ସ୍କୁଲ ପରେ ହସ୍ପିଟାଲ ପାଳି, ବୋମା ବିସ୍ଫୋରଣ ଧମକ

ବୁରାଡି ହସ୍ପିଟାଲ ଓ ସଞ୍ଜୟ ଗାନ୍ଧି ହସ୍ପିଟାଲକୁ ବୋମା ବିସ୍ଫୋରଣ କରି ଉଡାଇ ଦେବାକୁ ଧମକ ମିଳିଛି।

ସ୍କୁଲ ପରେ ହସ୍ପିଟାଲ ପାଳି, ବୋମା ବିସ୍ଫୋରଣ ଧମକ

ସ୍କୁଲ ପରେ ଏବେ ହସ୍ପିଟାଲ ପାଳି। ରାଜଧାନୀର ଦୁଇଟି ବଡ ହସ୍ପିଟାଲକୁ ବୋମା ଲଗାଇ ଉଡାଇ ଦେବାକୁ ମିଳିଛି ଧମକ। ଇ-ମେଲ୍‌ ଜରିଆରେ ଏହି ଧମକ ଆସିଛି। ଏହାପରେ ଚାରିଆଡେ ଆତଙ୍କ ଖେଳି ଯାଇଛି।

ଦିଲ୍ଳୀର ଜଣାଶୁଣା ବୁରାଡି ହସ୍ପିଟାଲ ଓ ସଞ୍ଜୟ ଗାନ୍ଧି ହସ୍ପିଟାଲକୁ ବୋମା ବିସ୍ଫୋରଣ ଧମକ ମିଳିଛି। ଏହି ଧମକପୂର୍ଣ୍ଣ ମେଲ୍‌ ଆସିବା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି। ବମ ସ୍କ୍ୱାଡ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି।

ଡିଏସ୍‌ପି ସଞ୍ଜୀବ ମୀନାଙ୍କ କହିବା ମୁତାବକ, ପ୍ରଥମେ ରବିବାର ୩ଟା ବେଳେ ବୁରାଡି ହସ୍ପିଟାଲକୁ ଧମକପୂର୍ଣ୍ଣ ଇ-ମେଲ୍‌ ଆସିଥିଲା। ୪୫ ମିନିଟ୍‌ ପରେ ସଞ୍ଜୟ ଗାନ୍ଧି ହସ୍ପିଟାଲକୁ ସମାନ ମେଲ୍‌ ଆସିଥିଲା। ଏନେଇ ସୂଚନା ମିଳିବା ପରେ ଘଟଣାସ୍ଥଳରେ ପୁଲିସ ଟିମ୍‌, ବମ ସ୍କ୍ୱାଡ୍‌, ଦମକଳ ବିଭାଗର ଟିମକୁ ନିୟୋଜିତ କରାଯାଇଛି। ହସ୍ପିଟାଲ ଭିତରେ ସର୍ଚ୍ଚ ଅପରେସନ୍‌ ଜାରି ରହିଛି। ତେବେ ବର୍ତ୍ତମାନ ସୁଦ୍ଧା କୌଣସି ବି ସନ୍ଧିଗ୍ଧ ଜିନିଷ ମିଳିନାହିଁ।  

ଗତ ସପ୍ତାହରେ ଦିଲ୍ଲୀ ଓ ଗୁଜରାଟ ଅହମ୍ମଦାବାନର ସ୍କୁଲକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିଥିଲା। ପରେ ଏହା ଏକ ଗୁଜବ ବୋଲି ଜଣାପଡିଥିଲା। ମେ' ୨ ତାରିଖରେ ପାଖାପଖି ଦିଲ୍ଲୀର ୧୩୧ଟି ସ୍କୁଲ, ଗୁରୁଗ୍ରାମରେ ୫ଟି ଏବଂ ନୋଏଡା ଏବଂ ଗ୍ରେଟର ନୋଏଡାରେ ତିନୋଟି ସ୍କୁଲ ଧମକପୂର୍ଣ୍ଣ ଇ-ମେଲ ମିଳିଥିଲା। ଏହି ମେଲ୍‌ଗୁଡିକ ବିଦେଶରୁ ଆସିଥିବା ଆଇପି ଆଡ୍ରେସ୍‌ରୁ ଜଣାପଡିଥିଲା।

ଇ-ମେଲ୍‌ରେ ଅଭିଯୁକ୍ତମାନେ ଆରବ ଶବ୍ଦ'ସବାରିଇମ୍‌' ବ୍ୟବହାର କରିଥିଲେ। ଏହାକୁ ଆଇଏସଆଇଏସ୍‌ ସହ ଯୋଡା ଯାଇଥିଲା। ତେବେ ସର୍ଚ୍ଚ ବେଳେ କୌଣସି ସ୍କୁଲରୁ କିଛି ସନ୍ଦିଗ୍ଧ ଜିନିଷ ମିଳିନଥିଲା।