‘ସୁଭଦ୍ରା’ ପ୍ରତାରଣା : ବଞ୍ଚିତ ହେବେ ରାଜ୍ୟର ୮୫ଲକ୍ଷ ମହିଳା, ବଜେଟ୍ରେ ମାତ୍ର ୧୦ ହଜାର କୋଟି ବରାଦ
ଭୁବନେଶ୍ୱର : ରାଜ୍ୟର ପ୍ରତ୍ୟେକ ପରିବାରର ଜଣେ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କା ସହାୟତା ଦିଆଯିବ। ନିର୍ବାଚନ ପୂର୍ବରୁ ବିଜେପିର ଘୋଷଣାପତ୍ରରେ ଏହା ପ୍ରକାଶିତ ହୋଇଥିଲା। ବିଜେପିର ଜାତୀୟ ଓ ରାଜ୍ୟ ନେତାମାନେ ବିଭିନ୍ନ ସ୍ଥାନରେ ନିର୍ବାଚନୀ ସମାବେଶରେ ଏହା ଘୋଷଣା କରିଥିଲେ। ରାଜ୍ୟରେ ସରକାର ଗଠନର ପ୍ରଥମ ଦିନ ଅର୍ଥାତ୍ ଜୁନ୍ ୧୨ ତାରିଖ ସନ୍ଧ୍ୟାରେ ଅନୁଷ୍ଠିତ ପ୍ରଥମ କ୍ୟାବିନେଟରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏହା ସହ […]

ଭୁବନେଶ୍ୱର : ରାଜ୍ୟର ପ୍ରତ୍ୟେକ ପରିବାରର ଜଣେ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କା ସହାୟତା ଦିଆଯିବ। ନିର୍ବାଚନ ପୂର୍ବରୁ ବିଜେପିର ଘୋଷଣାପତ୍ରରେ ଏହା ପ୍ରକାଶିତ ହୋଇଥିଲା। ବିଜେପିର ଜାତୀୟ ଓ ରାଜ୍ୟ ନେତାମାନେ ବିଭିନ୍ନ ସ୍ଥାନରେ ନିର୍ବାଚନୀ ସମାବେଶରେ ଏହା ଘୋଷଣା କରିଥିଲେ। ରାଜ୍ୟରେ ସରକାର ଗଠନର ପ୍ରଥମ ଦିନ ଅର୍ଥାତ୍ ଜୁନ୍ ୧୨ ତାରିଖ ସନ୍ଧ୍ୟାରେ ଅନୁଷ୍ଠିତ ପ୍ରଥମ କ୍ୟାବିନେଟରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏହା ସହ ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନରେ ରାଜଧାନୀରେ ଏକ ସ୍ୱତନ୍ତ୍ର ଉତ୍ସବ ଆୟୋଜନ କରାଯାଇ ମହିଳାମାନଙ୍କୁ ସୁଭଦ୍ରା ଭାଉଚର ବଣ୍ଟନ କରାଯିବ ବୋଲି ମଧ୍ୟ ସରକାର ଘୋଷଣା କଲେ। ମାତ୍ର ବଜେଟ୍ରେ ଏହି ଯୋଜନା ପାଇଁ ୧୦ ହଜାର କୋଟି ଟଙ୍କା ବ୍ୟୟବରାଦ ହେବା ପରେ ଏହାର କାର୍ଯ୍ୟକାରିତାକୁ ନେଇ ଉଠିଛି ପ୍ରଶ୍ନ । ବଜେଟରେ ଆବଣ୍ଟିତ ରାଶିରେ ରାଜ୍ୟର ସର୍ବାଧିକ ୨୦ ଲକ୍ଷ ମହିଳା ଉପକୃତ ହୋଇପାରିବାର ବ୍ୟବସ୍ଥା ଥିବାରୁ ଅବଶିଷ୍ଟ ୮୫ ଲକ୍ଷ ମହିଳା ଏଥିରୁ ବଞ୍ଚିତ ହେବା ସ୍ପଷ୍ଟ ହୋଇ ଯାଇଛି । ଯଦିଓ ଏହି ଯୋଜନାର ମୋଡ଼ାଲିଟି ଏପର୍ଯ୍ୟନ୍ତ ସାର୍ବଜନୀନ କରାଯାଇ ନାହିଁ, ତଥାପି ପ୍ରସ୍ତୁତ କରାଯାଇଥିବା ସର୍ତ୍ତ ଓ ବ୍ୟବସ୍ଥାକୁ ଅନୁଧ୍ୟାନ କଲେ ନିର୍ବାଚନ ସମୟରେ ବିଜେପିର ଘୋଷଣାପତ୍ରରେ ସ୍ଥାନୀତ ହୋଇଥିବା ‘ସୁଭଦ୍ରା’ ଏବେ ପ୍ରତାରଣାର ଗ୍ୟାରେଣ୍ଟିରେ ପରିଣତ ହେବାକୁ ଯାଉଛି।
ବିଜେପିର ପ୍ରମୁଖ ୨୧ ସଙ୍କଳ୍ପ ମଧ୍ୟରୁ କ୍ରମାଙ୍କ ୩ରେ ସ୍ଥାନ ପାଇଥିବା ସୁଭଦ୍ରା ଯୋଜନା ଥିଲା ଅନ୍ୟତମ। ଏଥିରେ ପ୍ରତ୍ୟେକ ମହିଳାଙ୍କୁ ୨ ବର୍ଷ ମଧ୍ୟରେ ଖର୍ଚ୍ଚ କରିବା ନିମନ୍ତେ ୫୦ ହଜାର ଟଙ୍କାର ନଗଦ ଭାଉଚର ଦିଆଯିବା କଥା କୁହାଯାଇଥିଲା। ମାତ୍ର ଏବେ ପ୍ରତ୍ୟେକ ମହିଳାଙ୍କ ପରିବର୍ତ୍ତେ କେବଳ ବାର୍ଷିକ ଦେଢ଼ ଲକ୍ଷ ଟଙ୍କାରୁ କମ୍ ଆୟ କରୁଥିବା ମହିଳାଙ୍କୁ ୫ ବର୍ଷରେ ଖର୍ଚ୍ଚ ପାଇଁ ୫୦ ହଜାର ଟଙ୍କାର ଭାଉଚର ଦେବାକୁ ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଏଥିରେ ରହିଥିବା ସର୍ତ୍ତ ଅନୁସାରେ ରାଜ୍ୟର ଅର୍ଦ୍ଧେକ ମହିଳା ସ୍ୱତଃ ଯୋଜନାରୁ ବଞ୍ଚିତ ହେବାକୁ ଯାଉଛନ୍ତି । ୨୧ ବର୍ଷରୁ ୫୯ ବର୍ଷର ମହିଳା ଏହି ଯୋଜନାରେ ଆର୍ଥିକ ସହାୟତା (ଭାଉଚର) ପାଇବେ ବୋଲି କୁହାଯାଉଛି ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରାଯିବ ବୋଲି ବିଜେପି ଘୋଷଣା କରିଥିଲା। ପରବର୍ତ୍ତୀ ସମୟରେ ବିଭିନ୍ନ ସମାବେଶରେ ଦଳୀୟ ନେତାମାନେ ପ୍ରତ୍ୟେକ ପରିବାରର ଜଣେ ମହିଳାଙ୍କୁ ସୁଭଦ୍ରା ସହାୟତା ମିଳିବ ବୋଲି କହିଥିଲେ। ମାତ୍ର ସରକାର ଗଠନ ପରେ ଏଥିରେ ରଖାଯାଇଥିବା ସର୍ତ୍ତ ଓ ବଜେଟ୍ ବ୍ୟୟକୁ ଦେଖିଲେ ଯୋଜନାରୁ ଚାରି ପଞ୍ଚମାଂଶ ମହିଳା ବଞ୍ଚିତ ହେବା ଆପାତତଃ ସ୍ପଷ୍ଟ । ୨୦୧୧ ଜନଗଣନା ଅନୁସାରେ ଓଡ଼ିଶାରେ ପରିବାର ସଂଖ୍ୟା ୯୬,୬୧,୦୮୫। ସମ୍ପ୍ରତି ଏହି ପରିବାର ସଂଖ୍ୟା ବୃଦ୍ଧି ପାଇ ୧.୦୫ କୋଟିରେ ପହଞ୍ଚିଛି । ୨୦ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସହାୟତା ପ୍ରଦାନ କରାଗଲେ ସିଧାସଳଖ ୮୫ ଲକ୍ଷ ପରିବାରର ମହିଳାମାନେ ଏଥିରୁ ବଞ୍ଚିତ ହେବେ। ଯଦି ନିର୍ବାଚନୀ ଇସ୍ତାହାରରେ ପ୍ରତ୍ୟେକ ମହିଳାଙ୍କୁ ଭାଉଚର ପ୍ରଦାନ ପ୍ରସଙ୍ଗକୁ ଗ୍ରହଣ କରାଯାଏ ତେବେ ରାଜ୍ୟର ଦେଢ଼ କୋଟି ମହିଳା ଏହି ସହାୟତାରୁ ବଞ୍ଚିତ ହେବେ ।