ସଲମାନ ଖାନଙ୍କ ସୁରକ୍ଷାରେ ତ୍ରୁଟି! ଦୁଇ ଦିନରେ ୨ ଜଣ ବିଲଡିଂରେ ପଶିଗଲେ

ପରିବାର ସହ ସଲମାନ ରହୁଥିବା ମୁମ୍ବାଇର ଗାଲାକ୍ସି ଆପାର୍ଟମେଣ୍ଟରେ ଘଟିଛି ବଡ଼ ଅଘଟଣା। ଏଠାରେ ୨ ଦିନରେ ଘଟିଛି ୨ଟି ଅନୁପ୍ରବେଶ।

ସଲମାନ ଖାନଙ୍କ ସୁରକ୍ଷାରେ ତ୍ରୁଟି! ଦୁଇ ଦିନରେ ୨ ଜଣ ବିଲଡିଂରେ ପଶିଗଲେ

ବଲିଉଡର ଭାଇଜାନ ସଲମାନ ଖାନଙ୍କ ସୁରକ୍ଷାରେ ସାଂଘାତିକ ତ୍ରୁଟି। ପରିବାର ସହ ସଲମାନ ରହୁଥିବା ମୁମ୍ବାଇର ଗାଲାକ୍ସି ଆପାର୍ଟମେଣ୍ଟରେ ଘଟିଛି ବଡ଼ ଅଘଟଣା। ଏଠାରେ ୨ ଦିନରେ ଘଟିଛି ୨ଟି ଅନୁପ୍ରବେଶ। ଅନୁମତି ନଥାଇ ଦୁଇ ଜଣ ଗାଲାକ୍ସି ଆପାର୍ଟମେଣ୍ଟର ସୁରକ୍ଷାବଳୟକୁ ଭେଦ କରି ଭିତରେ ପଶି ଯାଇଥିଲେ। ଏକଥା ସାମ୍ନାକୁ ଆସିବା ପରେ ପୁଲିସ୍‌ ୨ଟି ପୃଥକ ପୃଥକ ମାମଲା ରୁଜୁ କରିଛି।

ପୁଲିସ ପ୍ରଥେମ ଅନାଧିକାର ପ୍ରବେଶ ପାଇଁ ଛତିଶଗଡ଼ର ଜିତେନ୍ଦ୍ର କୁମାର ସିଂହଙ୍କ ବିରୋଧରେ ମାମଲା କରିଥିଲା। ସେ ସଲମାନ ଖାନଙ୍କୁ ଭେଟିବା ପାଇଁ ବିନା ଅନୁମତିରେ ସୁରକ୍ଷା ବଳୟକୁ ଭେଦ କରି ୨୦ ତାରିଖ ଦିନ ଗାଲାକ୍ସି ଆପାର୍ଟମେଣ୍ଟରେ ପ୍ରବେଶ କରିଥିଲେ।

ଦ୍ୱିତୀୟ ମାମଲାଟି ୩୬ ବର୍ଷୀୟ ଈଶା ଛାବରାଙ୍କ ବିରୋଧରେ ହୋଇଛି। ସେ ୨୧ ତାରିଖ ଦିନ ସଲମାନ ଖାନ ରହୁଥିବା ବିଲଡିଂରେ ଅନୁପ୍ରବେଶ କରିଥିଲେ। ପୁଲିସ୍‌ ମାମଲା ରୁଜୁ କରି ଜିତେନ୍ଦ୍ର ଓ ଈଶାଙ୍କୁ ଗିରଫ କରିଛି। ଏବେ ଘଟଣାର ଅଧିକ ତଦନ୍ତ କରାଯାଉଛି।

ସୂତ୍ର ଅନୁସାରେ, ଜିତେନ୍ଦ୍ର ପ୍ରଥମେ ୨୦ ତାରିଖ ସକାଳ ୯.୪୫ରେ ଗାଲାକ୍ସି ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରି ପୁଲିସ୍‌ ବିରୋଧର ସମ୍ମୁଖୀନ ହୋଇଥିଲେ। ସେଠାରେ ମୁତୟନ ପୁଲିସ୍‌ ତାଙ୍କୁ ଚାଲି ଯିବାକୁ କହିଥିଲା। ହେଲେ ଜିତେନ୍ଦ୍ର ସେଠାରେ ଚିତ୍କାର କରିବା ସହ ନିଜ ଫୋନକୁ ତଳେ ଫୋପାଡ଼ି ଭାଙ୍ଗି ଦେଇଥିଲେ। କିଛି ସମୟର ଡ୍ରାମା ପରେ ଜିତେନ୍ଦ୍ର ସେଠାରୁ ଚାଲି ଯାଇଥିଲେ।

କିନ୍ତୁ ସନ୍ଧ୍ୟା ସମୟରେ ବିଲଡିଂରେ ରହୁଥିବା ଜଣେ ବ୍ୟକ୍ତି ବ୍ୟବହାର କରୁଥିବା କାରରେ ଲୁଚି ଜିତେନ୍ଦ୍ର ପୁଣି ସେଠାରେ ପହଞ୍ଚି ଯାଇଥିଲେ। ସେ ଲୁଚିଲୁଚି ଭିତରକୁ ପ୍ରବେଶ କରୁଥିବା ବେଳେ ଜଣେ ପୁଲିସ କନଷ୍ଟେବଲ ତାଙ୍କୁ ଧରି ପକାଇଥିଲେ। ବାନ୍ଦ୍ରା ପୁଲିସ୍‌ ତାଙ୍କୁ ହେପାଜତକୁ ନେଇଥିଲା। ଜିତେନ୍ଦ୍ର ପୁଲିସ୍‌କୁ କହିଛନ୍ତି, “ମୁଁ ସଲମାନ ଖାନଙ୍କୁ ଭେଟିବାକୁ ଚାହୁଁଥିଲି। କିନ୍ତୁ ପୁଲିସ୍‌ ମୋତେ ଭିତରକୁ ଛାଡ଼ି ନଥିଲେ। ତେଣୁ ମୁଁ ଲୁଚିଛପି ବିଲଡିଂରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲି।”

ସେହିପରି ୩୬ ବର୍ଷୀୟ ଈଶା ରାତି ପ୍ରାୟ ୩ଟା ବେଳେ ସଲମାନ ଖାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟରେ ଲୁଚିଲୁଚି ପ୍ରବେଶ କରିଥିଲେ। ସେ ସଲମାନଙ୍କୁ ଜାଣିଥିବାରୁ ବିଲଡିଂରେ ଅନୁପ୍ରବେଶ କରିଥିବା ପୁଲିସ୍‌କୁ କହିଛନ୍ତି।