ସ୍ତ୍ରୀଙ୍କୁ ଉଦ୍ଧାର କରିବାକୁ ଯାଇଥିଲେ, ପୁଣି ବିଜୁଳି ମାରିବାରୁ ଚାଲିଗଲା ଜୀବନ

ଆଜି ରାଜ୍ୟର ପୃଥକ ପୃଥକ ସ୍ଥାନରେ ବଜ୍ରପାତରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି।

ସ୍ତ୍ରୀଙ୍କୁ ଉଦ୍ଧାର କରିବାକୁ ଯାଇଥିଲେ, ପୁଣି ବିଜୁଳି ମାରିବାରୁ ଚାଲିଗଲା ଜୀବନ

ଆଜି ରାଜ୍ୟର କିଛି ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହିତ ବର୍ଷା ହୋଇଛି। ବଜ୍ରପାତରେ ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଜରକ ପଞ୍ଚାୟତ ମାଣିକ ସାହିର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ତାଙ୍କ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ନାଁ ବାଇଧର ସାମାଡ୍ର।

ଆଜି ସକାଳେ ମାଣିକ ସାହିରେ ବର୍ଷା ସହିତ ଘନ ଘନ ବିଜୁଳି ମାରିଥିଲା। ସେହି ସମୟରେ ବାଇଧରଙ୍କ ସ୍ତ୍ରୀ ଘର ବାହାରେ ରହିଯାଇଥିବା କିଛି ଲୁଗା ଆଣିବା ପାଇଁ ଯାଇଥିଲେ। ତାଙ୍କ ସ୍ତ୍ରୀ ଲୁଗା ନେଇ ଆସୁଥିବା ବେଳେ ବିଜୁଳି ମାରିଥିଲା। ଫଳରେ ସେ ପଡ଼ି ଯାଇଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଧାଇଁ ଯାଇଥିଲେ ବାଇଧର। ତେବେ ସେତେବେଳେ ପୁଣି ବିଜୁଳି ମାରିଥିଲା। ବାଇଧର ଓ ତାଙ୍କ ସ୍ତ୍ରୀ ଚେତା ହରାଇ ତଳେ ପଡ଼ି ଯାଇଥିଲେ।

ଗ୍ରାମବାସୀ ସେମାନଙ୍କୁ ଠାକୁରମୁଣ୍ଡା ଡାକ୍ତରଖାନାକୁ ନେଇଥିଲେ। ଡାକ୍ତର ସେଠାରେ ବାଇଧରଙ୍କୁ ମୃତ ଘୋଷଣା କରିଥିଲେ। ମହୁଲିଡ଼ିହା ଥାନା ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି।

ସୂଚନାଯୋଗ୍ୟ, ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଟୁକୁରିହାଜିରା ଗାଁରେ ମଧ୍ୟ ଆଜି ସକାଳେ ବଜ୍ରପାତରେ ଏକ ଚାଳଘର ସହ ଜଳି ଯାଇଥିଲେ ଜଣେ ଯୁବକ। ସେହିପରି ବଜ୍ରପାତରେ ପସରବିନ୍ଧା ଗ୍ରାମର ଜଣେ ମହିଳା ଆହତ ହୋଇଛନ୍ତି। 

କରଞ୍ଜିଆରୁ ଦୀପକ କୁମାର ମହନ୍ତଙ୍କ ରିପୋର୍ଟ