ସୂର୍ଯ୍ୟ ପୂଜାର ପର୍ବ ‘ଶାମ୍ବ ଦଶମୀ’

ପୌଷମାସର ଶୁକ୍ଳପକ୍ଷ ଦଶମୀ ତିଥିରେ ଶାମ୍ବ ଦଶମୀ ପର୍ବ ପାଳନ କରାଯାଏ। ନାରୀମାନେ ନିଜ ସନ୍ତାନଙ୍କ ମଙ୍ଗଳା କାମନା କରି ଏହି ତିଥିରେ ନିଷ୍ଠାର ସହ ସୂର୍ଯ୍ୟ ଦେବତାଙ୍କୁ ପୂଜାର୍ଚ୍ଚନା କରିଥାନ୍ତି। ଏହି ପର୍ବର ବିଶେଷତ୍ବ ହେଉଛି ସୂର୍ଯ୍ୟଙ୍କର ଆକାଶରେ ତିନି ସ୍ଥିତିକୁ ଲକ୍ଷ୍ୟକରି ତିନି ପ୍ରକାର ଧୂପ ବା ପୂଜା ଅନୁଷ୍ଠିତ ହୋଇଥାଏ। ସୂର୍ଯ୍ୟଦୟ ସମୟରେ ମା’ମାନେ ଫଳମୂଳ ଓ ମିଷ୍ଟାନ୍ନ ଭୋଗ ଲଗାଇଥାନ୍ତି। ଏହାପରେ ସୂର୍ଯ୍ୟପୁରାଣ ପାଠ କରାଯାଏ। ମଧ୍ୟାହ୍ନରେ ତେଜୋଦୀପ୍ତ ଭାସ୍କରଙ୍କୁ ଦ୍ବିତୀୟ […]

ସୂର୍ଯ୍ୟ ପୂଜାର ପର୍ବ ‘ଶାମ୍ବ ଦଶମୀ’
Samba Dashami 2024

ପୌଷମାସର ଶୁକ୍ଳପକ୍ଷ ଦଶମୀ ତିଥିରେ ଶାମ୍ବ ଦଶମୀ ପର୍ବ ପାଳନ କରାଯାଏ। ନାରୀମାନେ ନିଜ ସନ୍ତାନଙ୍କ ମଙ୍ଗଳା କାମନା କରି ଏହି ତିଥିରେ ନିଷ୍ଠାର ସହ ସୂର୍ଯ୍ୟ ଦେବତାଙ୍କୁ ପୂଜାର୍ଚ୍ଚନା କରିଥାନ୍ତି। ଏହି ପର୍ବର ବିଶେଷତ୍ବ ହେଉଛି ସୂର୍ଯ୍ୟଙ୍କର ଆକାଶରେ ତିନି ସ୍ଥିତିକୁ ଲକ୍ଷ୍ୟକରି ତିନି ପ୍ରକାର ଧୂପ ବା ପୂଜା ଅନୁଷ୍ଠିତ ହୋଇଥାଏ। ସୂର୍ଯ୍ୟଦୟ ସମୟରେ ମା’ମାନେ ଫଳମୂଳ ଓ ମିଷ୍ଟାନ୍ନ ଭୋଗ ଲଗାଇଥାନ୍ତି। ଏହାପରେ ସୂର୍ଯ୍ୟପୁରାଣ ପାଠ କରାଯାଏ। ମଧ୍ୟାହ୍ନରେ ତେଜୋଦୀପ୍ତ ଭାସ୍କରଙ୍କୁ ଦ୍ବିତୀୟ ଧୂପ ଦିଆଯାଏ।

ଏଥିରେ ଗଇଁଠା, ଅଟକାଳି, ବିଭିନ୍ନ ପ୍ରକାରର ପିଠା, ଖେଚୁଡ଼ି ଓ ଡାଲମା ଆଦି ଭୋଗ ହୋଇଥାଏ। ତୃତୀୟ ଧୂପର ସମୟ ହେଉଛି ସୂର୍ଯ୍ୟାସ୍ତ ବା ଗୋଧୁଳି ବେଳା। ଏହି ସମୟରେ ଏଣ୍ଡୁରି, ମାଲପୁଆ, ଗଜା ଆଦି ନୈବେଦ୍ୟ ଅର୍ପଣ କରାଯାଏ। ଦୋପୁରିଆ ବୁଢ଼ା ଚକୁଳି ଓ ଘଡ଼ଘଡିଆ ତିଅଣ ମଧ୍ୟ ପ୍ରସ୍ତୁତ ହୋଇ ଭୋଗ ଲାଗିଥାଏ। ଏହି ପୂଜାରେ ଘରର ଯେତେ ପିଲା ଅଛନ୍ତି ସମସ୍ତଙ୍କ ନାମରେ ଗୋଟିଏ ଗୋଟିଏ ପିଠା ପୂଜା କରିବାର ବିଧି ମଧ୍ୟ କେତେକ ସ୍ଥାନରେ ରହିଛି। ଅର୍ଥାତ୍‌ ସୂର୍ଯ୍ୟ ଦେବତାଙ୍କୁ ସେହି ପିଲା ନାମରେ ସେହି ପିଠା ଭୋଗ କରାଯାଇଥାଏ। ଭୋଗ ପରେ ସେହି ପିଠାକୁ ସେ ହିଁ ପ୍ରସାଦ ଭାବେ ଗ୍ରହଣ କରିଥାଏ। ରାତ୍ରି କାଳରେ ଗୃହଣୀମାନେ ବୁଢ଼ା ଚକୁଳି କରି ଯମଙ୍କୁ ଅର୍ପଣ କରିଥାନ୍ତି।

ବିଶ୍ୱାସ କରାଯାଏ ଯେ, ଯମ ସନ୍ତୁଷ୍ଟ ହେଲେ ପୂରା ପରିବାର ନିରାମୟ ଜୀବନଯାପନ କରିଥାନ୍ତି । ବ୍ରହ୍ମପୁରାଣ, କପିଳ ସଂହିତା, ପ୍ରାଚୀମାହାତ୍ମ୍ୟ ଓ ଶାମ୍ବପୁରାଣ ଆଦି ଗ୍ରନ୍ଥରେ, ପୌଷ ଶୁକ୍ଳପକ୍ଷ ଦଶମୀ ତିଥି ଅର୍କକ୍ଷେତ୍ରରେ ସୂର୍ଯ୍ୟଙ୍କର ଆବିର୍ଭାବ ଦିବସ ରୂପେ ବର୍ଣ୍ଣିତ ଅଛି। ସେହି ଅନୁସାରେ, ଓଡ଼ିଶାର ପ୍ରତ୍ୟେକ ଗୃହରେ ‘ଶାମ୍ବ ଦଶମୀ’ ବା ‘ସମ୍ବର ଦଶମୀ’ ଭାବରେ ସୂର୍ଯ୍ୟଙ୍କର ଏକ ବିଶେଷ ପୂଜା ଅନୁଷ୍ଠିତ ହୋଇଥାଏ। ପୌରାଣିକ କଥା ଅନୁଯାୟୀ, କୃଷ୍ଣଙ୍କ ପୁତ୍ର ଶାମ୍ବ ଅଭିଶପ୍ତ ହୋଇ କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇଥିଲେ।

ତେବେ ଚନ୍ଦ୍ରଭାଗାରେ ବୁଡ଼ ପକାଇବା ସହ ସୂର୍ଯ୍ୟ ଦେବତାଙ୍କ ଆରାଧନା କରିବା ପରେ ସେ କୁଷ୍ଠ ରୋଗରୁ ଭଲ ହୋଇଥିଲେ ।  ଶାମ୍ବ ଦଶମୀ ଅବସରରେ କୋଣାର୍କରେ ସୌର ରଥ ଯାତ୍ରା ଅନୁଷ୍ଠିତ ହୁଏ । ହୋମ ଓ କଳସ ସ୍ଥାପନ ପରେ ସୂର୍ଯ୍ୟ ଦେବତାଙ୍କ ବିଗ୍ରହକୁ ରଥାରୂଢ଼ କରାଯିବା ପରେ ରଥ ଉପରେ ୧୦୮ କାକରା, ବରା ଓ ପୋଡ଼ପିଠା ଲାଗି ହୋଇଥାଏ। ଏହି ରଥ ୨୭ ଦିନ ପର୍ଯ୍ୟନ୍ତ ଚନ୍ଦ୍ରଭାଗାରେ ରହି ୨୭ ନକ୍ଷତ୍ରରେ ପୂଜାର୍ଚ୍ଚନା ପରେ ମାଘ ସପ୍ତମୀରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଥାଏ। ସୂର୍ଯ୍ୟ େହଉଛନ୍ତି ସକଳଶକ୍ତିର ଆଧାର। ସେ ଆରୋଗ୍ୟର ଦେବତା। ସୂର୍ଯ୍ୟଦେବଙ୍କୁ ଆରାଧନା କଲେ ସମସ୍ତ ରୋଗରୁ ମୁକ୍ତି ମିଳିଥାଏ ବୋଲି ଶାସ୍ତ୍ରଗୁଡ଼ିକରେ ଉଲ୍ଲେଖ ରହିଛି।