ହାରିବା ପରେ ଦିଲୀପଙ୍କ ପାଗ ଭିଡ଼ିବା ଚର୍ଚ୍ଚା

ରାଉରକେଲା,୩।୧୨(ସଙ୍ଗୀତା ଜେନା):୨୦୨୪ ବିଧାନସଭା ନିର୍ବାଚନରେ ରାଉରକେଲା ବିଧାନସଭା କ୍ଷେତ୍ରରୁ ହାରିଯାଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଭାଜପା ନେତା ଦିଲୀପ ରାୟ ବର୍ତ୍ତମାନ ରାଉରକେଲାରେ ସକ୍ରିୟ ହୋଇପଡ଼ିଥିବା ଦେଖିବାକୁ ମିଳୁଛି। କିଛିଦିନ ତଳେ ସେ ରାଉରକେଲାରେ ପହଞ୍ଚତ୍ ହଠାତ୍‌ ବିଭିନ୍ନ ସରକାରୀ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଥିବା ଦେଖିବାକୁ ମିଳିଥିଲା। ଦିଲୀପଙ୍କ ଏଭଳି ତତ୍ପରତା ଦେଖି କେହି କେହି କହୁଛନ୍ତି, ସେ ରାଜନୈତିକ ଭବିଷ୍ୟତକୁ ଅନିଷା କରି ପୁଣି ପାଗ ଭିଡ଼ିବା ଆରମ୍ଭ […] The post ହାରିବା ପରେ ଦିଲୀପଙ୍କ ପାଗ ଭିଡ଼ିବା ଚର୍ଚ୍ଚା appeared first on Dharitri Odia News.

ହାରିବା ପରେ ଦିଲୀପଙ୍କ ପାଗ ଭିଡ଼ିବା ଚର୍ଚ୍ଚା

ରାଉରକେଲା,୩।୧୨(ସଙ୍ଗୀତା ଜେନା):୨୦୨୪ ବିଧାନସଭା ନିର୍ବାଚନରେ ରାଉରକେଲା ବିଧାନସଭା କ୍ଷେତ୍ରରୁ ହାରିଯାଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଭାଜପା ନେତା ଦିଲୀପ ରାୟ ବର୍ତ୍ତମାନ ରାଉରକେଲାରେ ସକ୍ରିୟ ହୋଇପଡ଼ିଥିବା ଦେଖିବାକୁ ମିଳୁଛି। କିଛିଦିନ ତଳେ ସେ ରାଉରକେଲାରେ ପହଞ୍ଚତ୍ ହଠାତ୍‌ ବିଭିନ୍ନ ସରକାରୀ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଥିବା ଦେଖିବାକୁ ମିଳିଥିଲା। ଦିଲୀପଙ୍କ ଏଭଳି ତତ୍ପରତା ଦେଖି କେହି କେହି କହୁଛନ୍ତି, ସେ ରାଜନୈତିକ ଭବିଷ୍ୟତକୁ ଅନିଷା କରି ପୁଣି ପାଗ ଭିଡ଼ିବା ଆରମ୍ଭ କଲେଣି।
ବିଧାନସଭା ନିର୍ବାଚନ ବେଳେ ଶେଷ ମୁହୂର୍ତ୍ତରେ ଭାଜପା ଦିଲୀପଙ୍କୁ ରାଉରକେଲା ବିଧାନସଭା ଆସନ ଲାଗି ଟିକେଟ୍‌ ଦେଇଥିଲା। ହେଲେ ସେ ବିଜେଡିର ସାରଦା ପ୍ରସାଦ ନାୟକଙ୍କଠାରୁ ହାରିଯାଇଥିଲେ। ବିଫଳତାର କାରଣ ଖୋଜିବାକୁ ଯାଇ ତାଙ୍କ ଅନୁଗାମୀଙ୍କ କହିବା ଅନୁସାରେ, ଡେରିରେ ଟିକେଟ ମିଳିବା ତାଙ୍କ ପାଇଁ ବାମ ହେଲା। ଭୋଟ ପ୍ରଚାର ପାଇଁ ସେ ପର୍ଯ୍ୟାପ୍ତ ସମୟ ପାଇ ନ ଥିଲେ। ଅପରପକ୍ଷେ ବିଜେଡି ବର୍ତ୍ତମାନର ବିଧାୟକ ସାରଦା ପ୍ରସାଦ ନାୟକଙ୍କ ଟିକେଟ ପ୍ରଥମରୁ ଚୂଡ଼ାନ୍ତ କରିଥିଲା। ତେଣୁ ସାରଦା ଅଧିକ ସମୟ ପାଇବାରୁ ସ୍ଥିତିରୁ ପାଇଦା ଉଠାଇଥିଲେ।
ରାଉରକେଲାବାସୀଙ୍କ ପାଇଁ ବୃହତ୍‌ ବାସଗୃହ ପ୍ରକଳ୍ପ ଦାବି ଦୀର୍ଘ ସମୟ ଧରି ରହିଆସିଛି। ତାହାକୁ ଲକ୍ଷ୍ୟ କରି ଦିଲୀପ ଏ ଦିଗରେ ତ୍ୱରିତ ପଦକ୍ଷେପ ନେବା ସକାଶେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିବା କହିଛନ୍ତି। ଏପରି କି ଉକ୍ତ ବାସଗୃହ ପ୍ରକଳ୍ପ ପାଇଁ ରାଉରକେଲା ଷ୍ଟିଲ ପ୍ଲାଣ୍ଟର ପୂର୍ଣ୍ଣ ସହଯୋଗ ଆବଶ୍ୟକତାକୁ ହୃଦୟଙ୍ଗମ କରି ଆର୍‌ଏସ୍‌ପି ଡିଆଇସିଙ୍କ ସହ ସେ ଆଲୋଚନା କରିଛନ୍ତି। ସେହିପରି ସହରରେ ଏୟାରପୋର୍ଟର ଉନ୍ନତୀକରଣ, ଅର୍ଦ୍ଧନିର୍ମିତ କୋଏଲ ସେତୁକୁ ନୂତନ ରୂପରେଖ ଦେବା, ରାଉରକେଲାରେ ମେଡିକାଲ କଲେଜ ଏବଂ ହସ୍ପିଟାଲ ଖୋଲିବା ପାଇଁ ଜମି ଅନ୍ବେଷଣ, ବେଦବ୍ୟାସରେ ଝୁଲାପୋଲ, ଆର୍‌ଏମ୍‌ସି ବଜାରକୁ କାର୍ଯ୍ୟକ୍ଷମ ଭଳି ୧୦ରୁ ଊର୍ଦ୍ଧ୍ୱ ପ୍ରକଳ୍ପ ସମ୍ପର୍କରେ ଦିଲୀପ ପଚାରି ବୁଝିଥିବା ତାଙ୍କ ଅନୁଗାମୀମାନେ କହୁଥିବା ଶୁଣିବାକୁ ମିଳିଛି। ଅନୁରୂପ ଭାବେ ତାଙ୍କ ସକ୍ରିୟତାକୁ ଦେଖି ସମର୍ଥକମାନେ ମଧ୍ୟ ପ୍ରଶାସନିକ କାର୍ଯ୍ୟରେ ଅଧିକ ହସ୍ତକ୍ଷେପ କରୁଥିବା ଆଲୋଚନା ହେଉଛି। ରାଜ୍ୟରେ ଭାଜପା ସରକାର ଥିବାରୁ ପ୍ରଶାସନ ପାଖରେ ଦିଲୀପଙ୍କ ପ୍ରଭାବ ରହୁଥିବା କୁହାଯାଉଛି। ଗତ ୯୦ ଦଶକରେ ଛେଣ୍ଡ୍‌ କଲୋନି ହେବା ପରେ ରାଉରକେଲାରେ ବୃହତ୍‌ ବାସଗୃହ ପ୍ରକଳ୍ପ ହୋଇ ନାହିଁ। ଲୋକେ କୁହାକୁହି ହେଉଛନ୍ତି ଯଦି ଦିଲୀପ ଏହି ସମୟରେ ନୂତନ ବାସଗୃହ ପ୍ରକଳ୍ପକୁ ସାକାର କରିବାରେ ସଫଳ ହେବେ ତେବେ ସେ ପୁଣି ଲୋକଙ୍କ ଆସ୍ଥାଭାଜନ ହୋଇପାରନ୍ତି।

The post ହାରିବା ପରେ ଦିଲୀପଙ୍କ ପାଗ ଭିଡ଼ିବା ଚର୍ଚ୍ଚା appeared first on Dharitri Odia News.