ସୃଜନ-କଳାରେ ଶବ୍ଦ ଓ ସ୍ୱରର ସମନ୍ୱୟ
ପ୍ରତିବର୍ଷ ଭାରତୀୟ ଚିତ୍ରତାରକାମାନେ ସେମାନଙ୍କ ଚମକ୍ଦାର୍ ଡିଜାଇନର୍ ଆଗା ବା ପୋଷାକ ପରିଧାନ କରି ସିନେମା, ଫେସନ୍, କଳାତ୍ମକ ଅଭିବ୍ୟକ୍ତିର ସଙ୍ଗମସ୍ଥଳ କ୍ୟାନିସ୍ର ରେଡ୍କାର୍ପେଟ୍ ଉପରେ ଚାଲନ୍ତି। କିନ୍ତୁ ପ୍ରତିଯୋଗିତା ବିଭାଗରେ ବିଗତ ତିରିଶ ବର୍ଷ ଧରି ଭାରତୀୟ ଚଳଚ୍ଚିତ୍ରଗୁଡ଼ିକ ସେଥିରେ ସ୍ଥାନ ପାଇ ପାରି ନ ଥିଲେ। ସୁଖର କଥା, ୨୦୨୪ରେ ପାୟଲ୍ କାପାଡ଼ିଆଙ୍କ ‘ଅଲ୍ ଉଇ ଇମାଜିନ୍ ଆଜ୍ ଲାଇଟ୍’ ଚଳଚ୍ଚିତ୍ରଟି ଫ୍ରାନ୍ସ୍ରେ ‘ଗ୍ରାଣ୍ଡ୍ ପ୍ରିକ୍ସ୍’ ଜିତିଛି। ନାରୀତ୍ୱ ଓ ପ୍ରବାସୀ ଅନୁଭୂତି ସମ୍ବନ୍ଧୀୟ […]

ପ୍ରତିବର୍ଷ ଭାରତୀୟ ଚିତ୍ରତାରକାମାନେ ସେମାନଙ୍କ ଚମକ୍ଦାର୍ ଡିଜାଇନର୍ ଆଗା ବା ପୋଷାକ ପରିଧାନ କରି ସିନେମା, ଫେସନ୍, କଳାତ୍ମକ ଅଭିବ୍ୟକ୍ତିର ସଙ୍ଗମସ୍ଥଳ କ୍ୟାନିସ୍ର ରେଡ୍କାର୍ପେଟ୍ ଉପରେ ଚାଲନ୍ତି। କିନ୍ତୁ ପ୍ରତିଯୋଗିତା ବିଭାଗରେ ବିଗତ ତିରିଶ ବର୍ଷ ଧରି ଭାରତୀୟ ଚଳଚ୍ଚିତ୍ରଗୁଡ଼ିକ ସେଥିରେ ସ୍ଥାନ ପାଇ ପାରି ନ ଥିଲେ। ସୁଖର କଥା, ୨୦୨୪ରେ ପାୟଲ୍ କାପାଡ଼ିଆଙ୍କ ‘ଅଲ୍ ଉଇ ଇମାଜିନ୍ ଆଜ୍ ଲାଇଟ୍’ ଚଳଚ୍ଚିତ୍ରଟି ଫ୍ରାନ୍ସ୍ରେ ‘ଗ୍ରାଣ୍ଡ୍ ପ୍ରିକ୍ସ୍’ ଜିତିଛି। ନାରୀତ୍ୱ ଓ ପ୍ରବାସୀ ଅନୁଭୂତି ସମ୍ବନ୍ଧୀୟ ବହୁସ୍ତରୀୟ, ସୌନ୍ଦର୍ଯ୍ୟ ଦୃଷ୍ଟିରୁ ଏହା ଏକ ଅତୁଳନୀୟ ଚଳଚ୍ଚିତ୍ର, ଯାହା ଯୁବ ଚିତ୍ରନିର୍ମାତାମାନଙ୍କ ପାଇଁ ଏକ ନୂଆ ମାନକ ବା ମାନଦଣ୍ଡ ସ୍ଥାପନ କରିଛି। ସେଥିରେ ଅଛି ଶବ୍ଦ ଓ ସ୍ୱରର ଯାଦୁ, ଯାହା ସ୍ୱାଧୀନୋତ୍ତର ଭାରତୀୟ ସୃଜନକଳାର ବୈଶିଷ୍ଟ୍ୟ ପ୍ରତିପାଦନ କରୁଛି। କାହାଣୀକାର ଉପଯୁକ୍ତ ଶବ୍ଦ ପ୍ରୟୋଗ କରିଛନ୍ତି, ସଂଳାପ-ରଚୟିତା ସଂଳାପଗୁଡ଼ିକରେ ସମାନୁପାତରେ ପ୍ରଭାବଶାଳୀ ଶବ୍ଦଗୁଡ଼ିଏ ବ୍ୟବହାର କରିଛନ୍ତି, ଅଭିନେତା ଅଭିନେତ୍ରୀମାନେ ମଧ୍ୟ ସଂଳାପଗୁଡ଼ିକୁ ଖୁବ୍ ପ୍ରଭାବୀ ଢଙ୍ଗରେ ଉଚ୍ଚାରଣ କରିଛନ୍ତି। ତତ୍ସହିତ ସଙ୍ଗୀତର ସ୍ୱରରେ ରହିଛି ଅନୁପମ ମାର୍ମିକ ମଧୁରତା।
ଶବ୍ଦ ଓ ସ୍ୱରର ଏପରି ଯାଦୁକରୀ ପ୍ରଭାବ ପ୍ରସଙ୍ଗରେ ଆମେ ସ୍ୱାଧୀନୋତ୍ତର ଭାରତବର୍ଷର କେତୋଟି ଚଳଚ୍ଚିତ୍ରକୁ ଦୃଷ୍ଟାନ୍ତ ସ୍ୱରୂପ ନେଇପାରିବା। ୧୯୫୩ରେ ମୁକ୍ତିଲାଭ କରିଥିବା ‘ଦୋ ବିଘା ଜମିନ୍’ରେ ଉପସ୍ଥାପିତ ହୋଇଛି କିପରି ଋଣ ଓ ପରିସ୍ଥିତିର ଚାପରେ କୃଷକମାନଙ୍କର ଦରିଦ୍ରୀକରଣ ହେଉଛି ଆଧୁନିକ ଭାରତର ଅପରିବର୍ତ୍ତନୀୟ ଦୁଃଖଦ ଘଟଣାମାନଙ୍କ ମଧ୍ୟରେ ଅନ୍ୟତମ। ବିମଳ ରାୟଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଅଛି ନବ ଯଥାର୍ଥବାଦ ଆଧାରିତ ଏକ ସାର୍ବଭୌମ ଅଭିରୁଚିର ବିଷୟବସ୍ତୁ, ଏକ ଅତି ଦୁଃଖୀ ପରିବାର, ବିପୁଳ ସହରୀ ନିମ୍ନବର୍ଗଙ୍କ କାହାଣୀ। ପୁରସ୍କାରପ୍ରାପ୍ତ ଏ ଚଳଚ୍ଚିତ୍ରର କାହାଣୀକାର-ସଙ୍ଗୀତକାର ହେଉଛନ୍ତି ସଲିଳ ଚୌଧୁରୀ। ଦୁର୍ଗତି, ଦୁର୍ଦ୍ଦଶା, ବିପତ୍ତି ଦ୍ୱାରା ଚାପି ହୋଇଯାଇଥିବା ନାୟକ ଭୂମିକାରେ ବଳରାଜ ସାହାଣିଙ୍କ ଅଭିନୟ ଚଳଚ୍ଚିତ୍ରକୁ ଆହୁରି ଜୀବନ୍ତ କରି ତୋଳିଥିଲା। ୧୯୫୫ ମସିହାରରେ ମୁକ୍ତିଲାଭ କରିଥିବା ‘ପଥେର୍ ପାଞ୍ଚାଳି’ ଚଳଚ୍ଚିତ୍ରରେ ବଙ୍ଗଳାର ରମଣୀୟ ଗ୍ରାମାଞ୍ଚଳ କିଭଳି ପରିବର୍ତ୍ତିତ ହୋଇଛି, ତା’ର ଏକ ସମ୍ବେଦନଶୀଳ, ସୂକ୍ଷ୍ମ ରୂପାୟନ କରିଛନ୍ତି ନିର୍ଦ୍ଦେଶକ ସତ୍ୟଜିତ୍ ରାୟ। ମୁଖ୍ୟ ଭୂମିକାରେ ଅଳ୍ପ ବୟସର ବାଳକ ଅଭିନୀତ ଏହି ଚଳଚ୍ଚିତ୍ରଟି ହେଉଛି ଚିତ୍ର-ଜଗତରେ କାବ୍ୟିକ ଅତିସୂକ୍ଷ୍ମବାଦର ପ୍ରଧାନ ବା ପ୍ରମୁଖ ପରିଚୟ। କ୍ୟାନିସ୍ଠାରେ ‘ଶ୍ରେଷ୍ଠ ହ୍ୟୁମାନ୍ ଡକୁମେଣ୍ଟ୍’ ପୁରସ୍କାର ଓ ଭାରତରେ ‘ଶ୍ରେଷ୍ଠ ଫିଚର୍ ଫିଲ୍ମ୍ ପୁରସ୍କାର’ପ୍ରାପ୍ତ ଏହି ଚଳଚ୍ଚିତ୍ରଟି ବିଶ୍ୱ ସିନେମା ମାନଚିତ୍ରରେ ଭାରତକୁ ସ୍ଥାପିତ କଲା ଏବଂ ବିଦେଶରେ ଭାରତୀୟ ଚଳଚ୍ଚିତ୍ର ସମ୍ବନ୍ଧରେ ଏକ ବିକଳ୍ପ ବିଚାର ବା ଅବଧାରଣାର ଛାପ ସୃଷ୍ଟି କଲା।
କେରଳ ଉପକୂଳବର୍ତ୍ତୀ ଅଞ୍ଚଳର ଧୀବରମାନଙ୍କ ଜୀବନକାହାଣୀ ଆଧାରରେ ରଚିତ ମାଲାୟାଲାମ୍ ଲେଖକ ଥାକାଝି ଶିବଶଙ୍କର ପିଲାଇଙ୍କ ଗୀତାତ୍ମକ ଉପନ୍ୟାସ ‘ଚେମିନ୍’ର କଥାବସ୍ତୁ ଆଧାରିତ ରାମୁ କରିଆଟ୍ଙ୍କ ନିର୍ଦ୍ଦେଶିତ ଚେମିନ୍(୧୯୬୫) ଚଳଚ୍ଚିତ୍ର ଏକ ଦୁଃଖଦ ଅନ୍ତର୍ଧାର୍ମିକ ପ୍ରେମ କାହାଣୀ ହୋଇଥିଲେ ହେଁ ସୁନ୍ଦର ଫଟୋଗ୍ରାଫି ସହିତ ସଲିଳ ଚୌଧୁରୀଙ୍କ ସ୍ମରଣୀୟ ସଙ୍ଗୀତ ଏହାକୁ ସେହିବର୍ଷର ଶ୍ରେଷ୍ଠ ଫିଚର୍ ଫିଲ୍ମ ଭାବେ ଜାତୀୟ ପୁରସ୍କୃତ କରିଥିଲା। ୧୯୭୫ରେ ‘ଶୋଲେ’ ଚଳଚ୍ଚିତ୍ରର ସଂଳାପଗୁଡ଼ିକୁ ଶିଶୁମାନେ ନର୍ସରୀ ରାଇମ୍ଠାରୁ ଅଧିକ ଭଲଭାବରେ ମନେ ରଖୁଥିଲେ। ବିବାହ କର୍ମକାଣ୍ଡରେ ଶୁଭୁଥିଲା ପୁରୋହିତଙ୍କ ମନ୍ତ୍ର ସହିତ ପୃଷ୍ଠଭୂମିରେ ଗ୍ରାମୋଫୋନ୍ରୁ ‘ତେରା କ୍ୟା ହୋଗା କାଲିଆ’। ଥିଏଟର୍ ପରଦାରେ ଅଭିନେତାମାନଙ୍କ ପୂର୍ବରୁ ଦର୍ଶକମାନେ ସଂଳାପଗୁଡ଼ିକୁ ପୁନରାବୃତ୍ତି କରୁଥିଲେ। ନିର୍ଦ୍ଦେଶକ ରମେଶ ସିପ୍ପି ନାୟକ ଓ ଖଳନାୟକ ଚରିତ୍ରଗୁଡ଼ିକ କିପରି ଆମ ଜୀବନର ଅଂଶ ହୋଇପାରନ୍ତି ତା’ର ଗୋଟେ ମାନକ ବା ମାନଦଣ୍ଡ ପ୍ରସ୍ତୁତ କରିପାରିଥିଲେ।
୧୯୮୦ ଦଶକ ଥିଲା ଭାରତୀୟ ସିନେମା ପାଇଁ ନିଶ୍ଚୟାତ୍ମକ ବା ସ୍ୱୀକାରାତ୍ମକ ରୂପ ଗ୍ରହଣ କରିବାର ସମୟ। ତେଣୁ ୧୯୮୩ର ‘ଅର୍ଦ୍ଧସତ୍ୟ’ର କାହାଣୀରେ ଜଣେ ସଚ୍ଚୋଟ ପୁଲିସ୍ ଅଧିକାରୀ ତା’ର ଦୃଢ଼, କଠୋର, ତାନାଶାହୀ ବାପା ସହିତ ସଂଘର୍ଷ ଦେଖିବାକୁ ମିଳିଲା। ଓମ୍ପୁରୀ, ଅନନ୍ତ ଭେଲାଙ୍କାର ପ୍ରମୁଖ ଦିଗ୍ଗଜ କଳାକାର ଅଭିନୀତ ‘ଅଦ୍ଧସତ୍ୟ’ ଥିଲା ଗୋଟେ ଯାଦୁକରୀ ସୁପର୍ହିଟ୍ ଫିଲ୍ମ, ବହୁ ପୁରସ୍କାରପ୍ରାପ୍ତ, ବ୍ୟବସାୟିକ ଦୃଷ୍ଟିରୁ ଖୁବ୍ ସଫଳ। ୧୯୯୦ ଦଶକରେ ଭାରତୀୟ ଅର୍ଥନୀତିର ଉଦାରୀକରଣ ହେଲା, ଉପଗ୍ରହ-ଦୂରଦର୍ଶନ ଆମେରିକୀୟ ସାବୁନ ଓ ସଂସ୍କୃତିକୁ ମଧ୍ୟବିତ୍ତ ପରିବାରକୁ ଆଣିଲା ଏବଂ ଜଗତୀକରଣ ଦ୍ରୁତ ଗତିରେ ହିନ୍ଦୀ ସିନେମା ପାଇଁ ଏକ ଡଲାର୍-ସମୃଦ୍ଧ ଅନିବାସୀ ଭାରତୀୟ ବଜାର ସୃଷ୍ଟି କଲା। ଏହି ଦ୍ରୁତ ପରିବର୍ତ୍ତନଶୀଳ ଆର୍ଥନୀତିକ ଓ ସାଂସ୍କୃତିକ ବ୍ରହ୍ମାଣ୍ଡରେ ୧୯୯୫ରେ ମୁକ୍ତି ଲାଭ କଲା ‘ଦିଲ୍ୱାଲେ ଦୁଲ୍ହନିୟା ଲେ ଯାଏଙ୍ଗେ’, ଯେଉଁଥିରେ ଦୁଇ ଯୁବ ଅନିବାସୀ ଭାରତୀୟଙ୍କ ମଧ୍ୟରେ ପ୍ରେମ କାହାଣୀ ଏକ ସକାରାତ୍ମକ, ସ୍ୱୀକାରାତ୍ମକ ରୂପ ଗ୍ରହଣ କଲା। ଚଳଚ୍ଚିତ୍ରଟି କୃତ୍ରିମ ଆଧୁନିକତା ଓ ସୁଖାନୁଭୂତିଦାୟକ ପରମ୍ପରା ମଧ୍ୟରେ ସଫଳ ସନ୍ତୁଳନ ରକ୍ଷା କଲା। ୨୦୧୫ରେ ମୁକ୍ତିଲାଭ କରିଥିବା ନିର୍ଦ୍ଦେଶକ ଏସ୍.ଏସ୍. ରାଜମୌଳିଙ୍କ ମହାକାବ୍ୟ ‘ବାହୁବଳୀ’ରେ ଅତ୍ୟାଧୁନିକ ଦୃଶ୍ୟ ପ୍ରଭାବ ସହିତ ଏକ କଳ୍ପିତ, ପୌରାଣିକ କଥା ସମ୍ବନ୍ଧୀୟ ଅତୀତର ସମ୍ମିଶ୍ରଣ ପ୍ରଦର୍ଶିତ ହେଲା। ବିଭିନ୍ନ ଭାଷାରେ ମୁକ୍ତିଲାଭ କରିଥିବାରୁ ସୁପର୍ହିଟ୍, ଅତି ଲୋକପ୍ରିୟ ଏ ଚଳଚ୍ଚିତ୍ରଟି ଭାଷାଗତ ବାଧା ନଷ୍ଟ କଲା, ବହୁତ ଅଧିକ ଧନ ଅର୍ଜନ କଲା, ୟା’ର ଗୁଣଗାନଭରା ବହୁ ସମୀକ୍ଷା ମଧ୍ୟ ପ୍ରକାଶିତ ହେଲା। ଉପରୋକ୍ତ ସମସ୍ତ ଚଳଚ୍ଚିତ୍ରରେ କାହାଣୀ ଓ ସଂଳାପ ରଚୟିତା, ଗୀତିକାରମାନେ ବ୍ୟବହାର କରିଥିବା ଶବ୍ଦ ଏବଂ ଅଭିନେତା, ସଙ୍ଗୀତଜ୍ଞମାନଙ୍କ ସ୍ୱରର ଯାଦୁକରୀ ପ୍ରଭାବରେ ଦର୍ଶକ, ଶ୍ରୋତାମାନେ ମୋହିତ ହୋଇଛନ୍ତି।
ସ୍ୱାଧୀନୋତ୍ତର ଭାରତରେ ଏଭଳି କେତେକ ଉପନ୍ୟାସ କାହାଣୀ ମଧ୍ୟ ସୃଷ୍ଟି ହୋଇଛି, ଯାହାର ଶବ୍ଦ ଓ ଅନ୍ତଃସ୍ୱର ପାଠକମାନଙ୍କୁ ମୁଗ୍ଧବିଭୋର ଅର୍ଥାତ୍ ମନ୍ତ୍ରମୁଗ୍ଧ କରିଛି। କେତୋଟି ପ୍ରତିନିଧିସ୍ଥାନୀୟ ସୃଷ୍ଟିକୁ ଦୃଷ୍ଟାନ୍ତ ସ୍ୱରୂପ ଉଲ୍ଲେଖ କରାଯାଇପାରେ। ୧୯୮୧ରେ ପ୍ରକାଶିତ ସଲ୍ମାନ୍ ରୁସ୍ଦିଙ୍କ ‘ମିଡ୍ନାଇଟ୍ସ୍ ଚିଲ୍ଡ୍ରେନ୍’ ବୁକର୍ ପୁରସ୍କାର, ଜେମ୍ସ୍ ଟେଟ୍ ମେମୋରିଆଲ୍ ପୁରସ୍କାର ପ୍ରାପ୍ତ ଉପନ୍ୟାସ। ଏ ହେଉଛି ୧୯୪୭ରେ ଘଟିଯାଇଥିବା ଘଟଣା ବା ବୃତ୍ତାନ୍ତଗୁଡ଼ିକର ଗୋଟେ ଢିଲା ରୂପକ (ଅର୍ଥାତ୍ କାହାଣୀ ଭିତରେ ଆଉ ଏକ କାହାଣୀ), ଯେଉଁଥିରେ ନାୟକ ଠିକ୍ ଭାରତ ସ୍ୱାଧୀନ ହେବାର ମୁହୂର୍ତ୍ତରେ ହିଁ ଜନ୍ମ ହୋଇଛି। ଅନେକ ବର୍ଷ ଧରି ରୁସ୍ଦି ଗୋଟେ ଫତ୍ୱା ଛାୟାରେ ବାସ କଲେ। ୨୦୨୨ ଅଗଷ୍ଟ ମାସରେ ତାଙ୍କ ଉପରେ ଆକ୍ରମଣ ହେଲା, କିନ୍ତୁ ବଞ୍ଚିଗଲେ। ସେହି ଆକ୍ରମଣ ଘଟଣା ଆଧାରରେ ପ୍ରକାଶ ପାଇଛି ତାଙ୍କର ସଦ୍ୟତମ ଉପନ୍ୟାସ ‘ନାଇଫ୍’। ୧୯୮୬ରେ ପ୍ରକାଶ ପାଇଛି ବିକ୍ରମ ସେଠ୍ଙ୍କ ‘ଦି ଗୋଲ୍ଡେନ୍ ଗେଟ୍’, ଯେଉଁଥିପାଇଁ ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ଘରେ ଘରେ ସେ ପରିଚିତ। ଉପନ୍ୟାସଟି ଛନ୍ଦକବିତା ଆକାରରେ ଲିଖିତ, ୫୯୦ଗୋଟି ଓନେଜିନ୍ ଷ୍ଟାଞ୍ଜା ବା ପୁସ୍କିନ୍ ସନେଟ୍ ସେଥିରେ ଅଛି। ଚାଲ୍ସ୍ର୍ ଜନ୍ଷ୍ଟନ୍ କରିଥିବା ପୁସ୍କିନ୍ଙ୍କ ‘ଇଉଜିନ୍ ଓନେଜିନ୍’ର ଅନୁବାଦ ଦ୍ୱାରା ସେଠ୍ ପ୍ରଭାବିତ। ସାତ ବର୍ଷ ପରେ ପ୍ରକାଶ ପାଇଛି ସେଠ୍ଙ୍କର ଅନ୍ୟ ଏକ ସଫଳ ଓ ଅତି ଲୋକପ୍ରିୟ ଉପନ୍ୟାସ ‘ଏ ସୁଇଟେବଲ୍ ବୟ୍’। ୧୯୮୮ରେ ପ୍ରକାଶିତ ଅମିତାଭ୍ ଘୋଷ୍ଙ୍କ ‘ଦି ସ୍ୟାଡୋ ଲାଇନ୍ସ୍’ ସ୍ୱଦେଶୀ ଆନ୍ଦୋଳନ, ୨ୟ ବିଶ୍ୱଯୁଦ୍ଧ, ବିଭାଜନ ଏବଂ ଢାକା ଓ କଲିକତାରେ ୧୯୬୩-୬୪ରେ ସାମ୍ପ୍ରଦାୟିକ ଦଙ୍ଗା ଇତ୍ୟାଦି ଐତିହାସିକ ଘଟଣାର ପୃଷ୍ଠଭୂମିରେ ରଚିତ। ଏଥିରେ ଉପସ୍ଥାପିତ ହୋଇଛି ସୀମାନ୍ତ ରେଖାଗୁଡ଼ିକର ଅସାରତା, ନିରର୍ଥକତା।
ଅରୁନ୍ଧତୀ ରାୟଙ୍କର ପ୍ରଥମ ଉପନ୍ୟାସ ‘ଦି ଗଡ଼଼୍ ଅଫ୍ ସ୍ମଲ୍ ଥିଙ୍ଗ୍ସ୍’ ବୁକର୍ ପୁରସ୍କାର ଲାଭ କଲା ୧୯୯୭ ବର୍ଷରେ। ହାର୍ପର୍ କଲିନ୍ସ୍ର ସମ୍ପାଦକ ପଙ୍କଜ ମିଶ୍ର ଏ ଉପନ୍ୟାସର ପ୍ରାରୂପଟିକୁ ବ୍ରିଟିଶ୍ ପ୍ରକାଶକମାନଙ୍କ ନିକଟକୁ ପଠାଇଲେ ଓ ଅରୁନ୍ଧତୀ ପାଞ୍ଚଲକ୍ଷ ପାଉଣ୍ଡ୍ ଅଗ୍ରିମ ଅର୍ଥ ପ୍ରାପ୍ତ କଲେ। ତାଙ୍କ ମତରେ, ‘ମହାନ୍ ଗପଗୁଡ଼ିକ ହେଉଛି ତାହା ଯାହାକୁ ଆପଣ ଶୁଣିଛନ୍ତି ଓ ପୁଣିଥରେ ଶୁଣିବାକୁ ଇଚ୍ଛା କରୁଛନ୍ତି। ଗପର ଯେକୌଣସି ପୃଷ୍ଠା ପଢ଼଼ିଲେ ବି ତାହା ସୁଖପାଠ୍ୟ ହେବ।’ ପ୍ରତିଷ୍ଠିତ ଉପନ୍ୟାସ ‘କ୍ଲିଅର୍ ଲାଇଟ୍ ଅଫ୍ ଡେ’ର ଲେଖିକା ଅନିତା ଦେଶାଇ ଥିଲେ ଜଣେ ମାର୍ଗଦର୍ଶକ। ତାଙ୍କ ଝିଅ କିରଣ ଦେଶାଇ ‘ଦି ଇନ୍ହେରିଟାନ୍ସ୍ ଅଫ୍ ଲସ୍’ ଉପନ୍ୟାସ ରଚନା କରି ୨୦୦୭ ମସିହାରେ ମାତ୍ର ୩୫ବର୍ଷ ବୟସରେ ମ୍ୟାନ୍ବୁକର୍ ପୁରସ୍କାର ଲାଭକଲେ। ଉପନ୍ୟାସଟିରେ ରହିଛି ୧୯୯୦ ଦଶକ ମଧ୍ୟଭାଗର ବିଶ୍ୱୀକରଣ ବା ଭୂମଣ୍ଡଳୀକରଣ, ଆତଙ୍କବାଦ ଓ ଅପ୍ରବାସର କାହାଣୀ। ଯେତେବେଳେ ଅମିଶ୍ ତ୍ରିପାଠୀଙ୍କ ପ୍ରଥମ ଉପନ୍ୟାସ ଓ ଶିବ ଉପନ୍ୟାସତ୍ରୟୀର ପ୍ରଥମ ପୁସ୍ତକ ‘ଦି ଇମୋର୍ଟାଲ୍ସ୍ ଅଫ୍ ମେଲୁହା’ ୨୦୧୦ ବର୍ଷରେ ପ୍ରକାଶ ପାଇଲା ଭାରତୀୟ ଇଂରାଜୀ ଲେଖାରେ ଗୋଟେ ନୂଆ ଧାରା ବା ପ୍ରବାହର ପ୍ରଚଳନ ହେଲା – ପୌରାଣିକ ଉପନ୍ୟାସ। ଚେତନ ଭଗତଙ୍କ ସହିତ ସେ ମଧ୍ୟ ଥିଲେ ଇଂରାଜୀରେ ଲୋକପ୍ରିୟ ଲେଖାଗୁଡ଼ିକୁ ବ୍ୟବସାୟିକ ଦୃଷ୍ଟିରୁ ଯୋଗ୍ୟ କରିବା ଦିଗରେ ଜଣେ ମୁଖ୍ୟ ସଞ୍ଚାଳକ।
ଉପରୋକ୍ତ କଥାକାରମାନଙ୍କ ଉପନ୍ୟାସ ଓ ଗଳ୍ପଗୁଡ଼ିକରେ ଚରିତ୍ରମାନେ ପରସ୍ପର ସହିତ କଥା ହେଲାବେଳେ କିମ୍ବା ପରିସ୍ଥିତି, ଘଟଣା ପ୍ରତି ପ୍ରତିକ୍ରିୟା ପ୍ରକାଶ କଲାବେଳେ ସେମାନଙ୍କ ସ୍ୱରରେ ଯଥାର୍ଥ ଆବେଗ ଭରି ରହିଛି। ପାଠକ, ଦର୍ଶକ ଓ ଶ୍ରୋତାମାନଙ୍କୁ ସେହି ବାର୍ତ୍ତା ପ୍ରଦାନ କରୁଛି ପାୟଲ୍ କାପାଡ଼ିଆଙ୍କ ୨୦୨୪ର ‘ଅଲ୍ ଉଇ ଇମାଜିନ୍ ଆଜ୍ ଲାଇଟ୍’ ଚଳଚ୍ଚିତ୍ରଟି। ସ୍ୱାଧୀନନୋତ୍ତର ଭାରତର ସୃଜନ ସାହିତ୍ୟ ଓ କଳା କ୍ଷେତ୍ରରେ ଶବ୍ଦ ଓ ସ୍ୱରର ଏପରି ପ୍ରଭାବ ସତରେ ଅତ୍ୟନ୍ତ ଯାଦୁକରୀ ଓ ଚୁମ୍ବକୀୟ।
ମନୋରଞ୍ଜନ ମହାନ୍ତି
ଅବସରପ୍ରାପ୍ତ ଇଂରାଜୀ ପ୍ରାଧ୍ୟାପକ
ଧର୍ମଶାଳା(ଯାଜପୁର),
ମୋ: ୯୮୫୩୨୮୨୯୬୨