ସ୍କୁଲ୍‌ ପରିସରରେ ମଦ୍ୟପର ଆକ୍ରମଣ, ୫ ଛାତ୍ର ଆହତ

ମଦ୍ୟପ ୧୫ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲା।

ସ୍କୁଲ୍‌ ପରିସରରେ ମଦ୍ୟପର ଆକ୍ରମଣ, ୫ ଛାତ୍ର ଆହତ

ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ର ବଙ୍କେଲ ସରକାରୀ ପ୍ରାଥମିକ ସ୍କୁଲ ପରିସରରେ ପଶି ଜଣେ ମଦ୍ୟପ ଆକ୍ରମଣ କରିବା ଯୋଗୁ ୫ ଜଣ ଛାତ୍ର ଆହତ ହୋଇଛନ୍ତି। ଟିଟିଲାଗଡ଼ ଡାକ୍ତରଖାନାରେ ସେମାନଙ୍କର ଚିକିତ୍ସା କରାଯାଇଛି।

ବିଦ୍ୟାଳୟର ସହକାରୀ ଶିକ୍ଷକ ବିଭୀଷଣ ବାଗଙ୍କ ସୂଚନା ଅନୁଯାୟୀ, ଛାତ୍ରଛାତ୍ରୀମାନେ ମଧ୍ୟାହ୍ନ ଭୋଜନ କରି ଥାଳି ଧୋଇବାକୁ ଯାଉଥିବା ବେଳେ ଉକ୍ତ ମଦ୍ୟପ ଜଣଙ୍କ ସ୍କୁଲ ପରିସରକୁ ପଶି ଆସିଥିଲା। ସେ ଏକ ବାଡ଼ିରେ ପିଲାମାନଙ୍କୁ ଆକ୍ରମଣ କରିଥିଲା। ସେ ୧୫ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲା। ସେମାନଙ୍କ ମଧ୍ୟରୁ ୫ ଜଣ ଛାତ୍ର ଆହତ ହୋଇଛନ୍ତି।

ଏହି ଘଟଣାକୁ ନେଇ ବିଇଓଙ୍କ ମାଧ୍ୟମରେ ପୁଲିସରେ ଅଭିଯୋଗ କରାଯାଇଛି ବୋଲି ସହକାରୀ ଶିକ୍ଷକ ଶ୍ରୀ ବାଗ କହିଛନ୍ତି। ଅନ୍ୟପକ୍ଷରେ ପିଲାଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିବା ପରେ ମଦ୍ୟପ ସ୍କୁଲ ପରିସରରୁ ଚମ୍ପଟ ମାରିଥିଲା।