ସୁରକ୍ଷା ଦେଇ ପାରିଲାନି ଚାଇନା ଯୁଦ୍ଧାସ୍ତ୍ର, ଆମେରିକା ଶରଣରେ ପାକିସ୍ତାନ

ଗୋଟିଏ ଦଶନ୍ଧି ପରେ ପାକିସ୍ତାନର କୌଣସି ବାୟୁ ସେନା ମୁଖ୍ୟ ଆମେରିକା ଗସ୍ତ କରିଛନ୍ତି। ଏହି ଗସ୍ତର କିଛି ଦିନ ପୂର୍ବରୁ ପାକିସ୍ତାନ ସେନା ମୁଖ୍ୟ ଅସିମ ମୁନିର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ହ୍ୱାଇଟ ହାଉସରେ ଡିନର କରିଥିଲେ।

ସୁରକ୍ଷା ଦେଇ ପାରିଲାନି ଚାଇନା ଯୁଦ୍ଧାସ୍ତ୍ର, ଆମେରିକା ଶରଣରେ ପାକିସ୍ତାନ

ଅପରେସନ ସିନ୍ଦୂର ପରେ ଭାରତ ସହ ତିକ୍ତତା ସୃଷ୍ଟି କରି ଧୂଳି ଚାଟିଥିବା ପାକିସ୍ତାନ ଏବେ ନିଜର ସାମରିକ ଶକ୍ତିକୁ ମଜବୁତ କରିବାକୁ ଲାଗି ପଡ଼ିଛି। ପୂର୍ବରୁ ନିଜର ସାମରିକ ସୁରକ୍ଷା ପାଇଁ ପାକିସ୍ତାନ ସେନା ଚାଇନା ଦେଉଥିବା ଯୁଦ୍ଧାସ୍ତ୍ରର ବ୍ୟବହାର କରୁଥିଲା। ଚାଇନା ଯୁଦ୍ଧାସ୍ତ୍ର ବ୍ୟବହାର କରି ପାକିସ୍ତାନ ନିଜକୁ ବଳିୟାନ ଭାବୁଥିଲା।

କିନ୍ତୁ ଭାରତ ସହ ତିକ୍ତତା ସମୟରେ ଚାଇନିଜ ଏୟାର ଡିଫେନ୍ସ ସିଷ୍ଟମ ଠାରୁ ଆରମ୍ଭ କରି ମିସାଇଲ ପାକିସ୍ତାନକୁ ଧୋକା ଦେଇଥିଲେ। ଭାରତର ଘନଘନ ଆକ୍ରମଣରେ ଚାଇନିଜ ଯୁଦ୍ଧାସ୍ତ୍ର ଫୁସ ହୋଇ ଯାଇଥିଲା। ଏହାକୁ ନେଇ ବିଚଳିତ ହୋଇ ପଡ଼ିଥିବା ପାକିସ୍ତାନ ଏବେ ଚାଇନା ବଦଳରେ ଆମେରିକା ଶରଣରେ ପଶିଛି। ପାକିସ୍ତାନର ବାୟୁସେନା ମୁଖ୍ୟ ଜହିର ଅହମଦ ବାବେର ସିଦ୍ଧୁ ଦେଶର ସାମରିକ କ୍ଷମତାକୁ ବୃଦ୍ଧି କରିବା ପାଇଁ ୱାଶିଂଟନରେ ପହଞ୍ଚିଛନ୍ତି। ଆମେରିକା ସହ ପ୍ରତିରକ୍ଷା ଡିଲ ଲକ୍ଷ୍ୟରେ ସେ ୱାଶିଂଟନ ଯାଇଥିବା ଜଣାପଡ଼ିଛି।

ଗୋଟିଏ ଦଶନ୍ଧି ପରେ ପାକିସ୍ତାନର କୌଣସି ବାୟୁ ସେନା ମୁଖ୍ୟ ଆମେରିକା ଗସ୍ତ କରିଛନ୍ତି। ଏହି ଗସ୍ତର କିଛି ଦିନ ପୂର୍ବରୁ ପାକିସ୍ତାନ ସେନା ମୁଖ୍ୟ ଅସିମ ମୁନିର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ହ୍ୱାଇଟ ହାଉସରେ ଡିନର କରିଥିଲେ।

ଏହି ଗସ୍ତ ସମୟରେ ମୁନିର ଆମେରିକାର ବାୟୁ ସେନାର ମୁଖ୍ୟ ଜେନେରାଲ ଡାଭିଡ ଅଲଭିନଙ୍କ ସମେତ ବରିଷ୍ଠ ସାମରିକ ଅଧିକାରୀଙ୍କୁ ଭେଟିଥିଲେ। ଆମେରିକା ଠାରୁ ଆଧୁନିକ ଯୁଦ୍ଧାସ୍ତ୍ର ଓ ଏୟାର ଡିଫେନ୍ସ ସିଷ୍ଟମ ଆଣିବା ପାଇଁ ପାକିସ୍ତାନ ଲକ୍ଷ୍ୟ ରଖିଛି। ଖାସ ଏହି କାରଣ ପାଇଁ ପାକିସ୍ତାନର ବାୟୁସେନା ମୁଖ୍ୟ ଆମେରିକା ଗସ୍ତ କରିଛନ୍ତି।

ସୂତ୍ର ଅନୁସାରେ, ଆମେରିକାର ଏକାଧିକ ଅତ୍ୟାଧୁନିକ ସାମରିକ ପ୍ଲାଟଫର୍ମ ଉପରେ ପାକିସ୍ତାନର ନଜର ରହିଛି। ପାକିସ୍ତାନ ତା’ର ବାୟୁ ସେନା ବ୍ୟବହାର କରୁଥିବା ଏଫ-୧୬ ବ୍ଲକ ୭୦ ଯୁଦ୍ଧ ବିମାନ ଓ ଏୟାର ଡିଫେନ୍ସ ସିଷ୍ଟମକୁ ଅଧିକ ମଜବୁତ କରିବାକୁ ଚାହୁଁଛି। ସେହିପରି ଆକାଶ ପଥରୁ ଆକାଶ ପଥକୁ ଲକ୍ଷ୍ୟ ଭେଦ କରି ପାରୁଥିବା ଏଆଏମ-୭ ସ୍ପାରୋ ଓ ଆମେରିକା ନିର୍ମିତ ହାଇ ମୋବିଲିଟୀ ଆର୍ଟିଲେରୀ ରକେଟ ସିଷ୍ଟମ ବା ହିମାରସକୁ ମଧ୍ୟ ଆଣିବାକୁ ପାକିସ୍ତାନ ଯୋଜନା କରିଛି।

ଅପରେସନ ସିନ୍ଦୂର ବେଳେ ଭାରତର ଏକାଧିକ ମିସାଇଲ ଓ ଡ୍ରୋନ ପାକିସ୍ତାନ ବ୍ୟବହାର କରୁଥିବା ଚାଇନିଜ ଡିଫେନ୍ସ ସିଷ୍ଟମକୁ ବାଇପାସ କରି ଦେଇଥିଲା। ଏହାପରେ ପାକିସ୍ତାନର ବହୁ ଭିତରେ ପ୍ରବେଶ କରି ସାମରିକ ଠିକଣାକୁ ଧ୍ୱଂସ କରିବାକୁ ସକ୍ଷମ ହୋଇଥିଲା। ଚାଇନିଜ ଏଚ୍‌କ୍ୟୁ-୯ପି ଓ ଏଚ୍‌କ୍ୟୁ ୧୬ ମିସାଇଲ ଡିଫେନ୍ସ ସିଷ୍ଟମକୁ ମଧ୍ୟ ଭାରତ ଏୟାର ଷ୍ଟ୍ରାଇକ କରି ନଷ୍ଟ କରିବାକୁ ସକ୍ଷମ ହୋଇଥିଲା।