ହିନ୍ଦୁଙ୍କ ଧର୍ମୀୟ ଭାବନା ପ୍ରତି ଶକ୍ତ କୁଠାରଘାତ: ତିରୁପତି ବାଲାଜୀଙ୍କ ପ୍ରସାଦରେ ମିଶୁଛି କି ପଶୁ ଚର୍ବି ? 

ଆନ୍ଧ୍ରପ୍ରଦେଶର ତିରୁପତି ବାଲାଜୀଙ୍କ ବିଶ୍ବବ୍ୟାପୀ ଅଗଣିତ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମନରେ ଗଭୀର ଆଘାତ। ସତରେ କଣ ତିରୁପତି ବାଲାଜୀଙ୍କ ପ୍ରସାଦ ତିଆରିରେ ବ୍ୟବହାର ହେଉଛି ପଶୁଙ୍କ ଚର୍ବିରୁ ପ୍ରସ୍ତୁତ ଘିଅ ? 

ହିନ୍ଦୁଙ୍କ ଧର୍ମୀୟ ଭାବନା ପ୍ରତି ଶକ୍ତ କୁଠାରଘାତ: ତିରୁପତି ବାଲାଜୀଙ୍କ ପ୍ରସାଦରେ ମିଶୁଛି କି ପଶୁ ଚର୍ବି ? 

ଆନ୍ଧ୍ର ପ୍ରଦେଶରେ ତିରୁପତି ତିରୁମାଳା ଭେଙ୍କଟେଶ୍ବର ମନ୍ଦିରରେ ପ୍ରସ୍ତୁତ ପବିତ୍ର ଲଡୁ ପ୍ରସାଦରେ ପଶୁ ଚର୍ବିର ଘିଅ। ରାଜ୍ୟରେ ବର୍ତ୍ତମାନ କ୍ଷମତାରେ ଥିବା ଟିଡିପି ନେତୃତ୍ବାଧୀନ ସରକାର ଏଭଳି ସାଙ୍ଘାତିକ ଅଭିଯୋଗ ଆଣିବା ପରେ ଏବେ ସାରା ଦେଶରେ ଏ ବିବାଦକୁ ନେଇ ଚର୍ଚ୍ଚା। ଏପଟେ ଘଟଣାକୁ ନେଇ ଆନ୍ଧ୍ରର ସରକାରୀ ଓ ବିରୋଧ ଦଳ ମଧ୍ୟରେ ବିବାଦ ତୀବ୍ର ହୋଇଥିବା ବେଳେ ଆଜି କେନ୍ଦ୍ର ଗୃହ ମନ୍ତ୍ରଣାଳୟ, ସ୍ବାସ୍ଥ୍ୟ ମନ୍ତ୍ରାଳୟ ଓ ସୁପ୍ରିମକୋର୍ଟ ଯାଏଁ ପହଞ୍ଚିଲାଣି ମାମଲା।

କୋଟି କୋଟି ହିନ୍ଦୁଙ୍କ ଧର୍ମୀୟ ଭାବନା ପ୍ରତି ଶକ୍ତ କୁଠାରଘାତ। ଆନ୍ଧ୍ରପ୍ରଦେଶର ତିରୁପତି ବାଲାଜୀଙ୍କ ବିଶ୍ବବ୍ୟାପୀ ଅଗଣିତ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମନରେ ଗଭୀର ଆଘାତ। ସତରେ କଣ ତିରୁପତି ବାଲାଜୀଙ୍କ ପ୍ରସାଦ ତିଆରିରେ ବ୍ୟବହାର ହେଉଛି ପଶୁଙ୍କ ଚର୍ବିରୁ ପ୍ରସ୍ତୁତ ଘିଅ ? ଏ ପ୍ରଶ୍ନ ଏବେ କେବଳ ଦକ୍ଷିଣ ଭାରତ ନୁହେଁ, ବରଂ ସମଗ୍ର ଦେଶ ଏବଂ ଦେଶ ବାହାରେ ଥିବା କୋଟି କୋଟି ହିନ୍ଦୁଙ୍କ ଭାବନାରେ ଗଭୀର ଆଲୋଡ଼ନ ସୃଷ୍ଟି କରିଛି।

ଏପଟେ ଆନ୍ଧ୍ରପ୍ରଦେଶରୁ ଆରମ୍ଭ ହୋଇଥିବା ଧର୍ମୀୟ ପ୍ରସଙ୍ଗ ଏବେ ପାଲଟିଛି ଦେଶର ସବୁଠୁ ବଡ଼ ରାଜନୈତିକ ପ୍ରସଙ୍ଗ। କାରଣ ଏ ଘଟଣାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଭିନ୍ନ ରାଜନୈତିକ ଦଳ। ଆନ୍ଧ୍ର ପ୍ରଦେଶରେ ଏବେ ଶାସନରେ ଥିବା ଟିଡିପି ଏ ଘଟଣା ପାଇଁ ପୂର୍ବ ସରକାରକୁ ଦାୟୀ କରିଥିବା ବେଳେ, ପୂର୍ବରୁ ଶାସନରେ ଥିବା ୱାଇଏସଆର୍ କଂଗ୍ରେସ ଦଳର ମୁଖିଆ ୱାଇ ଏସ ଜଗନମୋହନ ରେଡ୍ଡି ଏହାକୁ ଚନ୍ଦ୍ରବାବୁ ନାଇଡୁଙ୍କୁ ରାଜନୈତିକ ଷ୍ଟଣ୍ଟ ବୋଲି କହିଛନ୍ତି। ଭେଙ୍କଟେଶ୍ବରଙ୍କ ପ୍ରସାଦର ପବିତ୍ରତା ନଷ୍ଟ କରିବା ପଛରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ଶାସନ କଳକୁ ଟିଡିପି ଆଙ୍ଗୁଠି ଦେଖାଇ ଥିବା ବେଳେ ସେପଟେ ଅଭିଯୋଗକୁ ସମ୍ପୂର୍ଣ୍ଣ ଭିତ୍ତିହୀନ କହି ଚନ୍ଦ୍ରବାବୁ ରାଜନୈତିକ ଫାଇଦା ପାଇଁ ଯେକୌଣସି ଯାଇ ପାରନ୍ତି ବୋଲି କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ।

ସେପଟେ ଆନ୍ଧ୍ରପ୍ରଦେଶ କଂଗ୍ରେସ ଏ ଘଟଣାର ସିବିଆଇ ତଦନ୍ତ ଦାବି କରିଛି। ଏ ନେଇ ଜଗନଙ୍କ ଉଉଣୀ ତଥା ଆନ୍ଧ୍ରପ୍ରଦେଶ କଂଗ୍ରେସ ମୁଖ୍ୟ ୱାଇଏସ ଶର୍ମିଲା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିଛନ୍ତି। ସେପଟେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ମଧ୍ୟ ଟିଟିଡିକୁ ଘିଅ ଯୋଗାଣ ମାମଲାକୁ ୨୦ ହଜାର ଟଙ୍କାର କାରବାର ଦର୍ଶାଇ ଏହା ପଛରେ ଦୁର୍ନୀତିର ଗନ୍ଧ ବାରି ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି। ସେପଟେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଆଜି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ସହ ଆଲୋଚନା ପରେ ଏ ସମ୍ପର୍କରେ ବିସ୍ତୃତ ରିପୋର୍ଟ ମାଗିଛନ୍ତି। 

ଏ ବିବାଦ ବଢ଼ିବା ପରେ ଶ୍ରୀ ଭେଙ୍କଟେଶ୍ବର ସ୍ବାମୀ ମନ୍ଦିର ପରିଚାଳନା ଦାୟିତ୍ବରେ ଥିବା ତିପୁରତି ତିରୁମାଳା ଦେବସ୍ଥାନମ୍ ବା ଟିଟିଡିର ନିର୍ବାହୀ ଅଧିକାରୀ କହିଛନ୍ତି, ଯେ ଘିଅର ଗୁଣବତ୍ତା ପରୀକ୍ଷଣ ଲାଗି ଟିଟିଡିର ନିଜସ୍ବ ପରୀକ୍ଷାଗାର ନାହିଁ। ଯାହାର ଫାଇଦା ନେଇଛନ୍ତି ଘିଅ ଯୋଗାଣକାରୀ ସଂସ୍ଥା। ସେପଟେ ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣ ଏ ଘଟଣା ପରେ ସନାତନ ଧର୍ମ ରକ୍ଷଣ ବୋର୍ଡ ଗଠନର ଦାବି କରିଛନ୍ତି। ସାରା ଦେଶରେ ମନ୍ଦିରଗୁଡ଼ିକରେ ଏଭଳି ଘଟଣା ଉପରେ ନଜର ରଖିବାକୁ ଜାତୀୟ ସ୍ତରରେ ଏଭଳି ବୋର୍ଡ ଗଠନ ଉପରେ ସେ ଜୋର ଦେଇଛନ୍ତି।

ଏତେସବୁ ବିବାଦ ଭିତରେ ଏ ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ବିନିତ ଜିନ୍ଦଲ ନାମଜ ଜଣେ ଆଇନଜୀବୀ ଏ ମାମଲାରେ ଗୃହ ମନ୍ତ୍ରାଳୟ, ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇ ଏସ ଜଗନମୋହନ ରେଡ୍ଡି ଓ ଟିଟିଡି କର୍ତ୍ତୃପକ୍ଷ ଓ ଘିଅ ଯୋଗାଉଥିବା ଠିକାଦାରଙ୍କୁ ଅଭିଯୁକ୍ତ ଦର୍ଶାଇ ସେମାନଙ୍କୁ କୋର୍ଟକୁ ଟାଣିଛନ୍ତି।