ହାଇବ୍ରିଡ୍ ମଡେଲରେ ରାଜି ପାକିସ୍ତାନ! ରଖିଲା ବଡ଼ ସର୍ତ୍ତ

ଚାମ୍ପିୟନ୍ସ ଟ୍ରଫିରେ ଗ୍ରୁପ୍ ପର୍ଯ୍ୟାୟରୁ ଭାରତ ଆଗକୁ ନଗଲେ ସେମିଫାଇନାଲ୍ ଓ ଫାଇନାଲ୍ ମ୍ୟାଚ୍ ଲାହୋରରେ ହେବ। ଭବିଷ୍ୟତରେ କୌଣସି ଆଇସିସି ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଭାରତ ଆସିବନି ପାକିସ୍ତାନ।

ହାଇବ୍ରିଡ୍ ମଡେଲରେ ରାଜି ପାକିସ୍ତାନ! ରଖିଲା ବଡ଼ ସର୍ତ୍ତ

ଶେଷରେ ମୁଣ୍ଡ ନୁଆଁଇଲା ପାକିସ୍ତାନ। ହାଇବ୍ରିଡ୍ ମଡେଲରେ ଚାମ୍ପିୟନ୍ସ ଟ୍ରଫି ୨୦୨୫ ଆୟୋଜନ କରିବାକୁ ପାକିସ୍ତାନ କ୍ରିକେଟ ବୋର୍ଡ ରାଜି ହୋଇଛି। ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଶୁକ୍ରବାର ବୈଠକରେ ହାଇବ୍ରିଡ୍ ମଡେଲ ହିଁ ଏକମାତ୍ର ବିକଳ୍ପ ବୋଲି ପାକିସ୍ତାନ କ୍ରିକେଟ ବୋର୍ଡକୁ ସିଧା ସିଧା ଶୁଣାଇ ଦେଇଥିଲା ଆଇସିସି। ହାତରୁ ଆୟୋଜନ ଅଧିକାର ଖସିଯିବା ଭୟରେ ଏବେ ହାଇବ୍ରିଡ୍ ମଡେଲକୁ ଗ୍ରହଣ କରିଛି ପିସିବି। ହେଲେ ସେ ଏଥିପାଇଁ ଆଇସିସି ନିକଟରେ କେତେକ ସର୍ତ୍ତ ମଧ୍ୟ ରଖିଥିବା ରିପୋର୍ଟ ପ୍ରକାଶ ପାଇଛି।

ଏମିତି ସର୍ତ୍ତ ରଖିଛି ପାକିସ୍ତାନ!
ଶନିବାର ବସିଥିବା ଆଇସିସି ବୈଠକରେ ମଧ୍ୟ 'ହାଇବ୍ରିଡ୍ ମଡେଲ୍'ରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ପାକିସ୍ତାନ କ୍ରିକେଟ୍ ବୋର୍ଡ ଆପତ୍ତି କରିଥିଲା। ହେଲେ ଆଜିର ସଦ୍ୟତମ ଖବର ଅନୁସାରେ ପିସିବି ହାଇବ୍ରିଡ ମଡେଲ ପାଇଁ ରାଜି ହୋଇଛି, କିନ୍ତୁ ଏଥିପାଇଁ ଆଇସିସି ଆଗରେ କିଛି ସର୍ତ୍ତ ରଖିଛି।
ପ୍ରଥମ ସର୍ତ୍ତ- କେବଳ ଭାରତୀୟ ଦଳର ସମସ୍ତ ମ୍ୟାଚ୍ ଦୁବାଇରେ ଖେଳାଯିବ। କାରଣ ଭାରତ ସରକାର ଏହାର ଦଳକୁ ପାକିସ୍ତାନ ପଠାଇବାକୁ ମନା କରିଛନ୍ତି।
ଦ୍ୱିତୀୟ ସର୍ତ୍ତ- ଯଦି ଗ୍ରୁପ୍ ପର୍ଯ୍ୟାୟରୁ ଭାରତୀୟ ଦଳ ଆଗକୁ ବଢ଼ିବାରେ ବିଫଳ ହୁଏ, ତେବେ ଲାହୋରରେ ସେମିଫାଇନାଲ ଏବଂ ଫାଇନାଲ ମ୍ୟାଚ୍ ଆୟୋଜନ କରିବ ପାକିସ୍ତାନ।
ତୃତୀୟ ସର୍ତ୍ତ- ପିସିବି ଅନୁରୋଧ କରିଛି ଯେ ଭାରତ ଭବିଷ୍ୟତରେ ଯେକୌଣସି ଆଇସିସି ଇଭେଣ୍ଟ ଆୟୋଜନ କରେ, ପାକିସ୍ତାନ ଦଳ ଭାରତ ନଯାଇ ନିରପେକ୍ଷ ସ୍ଥାନରେ ଏହାର ମ୍ୟାଚ୍ ଖେଳିବ।

୨୯ ନଭେମ୍ବରରେ ଅନୁଷ୍ଠିତ ବୈଠକରେ ପିସିବିକୁ ଶେଷ ବିକଳ୍ପ ଦେଇଥିଲା ଆଇସିସି। ଏହି ବୈଠକରେ ଆଇସିସି ସ୍ପଷ୍ଟ ଭାବରେ କହିଥିଲା ଯେ ଚାମ୍ପିୟନ୍ସ ଟ୍ରଫି ଆୟୋଜନ ପାଇଁ ପାକିସ୍ତାନ 'ହାଇବ୍ରିଡ୍ ମଡେଲ୍' ଗ୍ରହଣ କରିବା ଉଚିତ, ନହେଲେ ଏହି ପ୍ରତିଯୋଗିତା ଆୟୋଜନରୁ ଓହରିଯିବାକୁ ପ୍ରସ୍ତୁତ ହେବା ଉଚିତ୍। ବର୍ତ୍ତମାନ ପିସିବିର ଅନ୍ତିମ ଉତ୍ତରକୁ ଅପେକ୍ଷା କରିଛି ଆଇସିସି। ବର୍ତ୍ତମାନ ଏଭଳି ସର୍ତ୍ତ ସହିତ ପାକିସ୍ତାନ ହାଇବ୍ରିଡ୍ ମଡେଲ ଗ୍ରହଣ କରିବାକୁ ପ୍ରସ୍ତୁତ ଥିବାବେଳେ ଖୁବଶୀଘ୍ର ଆଇସିସି ବୈଠକ ଡକାଯିବ ବୋଲି ଗଣମାଧ୍ୟମ ରିପୋର୍ଟ ପ୍ରକାଶ ପାଇଛି।