ସୁନା ଅଳଙ୍କାରରେ ଛାଇ ହୋଇଛନ୍ତି ରାମ ଲଲା; ପ୍ରତିଟି ଆଭୂଷଣର ରହିଛି ମହତ୍ତ୍ୱ
ନିଜ ଜନ୍ମ ସ୍ଥାନରେ ନିର୍ମିତ ଭବ୍ୟ ମନ୍ଦିରରେ ବିରାଜ ମାନ କରିଛନ୍ତି ୫ ବର୍ଷୀୟ ରାମ ଲଲା। ପ୍ରଭୁଙ୍କ ଅଲୌକିକ ବାଲ୍ୟ ରୂପ ଦେଖି ଶ୍ରଦ୍ଧାଳୁଙ୍କ ଆଖି ଲାଖି ଯାଉଥିବା ବେଳେ ସେ ପିନ୍ଧିଥିବା ଆଭୂଷଣ ବି ଆଖିକୁ ଝଲସାଇ ଦେଉଛି।
ପ୍ରାୟ ୫୦୦ ବର୍ଷର ପ୍ରତିକ୍ଷାର ଅନ୍ତ ଘଟିଛି। ନିଜ ଜନ୍ମ ସ୍ଥାନରେ ନିର୍ମିତ ଭବ୍ୟ ମନ୍ଦିରରେ ବିରାଜ ମାନ କରିଛନ୍ତି ୫ ବର୍ଷୀୟ ରାମ ଲଲା। ପ୍ରଭୁଙ୍କ ଅଲୌକିକ ବାଲ୍ୟ ରୂପ ଦେଖି ଶ୍ରଦ୍ଧାଳୁଙ୍କ ଆଖି ଲାଖି ଯାଉଥିବା ବେଳେ ସେ ପିନ୍ଧିଥିବା ଆଭୂଷଣ ବି ଆଖିକୁ ଝଲସାଇ ଦେଉଛି।
ଭଗବାନ ରାମ ଲଲା ମସ୍ତକରୁ ପାଦ ପର୍ଯ୍ୟନ୍ତ ବିଭିନ୍ନ ଅଳଙ୍କାରରେ ଆଭୂଷିତ ହୋଇଥିବା ବେଳେ ପ୍ରତି ଅଳଙ୍କାରର ରହିଛି ସ୍ୱତନ୍ତ୍ର ମହତ୍ତ୍ୱ। ପ୍ରଭୁଙ୍କ ବୟସ ପାଞ୍ଚବର୍ଷ ହୋଇଥିବାରୁ ତାଙ୍କ ପାଖରେ ରୂପାରେ ନିର୍ମିତ ହାତୀ, ଘୋଡ଼ା ପରି ଖେଳନା ବି ସଜ୍ଜିତ କରି ରଖା ଯାଇଛି।
ଶ୍ରୀରାମ ମନ୍ଦିର ଟ୍ରଷ୍ଟ ପକ୍ଷରୁ ପ୍ରାଣ ପ୍ରତିଷ୍ଠାର ମାତ୍ର ୧୫ ଦିନ ପୂର୍ବରୁ ପାରମ୍ପରିକ ଆଭୂଷଣର ଏକ୍ସପର୍ଟ ଲକ୍ଷ୍ନୌର HSJ ଜୁଏଲାରୀ ସହ ସମ୍ପର୍କ କରାଯାଇଥିଲା। ଆଉ ଜୁଏଲର୍ସ ପକ୍ଷରୁ ମାତ୍ର ୧୫ ଦିନରେ ଭଗବାନଙ୍କ ୧୪ ପ୍ରକାର ଆଭୂଷଣ ପ୍ରସ୍ତୁତ କରାଯାଇଛି।
ଲକ୍ଷ୍ନୌର HSJ ଜୁଏଲାରୀ ମାଲିକ ଅଙ୍କୁର ଅଗ୍ରୱାଲଙ୍କ କହିବାନୁଯାୟୀ, ଯେତେବେଳେ ଟ୍ରଷ୍ଟ ପକ୍ଷରୁ ଭଗବାନଙ୍କ ଆଭୂଷଣ ପାଇଁ ଆମ ସହ ସମ୍ପର୍କ କରାଯାଇଥିଲା, ସେତେବେଳେ ପ୍ରଭୁଙ୍କ ବୟସ ୫ ବର୍ଷ ହୋଇଥିବା କୁହାଯାଇଥିଲା। ତେଣୁ ୫ ବର୍ଷର ନାବାଳକ ପିନ୍ଧିବା ପରି ଜୁଏଲାରୀ ପ୍ରସ୍ତୁତ କରିବାକୁ ସର୍ତ୍ତ ରଖାଯାଇଥିଲା।
ରାମଲାଲା ସୂର୍ଯ୍ୟଦେବଙ୍କ ପ୍ରତୀକ ଥିବା ସୁନା ମୁକୁଟ ପିନ୍ଧିଥିବା ବେଳେ ସେଥିରେ ମାଣିକ୍ୟ, ନୀଳକାନ୍ତ ମଣି ଓ ହୀରାଖଚିତ କାରୁକାର୍ଯ୍ୟ କରାଯାଇଛି। ଏହି ମୁକୁଟ କେନ୍ଦ୍ରରେ ସୂର୍ଯ୍ୟଦେବଙ୍କ ପ୍ରତୀକ ରହିଛି। ମୁକୁଟର ଡାହାଣ ପାର୍ଶ୍ୱରେ ମୋତି ଖଚିତ କାମ ହୋଇଛି। ଏକ ବଡ଼ ମାଣିକ୍ୟ ଓ ହୀରାରେ ସଜ୍ଜିତ କୌସ୍ତୁଭ ମଣି ମୂର୍ତ୍ତିର ହୃଦୟ ନିକଟରେ ଶୋଭା ପାଉଛି । ବିଷ୍ଣୁଙ୍କର ସମସ୍ତ ଅବତାର ଏହି ରତ୍ନକୁ ନିଜ ହୃଦୟରେ ପିନ୍ଧନ୍ତି ବୋଲି ଟ୍ରଷ୍ଟ କହିଛି।
ରାମ ଲଲା ପିନ୍ଧିଥିବା ସବୁଠାରୁ ଲମ୍ବା ହାର ହେଉଛି ବିଜୟମାଳା। ଏଥିରେ ସୁଦର୍ଶନ ଚକ୍ର, ପଦ୍ମ, ଶଙ୍ଖ ଓ ମଙ୍ଗଳ କଳସ ରହିଛି। ରାମ ଲଲା ପିନ୍ଧିଥିବା ଅନ୍ୟ ଅଳଙ୍କାର ହେଲା- କାନ୍ତା ।ଏହା ଏକ ଅର୍ଦ୍ଧଚନ୍ଦ୍ର ଆକୃତିର ହାର ଏଥିରେ ସୌଭାଗ୍ୟର ପ୍ରତୀକ ଫୁଲ ଡିଜାଇନ୍ ଥିବାବେଳେ କେନ୍ଦ୍ରରେ ସୂର୍ଯ୍ୟଦେବଙ୍କ ଛବି ରହିଛି। ରାମ ଲଲା ନିଜ ନାଭି ଉପରେ ହୀରାଖଚିତ ଏକ ହାର ପିନ୍ଧିଛନ୍ତି। ଯାହାର ନାଁ ହେଉଛି ପାଦିକା ।
ରାମ ଲଲା ନିଜ ଅଣ୍ଟାରେ ହୀରା, ମାଣିକ୍ୟ, ମୋତି ଓ ନୀଳକାନ୍ତ ମଣି ଭର୍ତ୍ତି ହୋଇଥିବା ସୁନା ଅଣ୍ଟାବିଛା ପିନ୍ଧିଛନ୍ତି। ଯାହାକି କାଞ୍ଚି ନାମରେ ନାମିତ । ଏଥିରେ ଛୋଟ ଛୋଟ ଘଣ୍ଟି ଲାଗିଛି। ରାମଲଲାଙ୍କ ପାଦ ଆଙ୍ଗୁଠିର ମୁଦି ସବୁ ହୀରା ଓ ମାଣିକ୍ୟରେ ସଜ୍ଜିତ ହୋଇଛି। ତାଙ୍କ ବାମ ହାତରେ ଏକ ସୁନା ଧନୁ ଓ ଡାହାଣ ହାତରେ ତୀର ରହିଛି। ରାମ ଲଲାଙ୍କ କପାଳରେ ଥିବା ରୁପାର ଲାଲ ତିଳକରେ ହୀରା ଓ ମାଣିକ୍ୟ ଲଗାଯାଇଛି ବୋଲି ମନ୍ଦିର କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି।
ମନ୍ଦିର ଟ୍ରଷ୍ଟର କହିବା ଅନୁସାରେ, ରାମଲାଲା ପିନ୍ଧିଥିବା ହଳଦିଆ ରଙ୍ଗର ଧୋତି ଓ ଲାଲ ଅଙ୍ଗବସ୍ତ୍ର ହେଉଛି ବନାରସୀ କପଡ଼ାର, ଯେଉଁଥିରେ ଶଙ୍ଖ, ପଦ୍ମ, ଚକ୍ର ଓ ମୟୂରର ଜଟିଳ ଜରି ଓ ସୂତାକାମ ରହିଛି। ଅଯୋଧ୍ୟାରେ କାମ କରୁଥିବା ଦିଲ୍ଲୀର ଟେକ୍ସଟାଇଲ ଡିଜାଇନର ମନିଷ ତ୍ରିପାଠୀ ଏହି ପୋଷାକ ତିଆରି କରିଛନ୍ତି ବୋଲି ଟ୍ରଷ୍ଟ କହିଛି।
ଅଧ୍ୟାତ୍ମ ରାମାୟଣ, ବାଲ୍ମୀକି ରାମାୟଣ, ରାମଚରିତମାନସ ଏବଂ ଅଲବାନ୍ଦର ସ୍ତୋତ୍ର ସମେତ ଶାସ୍ତ୍ରର ଗବେଷଣା ଓ ଅଧ୍ୟୟନ ଆଧାରରେ ଏହି ଅଳଙ୍କାର ତିଆରି କରାଯାଇଛି। ଶ୍ରୀ ଅଙ୍କୁର ଆନନ୍ଦଙ୍କ ଅନୁଷ୍ଠାନ, ହରସାହିମଲ ଶ୍ୟାମଲାଲ ଜୁଏଲର୍ସ, ଲକ୍ଷ୍ନୌ ଦ୍ୱାରା ଏହି ଅଳଙ୍କାର ପ୍ରସ୍ତୁତ କରାଯାଇଛି।