ହାଇଟେକ ଚୋର,ସଉକ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଭୁବନେଶ୍ୱର : କିଏ ପେଟପାଟଣା ପାଇଁ ଚୋରି କରେ । ପୁଣି କିଏ ଅସୁବିଧାରେ ପଡି ଚୋରିକୁ ଆପଣାଇଥାଏ । ମାତ୍ର ଏହାବାଦ ନିଜର ସଉକ ପୂରଣ ପାଇଁ କେହି ଚୋରି କୁ ସହଜ ବାଟ ବାଛି ନେଇଥାନ୍ତି । ଚୋରି ଟଙ୍କାରେ ଜିଇଁ ଥାନ୍ତି ସୌଖିନ ଜୀବନ । ଗତକାଲି କମିଶନରେଟ ପୋଲିସ ହାତରେ ଧରାପଡିଛି ଏହି ଭଳି ଜଣେ ସୌଖିନ ଚୋର । ତା’ର ସଉକ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । […]

ହାଇଟେକ ଚୋର,ସଉକ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
ହାଇଟେକ ଚୋର,ସଉକ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଭୁବନେଶ୍ୱର : କିଏ ପେଟପାଟଣା ପାଇଁ ଚୋରି କରେ । ପୁଣି କିଏ ଅସୁବିଧାରେ ପଡି ଚୋରିକୁ ଆପଣାଇଥାଏ । ମାତ୍ର ଏହାବାଦ ନିଜର ସଉକ ପୂରଣ ପାଇଁ କେହି ଚୋରି କୁ ସହଜ ବାଟ ବାଛି ନେଇଥାନ୍ତି । ଚୋରି ଟଙ୍କାରେ ଜିଇଁ ଥାନ୍ତି ସୌଖିନ ଜୀବନ । ଗତକାଲି କମିଶନରେଟ ପୋଲିସ ହାତରେ ଧରାପଡିଛି ଏହି ଭଳି ଜଣେ ସୌଖିନ ଚୋର । ତା’ର ସଉକ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଚୋର ଜଣକ ବିଭିନ୍ନ ଆଡୁ ହାଇପ୍ରୋଫାଇଲ ଲୋକଙ୍କ ଘରୁ କରୁଥିଲା ଚୋରି । ଆଉ ଏହି ପଇସାରେ ବଡ଼ ବଡ଼ ତାରକା ହୋଟେଲରେ ଯାଇ କିଛିଦିନ ରହୁଥିଲା । ପୁଣି ଏହି ଚୋରର ଥିଲେ ୩ ଟି ସ୍ତ୍ରୀ । ଏବଂ ପାଳିଥିଲା ଲକ୍ଷ ଲକ୍ଷ ଟଙ୍କାର କୁକୁର। ଖାଲି ସେତିକି ନୁହେଁ କୁକୁରଙ୍କ ପିଛା ଖାଇବା ପିଇବା ପାଇଁ ଖର୍ଚ୍ଚ କରୁଥିଲା ପାଣି ଭଳି ପଇସା । ଏହି ଚୋର ଜଣକ ହେଉଛି ସତୀଶ ରେଡ୍ଡୀ ଓରଫ ସ୍ପାଇଡର ସତୀ । ଯିଏକି କିଛିଦିନ ପୂର୍ବରୁ ଭୁବନେଶ୍ୱରରୁ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି କରିଥିଲା । ଗତକାଲି ବିଶାଖାପାଟଣାରୁ ତାକୁ ଗିରଫ କରିଛି କମିଶନରେଟ ପୋଲିସ । କିନ୍ତୁ ଏହି ହାଇଟେକ ଚୋରକୁ ଧରିବା ପାଇଁ କମିଶରେଟ ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ଥିଲା । ବହୁ କସରତ ପରେ ୧୦ ହଜାର ଫୋନ୍ ଓ ୪ଶହ ସିସିଟିଭିର ଯାଞ୍ଚ, ୫୦ ହାର୍ଡକୋର୍ ଚୋରଙ୍କ ହିଷ୍ଟ୍ରିର ଅନୁଧ୍ୟାନ କରି ସ୍ପାଇଡର ସତୀକୁ କାବୁ କରାଯାଇଛି ।

ଘଟନାନୁସାରେ,ଜାନୁଆରୀ ୨୬ ତାରିଖରେ ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ହୋଇଥିଲା । ଚୋରଟି ବିଳମ୍ବିତ ରାତିରେ ନିରଞ୍ଜନଙ୍କ ଘରେ ପଶି ଅଢ଼େଇ ଲକ୍ଷ ଟଙ୍କା କ୍ୟାସ ଓ ୫୦ ଲକ୍ଷ ଟଙ୍କାର ଗହଣାଗାଣ୍ଠି ନେଇ ଚମ୍ପଟ ମାରିଥିଲା।

ଚୋରକୁ ଧରିବା ପାଇଁ କମିଶନରେଟ୍ ପୁଲିସର ୩ଟି ସ୍ପେଶାଲ ଟିମ୍ ଗଠନ କରାଯାଇଥିଲା। ସିସିଟିଭିକୁ ଆଧାର କରି ପୁଲିସ ଯାଞ୍ଚ ଆରମ୍ଭ କରିଥିଲା। ନିରଞ୍ଜନଙ୍କ ଘରୁ ଚୋରି ପରେ ଚୋରକୁ ଧରିବା ପୋଲିସ୍ ପାଇଁ ଥିଲା ବଡ଼ ଚାଲେଞ୍ଜ। କିନ୍ତୁ ସ୍ପାଇଡର୍ ସତୀଶ ପିନ୍ଧିଥିବା ରେଡିୟମ୍ ଜୋତା ହିଁ ଧରା ପକାଇଦେଲା। କାରଣ ନିରଞ୍ଜନଙ୍କ ଘରୁ ଚୋରି ପରେ ସେ ପ୍ରଥମେ ବରମୁଣ୍ଡା ଯାଇ ବସ୍ ଯୋଗେ ବିଜୟନଗରମ୍ ଖସିପଳାଇଥିଲା। ଆଉ ପ୍ରତ୍ୟେକଟି ସିସିଟିଭି ଫୁଟେଜରେ ରେଡ଼ିୟମ୍ ଜୋତା ସହ ସାମ୍ନାକୁ ଆସୁଥିଲା ସତୀଶର ଚେହେରା।

ଫେସ୍ ଏନହାନ୍ସ ଜରିଆରେ ପୋଲିସ୍ ତାକୁ ପିଛା କରୁଥିଲା, ଖୋଜୁଥିଲା ସତୀଶର ରହିଛି ପୁରୁଣା କ୍ରାଇମ୍ ରେକର୍ଡ। ୫୦ ହାର୍ଡକୋର୍ ଚୋରଙ୍କ ହିଷ୍ଟ୍ରିର ଅନୁଧ୍ୟାନ କରିଥିଲା ପୋଲିସ। ଆଉ କେରଳରୁ ତଥ୍ୟ ପାଇବା ପରେ କେରଳ, ଆନ୍ଧ୍ର, ତେଲେଙ୍ଗାନା ଓ ଓଡ଼ିଶାରେ ସତୀଶକୁ ଧରିବା ପାଇଁ ଜାଲ ବିଛାଇଥିଲା ସ୍ପେଶାଲ୍ ସ୍କ୍ବାଡ୍। ଏଥିପାଇଁ ୫ ହଜାର କିଲୋମିଟର ଘୁରିବାକୁ ପଡ଼ିଥିଲା ପୋଲିସକୁ। ଶେଷରେ ବିଶାଖାପାଟଣାର ଏକ ଗହଣା ଦୋକାନରୁ ସତୀଶକୁ ଧରିଥିଲା ପୋଲିସ। ବର୍ତ୍ତମାନ କୋଟିପତି ଚୋର ସତୀ ଭୁବନେଶ୍ବର ଝାରପଡ଼ା ଜେଲରେ ରହିଥିବା ବେଳେ ପୋଲିସ ଜେରାବେଳେ ତା’ମୁହଁରୁ ଓଗାଳି ପାରିଛି କଳା କାରନାମାର ଗୁମର । ରଙ୍ଗିଲା ଧୂର୍ତ୍ତ ସତୀଶର ୩ଟି ପତ୍ନୀ ଥିଲେ । ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ଦେବା ପରେ ସେ କେରଳର ଜଣେ ଯୁବତୀଙ୍କୁ ବିବାହ କରିଥିଲା । ପରେ ତାଙ୍କୁ ଛାଡ଼ପତ୍ର ଦେଇ ବେଙ୍ଗାଳୁରୁରେ ଜଣେ ଯୁବତୀକୁ ବାହା ହୋଇଥିଲା । ସେ ଗତ ବର୍ଷ ତ୍ରିଭେନ୍ଦ୍ରମ୍ ଜେଲରୁ ବାହାରିବା ପରେ ତୃତୀୟ ସ୍ତ୍ରୀ ପାଇଁ କିଣିଥିଲା ଦୁଇଟି କୁକୁର। ଲାବ୍ରାଡର ଓ ସିଡଜୁ ପ୍ରଜାତିର କୁକୁର ପାଳୁଥିଲା । ଗୋଟିଏ କୁକୁର ୭୦ ହଜାର ଟଙ୍କାରେ କିଣିଥିବା ବେଳେ ଅନ୍ୟଟି ଦେଢ଼ ଲକ୍ଷ ଟଙ୍କାରେ କିଣିଥିଲା । ଏଥିସହିତ କୁକୁରଙ୍କ ପଛରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିଲା । କୁକୁରଙ୍କ ଖେଳିବା ପାଇଁ ଲକ୍ଷେ ଟଙ୍କିଆ “ବଲ” ବି କିଣିଥିଲା ସ୍ପାଇଡର । ପ୍ରତି ମାସରେ କୁକୁରଙ୍କ ପାଇଁ ସ୍ପା’, ବାଥରେ ଖର୍ଚ୍ଚ କରୁଥିଲା ଲକ୍ଷ ଲକ୍ଷ ଟଙ୍କା । କୋଟିପତିଙ୍କ ଘରେ କଳାକନା ବୁଲାଇବା ପରେ କିଛି ଦିନ ପାଇଁ ସେ ନିଜ ଘରକୁ ଆସୁନଥିଲା । ପୋଲିସକୁ ଚକମା ଦେବା ପାଇଁ ନିଜର ଠିକଣା ବଦଳାଉଥିଲା । ଅନେକ ସମୟରେ ତାରକା ହୋଟେଲରେ ଅୟସ କରୁଥିଲା ।

ସୂଚନା ଅନୁସାରେ ମାତ୍ର ମାଟ୍ରିକ ପାସ କରିଥିବା ସତୀଶ ୨୦୦୭ ମସିହାରେ ସିଙ୍ଗାପୁର ଯାଇ ସେଠାରେ ୱେଲଡର ଭାବେ କାମ କରିଥିଲା । ୨୦୧୩ରୁ ଚୋରି ବିଦ୍ୟାକୁ କ୍ୟାରିୟର କରିଥିଲା ସେ। ଚୋରି ଫଣ୍ଡା ବି ପୂରା ହାଇଟେକ୍। ୟୁଟ୍ୟୁବ ଦେଖି ବଡ଼ ବଡ଼ିଆଙ୍କ ତଥ୍ୟ ସଂଗ୍ରହ କରୁଥିଲା ଏବଂ ଗୁଗୁଲ୍ ମ୍ୟାପ୍ ଦେଖି ଠିକଣା ଜାଗାରେ ପହଞ୍ଚୁଥିଲା। ଯେତେ ଉଚ୍ଚ ଘରର କାନ୍ଥ ହେଉ ଅବା ଛାତ, ସେ ଚଢ଼ିଯାଉଥିଲା, ଚତୁରତାର ସହ ଘରେ ପଶି କଳାକନା ବୁଲାଇ ଖସିଯାଉଥିଲା। ଜିମରେ କାନ୍ଥ ଚଢିବାର ଟେକନିକ ଶିଖୁଥିଲା । ଥରେ ଚୋରି କରିବା ପରେ ଓ୍ୱେଟ୍ ଲସ୍ ପାଇଁ ଡାଏଟ୍ ପ୍ଲାନ୍ କରୁଥିଲା । ଜିମରେ ହିଁ ଚୋରି କରିବାର ପ୍ରାକ୍ଟିସ୍ କରୁଥିଲା ସତୀଶ । ଅଭ୍ୟାସ ପାଇଁ ସ୍ୱତନ୍ତ୍ର ଟ୍ରେନର ରଖିଥିଲା। ଏଥିପାଇଁ ସେ ଦିନକୁ ୫ ହଜାର ଏବଂ ମାସକୁ ଦେଢ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିଲା । ୫ ରାଜ୍ୟରେ କେବଳ ବଛାବଛା କୋଟିପତିଙ୍କ ଘରୁ ୨ଶହ କୋଟିର ସଂପତ୍ତି ଲୁଟିଛି ବୋଲି ପୋଲିସ ସୂଚନା ଦେଇଛି । ଅଧିକ ପଚରାଉଚରା ପାଇଁ ତାକୁ ରିମାଣ୍ଡରେ ଆଣିବାକୁ ଆଜି ପୋଲିସ ପକ୍ଷରୁ କୋର୍ଟରେ ଆବେଦନ କରାଯିବ ।