ସୁସ୍ଥ ପ୍ରାରମ୍ଭ: ଆଶାପୂର୍ଣ୍ଣ ଭବିଷ୍ୟତ

କୁହାଯାଏ ‘ସ୍ବାସ୍ଥ୍ୟ ହିଁ ସମ୍ପଦ’। ମାତ୍ର ବାସ୍ତବରେ ସ୍ବାସ୍ଥ୍ୟ ମନୁଷ୍ୟ ପାଇଁ କେବଳ ସମ୍ପଦ ନୁହେଁ, ସ୍ବାସ୍ଥ୍ୟ ହେଉଛି ମଣିଷ ପାଇଁ ସବୁକିଛି। କାରଣ ସ୍ବାସ୍ଥ୍ୟ ଠିକ୍‌ ନ ରହିଲେ କିମ୍ବା ଜଣେ ରୋଗଗ୍ରସ୍ତ ହେଲେ ମଣିଷ ବଞ୍ଚତ୍ରହିବା ଓ ଜୀବନଧାରଣ କରିବା ଦୁଃଖଦ ଓ ଦାରୁଣ ହୋଇପଡ଼େ। ସୁସ୍ଥ ନାଗରିକମାନେ ହେଉଛନ୍ତି ଦେଶର ମୁଖ୍ୟ ସମ୍ବଳ। ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥା (ଓ୍ବାଲର୍‌ଡ ହେଲ୍‌ଥ ଅର୍ଗାନାଇଜେଶନ) ପ୍ରତିବର୍ଷ ଏପ୍ରିଲ ୭ ତାରିଖକୁ ‘ବିଶ୍ୱ ସ୍ବାସ୍ଥ୍ୟ ଦିବସ’ (ଓ୍ବାଲର୍‌ଡ […] The post ସୁସ୍ଥ ପ୍ରାରମ୍ଭ: ଆଶାପୂର୍ଣ୍ଣ ଭବିଷ୍ୟତ appeared first on Dharitri Odia News.

ସୁସ୍ଥ ପ୍ରାରମ୍ଭ: ଆଶାପୂର୍ଣ୍ଣ ଭବିଷ୍ୟତ

କୁହାଯାଏ ‘ସ୍ବାସ୍ଥ୍ୟ ହିଁ ସମ୍ପଦ’। ମାତ୍ର ବାସ୍ତବରେ ସ୍ବାସ୍ଥ୍ୟ ମନୁଷ୍ୟ ପାଇଁ କେବଳ ସମ୍ପଦ ନୁହେଁ, ସ୍ବାସ୍ଥ୍ୟ ହେଉଛି ମଣିଷ ପାଇଁ ସବୁକିଛି। କାରଣ ସ୍ବାସ୍ଥ୍ୟ ଠିକ୍‌ ନ ରହିଲେ କିମ୍ବା ଜଣେ ରୋଗଗ୍ରସ୍ତ ହେଲେ ମଣିଷ ବଞ୍ଚତ୍ରହିବା ଓ ଜୀବନଧାରଣ କରିବା ଦୁଃଖଦ ଓ ଦାରୁଣ ହୋଇପଡ଼େ। ସୁସ୍ଥ ନାଗରିକମାନେ ହେଉଛନ୍ତି ଦେଶର ମୁଖ୍ୟ ସମ୍ବଳ।
ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥା (ଓ୍ବାଲର୍‌ଡ ହେଲ୍‌ଥ ଅର୍ଗାନାଇଜେଶନ) ପ୍ରତିବର୍ଷ ଏପ୍ରିଲ ୭ ତାରିଖକୁ ‘ବିଶ୍ୱ ସ୍ବାସ୍ଥ୍ୟ ଦିବସ’ (ଓ୍ବାଲର୍‌ଡ ହେଲ୍‌ଥ ଡେ) ଭାବରେ ପାଳନ କରିଥାଏ। ଏହି ଦିବସରେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଦୃଷ୍ଟିରେ ରଖି ବାର୍ତ୍ତା ସ୍ଥିର କରାଯାଇଥାଏ। ଏହି ଦିବସ ଅବସରରେ ଚଳିତବର୍ଷର ବାର୍ତ୍ତା ହେଉଛି-‘ସୁସ୍ଥ ପ୍ରାରମ୍ଭ : ଆଶାପୂର୍ଣ୍ଣ ଭବିଷ୍ୟତ’। ଏହି ବାର୍ତ୍ତା ସୁଦୂରପ୍ରସାରୀ ଅଟେ ଏବଂ ଏହାର ମୁଖ୍ୟ ଉପାଦାନଗୁଡ଼ିକ ହେଲା ମା’ ଓ ଶିଶୁର ସ୍ବାସ୍ଥ୍ୟ ସୁରକ୍ଷା ଏବଂ ମୃତ୍ୟୁହାରକୁ ସର୍ବକାଳୀନ ନିମ୍ନସ୍ତରକୁ ଆଣିବା। ସାଧାରଣତଃ ସ୍ବାସ୍ଥ୍ୟ ସୂଚକାଙ୍କ ମଧ୍ୟରୁ ମୁଖ୍ୟ ତିନିଗୋଟି ସାମ୍ପ୍ରତିକ ସ୍ବାସ୍ଥ୍ୟ ଅବସ୍ଥା ବିଷୟରେ ସୂଚାଇଥାଏ। ଶିଶୁ (ଏକ ବର୍ଷ ମଧ୍ୟରେ) ମୃତ୍ୟୁହାର, ମାତୃ ମୃତ୍ୟୁହାର ଏବଂ ଆନୁଷ୍ଠାନିକ ପ୍ରସବ ହାରଗୁଡ଼ିକ ହେଉଛି ମୁଖ୍ୟ-ଯେଉଁଥିରୁ କି ମା’ ଓ ଶିଶୁର ସ୍ବାସ୍ଥ୍ୟ ଅବସ୍ଥା ବିଷୟରେ ଜାଣିହୁଏ। ଖୁସିର କଥା ଆମ ଦେଶରେ ଓ ରାଜ୍ୟରେ ଶିଶୁ ମୃତ୍ୟୁହାର ଓ ମାତୃ ମୃତ୍ୟୁହାର ଆଶାତୀତ ଭାବେ ହ୍ରାସପାଇଛି। ୧୯୫୦ ମସିହାରେ ୧୯୦ ପାଖାପାଖି ଥିବାବେଳେ ୨୦୨୫ରେ ସ୍ବାସ୍ଥ୍ୟ ସେବାରେ ବ୍ୟାପକ ଉନ୍ନତି ମାତୃ-ଶିଶୁ ସ୍ବାସ୍ଥ୍ୟ ଯତ୍ନ ଯୋଗୁ ହ୍ରାସ ପାଇ ୨୫ରୁ ନିମ୍ନରେ ପହଞ୍ଚତ୍ଛି। ସେହିପରି ମାତୃ ମୃତ୍ୟୁହାର ୨୫୪ରୁ ଆସି ୧୧୦ରୁ କମ୍‌ ସ୍ତରରେ ପହଞ୍ଚତ୍ଛି। ଏହାର ମୁଖ୍ୟ ଶ୍ରେୟ ଆନୁଷ୍ଠାନିକ ପ୍ରସବର ସଂଖ୍ୟା ବୃଦ୍ଧି ହୋଇଥିବା ବେଳେ ଗର୍ଭ ସମୟରେ ମା’, ପରିବାର ସଦସ୍ୟ ଓ ସ୍ବାସ୍ଥ୍ୟକର୍ମୀମାନଙ୍କର ନିରନ୍ତର ପ୍ରଚେଷ୍ଟା ଯୋଗୁ ହୋଇପାରିଛି। ଏବେ ଆମ ଦେଶ ଓ ରାଜ୍ୟ ବିଶ୍ୱ ସ୍ବାସ୍ଥ୍ୟ ସୂଚକାଙ୍କ ସହିତ କିମ୍ବା ସ୍ଥଳବିଶେଷରେ ତା’ଠାରୁ ନିମ୍ନରେ ରହିଛି ଓ ଆନୁଷ୍ଠାନିକ ପ୍ରସବ ଶତ ପ୍ରତିଶତ ହେବାର ସ୍ବପ୍ନ ପୂରଣ ହେବା ପାଇଁ ଯାଉଛି।
ମା’ ଓ ଶିଶୁ ଗୋଟିଏ ଏକକ। ମା’ ଓ ଶିଶୁର ସ୍ବାସ୍ଥ୍ୟ ପରସ୍ପର ସହ ଜଡ଼ିତ। ମାତୃ ଗର୍ଭରେ ଶିଶୁଟି ଦୀର୍ଘ ନଅ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଅବସ୍ଥାନ ହେବା ପରେ ପରିପୂର୍ଣ୍ଣ ଭାବେ ଜନ୍ମଗ୍ରହଣ କରିଥାଏ। ଗର୍ଭାବସ୍ଥା ସମୟରେ ମା’ର ନିୟମିତ ସ୍ବାସ୍ଥ୍ୟ ଯାଞ୍ଚ, ଦରକାର ପଡୁଥିବା ଟିକାକରଣ, କେତେକ ଗୁରୁତର ରୋଗର ଠିକ୍‌ ଓ ଆଗୁଆ ନିରୂପଣ ତଥା ଚିକିତ୍ସା, ଦରକାର ପଡୁଥିବା ପରୀକ୍ଷା ନିରୀକ୍ଷା, ଆଇରନ୍‌, କ୍ୟାଲସିୟମ ଇତ୍ୟାଦିର ପରିପୂରଣ ଗୁରୁତ୍ୱପୂର୍ଣ୍ଣ ଅଟେ। ଏହିସବୁ କାର୍ଯ୍ୟ ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଦ୍ୱାରା ଅନେକ କାର୍ଯ୍ୟକ୍ରମ ଚାଲୁ ରହିଛି। ୨୦୦୫ରୁ ଜନନୀ ସୁରକ୍ଷା ଯୋଜନା, ଜନନୀ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ, ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା, ସୁମନ (ସୁରକ୍ଷିତ ମାତୃତ୍ୱ ଅଭିଯାନ), ୨୦୧୬ରୁ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ଯୋଜନା, ଲକ୍ଷ୍ୟ, ପୋଷଣ ଅଭିଯାନ ଓ ଗ୍ରାମ ସ୍ବାସ୍ଥ୍ୟ, ପରିମଳ ଓ ପୋଷଣ ଦିବସ, ଅମ୍ଳାନ (ରକ୍ତହୀନତାମୁକ୍ତ ଯୋଜନା) ପରି ଯୋଜନାଗୁଡ଼ିକ ଶିଶୁ ଓ ମାତୃ ମୃତ୍ୟୁହାରରେ ଅନେକ ମାତ୍ରାରେ ହ୍ରାସ ଆଣିଥିବା ବେଳେ ସେମାନଙ୍କର ସ୍ବାସ୍ଥ୍ୟ ରକ୍ଷା ପାଇଁ କାର୍ଯ୍ୟ କରୁଛି। ପ୍ରତିବର୍ଷ ତିନି ଲକ୍ଷରୁ ଊର୍ଦ୍ଧ୍ୱ ମହିଳା ଗର୍ଭାବସ୍ଥା ଓ ପ୍ରସବଜନିତ ବିଭିନ୍ନ ଗୁରୁତର ଅବସ୍ଥା ଯୋଗୁ ପ୍ରାଣ ହରାଇଥାଆନ୍ତି। ସେହିପରି ପ୍ରତି ବର୍ଷ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଶିଶୁ ଜନ୍ମ ହେବାର ପ୍ରଥମ ମାସରେ ହିଁ ଗୁରୁତର ଶିଶୁ ରୋଗ ଯୋଗୁ ପ୍ରାଣହରାନ୍ତି। ଅନ୍ୟପକ୍ଷରେ ଆଉ ୨୦ ଲକ୍ଷ ମୃତ ଶିଶୁ ଜନ୍ମଗ୍ରହଣ କରିଥାଆନ୍ତି। ଏହା ଏପରି ଉଦ୍‌ବେଗଜନକ ଯେ ପ୍ରତି ୭ ସେକେଣ୍ଡରେ ଗୋଟିଏ ଶିଶୁ ମୃତ୍ୟୁମୁଖରେ ପଡ଼ିଥାଏ।
ସାଧାରଣତଃ ଶିଶୁ ମୃତ୍ୟୁର ଅଧାରୁ ଅଧିକ ମୃତ୍ୟୁ ପ୍ରଥମ ସାତ ଦିନ ମଧ୍ୟରେ ଏବଂ ତିନି-ଚତୁର୍ଥାଂଶ ଏକ ମାସ ମଧ୍ୟରେ ହୋଇଥାଏ। ତେଣୁ ଜନ୍ମର ପ୍ରଥମ ମାସ ଉଭୟ ଶିଶୁ ଓ ମା’ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ଏହା ସହିତ ପ୍ରସବ ପରବର୍ତ୍ତୀ ୪୮ ଘଣ୍ଟା ଅତି ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ପ୍ରସୂତିମାନଙ୍କୁ ପ୍ରସବ ପରେ ଦୁଇ ଦିନ ଚିକିତ୍ସାଳୟରେ ରହିବା ପାଇଁ ପ୍ରବର୍ତ୍ତାଯାଇଥାଏ। କାରଣ ଏହି ସମୟରେ ମା’ର ପ୍ରସବପର ରକ୍ତକ୍ଷରଣ, ନବଜାତ ଶିଶୁର ନିମୋନିଆ, ଜଣ୍ଡିସ ଏବଂ ଅନ୍ୟ ସଂକ୍ରମଣ ଇତ୍ୟାଦିର ଆଶଙ୍କା ଥାଏ। ଏହି ସବୁ ରୋଗ ଓ ଅବସ୍ଥାଗୁଡ଼ିକରେ ବିଶେଷ ଚିକିତ୍ସା ପାଇଁ ନବଜାତ ଶିଶୁମାନଙ୍କ ଲାଗି ତଳସ୍ତରରୁ ଉଚ୍ଚତମ ଚିକିତ୍ସା ସ୍ତର ଯାଏ ନବଜାତ ଆଇସିୟୁ (ଏନ୍‌ଆଇସିୟୁ)ର ବ୍ୟବସ୍ଥା କରାଯାଇଛି। ଅନେକ ସମୟରେ ଗମନାଗମନର ସୁବିଧା ନ ଥିବା ସ୍ଥାନମାନଙ୍କରୁ ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଯଥେଷ୍ଟ ଆଗରୁ ଗର୍ଭବତୀମାନଙ୍କୁ ପ୍ରସବ ସୁବିଧା ଥିବା ସ୍ଥାନକୁ ସ୍ଥାନାନ୍ତରଣ କରାଯାଇଥାଏ।
ଏସବୁ ସତ୍ତ୍ୱେ ମଧ୍ୟ ଅନେକ କ୍ଷେତ୍ରରେ ଉଭୟ ଶିଶୁ ଓ ମାତୃ ମୃତ୍ୟୁହାରକୁ ଏଡ଼ାଇ ଦିଆଯାଇପାରୁନାହିଁ। ଏହା ମଧ୍ୟରେ କେତେକ ପ୍ରକାର ଜିନ୍‌ଗତ ରୋଗ, ବିକଳାଙ୍ଗ ଶିଶୁ ଗର୍ଭାବସ୍ଥାରେ ମା’ର ଉଚ୍ଚ ରକ୍ତଚାପ (ଟକ୍ସିମିଆ), ଡାଇବେଟିସ୍‌, ରକ୍ତହୀନତା, ଥାଇରଏଡ ନୂ୍ୟନତା ଇତ୍ୟାଦି ଯୋଗୁ ମଧ୍ୟ ମା’ ଓ ଶିଶୁ ଗୁରୁତର ଭାବେ ଆକ୍ରାନ୍ତ ହୋଇଥାଆନ୍ତି। କ୍ରମଶଃ ଏସବୁର ନିୟନ୍ତ୍ରଣ ନିମନ୍ତେ ଅନେକ କାର୍ଯ୍ୟ କରାଯାଇ ଯଥେଷ୍ଟ ଉନ୍ନତି କରାଯାଇପାରିଛି। ଏହାସହିତ ଡାକ୍ତରୀ ତାଲିମ ପାଇଁ ଶିଶୁ ରୋଗ ଓ ସ୍ତ୍ରୀ ଏବଂ ପ୍ରସୂତି ରୋଗ ବିଶେଷଜ୍ଞ ଶିକ୍ଷାର ସିଟ୍‌ ସଂଖ୍ୟା ବୃଦ୍ଧି କରାଯିବା ସଙ୍ଗେ ସଙ୍ଗେ ସରକାରୀ ଚାକିରିରେ ଥିବା ଡାକ୍ତରମାନଙ୍କ ପାଇଁ ଆନାସ୍ଥେସିଆରେ LASA (ଜୀବନ ରକ୍ଷାକାରୀ ନିଶ୍ଚେତକ ଦକ୍ଷତା) ଓ E Moc (ଜରୁରିକାଳୀନ ପ୍ରସୂତୀ ଯତ୍ନ) ତାଲିମର ବ୍ୟବସ୍ଥା କରାଯାଇ ତାହାର ସୁଫଳ ଲାଭ କରାଯାଇଛି।
ଚଳିତ ବର୍ଷ ବିଶ୍ୱ ସ୍ବାସ୍ଥ୍ୟ ଦିବସ ବାର୍ତ୍ତାର ଲକ୍ଷ୍ୟ ହେଲା- ମା’ମାନଙ୍କର ସ୍ବାସ୍ଥ୍ୟ ଅର୍ଥାତ୍‌ ସେମାନଙ୍କୁ ଠିକ୍‌ ସମୟରେ ପଞ୍ଜୀକରଣ କରାଇ ପ୍ରତି ମାସ ଓ ପ୍ରତି ତିନି ମାସରେ ଥରେ ସାଧାରଣ ଓ ବିଶଦ ପରୀକ୍ଷା କରାଇନେବା ଦରକାର। ପୁନଶ୍ଚ ଏବେ ୪ ବର୍ଷ ପୂର୍ବେ ଆମ ରାଜ୍ୟରେ ଆରମ୍ଭ ହୋଇଥିବା ‘ପ୍ରସୂତି ବିଶେଷଜ୍ଞା’ ତାଲିମରୁ ତାଲିମପ୍ରାପ୍ତ ସେବିକାମାନେ ମା’ମାନେ କିପରି ସାଧାରଣ ଭାବେ ପ୍ରସବ କରିପାରିବେ ସେଥିନିମନ୍ତେ ପରାମର୍ଶ, ତାଲିମ ଓ ମାନସିକ ସ୍ତରରେ ପ୍ରସ୍ତୁତି କରାଉଛନ୍ତି। ଏହାଦ୍ୱାରା ଅସ୍ତ୍ରୋପଚାର ଦ୍ୱାରା ହେଉଥିବା ପ୍ରସବ ସଂଖ୍ୟରେ ହ୍ରାସ ହୋଇପାରିଛି। ପ୍ରତ୍ୟେକ ଚିିକିତ୍ସା କେନ୍ଦ୍ରରେ ଶିଶୁ ରୋଗ ବିଶେଷଜ୍ଞ, ବଡ଼ ବଡ଼ ସ୍ଥାନରେ ନବଜାତ ଶିଶୁରୋଗ ବିଶେଷଜ୍ଞ ଓ ଶିଶୁ ଶଲ୍ୟ ଚିକିତ୍ସକ ତଥା ଏନ୍‌ଆଇସିୟୁ ଏବଂ ପିଆଇସିୟୁ ଓ ଭେଣ୍ଟିଲେଣ୍ଟର ବ୍ୟବସ୍ଥା ଆମ ରାଜ୍ୟ ଓ ଦେଶକୁ ଅନ୍ୟ ଦେଶଗୁଡ଼ିକ ଆଗରେ ଆଦର୍ଶ ରୂପେ ଛିଡ଼ା କରିପାରିଛି।

ଡା. ରାମଚନ୍ଦ୍ର ରାଉତ
-ବରିଷ୍ଠ ଚିକିତ୍ସକ ତଥା ପୂର୍ବତନ ସ୍ବାସ୍ଥ୍ୟ ନିର୍ଦ୍ଦେଶକ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା
ମୋ: ୮୨୪୯୦୮୭୯୯୫

The post ସୁସ୍ଥ ପ୍ରାରମ୍ଭ: ଆଶାପୂର୍ଣ୍ଣ ଭବିଷ୍ୟତ appeared first on Dharitri Odia News.