ୟାହିୟା ସିନଓ୍ବାର କିଏ? ଅକ୍ଟୋବର ୭ ନରସଂହାର ପଛରେ ରହିଥିଲା ଯାହାଙ୍କ ହାତ, ହତ୍ୟା କରି ଇସ୍ରାଏଲ ନେଲା ପ୍ରତିଶୋଧ…

ଜେରୁଜେଲମ,୧୮।୧୦: ୨୦୨୩ ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣର ପଛରେ ଥିଲେ ହମାସ ମୁଖ୍ୟ ୟାହିୟା ସିନଓ୍ବାର। ଏହି ଆକ୍ରମଣରେ ୧୨୦୦ ଲୋକଙ୍କ ମୃତ୍ୟୁ ଘଟିଥିବା ଯୋଗୁ ସେ ଇସ୍ରାଏଲ ସେନାର ଟାର୍ଗେଟରେ ରହିଥିଲେ। କେବଳ ଏତିକି ନୁହେଁ ଅକ୍ଟୋବର ୨୦୨୩ରେ ଗାଜାର ଏକ ସୁରଙ୍ଗରେ ଅନେକ ଇସ୍ରାଏଲ୍‌ ଲୋକଙ୍କୁ ଅପହରଣ କରାଯାଇଥିଲା। ସେତେବେଳେ ୟାହିୟା ସମ୍ମୁଖକୁ ଆସିଥିଲେ। ସେନା ହାତରେ ଲାଗିଥିବା ଏହି ଶେଷ ଭିଡିଓ ଜରିଆରେ ତାଙ୍କୁ ଖୋଜା ଯାଉଥିଲା। ଶେଷରେ ତାଙ୍କୁ […] The post ୟାହିୟା ସିନଓ୍ବାର କିଏ? ଅକ୍ଟୋବର ୭ ନରସଂହାର ପଛରେ ରହିଥିଲା ଯାହାଙ୍କ ହାତ, ହତ୍ୟା କରି ଇସ୍ରାଏଲ ନେଲା ପ୍ରତିଶୋଧ… appeared first on Dharitri Odia News.

ୟାହିୟା ସିନଓ୍ବାର କିଏ? ଅକ୍ଟୋବର ୭ ନରସଂହାର ପଛରେ ରହିଥିଲା ଯାହାଙ୍କ ହାତ, ହତ୍ୟା କରି ଇସ୍ରାଏଲ ନେଲା ପ୍ରତିଶୋଧ…
ଜେରୁଜେଲମ,୧୮।୧୦: ୨୦୨୩ ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣର ପଛରେ ଥିଲେ ହମାସ ମୁଖ୍ୟ ୟାହିୟା ସିନଓ୍ବାର। ଏହି ଆକ୍ରମଣରେ ୧୨୦୦ ଲୋକଙ୍କ ମୃତ୍ୟୁ ଘଟିଥିବା ଯୋଗୁ ସେ ଇସ୍ରାଏଲ ସେନାର ଟାର୍ଗେଟରେ ରହିଥିଲେ। କେବଳ ଏତିକି ନୁହେଁ ଅକ୍ଟୋବର ୨୦୨୩ରେ ଗାଜାର ଏକ ସୁରଙ୍ଗରେ ଅନେକ ଇସ୍ରାଏଲ୍‌ ଲୋକଙ୍କୁ ଅପହରଣ କରାଯାଇଥିଲା। ସେତେବେଳେ ୟାହିୟା ସମ୍ମୁଖକୁ ଆସିଥିଲେ। ସେନା ହାତରେ ଲାଗିଥିବା ଏହି ଶେଷ ଭିଡିଓ ଜରିଆରେ ତାଙ୍କୁ ଖୋଜା ଯାଉଥିଲା। ଶେଷରେ ତାଙ୍କୁ ହତ୍ୟା କରିବାରେ ସେନା ସଫଳ ହୋଇଥିବା ନେଇ ଇସ୍ରାଏଲ ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି।
ରିପୋର୍ଟ ଅନୁଯାୟୀ, ଅକ୍ଟୋବର ୧୦ର ଏକ ଭିଡିଓରେ ସିନଓ୍ବାରଙ୍କୁ ଦେଖିବାକୁ ମିଳିଥିଲା। ସେଥିରେ ସେ ପତ୍ନୀ ଏବଂ ପିଲାଙ୍କ ସହ ଏକ ସୁଡ଼ଙ୍ଗରେ ଯାଉଥିବା ନଜର ଆସିଥିଲେ। ଗୁରୁବାର ଆଇଡିଏଫ୍‌ ଗାଜାରେ ଆକ୍ରମଣ କରି ୩ ଲୋକଙ୍କୁ ହତ୍ୟା କରିଥିଲା। ସେଥିରେ ସିନଓ୍ବାର ଥିଲେ। ପ୍ରଥମେ ଏହାକୁ ନେଇ ସନ୍ଦେହ ରହିଥିଲେ ହେଁ ଡିଏନ୍‌ଏ ନମୂନାର ପ୍ରାରମ୍ଭିକ ପରୀକ୍ଷଣ ପରେ ଇସ୍ରାଏଲ ସ୍ପଷ୍ଟ କରିଥିଲା ଯେ ଅପରେଶନରେ ତାଙ୍କର ମୃତ୍ୟୁ ଘଟିଛି।
ୟାହିୟା ସିନଓ୍ବାର ୧୯୬୨ରେ ଦକ୍ଷିଣ ଗାଜାର ଖାନ୍‌ ୟୁନିସ୍‌ର ଏକ ଶରଣାର୍ଥୀ ଶିବିରରେ ଜନ୍ମ ହୋଇଥିଲେ।ଇସ୍ରାଏଲ ଜେଲରେ ୨୨ ବର୍ଷ ବିତାଇଥିଲେ। ଏଣୁ ତାଙ୍କ ନିକଟରେ ଇସ୍ରାଏଲ ସୈନ୍ୟଙ୍କ ଚିନ୍ତାଧାରା ଏବଂ ସୁରକ୍ଷା ବ୍ୟବସ୍ଥାର ଅଭିଜ୍ଞତା ରହିଥିଲା। ଜେଲରେ ୨୨ ବର୍ଷ ଏବଂ ଗାଜାର ଶରଣାର୍ଥୀ ଶିବିରରେ ବିତାଇଥିବା ପିଲାଦିନ ହିଁ ପାଲେଷ୍ଟାଇନ ରାଷ୍ଟ୍ର ଲାଗି ତାଙ୍କ ସଂକଳ୍ପକୁ ଦୃଢ଼ କରିଥିଲା। ୨୦୧୧ରେ ସେ ଗାଜାରେ ଅପହୃତ ଜଣେ ଇସ୍ରାଇଲ ଯବାନଙ୍କ ବଦଳରେ ନିଜ ସମେତ ଇସ୍ରାଏଲ ହେପାଜତରେ ଥିବା ୧୦୨୭ କଏଦୀଙ୍କ ଅଦଳବଦଳ ପାଇଁ ବୁଝାମଣା କରିଥିଲେ।
ପାଲେଷ୍ଟାଇନୀୟଙ୍କୁ ନିର୍ଯାତନା ଓ ହତ୍ୟା କରିବା ପାଇଁ ସିନୱାର ‘ବୁଚର୍‌ ଅଫ ଖାନ ୟୁନିସ’ ଅର୍ଥାତ ଖାନ୍‌ ୟୁନିସ୍‌ର କଂସେଇ ଭାବରେ କୁଖ୍ୟାତ ଥିଲେ। ସେ ଇସ୍ରାଏଲ ପାଇଁ ଗୁପ୍ତଚର ଅଭିଯୋଗରେ ଅନେକ ଲୋକଙ୍କୁ ନିର୍ଯାତନା ଦେଇ ହତ୍ୟା କରିଥିଲେ। ନିର୍ଦ୍ଦୟ ଭାବରେ ଶହ ଶହ ଲୋକଙ୍କ ହତ୍ୟା କରାଯାଇଥିଲା। ସିନୱାରଙ୍କ ଏହି ନିଷ୍ଠୁରତା କିଛି ଗାଜାବାସୀଙ୍କ ମଧ୍ୟରେ ତାଙ୍କ ଉପରେ ଅସନ୍ତୋଷର କାରଣ ପାଲଟିଥିଲା। ତଥାପି, ହମାସ ଉପରେ ତାଙ୍କର ଦବ୍‌ଦବା ରହିଥିଲା। ସିନୱାର ଇସ୍ରାଏଲର ଏକ ବିରଳ ଶତ୍ରୁ ଥିଲେ ଯିଏକି ତଥାପି ଏବେ ବି ଦୃଢ଼ ଭାବେ ଜବାବ ଦେଉଥିଲେ। ଇସ୍ରାଏଲ ନିକଟରେ ଲେବାନନ ସ୍ଥିତ ଆତଙ୍କବାଦୀ ଗୋଷ୍ଠୀ ହିଜବୁଲାର ଶୀର୍ଷ ନେତାମାନଙ୍କୁ ହଟାଇ ସାରିଛି। ଇସ୍ରାଏଲ ହିଜବୁଲ ନେତା ହାସନ ନାସରାଲ୍ଲା ଏବଂ ତାଙ୍କ ସମ୍ଭାବ୍ୟ ଉତ୍ତରାଧିକାରୀ ହାଶେମ ସଫିଡେଡିନଙ୍କୁ ମଧ୍ୟ ହତ୍ୟା କରିଛି। ବର୍ତ୍ତମାନ ସିନୱାର ନିଜେ ତାଙ୍କ ସାମ୍ନାରେ କାନ୍ଥ ପରି ଠିଆ ହୋଇଥିଲେ।
ହମାସ ଉଗ୍ରବାଦୀ ଦଳର ମୁଖ୍ୟ:
ୟାହିୟା ସିନଓ୍ବାର ଗାଜାରୁ ହମାସ ମଧ୍ୟରେ ଉଗ୍ରବାଦୀ ଦଳର ମୁଖ୍ୟ ଥିଲେ। ସେ ଗାଜାରୁ ଇସ୍ରାଏଲୀୟମାନଙ୍କୁ ହଟାଇବା ପାଇଁ ହିଂସା କରିବା ସପକ୍ଷରେ ଅଛନ୍ତି। ଇସ୍ରାଏଲରେ ଅକ୍ଟୋବର ୭ ରେ ଆକ୍ରମଣ ଆରମ୍ଭ କରିବା ନେଇ ମଧ୍ୟ ବିବାଦ ଲାଗି ରହିଥିଲା ବୋଲି ୱାଶିଂଟନ ପୋଷ୍ଟ ରିପୋର୍ଟ କରିଛି। ଏପରିକି କାତାର ଗୋଷ୍ଠୀ ସିନୱାରଙ୍କୁ ଅହଂକାରୀ ଏବଂ ପାଗଳ ବୋଲି କହିଥିଲା। ଜୁଲାଇରେ ତେହେରାନରେ ଇସ୍ରାଏଲ ଦ୍ୱାରା ଇସମାଇଲ ହନିୟେଙ୍କ ହତ୍ୟା ପରେ ସିନୱାରଙ୍କ ଉପରେ ହାମାସର ସମ୍ପୂର୍ଣ୍ଣ ଦାୟିତ୍ୱ  ଆସିଯାଇଥିଲା।
ସିନୱାର ନେତୃତ୍ୱାଧୀନ ହମାସର ବର୍ଷ ବର୍ଷ ଧରି ଚାଲିଥିବା ପ୍ରସ୍ତୁତିରେ ଗାଜାରେ ଏକ ଭୂତଳ ଟନେଲ ନେଟୱାର୍କ ମଧ୍ୟ ଅନ୍ତର୍ଭୁକ୍ତ । ଟନେଲଗୁଡିକ ଘର ଏବଂ ଡାକ୍ତରଖାନା ତଳେ ଯାଇଥାଏ। ଇସ୍ରାଏଲର ରିପୋର୍ଟ ଅନୁଯାୟୀ, ଗାଜା ତଳେ ୫୦୦ କିଲୋମିଟର ଟନେଲ ଅଛି ଏବଂ ୟାହିୟା ସିନଓ୍ବାର ମଧ୍ୟ ମାନବ ଢ଼ାଲ ଦ୍ୱାରା ଘେରି ରହିଥିଲେ।  କେବଳ ଏହି ଟନେଲଗୁଡ଼ିକ ଯୋଗୁ ସେ ବଞ୍ଚିଯାଉଥିଲେ। କିନ୍ତୁ ଗୁରୁବାର ଦିନ ହୋଇଥିବା ପ୍ରାଣଘାତି ଆକ୍ରମଣରୁ ସେ ରକ୍ଷା ପାଇପାରି ନାହାନ୍ତି। ତାଙ୍କୁ ହଟାଇ ଇସ୍ରାଏଲ ହମାସର ଅଣ୍ଟାକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଛି।

The post ୟାହିୟା ସିନଓ୍ବାର କିଏ? ଅକ୍ଟୋବର ୭ ନରସଂହାର ପଛରେ ରହିଥିଲା ଯାହାଙ୍କ ହାତ, ହତ୍ୟା କରି ଇସ୍ରାଏଲ ନେଲା ପ୍ରତିଶୋଧ… appeared first on Dharitri Odia News.