ହୋଲି ପାଇଁ ବିହାରରୁ ଭୁବନେଶ୍ୱର ଆସୁଥିଲା ଭାଙ୍ଗ

ଭାଙ୍ଗ ଚାଲାଣ ମାମଲାରେ ଅବକାରୀ ବିଭାଗ ୩ ମାଫିଆଙ୍କୁ ଗିରଫ କରିବା ସହିତ ଭାଙ୍ଗ ଜବତ କରିଛି

ହୋଲି ପାଇଁ ବିହାରରୁ ଭୁବନେଶ୍ୱର ଆସୁଥିଲା ଭାଙ୍ଗ

ହୋଲି ପାଇଁ ବିହାରରୁ ଭୁବନେଶ୍ୱର ଆସୁଥିଲା ଭାଙ୍ଗ। ବିକ୍ରି ହେବା ପୂର୍ବରୁ ମାଡ଼ିବସିଲା ଅବକରୀ ବିଭାଗ। ଭାଙ୍ଗ ଚାଲାଣ ମାମଲାରେ ଅବକାରୀ ବିଭାଗ ୩ ମାଫିଆଙ୍କୁ ଗିରଫ କରିବା ସହିତ ଭାଙ୍ଗ ଜବତ କରିଛି। ରାଜଧାନୀ ଭୁବନେଶ୍ୱର ଉପକଣ୍ଠରୁ ଆସିଛି ଏପରି ଅଭିଯୋଗ।

ଆଗକୁ ଆସୁଛି ରଙ୍ଗର ପର୍ବ ହୋଲି। ସମସ୍ତେ ରଙ୍ଗରେ ଭିଜିବେ ଓ ନାଚିବେ, ଗାଇବେ ଓ ମସ୍ତି କରିବେ। ଆଉ ସେହି ମସ୍ତିକୁ ଆହୁରି ରଙ୍ଗିନ କରିବା ପାଇଁ ବିହାରରୁ ଆସୁଥିଲା ଭାଙ୍ଗ। ଏନେଇ କୌଣସି ସୂତ୍ରରୁ ଖବର ପାଇଥିଲା ରାଜ୍ୟ ଅବକାରୀ ବିଭାଗ। ତାପରେ ନିଶା ବେପାରୀଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା ଅବକାରୀ ବିଭାଗ। ଯୋଜନା ମୁତାବକ ଆଜି ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ୍‌ ରାଜଧାନୀ ଉପକଣ୍ଠ ବାଲିପାଟଣାର ମହୁଖଣ୍ଡା ଗାଁରେ ଚଢଉ କରିଥିଲା। ସେଠାରୁ ୫୨୦ କେଜି ଭାଙ୍ଗ ଜବତ କରିଥିଲା ଅବକାରୀ ବିଭାଗ। ଏହି ମାମଲାରେ ଅବକାରୀ ବିଭାଗ ତିନି ଜଣଙ୍କୁ ଗିରଫ କରିଛି।

ଅବକାରୀ ବିଭାଗର କହିବା ଅନୁସାରେ ଜବତ ହୋଇଥିବା ଭାଙ୍ଗ ବିହାରରୁ ଆସିଛି। ଏହି ଭାଙ୍ଗ ଭୁବନେଶ୍ୱରରେ ବିକ୍ରି କରାଯିବା ପାଇଁ ରଖାଯାଇଥିଲା। ଗିରଫ ହୋଇଥିବା ଅଭିଯୁକ୍ତ ମାନେ କେତେଦିନ ଧରି ଏହି ବେପାର କରୁଥିଲେ, ତାହା ଜଣାପଡ଼ିନାହିଁ। ଅବକାରୀ ବିଭାଗ ତା ଉପରେ ତଦନ୍ତ ଚଳାଇଛି।

ସେଇଭଳି ଅନ୍ୟ ଏକ ମାମଲାରେ ଅବକାରୀ ବିଭାଗ ପାଟ୍ରୋଲିଂ କରୁଥିବା ବେଳେ ଜଣେ ଗଞ୍ଜେଇ ମାଫିଆକୁ ଧରିଛି। ଅଭିଯୁକ୍ତ ଜଣଙ୍କ କନ୍ଧମାଳରୁ ବାଇକ୍‌ରେ ଗଞ୍ଜେଇ ଧରି ଭୁବନେଶ୍ୱର ଆସୁଥିବା ବେଳେ ଧରାପଡ଼ିଛି। ଅବକାରୀ ବିଭାଗ ତାକୁ ପଚରା ଉଚରା କରି ଗରିଫ କରିଛି। ଏଥି ସହ ତା ବାଇକ୍‌ ଓ ଗଞ୍ଜେଇ ଜବତ କରିଛି। ଗିରଫ ହୋଇଥିବା ଅଭିଯୁକ୍ତ ଜଣେ ପେସାଦାର ଗଞ୍ଜେଇ ମାଫିଆ। ୬ ମାସ ତଳେ ଏକ ନୂଆ କାରରେ ସେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଧରାପଡ଼ି ଜେଲ୍‌ ଯାଇଥିଲା। ପରବର୍ତ୍ତି ସମୟରେ ବେଲରେ ଜେଲରୁ ବାହାରି ପୁଣି ଥରେ ନିଶା କାରବାରରେ ମାତିଥିବା ବେଳେ ଧରାପଡ଼ିଛି।