ୍ନ ଦଳର ହେଭିଓ୍ବେଟ୍ ନେତା ଭାଗ୍ୟ ନିର୍ଦ୍ଧାରଣ ପାଇଁ ପାଗ ଭିଡୁଥିବା ବେଳେ ଏଭଳି ନିଷ୍ପତ୍ତି ଉଭୟ ଦଳ ପାଇଁ ସମସ୍ୟାର କାରଣ ହୋଇପାରେ। ବିଜେଡି ବା ଭାଜପା ଦଳରେ ସନାତନଙ୍କ ମିଶିବା ନେଇ ଚାଲିଆସୁଥିବା ଚର୍ଚ୍ଚାର ଏହି ମେଣ୍ଟକୁ ନେଇ ଅବସାନ ଘଟିଛି। ତେବେ ସନାତନ କେଉଁ ଦଳରେ ମିଶିବେ ନା ସମର୍ଥନ କରିବେ କିମ୍ବା ପୂର୍ବଭଳି ସ୍ବାଧୀନ ପ୍ରାର୍ଥୀ ଦେଇ ନିଜର ପତିଆରାକୁ ପୂର୍ବ ପରି ଜାରି ରଖିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି।
ଏଭଳି ପରିସ୍ଥିତିରେ ପୂର୍ବ କ୍ରମରେ ସଦର, ପାଟଣା, ତେଲକୋଇ ନିର୍ବାଚନ ମଣ୍ଡଳୀ ଭାଜପା ହାତରେ ପଡ଼ିପାରେ। ସେହିପରି ପୂର୍ବ ମେଣ୍ଟ ଭଳି ଲୋକସଭା ସିଟ୍ ଭାଜପା ହାତରେ ପଡ଼ିବ ବୋଲି ଦଳୀୟ ନେତା ଆଶାବ୍ୟକ୍ତ କରିଛନ୍ତି। ତେବେ ମେଣ୍ଟ ହେଲେ ବହୁ ଆଶାୟୀ ତଥା ଅସନ୍ତୁଷ୍ଠ ନେତା ସ୍ବାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢିବେ ଏଥିରେ ଦ୍ୱିମତ ନାହିଁ। କାରଣ ଥରେ ମେଣ୍ଟ ହେଲେ ଏହା ପରବର୍ତ୍ତୀ ନିର୍ବାଚନରେ ମଧ୍ୟ ହେବା ଆଶଙ୍କା କରି ବହୁ ନେତା ଚିନ୍ତାରେ ରହିଛନ୍ତି। ସିଟ୍ ଭାଗବଣ୍ଟାକୁ ଅପେକ୍ଷା କରିଛନ୍ତି। ଏଣୁ ସ୍ବାଧୀନ ପ୍ରାର୍ଥୀ ଉଭୟ ଦଳକୁ ଅଡୁଆରେ ପକାଇବେ। ଏଭଳି ପରିସ୍ଥିତି କଂଗ୍ରେସ ପାଇଁ ସୁବର୍ଣ୍ଣ ସୁଯୋଗ ହୋଇଥିଲା ବେଳେ ସେମାନେ ପୂର୍ବରୁ କିଭଳି ପ୍ରସ୍ତୁତି କରୁଛନ୍ତି ଏବଂ କାହାକୁ ପ୍ରାର୍ଥୀ କରୁଛନ୍ତି ସେସବୁ ଉପରେ ତାଙ୍କର ଭାଗ୍ୟ ନିର୍ଦ୍ଧାରଣ ହେବ ବୋଲି ମତପ୍ରକାଶ ପାଉଛି।
କଂଗ୍ରେସ ଜିଲା ସଭାପତି ମୋହନ ପରିଡ଼ା କହିଛନ୍ତି, ଆଗରୁ ବିଜେଡି ଓ ଭାଜପା ମଧ୍ୟରେ ଭିତିରି ବୁଝାମଣା ଥିବା କୁହାଯାଉଥିଲା। ଏବେ ପ୍ରମାଣିତ ହେବାକୁ ଯାଉଛି। ସେମାନଙ୍କ ମେଣ୍ଟ କଂଗ୍ରେସ ପାଇଁ ଭଲ ଫଳ ଆଣିବ।
ମେଣ୍ଟ ନେଇ କାୈଣସି ସୂଚନା ନାହିଁ। କ’ଣ ହେବ ଆଗାମୀ ଦିନରେ ସ୍ପଷ୍ଟ ଜଣାପଡ଼ିବ ବୋଲି ଉଭୟ ଭାଜପା ଜିଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା ଓ ବିଜେଡି ଜିଲା ସଭାପତି ମାଧବ ସର୍ଦ୍ଦାର କହିଛନ୍ତି।
The post ସମ୍ଭାବ୍ୟ ମେଣ୍ଟ: ଦ୍ୱନ୍ଦ୍ୱରେ ବିଜେଡି, ଭାଜପା ନେତା appeared first on Dharitri Odia News.