ହାତ ଛାଡିଲେ ପୂର୍ବତନ ମନ୍ତ୍ରୀ ନବୀନ ଦାସ, ରାଜ୍ୟ କଂଗ୍ରେସ ନେତୃତ୍ବ ଉପରେ ଝାଡ଼ିଲେ ଅସନ୍ତୋଷ
ଢେଙ୍କାନାଳ : ରାଜ୍ୟରେ କଂଗ୍ରେସ ଧିରେ ଧିରେ ଦୁର୍ବଳ ହେବାରେ ଲାଗିଛି। ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଜଣଙ୍କ ପରେ ଜଣେ ଟାଣୁଆ ନେତା ହାତ ଛାଡୁଛନ୍ତି। ଗତ ୫ ଦିନ ତଳେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରର ପୂର୍ବତନ ବିଧାୟକ ତଥା କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ସଭାପତି ଅଂଶୁମାନ ମହାନ୍ତି କଂଗ୍ରେସରୁ ଇସ୍ତଫା ଦେଇ ବିଜେଡିରେ ମିଶିଥିବା ବେଳେ ଆଜି ଦଳର ଅନ୍ୟତମ ବରିଷ୍ଠ ନେତା ଓ ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ […]

ଢେଙ୍କାନାଳ : ରାଜ୍ୟରେ କଂଗ୍ରେସ ଧିରେ ଧିରେ ଦୁର୍ବଳ ହେବାରେ ଲାଗିଛି। ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଜଣଙ୍କ ପରେ ଜଣେ ଟାଣୁଆ ନେତା ହାତ ଛାଡୁଛନ୍ତି। ଗତ ୫ ଦିନ ତଳେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରର ପୂର୍ବତନ ବିଧାୟକ ତଥା କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ସଭାପତି ଅଂଶୁମାନ ମହାନ୍ତି କଂଗ୍ରେସରୁ ଇସ୍ତଫା ଦେଇ ବିଜେଡିରେ ମିଶିଥିବା ବେଳେ ଆଜି ଦଳର ଅନ୍ୟତମ ବରିଷ୍ଠ ନେତା ଓ ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ କଂଗ୍ରେସ ଛାଡି ଦେଇଛନ୍ତି। ଢେଙ୍କାନାଳରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି ସୂଚନା ଦେଇଛନ୍ତି।
ଶ୍ରୀ ଦାସ ତାଙ୍କ ଇସ୍ତଫାପତ୍ର କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ନକଟକୁ ପଠାଇ ଦେଇଛନ୍ତି। ରାଜ୍ୟର କଂଗ୍ରେସ ନେତୃତ୍ବ ଉପରେ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି ନବୀନ ଦାସ। ଇସ୍ତଫା ପତ୍ରରେ ଶ୍ରୀ ଦାସ ଲେଖିଛନ୍ତି, ମୁଁ ୧୯୬୯ରୁ କଂଗ୍ରେସରେ ଅଛି। କୌଣସି ଆଶା ନ ରଖି ଦଳ ପାଇଁ କାମ କରିଛି। କିନ୍ତୁ ଅଳ୍ପ କିଛି ମାସ ହେଲା ମୁଁ ଦେଖୁଛି, ପିସିସି ସଭାପତି ଶରତ ପଟ୍ଟନାୟକ ରାଜା ଭଳି ବ୍ୟବହାର କରୁଛନ୍ତି। ସେ ଦଳର କୌଣସି ବରିଷ୍ଠ ବା ଅଭିଜ୍ଞ ସଦସ୍ୟଙ୍କୁ ଗୁରୁତ୍ବ ଦେଉ ନାହାନ୍ତି। ଦଳର ସଂଗଠନକୁ ମଜବୁତ କରିବା ପାଇଁ ସେ ବରିଷ୍ଠ ବା ଅଭିଜ୍ଞ ସଦସ୍ୟଙ୍କ ସହିତ କୌଣସି ଆଲୋଚନା କରୁ ନାହାନ୍ତି କି ସେମାନଙ୍କ ମତାମତ ନେଉ ନାହାନ୍ତି।
ନବୀନ ଦାସ ଆହୁରି ମଧ୍ୟ କହିଛନ୍ତି ଯେ ପିସିସି ସଭପତି ଦଳୀୟ ନେତା ଓ କର୍ମୀଙ୍କ ସହିତ ମିଶିବା ପାଇଁ ଜିଲ୍ଲାଗୁଡ଼ିକୁ ଗସ୍ତ କରୁ ନାହାନ୍ତି। ଜିଲ୍ଲାଗୁଡ଼ିକୁ ସେ ଗସ୍ତ କରି ଦଳୀୟ ଲୋକଙ୍କ ସହିତ ମିଶିଲେ ସେମାନଙ୍କ ମନୋବଳ ବଢ଼ନ୍ତା। କିନ୍ତୁ ସେ ଏହା କରୁନାହାନ୍ତି। ପିସିସି ସଭାପତିଙ୍କୁ କିଛି ଲୋକ ଘେରି ରହିଛନ୍ତି। ସେମାନଙ୍କ କଥାରେ ସେ ପରିଚାଳିତ ହେଉଛନ୍ତି। ଆସନ୍ତା ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ଘଟିବ। ଦଳ ୯୦ ଆସନ ଜିତିବାକୁ ଯେଉଁ ଲକ୍ଷ୍ୟ ରଖିଛି, ସେଥରୁ ୯ କାଟି ଦିଅନ୍ତୁ। ଦଳର ଫଳାଫଳ ଶୂନ ହେବ ବୋଲି ନବୀନ ଦାସ କହିଛନ୍ତି।
ନବୀନ ଚନ୍ଦ୍ର ନାରାୟଣ ଦାସ ୧୯୯୫ରେ ଢେଙ୍କାନାଳ ବିଧାନସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଟିକେଟରେ ବିଜୟୀ ହୋଇଥିଲେ। ସେତେବେଳର କଂଗ୍ରେସ ସରକାରରେ ନବୀନ ପଞ୍ଚାୟତିରାଜ, ବାଣିଜ୍ୟ ପରିବହନ ଓ ଗଣଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଥିଲେ।
ଅନ୍ୟପଟେ ଆଜି ଶ୍ରୀ ଦାସଙ୍କ ସହିତ ଢେଙ୍କାନାଳର ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ସରୋଜ ପଟ୍ଟନାୟକ, ଓଡ଼ାପଡ଼ା ବ୍ଲକ ସଭାପତି ପ୍ରମୋଦ କୁମାର ନାୟକ, ଢେଙ୍କାନାଳ ଟାଉନ କଂଗ୍ରେସ ସଭାପତି ହାଇଦର ମହମ୍ମଦ ଓ ସଦର ବ୍ଲକ କଂଗ୍ରେସ ସଭାପତି ଅଖିଳ ମୋହନ ଖୁଣ୍ଟିଆ ଇସ୍ତଫା ଦେଇଛନ୍ତି। ପୂର୍ବତନ ଜିଲ୍ଲା ସଭାପତି ସରୋଜ ପଟ୍ଟନାୟକ ତାଙ୍କ ଇସ୍ତଫାପତ୍ର ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ନିକଟକୁ ପଠାଇଛନ୍ତି।