ହିଟ୍‌ ଆଣ୍ଡ ରନ୍‌: ବିଏମ୍‌ଡବ୍ଲୁ ଧକ୍କାରେ ଚାଲିଗଲା ସାମ୍ବାଦିକଙ୍କ ଜୀବନ

ବାଇକ୍‌ରେ ଯାଉଥିବା ଜଣେ ଭିଡିଓ ଜର୍ଣ୍ଣାଲିଷ୍ଟଙ୍କୁ ଦ୍ରୁତ ଗତିରେ ଆସି ଏକ ବିଏମ୍‌ଡବ୍ଲୁ କାର୍‌ ପଛପଟୁ ଧକ୍କା ଦେଇଥିଲା। ଫଳରେ ୧୦୦ ମିଟର ଦୂରକୁ ସେ ଛିଟିକି ପଡିଥିଲେ।

ହିଟ୍‌ ଆଣ୍ଡ ରନ୍‌: ବିଏମ୍‌ଡବ୍ଲୁ ଧକ୍କାରେ ଚାଲିଗଲା ସାମ୍ବାଦିକଙ୍କ ଜୀବନ

ଦେଶରେ ଦିନକୁ ଦିନ ବଢ଼ି ଚାଲିଛି ହିଟ୍ ଆଣ୍ଡ ରନ୍‌ ମାମଲା। କିଏ କାହାକୁ ଧକ୍କା ଦେଇ ୨ରୁ ୩ କିଲୋମିଟର ଘୋଷାଡ଼ି ନେଉଛି ତ ଆଉ କିଏ ଗାଡି ଚଢ଼ାଇ ଫେରାର ହୋଇଯାଉଛି। ଏଭଳି ହିଁ ଏକ ମାମଲା ଏବେ ସାମ୍ନାକୁ ଆସିଛି। ବିଏମ୍‌ଡବ୍ଲୁ କାର୍‌ ଧକ୍କାରେ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି। 

ଚେନ୍ନାଇରେ ଘଟିଛି ଏଭଳି କିଛି ଘଟଣା। ମଙ୍ଗଳବାର ବିଳମ୍ବିତ ରାତିରେ ବାଇକ୍‌ରେ ଯାଉଥିବା ଜଣେ ଭିଡିଓ ଜର୍ଣ୍ଣାଲିଷ୍ଟଙ୍କୁ ଦ୍ରୁତ ଗତିରେ ଆସି ଏକ ବିଏମ୍‌ଡବ୍ଲୁ କାର୍‌ ପଛପଟୁ ଧକ୍କା ଦେଇଥିଲା। ଫଳରେ ୧୦୦ ମିଟର ଦୂରକୁ ସେ ଛିଟିକି ପଡିଥିଲେ। ପରେ ତାଙ୍କର ମୃତ୍ୟୁ ହୋଇଛି। ତେବେ ଧକ୍କା ଦେବା ପରେ ବିଏମ୍‌ଡବ୍ଲୁ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।

ମୃତ ସାମ୍ବାଦିକ ଜଣକ ହେଉଛନ୍ତି ପଣ୍ଡି ବଜାରର ପ୍ରଦୀପ କୁମାର। ସେ ଏକ ଲୋକପ୍ରିୟ ତେଲୁଗୁ ନ୍ୟୁଜ୍ ଚ୍ୟାନେଲରେ ଚାକିରି କରୁଥିଲେ। ଏହା ସହିତ ସେ ସହରରେ ପାର୍ଟ ଟାଇମ୍‌ ଭାବେ ରାପିଡୋ ଡ୍ରାଇଭର କାର୍ଯ୍ୟ କରୁଥିଲେ।

ସୂଚନା ମୁତାବକ, ମଦୁରାଭୋୟାଲ୍-ତାମ୍ବରମ୍‌ ଏଲିଭେଟେଡ୍‌ ବାଇପାସ୍ ଉପରେ ଏହି ଦୁର୍ଘଟଣା ଘଟିଥିଲା। ଏକ ବିଏମଡବ୍ଲୁ କାର ବାଇକ୍‌ରେ ଯାଉଥିବା ଭିଡିଓ ଜର୍ଣ୍ଣାଲିଷ୍ଟ ପ୍ରଦୀପଙ୍କୁ ପଛପଟୁ ଜୋର୍‌ରେ ଧକ୍କା ଦେଇଥିଲା। ଫଳରେ ପ୍ରଦୀପଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ କାରର ଡ୍ରାଇଭର ସେହି ସ୍ଥାନ ଛାଡ଼ି ସେଠାରୁ ଫେରାର ହୋଇ ଯାଇଥିଲେ।

ଏନେଇ ରାସ୍ତାରେ ଯାଉଥିବା ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେଇଥିଲେ। ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି କ୍ଷତିଗ୍ରସ୍ତ ଦୁଇ ଚକିଆ ଯାନକୁ ଉଦ୍ଧାର କରିଥିଲା। ଘଟଣାସ୍ଥଳରୁ ୧୦୦ ମିଟର୍‌ ଦୂରରେ ପୀଡ଼ିତଙ୍କ ମୃତଶରୀରକୁ ପୁଲିସ୍‌ ଉଦ୍ଧାର କରିଥିଲା। ଏଥିସହ ଦୁର୍ଘଟଣା ଘଟାଇଥିବା ବିଏମ୍‌ଡବ୍ଲୁ କାର୍‌କୁ ଜବତ କରାଯାଇଛି। ଫେରାର ଡ୍ରାଇଭରଙ୍କୁ ପୁଲିସ ଖୋଜାଖୋଜି ଜାରି ରଖିଛି। ଏହା ଏକ ହିଟ୍‌ ଆଣ୍ଡ ରନ୍‌ ମାମଲା ବୋଲି ପୁଲିସ କହିଛି।