ହାୱାଇ ଚପଲ ଦାମ୍‌ ଉଡ଼ାଇଦେବ ଆପଣଙ୍କ ହୋସ୍‌, ହଳକ ଲକ୍ଷେ ଟଙ୍କା

ଏହାକୁ କିଣିବା ପୂର୍ବରୁ ଶହେ ଥର ଭାବିବେ ଓ EMI କରିବାକୁ ବି ଚିନ୍ତା କରି ପାରନ୍ତି। କାରଣ ସାଉଦି ଆରବରେ ଏହି ସାଧାରଣ ଚପଲ ହଳକ ପିଛା ଦାମ ରହିଛି ଲକ୍ଷେ ଟଙ୍କା ।

ହାୱାଇ ଚପଲ ଦାମ୍‌ ଉଡ଼ାଇଦେବ ଆପଣଙ୍କ ହୋସ୍‌, ହଳକ ଲକ୍ଷେ ଟଙ୍କା

ହାୱାଇ ଚପଲ ବା ସ୍ୟାଣ୍ଡେଲ ପିନ୍ଧିବାକୁ ଖୁବ୍‌ ଆରାମଦାୟକ ହୋଇଥିବା ବେଳେ ନିତ୍ୟ ବ୍ୟବହାର୍ଯ୍ୟ କାମରେ ଆସିଥାଏ। ଏହା ଖୁବ୍‌ ଶସ୍ତାରେ ମଧ୍ୟ ମିଳିଯାଇଥାଏ। ପ୍ରାୟତଃ ଦେଢ଼ଶ’ରୁ ୨ଶହ ଟଙ୍କା ଭିତରେ ଆମ ଦେଶରେ ଖୁବ୍‌ ଭଲ ହାୱାଇ ଚପଲ ମିଳି ଯାଇଥାଏ।

ମାତ୍ର ସାଉଦି ଆରବରେ ଏହି ହାୱାଇ ଚପଲ ବା ସ୍ୟାଣ୍ଡେଲର ଦାମ୍‌ କେତେ ତାହା ଜାଣିଲେ ଆପଣ ମୁଣ୍ଡରେ ହାତ ଦେବେ। ଏହାକୁ କିଣିବା ପୂର୍ବରୁ ଶହେ ଥର ଭାବିବେ ଓ EMI କରିବାକୁ ବି ଚିନ୍ତା କରି ପାରନ୍ତି। କାରଣ ସାଉଦି ଆରବରେ ଏହି ସାଧାରଣ ଚପଲ ହଳକ ପିଛା ଦାମ ରହିଛି ଲକ୍ଷେ ଟଙ୍କା ।

ଏହାର ଏକ ଭିଡିଓ ଏବେ ସୋଶାଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି । Kuwait Inside ନାମକ ଇନଷ୍ଟାଗ୍ରାମ ଆକାଉଣ୍ଟ ପକ୍ଷରୁ ଏହାର ଭିଡିଓ ସୋଶାଲ ମିଡିଆରେ ପୋଷ୍ଟ ହୋଇଛି।  ଏହାକୁ ନେଇ ୟୁଜର୍ସ ନାନା କମେଣ୍ଟ କରିବାକୁ ପଛାଉ ନାହାନ୍ତି। ଭିଡିଓରେ ଦେଖାଯାଉଛି ସାଉଦି ଆରବର ଏକ ଷ୍ଟୋରରେ କାଚ ବାକ୍ସ ଭିତରେ ରଙ୍ଗବେରଙ୍ଗର ହାୱାଇ ଚପଲ ରଖାଯାଉଛି।

ଦୋକାନର ସେଲ୍ସମ୍ୟାନ ଅତି ଯତ୍ନର ସହ ଚପଲ ବାହାର କରି ଦେଖାଉଛନ୍ତି। ଏଥିସହ ତାହାର ଫିଚର ସମ୍ପର୍କରେ ଗରାଖଙ୍କୁ ଅବଗତ କରାଉଛନ୍ତି। ମାତ୍ର ଦାମ ସମ୍ପର୍କରେ ପଚାରିବାକୁ ତାଙ୍କ ପାଟିରୁ ଯାହା ବାହାରିଛି ତାହା ଆପଣଙ୍କୁ ଶକ୍ତ ଝଟକା ଦେବ।

କାରଣ ଏହି ଚପଲର ମୂଲ୍ୟ ୪୫୯୦ ସାଉଦି ରିୟାଲ ବୋଲି ସେ କହୁଛନ୍ତି। ଅର୍ଥାତ ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ (୧,୦୨,୨୪୦ ) ଟଙ୍କା ବୋଲି ଜଣାଯାଇଛି।

ଏହାର ଭିଡିଓ ଭାଇରାଲ ହେବା ପରେ କମେଣ୍ଟ ବକ୍ସ ଫୁଲ୍‌ ହୋଇଗଲାଣି। ଜଣେ ୟୁଜର୍ସ ଲେଖିଛନ୍ତି, ଏହା ପିନ୍ଧିବା ପାଇଁ ନୁହେଁ, ଅତ୍ୟଧିକ ଚିଡ଼ାଉଥିବା ପିଲାଙ୍କୁ ସାବାଡ କରିବା ନିମନ୍ତେ ଏହା ମା’ମାନଙ୍କର ପ୍ରମୁଖ ଅସ୍ତ୍ର । କାରଣ ଘରେ ବାପାମାନେ ଏହାକୁ ବାଥରୁମ୍‌ ଯିବାକୁ ବ୍ୟବହାର କରୁଥିବା ବେଳେ ମା’ମାନେ ଠିକ୍‌ ସମୟରେ ପିଲାଙ୍କୁ ପିଟିବାକୁ ବ୍ୟବହାର କରିଥାନ୍ତି।