ହନିମୁନରେ ଗୋଆ କହି ଅଯୋଧ୍ୟା ନେଇଗଲେ ସ୍ୱାମୀ, ଛାଡ଼ପତ୍ର ଦେଲେ ସ୍ତ୍ରୀ

ଜଣେ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ ଗୋଆ ବଦଳରେ ଅଯୋଧ୍ୟା ନେଇ ଆସିବା ପରେ ଘଟିଛି ତୁମୁଳକାଣ୍ଡ।

ହନିମୁନରେ ଗୋଆ କହି ଅଯୋଧ୍ୟା ନେଇଗଲେ ସ୍ୱାମୀ, ଛାଡ଼ପତ୍ର ଦେଲେ ସ୍ତ୍ରୀ

ସମଗ୍ର ଦେଶ ଏବେ ରାମ ଭକ୍ତିରେ ଲୀନ ରହିଛି। କେମିତି ଓ କିଭଳି ଅଯୋଧ୍ୟା ଯାଇ ରାମଲଲାଙ୍କ ଦର୍ଶନ କରିବେ ସେଥିପାଇଁ ଲୋକେ ପ୍ଲାନିଂ କରୁଛନ୍ତି। ଏହାରି ଭିତରେ ଜଣେ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ ଗୋଆ ବଦଳରେ ଅଯୋଧ୍ୟା ନେଇ ଆସିବା ପରେ ଘଟିଛି ତୁମୁଳକାଣ୍ଡ। ରାଗି ଯାଇ ସ୍ତ୍ରୀ ଦେଇଛନ୍ତି ଛାଡ଼ପତ୍ର।

ମଧ୍ୟପ୍ରଦେଶର ରାଜଧାନୀ ଭୋପାଲ ପିପଲାନି ଅଞ୍ଚଳ। ଏଠାକାର ଜଣେ ମହିଳା ସ୍ୱାମୀଙ୍କ ବିରୋଧରେ ଆଣିଛନ୍ତି ଗୁରୁତର ଅଭିଯୋଗ। ହନିମୁନ୍‌ରେ ଗୋଆ ନେବାକୁ କହି ତାଙ୍କୁ ତାଙ୍କ ସ୍ୱାମୀ ଅଯୋଧ୍ୟା-ବାରଣସୀ ନେଇଗଲେ। ସ୍ୱାମୀ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ରଖିଲେ ନାହିଁ। ଏଥିପାଇଁ ସେ ନିଜ ସ୍ୱାମୀଙ୍କୁ ଛାଡ଼ପତ୍ର ଦେବାକୁ ଚାହୁଁଥିବା କହିଛନ୍ତି। ଏହି ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ନିଜ ଛାଡପତ୍ର ଆବେଦନରେ ମହିଳା ଜଣକ କହିଛନ୍ତି, 'ଆଇଟି ସେକ୍ଟରରେ ତାଙ୍କ ସ୍ୱାମୀ କାମ କରନ୍ତି। ଏଥିରୁ ଭଲ ରୋଜଗାର ମଧ୍ୟ କରନ୍ତି। ସେ ନିଜ ମଧ୍ୟ ଭଲ ଚାକିରି ଖଣ୍ଡେ କରି ଭଲ ରଜଗୋର କରନ୍ତି। ଏଭଳି ସ୍ଥିତିରେ ହନିମୁନ୍‌ ପାଇଁ ବିଦେଶ ଯିବା ବଡ଼ କଥା ନୁହେଁ। ଏହା ସତ୍ତ୍ୱେ ସ୍ୱାମୀ ତାଙ୍କୁ ବିଦେଶ ନେବାକୁ ମନା କରିଦେଇଥିଲେ। ଗୋଆ କିମ୍ବା ଦକ୍ଷିଣ ଭାରତ ଯିବାକୁ କହିଥିଲେ। ପରେ ସେ ଅଯୋଧ୍ୟା ଏବଂ ବାରାଣସୀକୁ ବିମାନ ଟିକେଟ୍‌ ବୁକ୍‌ କରିଥିଲେ। ଏକଥା ତାଙ୍କୁ ଟିକେଟ୍‌ ବୁକ୍‌ କରିବାର ଗୋଟିଏ ଦିନ ପୂର୍ବରୁ କହିଥିଲେ।'

ରାମମନ୍ଦିର ସମାରୋହ ପୂର୍ବରୁ ତାଙ୍କ ମା’ ଅଯୋଧ୍ୟା ଯିବାକୁ ଚାହୁଁଛନ୍ତି, ତେଣୁ ସେମାନେ ଅଯୋଧ୍ୟାକୁ ଯାଉଛନ୍ତି ବୋଲି ସ୍ୱାମୀ ତାଙ୍କୁ କହିଥିବା ମହିଳା ଜଣକ କୋର୍ଟଙ୍କୁ କହିଛନ୍ତି। ହେଲେ ଅଯୋଧ୍ୟାରେ ବୁଲିବା ବେଳେ ୧୦ ଦିନ ଯାଏଁ ମହିଳା ଜଣକ କିଛି କହିନଥିଲେ। କିନ୍ତୁ ଫେରିବା ପରେ ମହିଳା ଜଣକ ଫ୍ୟାମିଲି କୋର୍ଟରେ ଛାଡ଼ପତ୍ର ପାଇଁ ଆବେଦନ କରିଛନ୍ତି। କେବଳ ସେତିକି ନୁହେଁ, ତାଙ୍କ ସ୍ୱାମୀ ତାଙ୍କ ଅପେକ୍ଷା ତାଙ୍କ ପରିବାରର ଅଧିକ ଯତ୍ନ ନିଅନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଏଭଳି ପରିସ୍ଥିତିରେ ସେ ଏ ସମ୍ପର୍କରେ ଆଉ ରାହିବାକୁ ଚାହୁଁନାହାନ୍ତି ବୋଲି କହିଛନ୍ତି।