ହାଇଟେକ୍ ଟ୍ରାଜେଡି: ହସ୍ପିଟାଲକୁ ସ୍ୱତନ୍ତ୍ର ଟିମ୍ ପଠାଇ ସରଜମିନ ତଦନ୍ତ କଲା ଶ୍ରମ ବିଭାଗ
ମୃତ୍ୟୁବରଣ କରିଥିବା ପରିବାର ଲୋକଙ୍କୁ କ୍ଷତିପୂରଣ ପାଇବା ନିମନ୍ତେ ଆବେଦନ କରିବାକୁ ଲେବର କମିଶନ ପକ୍ଷରୁ କୁହାଯାଇଛି ।
ହାଇଟେକ ମେଡିକାଲ ବିସ୍ଫୋରଣ ଓ ମୃତ୍ୟୁ ଘଟଣାର ତଦନ୍ତ କରିଛନ୍ତି ଲେବର କମିଶନ । ଲେବର କମିଶନ ଦ୍ୱାରା ଗଠିତ ଏକ ସ୍ୱତନ୍ତ୍ର ଟିମ୍ ହାଇଟେକ ହସ୍ପିଟାଲରେ ପହଁଚି ଆଜି ସରଜମିନ ତଦନ୍ତ କରିଛି । ଦୁର୍ଘଟଣା ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ହସ୍ପିଟାଲରେ କ’ଣ ଓ କେମିତି ସବୁ ଘଟିଥିଲା, ତା’ର ଟିକିନିଖି ତଥ୍ୟ ସଂଗ୍ରହ କରିଛି ଏହି ସ୍ୱତନ୍ତ୍ର ଟିମ । ଏଥିରେ ଏକାଧିକ ବ୍ୟକ୍ତି ବିଶେଷଙ୍କ ସହ ଡାକ୍ତର, କର୍ମଚାରୀ, ଆଟେଣ୍ଡାଣ୍ଟଙ୍କୁ ପଚରାଉଚରା ହୋଇଛି। ତଦନ୍ତ ପରେ ଦୁର୍ଘଟଣାର ସମସ୍ତ ତଥ୍ୟ ସହ ନିୟୋଜିତ ହୋଇଥିବା ଶ୍ରମିକଙ୍କ ବିବରଣୀ କମିଶନଙ୍କୁ ପ୍ରଦାନ କରାଯାଇଛି।
ସେପଟେ ମୃତ୍ୟୁବରଣ କରିଥିବା ପରିବାର ଲୋକଙ୍କୁ କ୍ଷତିପୂରଣ ପାଇବା ନିମନ୍ତେ ଆବେଦନ କରିବାକୁ ଲେବର କମିଶନରଙ୍କ ପକ୍ଷରୁ କୁହାଯାଇଛି । ଯଦି କୌଣସି ତ୍ରୁଟି ପରିଲକ୍ଷିତ ହୁଏ, ତେବେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଯୁଗ୍ମ କମିଶନର ପ୍ରଣବ ପାତ୍ର ସୂଚନା ଦେଇଛନ୍ତି। ଗତ ୨୯ ତାରିଖରେ ହାଇଟେକ ହସ୍ପିଟାଲରେ ଏସି କାମ ଚାଲୁଥିବା ବେଳେ କମ୍ପ୍ରେସର ଫାଟି ବିସ୍ଫୋରଣ ହୋଇଥିଲା। ଏହି ଅଘଟଣରେ ୪ ଜଣ ଗୁରୁତର ହୋଇ ଚିକିତ୍ସିତ ହୋଇଥିଲେ । ପରବର୍ତ୍ତୀ ସମୟରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା ।