ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି
ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ, ପରଜଙ୍ଗ ଓ କାମାକ୍ଷାନଗର ପାଇଁ ମଧ୍ୟ ଉଭୟ ଦଳ ପ୍ରାର୍ଥୀ ଦେଇସାରିଛନ୍ତି। ହେଲେ ହିନ୍ଦୋଳ ସଂରକ୍ଷିତ ଆସନ ପାଇଁ ବିଜେଡି ଓ ଭାଜପା ଏଯାଏ ପ୍ରାର୍ଥୀ ଘୋଷଣା କରି ନ ଥିବାରୁ ଆଶାୟୀମାନେ ଆଶା ଓ ଆଶଙ୍କା ମଧ୍ୟରେ ରହିଛନ୍ତି। ସେହିପରି କଂଗ୍ରେସ ଜିଲାରେ ପ୍ରାର୍ଥୀ ଘୋଷଣାରେ ପୂରା ପଛରେ […] The post ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି appeared first on Dharitri Odia News.
ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ, ପରଜଙ୍ଗ ଓ କାମାକ୍ଷାନଗର ପାଇଁ ମଧ୍ୟ ଉଭୟ ଦଳ ପ୍ରାର୍ଥୀ ଦେଇସାରିଛନ୍ତି। ହେଲେ ହିନ୍ଦୋଳ ସଂରକ୍ଷିତ ଆସନ ପାଇଁ ବିଜେଡି ଓ ଭାଜପା ଏଯାଏ ପ୍ରାର୍ଥୀ ଘୋଷଣା କରି ନ ଥିବାରୁ ଆଶାୟୀମାନେ ଆଶା ଓ ଆଶଙ୍କା ମଧ୍ୟରେ ରହିଛନ୍ତି। ସେହିପରି କଂଗ୍ରେସ ଜିଲାରେ ପ୍ରାର୍ଥୀ ଘୋଷଣାରେ ପୂରା ପଛରେ ପଡ଼ିଛି।
ବିଶେଷକରି ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି କାହାକୁ ପ୍ରାର୍ଥୀ କରିବ ତାହା ଉପରେ ଭାଜପା ସତର୍କ ନଜର ରଖିଛି। ସେହିପରି ଭାଜପା ମଧ୍ୟ କାହାକୁ ପ୍ରାର୍ଥୀ କରିବ ତାହାକୁ ବିଜେଡି ଚାହିଁ ରହିଥିବା ଆଲୋଚନା ହେଉଛି। ଉଭୟ ଦଳରୁ ଯଦି ପ୍ରାର୍ଥୀ ହେବାରୁ କୌଣସି ପ୍ରମୁଖ ନେତା ବଞ୍ଚିତ ହୁଅନ୍ତି, ତାହେଲେ ଏହାକୁ ନେଇ ଉଭୟଦଳ ରଣନୀତି ସ୍ଥିର କରିବେ ବୋଲି କୁହାଯାଉଛି। ହିନ୍ଦୋଳ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡିରୁ ବିଧାୟିକା ସୀମାରାଣୀ ନାଏକଙ୍କ ସମେତ ଏମ୍ପି ମହେଶ ସାହୁ, ଅଶୋକ ନାଏକଙ୍କ ନାମ ଆଲୋଚନା ହେଉଥିବା ବେଳେ ଭାଜପାରୁ ପୂର୍ବତନ ମନ୍ତ୍ରୀ ଅଞ୍ଜଳୀ ବେହେରା ଓ ମନୋରଞ୍ଜନ ନାଏକଙ୍କ ନାମ ନେଇ ଚର୍ଚ୍ଚା ହେଉଛି। ତେବେ ହିନ୍ଦୋଳ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା ହୋଇ ନ ଥିବାରୁ ଉଭୟ ଦଳର ଏମ୍ପି ପ୍ରାର୍ଥୀ ନିର୍ବାଚନ ପାଇଁ ସାଙ୍ଗଠନିକ ବୈଠକରେ ଯୋଗଦେଇ କର୍ମୀମାନଙ୍କୁ ସଙ୍ଗଠିତ କରିବାରେ ସମସାର ସମ୍ମୁଖୀନ ହେଉଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ପକ୍ଷରୁ ଜିଲାର ୪ଟି ଯାକ ବିଧାନସଭା ଏବଂ ଲୋକ ସଭା ପ୍ରାର୍ଥୀ ବର୍ତ୍ତମାନ ସୁଦ୍ଧା ଘୋଷଣା ହୋଇପାରି ନାହିଁ। ଫଳରେ ରାଜନୈତିକ ବାତାବରଣ ସରଗରମ ହୋଇପାରୁନାହିଁ। ଜିଲା କଂଗ୍ରେସ କମିଟିର ସୂଚନା ମୁତାବକ ଢେଙ୍କାନାଳ ଲୋକ ସଭା ପାଇଁ ଅଖିଳ ଭାରତୀୟ କଂଗ୍ରେସ କମିଟି ସମ୍ପାଦିକା ସସ୍ମିତା ବେହେରା ଆଶାୟୀ ଥିବା ବେଳେ ଢେଙ୍କାନାଳ ରାଜ ପରିବାର ପକ୍ଷରୁ ମଧ୍ୟ ଜଣେ ଆଶାୟୀ ପ୍ରାର୍ଥୀ ହେବାର ସମ୍ଭାବନା ରହିଥିବା ଆଲୋଚନା ହେଉଛି। ସେହିପରି ଢେଙ୍କାନାଳ ବିଧାନସଭା ପାଇଁ ସୁସ୍ମିତା ସିଂହଦେଓଙ୍କ ସମେତ ଜିଲା ସଭାପତି ସୁନୀଲ ଦାଶ, ଯୁବ କଂଗ୍ରେସ ସଭାପତି ଶୁଭମ ଦାଶ, ଜିଲା ମହିଳା କଂଗ୍ରେସ ସଭାପତି ସ୍ମିତାରାଣୀ ସାମଲ ପ୍ରମୁଖ ଆଶାୟୀ ରହିଛନ୍ତି। କାମାକ୍ଷାନଗର ବିଧାନସଭା ନିର୍ବାଚନମଣ୍ଡଳୀରେ ବିଶିଷ୍ଟ ଶିକ୍ଷକ ନେତା ବିପ୍ରବର ସାହୁ, ପ୍ରଭୁଦତ୍ତ ଭଟ୍ଟ ଓ ପିସିସି ସାଧାରଣ ସମ୍ପାଦକ ଆଦିତ୍ୟ ମହାପାତ୍ରଙ୍କ ନାମ ଆଶାୟୀ ପ୍ରାର୍ଥୀଭାବେ ରହିଛି। ହିନ୍ଦୋଳ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଗୋବର୍ଦ୍ଧନ ଶେଖର ନାଏକ ଓ କୈଳାସ ନାଏକ, ପରଜଙ୍ଗ ବିଧାନସଭା ନିର୍ବାଚନମଣ୍ଡଳୀରେ ରଣଜିତ ସାହୁ ଓ ବିଜୟ ରାଉତରାୟଙ୍କ ନାମ ଚର୍ଚ୍ଚା ହେଉଥିବା ଜଣାପଡିଛି। ହିନ୍ଦୋଳକୁ ଛାଡି ବାକି ଆସନରେ ବିଜେଡି ଓ ଭାଜପା ପ୍ରାର୍ଥୀମାନେ ଏକପ୍ରକାର ପ୍ରଚାର କାମ ଆରମ୍ଭ କରିଥିବା ବେଳେ କଂଗ୍ରେସର ପ୍ରାର୍ଥୀ ଘୋଷଣା ହୋଇ ନ ଥିବାରୁ ଦଳର ପ୍ରାର୍ଥୀମାନେ କେବେ ପ୍ରଚାରରେ ସାମିଲ ହେବେ ତାହା ଆଲୋଚନାର ବିଷୟ ହୋଇଛି। ଏ ସଂକ୍ରାନ୍ତରେ ଜିଲା କଂଗ୍ରେସ ସଭାପତି ସୁନୀଲ ଦାଶ କହିଛନ୍ତି, ଜିଲା କଂଗ୍ରେସ ପକ୍ଷରୁ ସମସ୍ତ ତାଲିକା ହାଇକମାଣ୍ଡଙ୍କ ନିକଟକୁ ପଠାଯାଇଛି। ଚୂଡ଼ାନ୍ତ ନିଷ୍ପତ୍ତିି ହାଇକମାଣ୍ଡଙ୍କ ହାତରେ। ଜିଲା ବିଜେଡି ସଭାପତି ତଥା ପରଜଙ୍ଗ ବିଧାୟକ ଡା. ନୃସିଂହ ଚରଣ ସାହୁ କହିଛନ୍ତି, ବିଳମ୍ବ ତ ହେଉଛି। କେବେ ଘୋଷଣା ହେବ ଅପେକ୍ଷା କରିଛୁ। ଜିଲା ଭାଜପା ସଭାପତି ନରେଶଚନ୍ଦ୍ର ମହାପାତ୍ର କହିଛନ୍ତି, ଦଳର ସର୍ବଭାରତୀୟ ସ୍ତରରେ ପ୍ରାର୍ଥୀ ଚୂଡ଼ାନ୍ତ କରାଯାଉଛି। ତେଣୁ ନିଷ୍ପତ୍ତି ଅପେକ୍ଷାରେ ରହିଛୁ।
The post ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି appeared first on Dharitri Odia News.