ହେମନ୍ତ ସୋରେନ୍‌ଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ୍‌

ଗତ ଜାନୁଆରୀରେ ଅର୍ଥ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଗିରଫ କରିଥିଲା।

ହେମନ୍ତ ସୋରେନ୍‌ଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ୍‌

ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ଜାମିନ୍‌ ମିଳିଛି । ଜମି ଦୁର୍ନୀତି ମାମଲାରେ ଆଜି ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଗତ ଜାନୁଆରୀରେ ଅର୍ଥ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଗିରଫ କରିଥିଲା। ଏହାପୂର୍ବରୁ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଇସ୍ତଫା ଦେବାର କିଛି ସମୟ ମଧ୍ୟରେ ଇଡି ହେମନ୍ତ ସୋରେନଙ୍କୁ ଗିରଫ କରିଥିଲା।

ସୁପ୍ରିମକୋର୍ଟରେ ଏହି ମାମଲା ପହଞ୍ଚିଥିବା ବେଳେ ଏବେ ହାଇକୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି। କୋର୍ଟରେ ଯୁକ୍ତି ବାଢିବା ସମୟରେ, ସୋରେନ୍ ରାଞ୍ଚିରେ ବେଆଇନ ଭାବେ ୮.୮୬ ଏକର ଜମି ହଡ଼ପ କରିଥିବା ଅଭିଯୋଗ କରିଥିଲା ଇଡି । ଇଡିର ଅଭିଯୋଗକୁ ଖଣ୍ଡନ କରି, ସୋରେନଙ୍କ ଗିରଫଦାରୀ ରାଜନୈତିକ ଉଦ୍ଦେଶ ପ୍ରଣୋଦିତ ଓ ମିଥ୍ୟା ମାମଲାରେ କରାଯାଇଛି ବୋଲି ହେମନ୍ତଙ୍କ ଓକିଲ କହିଥିଲେ । ଉଭୟ ପକ୍ଷଙ୍କୁ ଶୁଣିବା ପରେ ହେମନ୍ତ ସୋରେନ୍‌ଙ୍କୁ ୫୦,୦୦୦ ଟଙ୍କା ଲେଖାଏଁ ଦୁଇଟି ମାମଲାରେ ଦାଖଲ କରିବା ପରେ ହାଇକୋର୍ଟ ସୋରେନଙ୍କୁ ବେଲ୍ ପ୍ରଦାନ କରିଛନ୍ତି । 

ହେମନ୍ତ ସୋରେନ୍‌ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଚମ୍ପଇ ସୋରେନ୍ । 

ଗିରଫ ପୂର୍ବରୁ ହେମନ୍ତଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ରେଡ୍ କରି ଇଡି ନଗଦ ୩୬ ଲକ୍ଷ ଟଙ୍କା, ଦୁଇଟି ଦାମୀ ଗାଡ଼ି ଓ ବହୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଜବତ କରିଥିଲା । ତା’ ପୂର୍ବରୁ ନଅ ନଅ ଥର ସମନ ଟାଳି ଇଡି କାର୍ଯ୍ୟାଳୟରେ ହାଜର ହୋଇନଥିଲେ ହେମନ୍ତ ସୋରେନ । ଦଶମ ଥର ଲାଗି ଜାନୁଆରୀ ୨୯ କିମ୍ବା ୩୦ରେ ହାଜର ହେବାକୁ ଇଡି ହେମନ୍ତଙ୍କୁ ସୁଯୋଗ ଦେଇଥିଲା । ରାଜନୈତିକ ଆକ୍ରୋଶ ରଖି ତାଙ୍କୁ ସମନ କରାଯାଇଛି ବୋଲି ସୋରେନ କହିଥିଲେ ଏବଂ ସେ ଇଡି କାର୍ଯ୍ୟାଳୟରେ ହାଜର ହୋଇନଥିଲେ ।

ଶେଷରେ ଜାନୁଆରୀ ୩୧ରେ ସୋରେନଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଟିମ ପହଞ୍ଚିଥିଲା । ରାଞ୍ଚିସ୍ଥିତ ଘରେ ଇଡି ଟିମ୍ ପହଞ୍ଚି ମନି ଲଣ୍ଡରିଂ ଓ ଜମି ଦୁର୍ନୀତି ମାମଲାରେ ତାଙ୍କୁ ପଚରାଉଚରା କରିଥିଲା । ସୋରେନଙ୍କ ଘର ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଇଡିର ପଚରାଉଚରା ଭିତରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ପକ୍ଷରୁ ଶକ୍ତି ପ୍ରଦର୍ଶନ ମଧ୍ୟ ହୋଇଥିଲା । ଦଳର ବିଧାୟକ ମାନେ ମୁଖ୍ୟମନ୍ତ୍ରୀ ସୋରେନଙ୍କ ଘର ପାଖରେ ଏକାଠି ହୋଇଥିଲେ । ତେବେ କୌଣସି ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ପାଇଁ ମୁଖ୍ୟମନ୍ତ୍ରୀ ସୋରେନଙ୍କ ଘର ଚାରିପାଖରେ ୧୪୪ ଧାରା ଜାରି କରାଯାଇଥିଲା । ହେଲେ ଶେଷରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ଗିରଫ କରିଥିଲା ।