ହବିଷ୍ୟାଳୀ ଯୋଜନା : କାଲିଠୁ ଅନ୍‌ଲାଇନ ପଞ୍ଜୀକରଣ

ପୁରୀ : ଶ୍ରୀକ୍ଷେତ୍ରରେ କାର୍ତ୍ତିକ ମାସରେ ‘ରାଇଦାମୋଦର ବ୍ରତ’ ପାଳନ କରିବା ପାଇଁ ସରକାରଙ୍କ ପକ୍ଷରୁ ହବିଷ୍ୟାଳୀ ଯୋଜନା କାର୍ଯ୍ୟକାରୀ ହେଉଛି। ମୁଖ୍ୟତଃ ହବିଷ୍ୟାଳୀ ମା’ମାନଙ୍କ ରହଣି, ଶ୍ରୀଜଗନ୍ନାଥ ଦର୍ଶନ, ମହାପ୍ରସାଦ ସେବନ, ଭଜନ କୀର୍ତ୍ତନ ଶ୍ରବଣ ସାଙ୍ଗକୁ ଅନ୍ୟାନ୍ୟ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଛି। ଯେଉଁମାନେ ଏହି ଯୋଜନାରେ ଆସିବେ ସେମାନଙ୍କୁ ନାମ ପଞ୍ଜୀକରଣ କରିବାକୁ ପଡିବ। ତେଣୁ ଆଗ୍ରହୀ ହବିଷ୍ୟାଳୀମାନେ ଅକ୍ଟୋବର ୬ରୁ ୧୧ ତାରିଖ ମଧ୍ୟରେ edistrict.odisha.gov.in ମାଧ୍ୟମରେ […]

ହବିଷ୍ୟାଳୀ ଯୋଜନା : କାଲିଠୁ ଅନ୍‌ଲାଇନ ପଞ୍ଜୀକରଣ
Habisyali scheme Online registration to begin from tomorrow

ପୁରୀ : ଶ୍ରୀକ୍ଷେତ୍ରରେ କାର୍ତ୍ତିକ ମାସରେ ‘ରାଇଦାମୋଦର ବ୍ରତ’ ପାଳନ କରିବା ପାଇଁ ସରକାରଙ୍କ ପକ୍ଷରୁ ହବିଷ୍ୟାଳୀ ଯୋଜନା କାର୍ଯ୍ୟକାରୀ ହେଉଛି। ମୁଖ୍ୟତଃ ହବିଷ୍ୟାଳୀ ମା’ମାନଙ୍କ ରହଣି, ଶ୍ରୀଜଗନ୍ନାଥ ଦର୍ଶନ, ମହାପ୍ରସାଦ ସେବନ, ଭଜନ କୀର୍ତ୍ତନ ଶ୍ରବଣ ସାଙ୍ଗକୁ ଅନ୍ୟାନ୍ୟ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଛି। ଯେଉଁମାନେ ଏହି ଯୋଜନାରେ ଆସିବେ ସେମାନଙ୍କୁ ନାମ ପଞ୍ଜୀକରଣ କରିବାକୁ ପଡିବ। ତେଣୁ ଆଗ୍ରହୀ ହବିଷ୍ୟାଳୀମାନେ ଅକ୍ଟୋବର ୬ରୁ ୧୧ ତାରିଖ ମଧ୍ୟରେ edistrict.odisha.gov.in ମାଧ୍ୟମରେ ପଞ୍ଜିକରଣ କରିବେ।

ଏ ବର୍ଷ ୨, ୫୦୦ ହବିଷ୍ୟାଳୀଙ୍କୁ ରଖାଯିବ। ଚଳିତବର୍ଷ ବୃନ୍ଦାବତୀ ନିବାସ, ବଗଲା, ଅକ୍ଷୟ ପାତ୍ର ଓ ମୋଚିସାହି କଲ୍ୟାଣ ମଣ୍ଡପରେ ହବିଷ୍ୟାଳୀ ମା’ମାନେ ରହିବେ। ସେମାନଙ୍କ ରହଣି ସହ ପ୍ରାତଃରୁ ବୃନ୍ଦାବତୀ ପୂଜା, ମନ୍ଦିର ଦର୍ଶନ, ମହାପ୍ରସାଦ ସେବନ, ଭଜନ କୀର୍ତ୍ତନ ଇତ୍ୟାଦିର ବ୍ୟବସ୍ଥା କରାଯାଇଛି। ଆବେଦନକାରୀ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ହୋଇଥିବେ। ବିଧବା ବ୍ରତ ଧାରିଣୀଙ୍କୁ ଓ ନୂତନ ଆବେଦନକାରୀଙ୍କୁ ପ୍ରାଧାନ୍ୟ ଦିଆଯିବ। ଅନ୍‌‌ଲାଇନରେ ପଞ୍ଜୀକରଣ କରିଥିବା ହବିଷ୍ୟାଳୀଙ୍କ ଯାଞ୍ଚ ପରେ ଜିଲ୍ଲାୱାରୀ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରାଯାଇ ସେମାନଙ୍କ ନିକଟକୁ ସ୍ୱୀକୃତି ପଠାଯିବ। ୧୭ ତାରିଖ ସୁଦ୍ଧା ନିର୍ଦ୍ଧାରିତ ରହଣୀ କେନ୍ଦ୍ରରେ ହବିଷ୍ୟାଳୀ ରହିବେ। ବିନା ପଞ୍ଜୀକରଣରେ ଅପ୍ରତ୍ୟାଶିତ ଭାବେ ହବିଷ୍ୟାଳୀ ଶିବିରକୁ ଆସୁଥିବା ବ୍ୟକ୍ତିଙ୍କ ଅନୁରୋଧକୁ ଗ୍ରହଣ କରାଯିବ ନାହିଁ। ଶିବିରରେ ହିତାଧିକାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଅସୁସ୍ଥ ଥିଲେ ପ୍ରବେଶ ଅନୁମତି ମିଳିବ ନାହିଁ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତବର୍ଷ ହବିଷ୍ୟାଳୀଙ୍କ ସଂଖ୍ୟା କମାଇ ଦିଆଯାଇଛି। ୨୦୧୬ରେ ଯୋଜନା ଆରମ୍ଭ ପରଠାରୁ ଏହାର ଚାହିଦା ବଢ଼ୁଛି। ଫଳରେ ପ୍ରତିବର୍ଷ ହବିଷ୍ୟାଳୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଗତବର୍ଷ ପ୍ରାୟ ୩, ୨୦୦ରୁ ଅଧିକ ବ୍ରତଧାରୀ ରହୁଥିଲେ। ଏଥର କିନ୍ତୁ ସଂଖ୍ୟା କମାଇ ୨, ୫୦୦ ଭିତରେ ସୀମିତ ରଖିବାକୁ ନିଷ୍ପତ୍ତି ହୋଇଥିବାରୁ ଏହାକୁ ବିରୋଧ କରିଛନ୍ତି ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ। ସେ କହିଛନ୍ତି, ଗରିବ ହବିଷ୍ୟାଳୀ ମା’ମାନଙ୍କ ମନକଥା ବୁଝି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନା ଆରମ୍ଭ କରିଥିଲେ। ପ୍ରତିବର୍ଷ ଏହି ଯୋଜନାରେ ବ୍ରତଧାରୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଚଳିତବର୍ଷ ସଂଖ୍ୟାକୁ କମାଇ ଦିଆଯାଇଛି। ବିଜେପି ହେଉଛି ଜୁମ୍‌‌ଲା ସରକାର। ସେମାନେ ଗରିବ ମା’ମାନଙ୍କୁ ଶ୍ରୀକ୍ଷେତ୍ରରେ ରଖି ବ୍ରତ ପାଳନ କରିବାର ସୁବିଧା ଦେବା ମାନସିକତାରେ ନାହାନ୍ତି। ଏହି ଯୋଜନାରେ ଏଥର ବ୍ୟୟ ପରିମାଣ ବଢ଼ିଥିବା ବେଳେ ହବିଷ୍ୟାଳୀ ମା’ମାନଙ୍କ ସଂଖ୍ୟା କମାଇବା ଦୁର୍ଭାଗ୍ୟଜନକ। ଏହାଦ୍ୱାରା ଅନେକ ଯୋଜନାର ସୁଫଳରୁ ବଞ୍ଚିତ ହେବେ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଅଧିକାଂଶ ପରିଣତ ବୟସରେ ପହଞ୍ଚିଥିବା ମହିଳା ବ୍ରତ କରିବାକୁ ଶ୍ରୀକ୍ଷେତ୍ର ଆସିଥାନ୍ତି। ଏମିତି ବି ଅନେକ ମହିଳା ଅଛନ୍ତି ଯେଉଁମାନେ ପୁରୀରେ ରହି ବ୍ରତ ପାଳିବାକୁ ଇଚ୍ଛା କରିଥିଲେ ହେଁ ଆର୍ଥିକ ସ୍ଥିତି ସେମାନଙ୍କୁ ପଛକୁ ଟାଣିଥାଏ। ଫଳରେ ଶ୍ରୀକ୍ଷେତ୍ରରେ ରହି ବ୍ରତ ପାଳନ କରିବାର ଇଚ୍ଛାକୁ ସେମାନେ ମନ ଭିତରେ ଚାପିଦିଅନ୍ତ। ଏହିଭଳି ବାସ୍ତବତାକୁ ଉପଲବ୍ଧି କରିଥିଲେ ପୂର୍ବର ନବୀନ ସରକାର। ହବିଷ୍ୟାଳୀ ମା’ମାନେ କିପରି ମାଗଣାରେ ରହି ବ୍ରତ ପାଳନ କରିବେ ସେଥିଲାଗି ୨୦୧୬ ରେ ତତ୍କାଳୀନ ବିଜେଡି ସରକାର ହବିଷ୍ୟାଳୀ ଯୋଜନା ଆରମ୍ଭ କରିଥିଲେ।