ସେମାନଙ୍କ ସୁରକ୍ଷା ହିଁ ଆମର ସୁରକ୍ଷା
ପରିବେଶ ସଂକ୍ରାନ୍ତୀୟ ଆନ୍ତର୍ଜାତିକ ସଂସ୍ଥା ଆଇ.ୟୁ.ସି.ଏନ୍.ର ସୂଚନା ଅନୁଯାୟୀ, ଆମ ପୃଥିବୀରେ ପ୍ରାୟ ୮୭ ଲକ୍ଷ ଜାତିର ପ୍ରାଣୀ ବସବାସ କରନ୍ତି। ସେମାନଙ୍କ ମଧ୍ୟରୁ ମଣିଷ ଗୋଟିଏ ଜାତି। କେତେକ ଜାତିର ଜୀବ ଧୀରେ ଧୀରେ ପୃଥିବୀରୁ ନିଶ୍ଚିହ୍ନ ହେବାରେ ଲାଗିଛନ୍ତି। ଅନେକ ପ୍ରାଣୀ ଓ ଉଦ୍ଭିଦ ମଧ୍ୟ ଅତିଶୀଘ୍ର ଲୋପ ପାଇବାକୁ ଯାଉଛନ୍ତି। ଚିନ୍ତାର ବିଷୟ ଯେ, ପ୍ରାଣୀ ଓ ଉଦ୍ଭିଦଗୁଡ଼ିକ ବିବର୍ତ୍ତନ ନିୟମ ଅନୁଯାୟୀ ଯେଉଁ ହାରରେ ପୃଥିବୀରୁ ଲୋପପାଇବା କଥା, ତାହାର ୧୦୦ […]

ପରିବେଶ ସଂକ୍ରାନ୍ତୀୟ ଆନ୍ତର୍ଜାତିକ ସଂସ୍ଥା ଆଇ.ୟୁ.ସି.ଏନ୍.ର ସୂଚନା ଅନୁଯାୟୀ, ଆମ ପୃଥିବୀରେ ପ୍ରାୟ ୮୭ ଲକ୍ଷ ଜାତିର ପ୍ରାଣୀ ବସବାସ କରନ୍ତି। ସେମାନଙ୍କ ମଧ୍ୟରୁ ମଣିଷ ଗୋଟିଏ ଜାତି। କେତେକ ଜାତିର ଜୀବ ଧୀରେ ଧୀରେ ପୃଥିବୀରୁ ନିଶ୍ଚିହ୍ନ ହେବାରେ ଲାଗିଛନ୍ତି। ଅନେକ ପ୍ରାଣୀ ଓ ଉଦ୍ଭିଦ ମଧ୍ୟ ଅତିଶୀଘ୍ର ଲୋପ ପାଇବାକୁ ଯାଉଛନ୍ତି। ଚିନ୍ତାର ବିଷୟ ଯେ, ପ୍ରାଣୀ ଓ ଉଦ୍ଭିଦଗୁଡ଼ିକ ବିବର୍ତ୍ତନ ନିୟମ ଅନୁଯାୟୀ ଯେଉଁ ହାରରେ ପୃଥିବୀରୁ ଲୋପପାଇବା କଥା, ତାହାର ୧୦୦ ଗୁଣରୁ ଢେର ଅଧିକ ହାରରେ ଲୋପ ପାଇବାର ଦେଖିବାକୁ ମିଳୁଛି।
୨୦୦୬ ମସିହାରେ ହୋଇଥିବା ଏକ ବୈଜ୍ଞାନିକ ଗବେଷଣାର ତଥ୍ୟ ଅନୁସାରେ ସେତେବେଳେ ୧୬, ୧୧୯ ଜାତିର ଜୀବ ଅତି ଶୀଘ୍ର ଲୋପ ପାଇବାକୁ ଯାଉଥିଲେ। କିନ୍ତୁ ୨୦୨୧ ମସିହାରେ ସେହି ସଂଖ୍ୟା ୩୭, ୪୦୦ ଛୁଇଁଥିଲା। ପୁଣି ୨୦୨୨ ମସିହାରେ ପାଖାପାଖି ୩୦୦୦ ବିଶେଷଜ୍ଞଙ୍କର ଗବେଷଣାରୁ ଜଣାପଡ଼ିଲା ଯେ, ପ୍ରାଣୀମାନଙ୍କର ବିଲୁପ୍ତି ସଂଖ୍ୟା ଆହୁରି ବଢ଼଼ିଚାଲିଛି। ୨୦୨୩ ମସିହାରେ ଜଣାପଡ଼ିଲା ୭୦, ୦୦୦ ଜାତିରୁ ପ୍ରାୟ ପ୍ରାୟ ୩୩, ୬୦୦ ଜାତି ଅତି ସଂକଟରେ ରହିଛନ୍ତି। ସେମାନଙ୍କର ସଂଖ୍ୟା ଦ୍ରୁତଗତିରେ ହ୍ରାସ ପାଇ ଚାଲିଛି। ଆମ ପରିବେଶରେ ଆଜି ଏଭଳି ପରିସ୍ଥିତିକୁ ସୁଧାରିବା ଦିଗରେ ପରିବେଶବିତ୍ମାନେ ଆଗେଇ ଆସିଛନ୍ତି।
ପର୍ବତଶୃଙ୍ଗଠାରୁ ଆରମ୍ଭ କରି ମହାସାଗରର ଶଯ୍ୟା ପର୍ଯ୍ୟନ୍ତ ଏବଂ ମେରୁଅଞ୍ଚଳର ଅତିଶୀତଳ ପରିବେଶରୁ ଆରମ୍ଭ କରି ଉଷ୍ଣପ୍ରସ୍ରବଣର ଅତିଉତ୍ତପ୍ତ ପରିସର ପର୍ଯ୍ୟନ୍ତ ସବୁଠି ଜୀବସତ୍ତାର ଉପସ୍ଥିତି ରହିଛି। ଜଳ-ସ୍ଥଳ-ଆକାଶ ସବୁଠାରେ ଜୀବସମୂହ ବଞ୍ଚି ରହିଛନ୍ତି। କିନ୍ତୁ ସବୁ ଜୀବ ଦେଖିବାକୁ ସମାନ ନୁହନ୍ତି। ସେମାନେ କ୍ଷୁଦ୍ରାତିକ୍ଷୁଦ୍ର ଅଣୁଜୀବଠାରୁ ଆରମ୍ଭ କରି ବିଶାଳକାୟ ନୀଳତିମି ରୂପରେ ବିଦ୍ୟମାନ; ଅଥବା ଅତି ନଗଣ୍ୟ ଶିଉଳିରୁ ଆରମ୍ଭ କରି ବିରାଟକାୟ ଦ୍ରୁମ ରୂପରେ ଧରାପୃଷ୍ଠରେ ଦେଖିବାକୁ ମିଳୁଛନ୍ତି। କୌଣସି ଏକ ବାସୋପଯୋଗୀ ପରିବେଶ ତଥା ସେଠାରେ ରହୁଥିବା ପରସ୍ପର ସହିତ ସଂଶ୍ଳିଷ୍ଟ ସମସ୍ତ ଜୈବିକ ଓ ଅଜୈବିକ ଉପାଦାନର ସମାହାରକୁ ‘ପରିସଂସ୍ଥା’ କୁହାଯାଏ। ଆନୁବଂଶିକ ବିଭିନ୍ନତା ଓ ସଂଗଠନ ବିବିଧତା ସମେତ ଜୀବନଗୁଡ଼ିକୁୁ ଧାରଣ କରିଥିବା ପରିସଂସ୍ଥାର ସାମଗ୍ରିକ ଅବସ୍ଥାକୁ ‘ଜୈବବିବିଧତା’ କୁହାଯାଏ। ‘ଜୈବବିବିଧତା’ ହେଉଛି ଏକ ନିର୍ଦ୍ଦିଷ୍ଟ ପରିବେଶରେ ଉଦ୍ଭିଦ ତଥା ପ୍ରାଣୀସମୂହର ପରସ୍ପର ନିର୍ଭରଶୀଳ ନିରାପଦ ଅବସ୍ଥାନ। ପୃଥିବୀରେ ଦେଖାଯାଉଥିବା ଛୋଟବଡ଼ ସମସ୍ତ ଜୀବଜନ୍ତୁ, କ୍ଷୁଦ୍ରବୃହତ୍ ସବୁ ବୃକ୍ଷଲତା, ସମସ୍ତ ଜାତିର କବକ ଏବଂ ସବୁ ପ୍ରକାରର ଅଣୁଜୀବ ଏହି ଜୈବବିବିଧତା ମଧ୍ୟରେ ଅନ୍ତର୍ଭୁକ୍ତ। ଆମର ଖାଦ୍ୟପଦାର୍ଥ ସଂଗ୍ରହ, ଔଷଧୀୟ ସୁଲଭତା, ପ୍ରାକୃତିକ ସୌନ୍ଦର୍ଯ୍ୟରକ୍ଷା, ପରିବେଶ ସନ୍ତୁଳନ ତଥା ନୂତନ ପ୍ରଜାତିର ଆବିର୍ଭାବ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଜୈବବିବିଧତାର ମୁଖ୍ୟ ଭୂମିକା ରହିଛି। ଏଥିରୁ ସଠିକ୍ ଜାଣି ହେଉଛି ଯେ, ସେମାନେ ସୁରକ୍ଷିତ ନ ରହିଲେ ଆମେ ଅସୁବିଧାରେ ପଡ଼ିବା।
ଆମ ପରିବେଶରେ ଆମ ସହିତ ଏତେ ଜାତିର ରହିଥିବା ଜୀବଜନ୍ତୁ ଓ ଉଦ୍ଭିଦ ମଧ୍ୟରୁ ୩ ଲକ୍ଷରୁ ଅଧିକ ଜାତିର ଗଛଲତା, ୮ ଲକ୍ଷ ପ୍ରକାରର କୀଟପତଙ୍ଗ, ସାଢ଼େ ୩ ଲକ୍ଷରୁ ଅଧିକ ଅଣୁଜୀବ ତଥା ୪୦ ହଜାର ଜାତିର ମେରୁଦଣ୍ଡୀଜୀବ ସମ୍ପର୍କରେ ଆମେ ବେଶ୍ ପରିଚିତ। ଚିହ୍ନଟ ପୂର୍ବକ ନାମକରଣ କରାଯାଇ ପାରିଛି ମାତ୍ର ୧୫ରୁ ୧୭ ଲକ୍ଷ ପ୍ରକାର ସଜୀବଙ୍କର, ଯାହାକି ପ୍ରକୃତ ଅବସ୍ଥାନର ୫ ଭାଗର ମାତ୍ର ଏକ ଭାଗ। ଆମେ ପ୍ରତିଦିନ ଆମର ଖାଦ୍ୟ ସଂଗ୍ରହରୁ ଆରମ୍ଭ କରି ଔଷଧୀୟ ଗବେଷଣା ନିମନ୍ତେ ପ୍ରାୟ ୪୦, ୦୦୦ ଜୈବସମୂହଙ୍କ ସଂସ୍ପର୍ଶରେ ଆସିଥାଉ। ଏମିତି ବି ହୋଇପାରେ, ପରିବେଶ ପ୍ରଦୂଷଣ ହେତୁ ଆମେ କୌଣସି ଜାତିକୁ ଜାଣିବା କିମ୍ବା ସେମାନଙ୍କ ନିକଟରେ ପହଞ୍ଚିବା ପୂର୍ବରୁ ମଧ୍ୟ ସେହି ଜାତିର ଜୀବସମୂହ ପ୍ରତିକୂଳ ପରିସ୍ଥିତିରେ ପୃଥିବୀରୁ ଲୋପ ପାଇଯାଉଛନ୍ତି। ଆମେ ପୃଥିବୀରେ ବଞ୍ଚିରହିବା ସକାଶେ ସେମାନଙ୍କର ବର୍ଦ୍ଧିଷ୍ଣୁ ଅବକ୍ଷୟକୁ ଆମକୁ ରୋକିବାକୁ ହେବ।
ଆଜି ଶାଗୁଣା ଦେଖିବାକୁ ମିଳୁନାହାନ୍ତି। ଘରଚଟିଆ ସ୍ୱପ୍ନ ହେଲେଣି। ଆମେ ପିଲାବେଳେ ଦେଖିଥିବା ଅନେକ ଗଛ ଏବେ ଆମ ଆଖିରେ ପଡୁନାହିଁ। ଏହାର ଅର୍ଥ ସେସବୁ ଜାତି ଆମ ଅଞ୍ଚଳରୁ ଲୋପ ପାଇଗଲେ। କିନ୍ତୁ ଆମେ ଭାବୁଛୁ ଯେ ସେମାନେ ମଲେ ଗଲେ ଆମର କିଛି ଅସୁବିଧା ହେବ ନାହିଁ। କିନ୍ତୁ ଆମର ଭାବନା ପୂରା ଭୁଲ। ସେମାନେ ଅଛନ୍ତି ବୋଲି ଆମେ ଅଛୁ। ସେମାନେ ଲୋପ ପାଇଗଲେ ଆମର ନିଶ୍ଚୟ ଅସୁବିଧା ହେବ। ଜୈବବିବିଧତାରେ ସମସ୍ୟା ରହିଲେ ସେହି ସମସ୍ୟା ହିଁ ଆମକୁ ସିଧାସଳଖ ବିପଦରେ ପକେଇବ। ଆମେ ଯେତେ ଗାଡ଼ିମୋଟର ଓ କଳକାରଖାନାର ମାଲିକ ହେଲେ ବି ଖାଦ୍ୟ, ବସ୍ତ୍ର, ଔଷଧ, ଜାଳେଣି, ବାସଗୃହ ଓ ଶକ୍ତିସମ୍ପଦ ସକାଶେ ପରିବେଶ ଉପରେ ନିର୍ଭର କରୁ। ତେଣୁ ପରିବେଶର ବାୟୁ-ପାଣି-ମାଟି-ଆକାଶକୁ ଆମେ ‘ବାପାମାଆ’ କହୁ।
ଆମର ପରିବେଶ ଓ ଜୈବବିବିଧତାକୁ ସମ୍ମାନ ଦେବା, ସୁରକ୍ଷା ପ୍ରଦାନ କରିବା ତଥା ଜୈବବିବିଧତାରେ ଦେଖାଦେଇଥିବା କ୍ଷୟକ୍ଷତିର ଭରଣା କରିବା ଉଦ୍ଦେଶ୍ୟରେ ୨୦୨୨ ମସିହା ଡିସେମ୍ବର ମାସରେ ବିଶ୍ୱସ୍ତରରେ ଏକ ଯୋଜନା ପ୍ରସ୍ତୁତ କରାଯାଇଥିଲା, ଯାହାର ନାମ ‘କୁନ୍ମିଙ୍ଗ୍-ମଣ୍ଟ୍ରିଲ୍ ଗ୍ଲୋବାଲ୍ ବାୟୋଡାଇଭର୍ସିଟି ଫ୍ରେମ୍ଓାର୍କ।’ ଏହାକୁ ଆମେ ‘ଜୈବବିବିଧତା ଯୋଜନା’ କହିପାରିବା। ୨୦୫୦ ମସିହା ସୁଦ୍ଧା ପ୍ରାକୃତିକ ପରିବେଶ ଓ ଜୈବବିବିଧତାରେ ଦେଖାଯାଉଥିବା କ୍ଷୟକ୍ଷତିକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଓ ହୋଇଥିବା କ୍ଷୟକ୍ଷତିର ଭରଣା କରିବା ଏହାର ଉଦ୍ଦେଶ୍ୟ। ସେହି ପରିପ୍ରେକ୍ଷୀରେ ଡିସେମ୍ବର ୨୨ ତାରିଖକୁ ଜୈବବିବିଧତାର ସୁରକ୍ଷା ସକାଶେ ଆନ୍ତର୍ଜାତୀୟ ଦିବସ ଭାବରେ ପାଳନ କରାଯାଉଛି। ୨୦୨୪ ମସିହାର ଏହି ଦିବସ ଉଦ୍ଦେଶ୍ୟରେ ଜନସାଧାରଣଙ୍କ ପାଇଁ ସନ୍ଦେଶ ରହିଛି ‘ଜୈବବିବିଧତା ଯୋଜନାରେ ନିଜକୁ ସାମିଲ କରିବା।’ ଜୈବବିବିଧତାର ସୁରକ୍ଷା ସମ୍ପର୍କିତ ଯୋଜନାଗୁଡ଼ିକୁ ସଫଳ କରିବା କାମରେ ଆମ ସମସ୍ତଙ୍କର ଭୂମିକା ରହିଛି। ୨୦୨୪ ଅକ୍ଟୋବର-ନଭେମ୍ବର ମାସରେ କଲମ୍ବିଆରେ ଏହି ଯୋଜନାକୁ ତ୍ୱରାନ୍ୱିତ କରିବା ସକାଶେ ଅନ୍ତର୍ଜାତୀୟ ସମ୍ମିଳନୀ ମଧ୍ୟ ଆୟୋଜନ ହେବାକୁ ଯାଉଛି। ଆଜି ଏତେ ଅସୁବିଧା ସମ୍ପର୍କରେ ଜାଣିବା ପରେ ଆମ ପିଢ଼ି ଜୈବବିବିଧତାର ସୁରକ୍ଷା ଦିଗରେ ସଚେତନ ନ ହେଲେ ଆମର ଭବିଷ୍ୟତ ପିଢ଼ି ପୃଥିବୀରେ ତିଷ୍ଠି ରହିବା କାଠିକର ପାଠ ହେବ।
ଡକ୍ଟର କମଳାକାନ୍ତ ଜେନା
ଭଦ୍ରକ, ମୋ: ୯୪୩୯୫୦୧୬୫୧
(ଭଦ୍ରକ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ)