ହୁଣ୍ଡିରେ ଖସି ପଡ଼ିଲା ଭକ୍ତଙ୍କ ଆଇ-ଫୋନ, ଭଗବାନଙ୍କ ସମ୍ପତ୍ତି କହି ରଖିଦେଲା ମନ୍ଦିର

ସେ ମନ୍ଦିରକୁ ଦାନ କରୁଥିବା ବେଳେ ଭୁଲ ବଶତଃ ତାଙ୍କ ପକେଟରେ ଥିବା ଆଇଫୋନଟି ହୁଣ୍ଡିରେ ପଡ଼ି ଯାଇଥିଲା।

ହୁଣ୍ଡିରେ ଖସି ପଡ଼ିଲା ଭକ୍ତଙ୍କ ଆଇ-ଫୋନ, ଭଗବାନଙ୍କ ସମ୍ପତ୍ତି କହି ରଖିଦେଲା ମନ୍ଦିର

ମନ୍ଦରକୁ ଅର୍ଥ ଦାନ କରୁଥିବା ବେଳେ ହୁଣ୍ଡିରେ ଖସିପଡ଼ିଲା ଜଣେ ଭକ୍ତଙ୍କ ଆଇ-ଫୋନ। ହୁଣ୍ଡିରେ ଆଇଫୋନ ଖସି ପଡ଼ିବାରୁ ସେ ଏହାକୁ ଫେରାଇ ଦେବାକୁ ମନ୍ଦିର କର୍ତ୍ତୃପକ୍ଷଙ୍କୁ କହିଥିଲେ। ହେଲେ ହୁଣ୍ଡିରେ ଆଇ-ଫୋନ ଖସି ପଡ଼ିଥିବାରୁ ଏହାକୁ ଭଗବାନଙ୍କ ସମ୍ପତ୍ତି ବୋଲି ଘୋଷଣା କରିଛନ୍ତି ମନ୍ଦିର କର୍ତ୍ତୃପକ୍ଷ। ଏଥିପାଇଁ ଭକ୍ତ ଜଣଙ୍କୁ ତାଙ୍କ ଆଇ-ଫୋନ ଫେରସ୍ତ କରି ନାହାନ୍ତି।

ତାମିଲନାଡୁର ଗୋଟିଏ ମନ୍ଦିରେ ଏପରି ଘଟଣା ଘଟିଛି। ଦୀନେଶ ନାମକ ଜଣେ ବ୍ୟକ୍ତିଙ୍କ ଆଇ ଫୋନ ମନ୍ଦିର କର୍ତ୍ତୃପକ୍ଷ ଭଗବାନଙ୍କ ସମ୍ପତ୍ତି କହି ନିଜ ପାଖରେ ରଖି ଦେଇଛନ୍ତି। ନିକଟରେ ଦୀନେଶ ଚେନ୍ନାଇର ଥିରୁପୋରୁର ଠାରେ ଥିବା ଅରୁଲମିଗୁ କାଣ୍ଡସ୍ୱାମୀ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ। ସେ ମନ୍ଦିରକୁ ଦାନ କରୁଥିବା ବେଳେ ଭୁଲ ବଶତଃ ତାଙ୍କ ପକେଟରେ ଥିବା ଆଇଫୋନଟି ହୁଣ୍ଡିରେ ପଡ଼ି ଯାଇଥିଲା।

ସେ ତୁରନ୍ତ ନିଜ ଫୋନ ପାଇବା ଆଶାରେ ମନ୍ଦିର କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିଥିଲେ। ହେଲେ ସେମାନେ ହୁଣ୍ଡିରେ ଖସି ପଡ଼ିଥିବାରୁ ଆଇ ଫୋନକୁ ଭଗବାନଙ୍କ ସମ୍ପତ୍ତି କହି ଦୀନେଶଙ୍କୁ ଏହା ଦେଇ ନାହାନ୍ତି।

ସବୁଠାରୁ କୌତହଳର ବିଷୟ ହେଲା, ମନ୍ଦିର କର୍ତ୍ତୃପକ୍ଷ ଦୀନେଶଙ୍କୁ ଆପଲ ଡିଭାଇସରେ ଥିବା ସମସ୍ତ ତଥ୍ୟକୁ ନେବାକୁ ଅନୁମିତି ଦେଇଛନ୍ତି। କିନ୍ତୁ ଆଇଫୋନକୁ ଦେବାକୁ ମନା କରିଛନ୍ତି। ହେଲେ ଦୀନେଶ ଫୋନ ନେବା ଜିଦରେ ଅଟଳ ରହିଥିଲେ।

ଘଟଣାଟି ଯେତେବେଳେ ବିଭାଗୀୟ ମନ୍ତ୍ରୀ ପିକେ ସେକର ବାବୁଙ୍କ ପାଖରେ ପହଞ୍ଚିଥିଲା ସେତେବେଳେ ସେ ମଧ୍ୟ ଅଜବ କଥା କହିଛନ୍ତି। ତାଙ୍କ କହିବା କଥା ମନ୍ଦିରର ଦାନ ବାକ୍ସରେ ପଡ଼ୁଥିବା ଜିନିଷକୁ ଭଗବାନଙ୍କ ସମ୍ପତ୍ତି ଭାବେ ବିବେଚନା କରାଯାଏ।

ଉକ୍ତ ଜିନିଷ ଜାଣତରେ ହେଉ କି ଅଜଣତାରେ ପଡ଼ୁ, ସେସବୁ ଭଗବାନଙ୍କର ବୋଲି ଧରାଯାଏ। ବହୁ ପୂର୍ବରୁ ଏପରି ପରମ୍ପରା ଓ ଅଭ୍ୟାସ ରହିଛି। ନିୟମ ଆମକୁ ହୁଣ୍ଡିରୁ କୌଣସି ଜିନିଷ ଫେରାଇବାକୁ ଅନୁମତି ଦେଉନାହିଁ ବୋଲି ସେ କହିଛନ୍ତି।