ସୁନାବେଶରେ ଦର୍ଶନ ଦେଲେ ଦାରୁଦିଅଁ: ବଡ଼ଦାଣ୍ଡ ପାଲଟିଲା ଜନସମୁଦ୍ର
ପୁରୀ,୬ା୭(ଅଜିତ୍ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ପ୍ରଭୁ ବଳଭଦ୍ର ଏବଂ ଭଉଣୀ ଦେବୀ ସୁଭଦ୍ରା ଆଷାଢ଼ ଶୁକ୍ଳ ଦଶମୀ ତିଥିରେ ଶନିବାର ବାହୁଡ଼ା ଯାତ୍ରାରେ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବା ପରେ ଏକାଦଶୀ ତିଥିରେ ରବିବାର ରଥ ଉପରେ ସୁନାବେଶରେ ଦର୍ଶନ ଦେଇଛନ୍ତି। ଭକ୍ତମାନେ ଦାରୁବିଗ୍ରହଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିଛନ୍ତି। ଶ୍ରୀବିଗ୍ରହ ମହଣ ମହଣ ସୁନାରେ ସଜେଇ ହୋଇ ଝଟକିଥିଲେ। ବିଶ୍ୱନିୟନ୍ତାଙ୍କ ଏହି ଅନନ୍ୟ ବେଶକୁ ସୁନାବେଶ, ରାଜରାଜେଶ୍ୱର ଓ […] The post ସୁନାବେଶରେ ଦର୍ଶନ ଦେଲେ ଦାରୁଦିଅଁ: ବଡ଼ଦାଣ୍ଡ ପାଲଟିଲା ଜନସମୁଦ୍ର appeared first on Dharitri Odia News.
ପୁରୀ,୬ା୭(ଅଜିତ୍ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ପ୍ରଭୁ ବଳଭଦ୍ର ଏବଂ ଭଉଣୀ ଦେବୀ ସୁଭଦ୍ରା ଆଷାଢ଼ ଶୁକ୍ଳ ଦଶମୀ ତିଥିରେ ଶନିବାର ବାହୁଡ଼ା ଯାତ୍ରାରେ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବା ପରେ ଏକାଦଶୀ ତିଥିରେ ରବିବାର ରଥ ଉପରେ ସୁନାବେଶରେ ଦର୍ଶନ ଦେଇଛନ୍ତି। ଭକ୍ତମାନେ ଦାରୁବିଗ୍ରହଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିଛନ୍ତି। ଶ୍ରୀବିଗ୍ରହ ମହଣ ମହଣ ସୁନାରେ ସଜେଇ ହୋଇ ଝଟକିଥିଲେ। ବିଶ୍ୱନିୟନ୍ତାଙ୍କ ଏହି ଅନନ୍ୟ ବେଶକୁ ସୁନାବେଶ, ରାଜରାଜେଶ୍ୱର ଓ ବଡ଼ତଢ଼ାଉ ବେଶ ବୋଲି କୁହାଯାଏ।
ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ, ରଥ ଉପରେ ମହାପ୍ରଭୁଙ୍କ ବିଭିନ୍ନ ନୀତି ସମ୍ପନ୍ନ କରାଯାଇଥିଲା। ମଇଲମ ଓ ଏକାଦଶୀ ସର୍ବାଙ୍ଗ ନୀତି ବଢ଼ିବା ପରେ ଅପରାହ୍ନ ୧ଟା ୪୫ରୁ ୨ଟା ୪୫ ମଧ୍ୟରେ ମଧ୍ୟାହ୍ନ ଧୂପ ସମ୍ପନ୍ନ ହୋଇଥିଲା। ପରେ ମଇଲମ ଓ ଶାଢ଼ି ଖଣ୍ଡୁଆ ଲାଗି ଶେଷହୋଇ ୪ଟା ୧୫ରେ ସନ୍ଧ୍ୟା ଆଳତି ସରିଥିଲା। ସର୍ବାଙ୍ଗ ନୀତି ସରିବା ପରେ ୪ଟା ୪୫ରୁ ଠାକୁରଙ୍କ ସୁନାବେଶ ପାଇଁ ପ୍ରସ୍ତୁତିି ଆରମ୍ଭ ହୋଇଥିଲା। ପରେ ୧୩୮ ପ୍ରକାର ବହୁବିଧ ରତ୍ନଅଳଙ୍କାରରେ ସଜେଇ ହୋଇଥିଲେ ବିଶ୍ୱନିୟନ୍ତା।
ଭକ୍ତମାନେ ମାର୍କେଟ ଛକଠାରୁ ବ୍ୟାରିକେଡ୍ ଦେଇ ଧାଡ଼ିରେ ଆସି ନନ୍ଦିଘୋଷ ରଥ ବାମପାର୍ଶ୍ୱ ଦେଇ ତିନିରଥ ସମ୍ମୁଖକୁ ଆସି ଶ୍ରୀବିଗ୍ରହମାନଙ୍କ ସୁନାବେଶ ଦର୍ଶନ କରିବା ପରେ ତାଳଧ୍ୱଜ ରଥର ଡାହାଣ ପାର୍ଶ୍ୱ ଦେଇ ପ୍ରସ୍ଥାନ କରିଥିଲେ।
ପ୍ରାୟ ୧୫ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିବା ଅନୁମାନ କରାଯାଉଛି। ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଥିବାବେଳେ ୨୦୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ସେହିପରି ଡ୍ରୋନ ଏବଂ ଏଆଇ କ୍ୟାମେରା ମାଧ୍ୟମରେ ଟ୍ରାଫିକ ବ୍ୟବସ୍ଥା ପରିଚାଳନା କରାଯାଇଥିଲା।
The post ସୁନାବେଶରେ ଦର୍ଶନ ଦେଲେ ଦାରୁଦିଅଁ: ବଡ଼ଦାଣ୍ଡ ପାଲଟିଲା ଜନସମୁଦ୍ର appeared first on Dharitri Odia News.